ଅମରପାଲିରେ +୨ କଲେଜ ପ୍ରତିଷ୍ଠା ଦାବି: ୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ
ଅମରପାଲି,୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ +୨ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଜୋରଦାର ହେଉଛି। ଏହି ଅଞ୍ଚଳରେ ଉଚ୍ଚଶିକ୍ଷାର ସୁବିଧା ନ ଥିବାରୁ ଛାତ୍ରୀଛାତ୍ରଙ୍କୁ +୨ ଓ +୩ ପଢ଼ିବା ପାଇଁ ପ୍ରତିଦିନ ୧୫ରୁ ୨୦ କିଲୋମିଟର ଦୂର କଲେଜକୁ ଯିବାକୁ ପଡ଼ୁଛି। ଫଳରେ ଅନେକ ଛାତ୍ରୀ ଯାତାୟାତ ଅସୁବିଧା ଓ ସୁରକ୍ଷା ଆଶଙ୍କା ଯୋଗୁ ଅଧାରୁ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି।
ଅମରପାଲି, ବହଳପଦର, ଲୁତୁରପଙ୍କ, ଦୁର୍ଜନତୈଲା ସମେତ ପ୍ରାୟ ୪୦ରୁ ଅଧିକ ଗ୍ରାମ ଏବଂ ପଡ଼ୋଶୀ ରେଢ଼ାଖୋଲ ବ୍ଲକର କିଛି ଅଞ୍ଚଳର ଛାତ୍ରୀଛାତ୍ର ଏହି କଲେଜ ଦ୍ୱାରା ଉପକୃତ ହେବେ। ବର୍ତ୍ତମାନ ଅମରପାଲି, ଲୁତୁରପଙ୍କ ଓ ସଗାଯୁରୀରେ ହାଇସ୍କୁଲ ଥିବାବେଳେ ପ୍ରତିବର୍ଷ ଏହି ୩ ବିଦ୍ୟାଳୟରୁ ୨୬୦ରୁ ଅଧିକ ଛାତ୍ରୀଛାତ୍ର ମାଟ୍ରିକ ପାସ କରୁଛନ୍ତି। ମାତ୍ର ଉଚ୍ଚଶିକ୍ଷା ପାଇଁ ସେମାନଙ୍କୁ ବୀରମହାରାଜପୁର, ସୁବଳୟା, ଭୂତିଆପାଲି, ଖଣ୍ଡହତା ଓ ବଡ଼ମାଳ କଲେଜ ଉପରେ ନିର୍ଭର କରିବାକୁ ପଡ଼ୁଛି। ଅମରପାଲିରୁ ବୀରମହାରାଜପୁର ଓ ସୁବଳୟା କଲେଜର ଦୂରତା ପ୍ରାୟ ୨୦ କିଲୋମିଟର ଥିବାବେଳେ ଭୂତିଆପାଲି, ଖଣ୍ଡହତା ଓ ବଡ଼ମାଳ କଲେଜ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ।
ଦୂରତା ଓ ଯାତାୟାତ ସମସ୍ୟା ଯୋଗୁ ଅନେକ ପରିବାର ନିଜ ପିଲାଙ୍କୁ ସମ୍ବଲପୁର, ସୋନପୁର, ବଲାଙ୍ଗୀର, ଭୁବନେଶ୍ୱର ଓ ରେଢ଼ାଖୋଲ ଭଳି ସହରର ବେସରକାରୀ କଲେଜରେ ନାମ ଲେଖାଇ ଅଧିକ ଆର୍ଥିକ ବୋଝ ବହନ କରୁଛନ୍ତି। କିଛିବର୍ଷ ପୂର୍ବେ ବଡ଼ମାଳ କଲେଜରୁ ଫେରୁଥିବାବେଳେ ଜଣେ ଛାତ୍ରୀଙ୍କ ସହ ବଳାତ୍କାର ଅଭିଯୋଗ ଘଟଣା ପରେ ଅନେକ ଅଭିଭାବକ ଝିଅମାନଙ୍କୁ ଦୂର କଲେଜକୁ ପଠାଇବାକୁ ଭୟ କରୁଥିବା ମଧ୍ୟ କହିଛନ୍ତି। ଅମରପାଲି ଗ୍ରାମର