ଅନଶନରୁ ଓହରିଲେ ସୋନମ ୱାଙ୍ଗଚୁକ: ଜେପି ନଡ୍ଡାଙ୍କୁ ୩ ଦାବି କଲେ CJP ନେତା, ଆଶ୍ଚର୍ଯ୍ୟ ହୋଇଗଲେ…
ନୂଆଦିଲ୍ଲୀ, ୨୦।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋମବାର ତାଙ୍କର ୨୩ ଦିନିଆ ଭୋକ ହରତାଳ ଶେଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ‘କକରୋଚ ଜନତା ପାର୍ଟି’ (CJP)ର ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଜନ୍ତର-ମନ୍ତରରେ ଅନଶନ ଯୋଗୁ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ୧୮ ଜୁଲାଇରେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କ ଶରୀରରେ ଜଳୀୟ ଅଂଶ କମିବା (ଡିହାଇଡ୍ରେସନ), ପୋଟାସିୟମ ସ୍ତର ବହୁତ କମିଯିବା ଏବଂ କିଟୋନ ସ୍ତର ବୃଦ୍ଧି ପାଇବା ନେଇ ଚିନ୍ତା ପ୍ରକଟ କରିଥିଲେ।
ୱାଙ୍ଗଚୁକ ନିଜର ବିଭିନ୍ନ ଦାବି ନେଇ ଗତ ୨୩ ଦିନ ଧରି ଭୋକ ହରତାଳରେ ଥିଲେ। ସ୍ବାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ହୋଇଥିବା ଆଲୋଚନା ପରେ ସେ ନିଜର ଅନଶନ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ବାସଭବନରେ ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିନିଧି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ସଂଗଠନର ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ ସାମିଲ ଥିଲେ। ସାକ୍ଷାତ ସମୟରେ CJP ସରକାରଙ୍କ ଆଗରେ ପ୍ରମୁଖ ଭାବେ ତିନୋଟି ବଡ଼ ଦାବି ରଖିଥିଲା। ପ୍ରତିନିଧି ଦଳ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ତୁରନ୍ତ ମୁକ୍ତ କରିବା, କଥିତ NEET ପେପର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା ଏବଂ ଆତ୍ମହତ୍ୟା କରିଥିବା ସମସ୍ତ ପୀଡ଼ିତ NEET ପରୀକ୍ଷାର୍ଥୀଙ୍କ ପରିବାରକୁ ୧-୧ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏହି ଦାବିଗୁଡ଼ିକ ଉପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଶୀର୍ଷ ନେତୃତ୍ୱ ସହ ଆଲୋଚନା କରିବା ପାଇଁ କିଛି ସମୟ ମାଗିଛନ୍ତି।
ସିଜେପି ପ୍ରତିନିଧି ଦଳ ସହ ସାକ୍ଷାତ ପରେ ଜେପି ନଡ୍ଡା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଜଣାଇଛନ୍ତି ଯେ, ଆଲୋଚନା ପାଇଁ ପ୍ରସ୍ତାବ ପ୍ରଥମ ଥର ପାଇଁ ପ୍ରଦର୍ଶନକାରୀଙ୍କ ତରଫରୁ ଆସିଥିଲା। ସେ କହିଛନ୍ତି, “ଆଜି ସକାଳେ ପ୍ରଥମ ଥର ପାଇଁ ପ୍ରଦର୍ଶନକାରୀଙ୍କ ତରଫରୁ ସରକାରଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଆସିଥିଲା ଏବଂ ସକାଳ ୧୧:୫୦ ରୁ ଆମର ଆଲୋଚନା ଜାରି ରହିଛି। ବୈଠକ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଛି। ସେମାନଙ୍କ ପ୍ରତିନିଧି ଦଳ ସହ ପ୍ରଥମେ ବିସ୍ତୃତ ମୌଖିକ ଆଲୋଚନା ହୋଇଥିଲା ଏବଂ ସନ୍ଧ୍ୟା ପ୍ରାୟ ୪ଟା ବେଳେ ସେମାନଙ୍କ ଦ୍ୱାରା ମତେ ଏକ ଲିଖିତ ଜ୍ଞାପନ ପତ୍ର ପ୍ରଦାନ କରାଯାଇଛି। ମୁଁ ସମସ୍ତ ପ୍ରଦର୍ଶନକାରୀଙ୍କୁ ଅନୁରୋଧ କରିଛି ଯେ, ସେମାନେ ନିଜର ଧାରଣା ଶେଷ କରନ୍ତୁ ଏବଂ ପରିସ୍ଥିତି ସୱାଭାବିକ କରିବାରେ ପ୍ରଶାସନକୁ ସହଯୋଗ କରନ୍ତୁ।”
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।