ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

Jul 09, 2026 - 09:44
ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ସଲମାନ କମାଣ୍ଡ ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଛି। ଇରାନଶାହର ବ୍ୟତୀତ, ଦକ୍ଷିଣ ଇରାନର ଚାବାହାର, କୋନାରାକ, ବନ୍ଦର ଆବାସ, ଜାସ୍କ, ସିରିକ ଏବଂ କ୍ୱେଶମ ସମେତ ଅନ୍ୟ କେତେକ ଅଞ୍ଚଳରେ ଆମେରିକା ଦ୍ୱାରା ଆକ୍ରମଣ କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ଇରାନର ଦକ୍ଷିଣ ବୁଶେହର ପ୍ରଦେଶର ଚୋଘଡାକ ନିକଟରେ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଏରୋସ୍ପେସ ଫୋର୍ସ (IRGC-AF) ଅଧୀନରେ ଥିବା ଏକ ସାମରିକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଘଟିଛି। ଆମେରିକାର ବାୟୁସେନା ଏବଂ ନୌସେନା ଦ୍ୱାରା ଆକ୍ରମଣ ପରେ ନିଆଁ ଲାଗିଥିବା ଜଣାପଡ଼ିଛି। ତଥାପି, ଅଗ୍ନିକାଣ୍ଡର କାରଣ ସରକାରୀ ଭାବରେ ନିଶ୍ଚିତ କରାଯାଇ ନାହିଁ।

ବୁଧବାର ଆମେରିକା ଇରାନ ବିରୋଧରେ ନୂତନ ସାମରିକ ଆକ୍ରମଣ ଆରମ୍ଭ କରିବାର ଘୋଷଣା କରିଛି। ଆମେରିକା ସେନା କହିଛି ଯେ, ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀରେ ଜାହାଜର ଗତିବିଧିକୁ ସୁରକ୍ଷିତ ରଖିବା।

ଆମେରିକୀୟ ସେନା ରିପୋର୍ଟ କରିଛି ଯେ, ବୁଧବାର ଇରାନ ଧିରୋଧରେ ନୂତନ ଆକ୍ରମଣ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ହରମୁଜ ପ୍ରଣାଳୀ ଦେଇ ଯାଉଥିବା ତିନୋଟି ମାଲବାହୀ ଜାହାଜ ଉପରେ ଆକ୍ରମଣ ପରେ ଏହି ପଦକ୍ଷେପ ନିଆଯାଇଛି। ଆମେରିକା କହିଛି ଯେ ଏହି ଆକ୍ରମଣର ଜବାବରେ ସେ ସାମରିକ କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିଛି। ଆକ୍ରମଣ ପରେ, ଇରାନର ଦକ୍ଷିଣ ଉପକୂଳରେ ଥିବା ଅନେକ ସହରରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା ଏବଂ କିଛି ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରି, ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ଇରାନ ବିରୋଧରେ ଅତିରିକ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆମେରିକୀୟ ସେନା କହିଛି ଯେ, ଏହି ଆକ୍ରମଣର ଲକ୍ଷ୍ୟ ହେଉଛି ହର୍ମୁଜ ପ୍ରଣାଳୀରେ ଅନ୍ତର୍ଜାତୀୟ ନୌଚାଳନା ସ୍ବାଧୀନତାକୁ ବିପଦରେ ପକାଇବା ପାଇଁ ଇରାନର କ୍ଷମତାକୁ ଆହୁରି ହ୍ରାସ କରିବା।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।