ଛାତ୍ର କଳିକେଶ ସାହୁ କହିଛନ୍ତି, ଆମ ଘରଠାରୁ ଯେକୌଣସି କଲେଜକୁ ଯିବାକୁ ୨୦ କିଲୋମିଟରରୁ ଅଧିକ ଦୂର ପଡ଼େ। ପ୍ରତିଦିନ କଲେଜ ଯିବା ସମ୍ଭବ ହେଉନାହିଁ। ଅମରପାଲିରେ +୨ କଲେଜ ହେଲେ ଅନେକ ଛାତ୍ରୀଛାତ୍ର ଉପକୃତ ହେବେ। ଦୁର୍ଜନତୈଲା ପଞ୍ଚାୟତର ଦାଦରପାଲି ଗ୍ରାମର ଅଭିଭାବକ ସନତ ମହାକୁର କହିଛନ୍ତି, ଅମରପାଲିରେ କଲେଜ ହେଲେ ପିଲାମାନେ ନିୟମିତ ଶ୍ରେଣୀକୁ ଯାଇପାରିବେ ଏବଂ ଦୂରତା ସମସ୍ୟା ଯୋଗୁ କେହି ଆଉ ପାଠପଢ଼ା ଛାଡ଼ିବେ ନାହିଁ। ପୂର୍ବତନ ସୁବର୍ଣ୍ଣପୁର ଜିଲା ଉଚ୍ଚଶିକ୍ଷା ପରାମର୍ଶଦାତା ତଥା ବୀରମହାରାଜପୁର କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ରଥ କହିଛନ୍ତି, ଅମରପାଲି ଏକ ଉପାନ୍ତ ଅଞ୍ଚଳ, ଆଦିବାସୀ ବହୁଳ ଓ ଆର୍ଥିକ ଅନଗ୍ରସର ଅଞ୍ଚଳ। ଏଠାରେ +୨ କଲେଜ ପ୍ରତିଷ୍ଠା ହେଲେ ଉଚ୍ଚଶିକ୍ଷାର ପ୍ରସାର ଓ ସାର୍ବଜନୀନକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ସେହିପରି ଅମରପାଲି ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ କହିଛନ୍ତି, ୧୯୯୧ରେ ଗ୍ରାମବାସୀଙ୍କ ଉଦ୍ୟମରେ ଏକ ହାଇସ୍କୁଲ ସ୍ଥାପନ ହୋଇଥିଲା। ଏବେ ଅଞ୍ଚଳରେ ଅଧିକ ସଂଖ୍ୟକ ଛାତ୍ରୀଛାତ୍ର +୨ ପଢୁଛନ୍ତି। ସରକାର ଏବେ ହାଇସ୍କୁଲଗୁଡ଼ିକରେ +୨ ଶିକ୍ଷାକୁ ସାମିଲ କରିଛନ୍ତି। ଯେହେତୁ ଅମରପାଲି ହାଇସ୍କୁଲରେ ଭିତ୍ତିଭୂମି ରହିଛି ଏବଂ ଏଠାରେ ଏକ +୨ କଲେଜ ହେଲେ ଅଞ୍ଚଳର ଛାତ୍ରୀଛାତ୍ର ଉପକୃତ ହୋଇପାରିବେ। ଉଲ୍ଲେଖଯୋଗ୍ୟ, ଅମରପାଲି ହାଇସ୍କୁଲରେ କେବଳ ସୁବର୍ଣ୍ଣପୁର ନୁହେଁ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ବୌଦ୍ଧ ଓ ଅନୁଗୋଳ ଜିଲାରୁ ମଧ୍ୟ ଛାତ୍ରୀଛାତ୍ର ପଢ଼ିବାକୁ ଆସୁଛନ୍ତି। ତେଣୁ +୨ କଲେଜ ପ୍ରତିଷ୍ଠା ହେଲେ ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷାର ବିକାଶ ହୋଇ ପାରିବ ବୋଲି ସାଧାରଣରେ ଦାବି ହେଉଛି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।