New York: ନ୍ୟୁୟର୍କରେ ଘୋଡ଼ା ଗାଡ଼ି ଦୁର୍ଘଟଣାରେ ଭାରତୀୟ କିଶୋରଙ୍କ ମୃତ୍ୟୁ
"ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କସ୍ଥିତ ସେଣ୍ଟ୍ରାଲ ପାର୍କରେ ଏକ ଘୋଡ଼ା ଗାଡ଼ି ଦୁର୍ଘଟଣାରେ ଜଣେ ଭାରତୀୟ କିଶୋରଙ୍କ ମୃତ୍ୟୁ ହୋଇଛି।
ମୃତ କିଶୋର ରୋମାଞ୍ଚ ମହାଜନ ବୋଲି ଜଣାପଡ଼ିଛି।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ରୋମାଞ୍ଚଙ୍କ ପରିବାର ପ୍ରଥମ ଥର ଭାରତରୁ ନ୍ୟୁୟର୍କ ବୁଲିବାକୁ ଯାଇଥିଲେ।
ଦୁର୍ଘଟଣାଟି ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ ଘଟିଥିଲା ବୋଲି କୁହାଯାଉଛି।
କିଶୋର ଜଣକ ଅନ୍ୟ ତିନି ଜଣ ଯାତ୍ରୀଙ୍କ ସହିତ ଘୋଡା ଗାଡ଼ିରେ ବସିଥିବାବେଳେ ଘୋଡ଼ା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା ଓ ଦୁର୍ଘଟଣା ଘଟିଥିଲା।
ଗୁରୁତର ଅବସ୍ଥାରେ ରୋମାଞ୍ଚଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ନ୍ୟୁଜ ଏଜେନ୍ସି ଆସୋସିଏଟେଡ ପ୍ରେସ୍ ଏହାର ରିପୋର୍ଟରେ ପ୍ରକାଶ କରିଛି।Advertisment ୱାର୍କ ଭିସା ନିୟମ ପରିବର୍ତ୍ତନ କଲା ସାଉଦି ଆରବ: ଭାରତୀୟ ହେବେ ପ୍ରଭାବିତ ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଉଲ୍ଲେଖ ହୋଇଥିବା ଦୁର୍ଘଟଣାର ବିବରଣୀ ଅନୁଯାୟୀ, ରୋମାଞ୍ଚଙ୍କ ବାପା ୪୪ ବର୍ଷୀୟ ଦୀପକ ମହାଜନ କହିଛନ୍ତି ଯେ, ଘୋଡ଼ା ଗାଡ଼ି ଚାଳକ ବଗିରୁ ଓହ୍ଲାଇ ଫଟୋ ଉଠାଉଥିବା ସମୟରେ ଘୋଡ଼ା ଅମାନିଆ ହୋଇ ଦୌଡ଼ିବା ଯୋଗୁ ଆମେ ସାହାଯ୍ୟ ମାଗିବାକୁ ଚିତ୍କାର କରୁଥିଲୁ।
ମହାଜନଙ୍କ ପତ୍ନୀ ପ୍ରିୟା ବଗିରୁ ଖସି ପଡ଼ିବା ପରେ ରୋମାଞ୍ଚ ତାଙ୍କ ମା"ଙ୍କୁ ସାହାଯ୍ୟ କରିବା ପାଇଁ ବଗିରୁ ଡେଇଁ ପଡ଼ିଥିଲେ।
ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।
ଘୋଡ଼ା ଗାଡ଼ି ପରିବହନ ଶ୍ରମିକ ସଂଘର ପ୍ରତିନିଧି କହିଛନ୍ତି ଯେ, ଡ୍ରାଇଭର ତାଙ୍କ ଯାତ୍ରୀମାନଙ୍କର ଫଟୋ ଉଠାଇବା ପାଇଁ ଘୋଡାରୁ ଓହ୍ଲାଇଥିଲେ, ଯାହା ସେମାନେ କରିବା କଥା ନୁହେଁ।
ୟୁନିଅନର ସ୍ଥାନୀୟ ଶାଖାର ପ୍ରଶାସନିକ ଉପାଧ୍ୟକ୍ଷ ଆଲେକଜାଣ୍ଡାର କେମ୍ପଙ୍କ ଅନୁଯାୟୀ, ଘୋଡାଟି କେବଳ ଛଅ ସପ୍ତାହ ପାଇଁ ପାର୍କରେ ଥିଲା।
ସେ କହିଛନ୍ତି ଯେ ସେ ଏହି ଘଟଣାର ସବିଶେଷ ତଦନ୍ତ ଚାହାନ୍ତି।
ନ୍ୟୁୟର୍କ ଷ୍ଟେଟ୍ ସିନେଟର ଏରିକ୍ ବଟ୍ଚର ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ।
କହିଥିଲେ ଯେ, ସେଣ୍ଟ୍ରାଲ ପାର୍କରେ ଆଉ ଏକ ଘୋଡା ଗାଡ଼ିରୁ ଖସି ପଡ଼ି ଜଣଙ୍କର ମୃତ୍ୟୁ ଘଟିବାର କିଛି ଦିନ ପରେ ଓ ଅନ୍ୟ ଏପରି ଏକ ଦୁର୍ଘଟଣାରେ ଜଣେ ଡ୍ରାଇଭର ଆହତ ହେବାର ମାତ୍ର ସପ୍ତାହ ପରେ ଏହି ଦୁଃଖଦ ଘଟଣା ଘଟିଛି।
"