ଆସିଲା ଆଜ୍ଞାମାଳ: ରଥ ନେବ ଦକ୍ଷିଣ ମୋଡ଼

Jul 21, 2026 - 16:41
ଆସିଲା ଆଜ୍ଞାମାଳ: ରଥ ନେବ ଦକ୍ଷିଣ ମୋଡ଼

ପୁରୀ,୨୧ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା ତିନିରଥ ମଙ୍ଗଳବାର ଦକ୍ଷିଣ ମୋଡ଼ ହେବ। ତିନିରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ।ଦକ୍ଷିଣ ମୋଡ଼ ପୂର୍ବରୁ ସେବକ, ମହାରଣା ସେବକ, ଓଝା ସେବକ, ରଥ ନିର୍ମାଣ କମିଟି ସଦସ୍ୟ ପ୍ରମୁଖ ତିନିରଥକୁ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି।

ଶ୍ରୀଗୁଣ୍ଡିଚା ମନ୍ଦିରରେ ମଙ୍ଗଳବାର ସକାଳ ଧୂପ ସମ୍ପନ୍ନ ହେବା ପରେ ତିନିବାଡ଼ରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ତିନି ରଥରେ ବିଜେ କରିଛନ୍ତି। ବର୍ତ୍ତମାନ ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ ହେବ।

ପରମ୍ପରା ଅନୁଯାୟୀ, ପ୍ରଥମେ ସୁଭଦ୍ରାଙ୍କ ଦେବଦଳନ ଏବଂ ଦ୍ୱିତୀୟରେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରଖାଯିବ। ବାହୁଡ଼ାରେ ଚତୁର୍ଦ୍ଧାବିଗ୍ରହ ଧାଡ଼ି ପହଣ୍ଡିରେ ଆସି ରଥକୁ ବିଜେ କରିବେ। ପରେ ରଥାରୂଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।