Nepal flood: ନେପାଳ ବନ୍ୟା ବୀଭିଷିକା; ମୃତ୍ୟୁସଂଖ୍ୟା ୭୭୦କୁ ବୃଦ୍ଧି, ଚୀନ୍‌ ସୀମାରେ ୯୦୦ ଭାରତୀୟ ସୁରକ୍ଷିତ

Aug 30, 2026 - 20:49
Nepal flood: ନେପାଳ ବନ୍ୟା ବୀଭିଷିକା; ମୃତ୍ୟୁସଂଖ୍ୟା ୭୭୦କୁ ବୃଦ୍ଧି, ଚୀନ୍‌ ସୀମାରେ ୯୦୦ ଭାରତୀୟ ସୁରକ୍ଷିତ

"କାଠମାଣ୍ଡୁ: ନେପାଳରେ ବୁଧବାର ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ପରେ ପୁଣି ଥରେ ନୂତନ ବନ୍ୟା ଆସିବା ନେଇ ରବିବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଉପର ମୁଣ୍ଡରୁ ଜଳ ପ୍ରବାହ ବୃଦ୍ଧି ପାଇବା ନେଇ ଚୀନ୍ ସରକାର ଅବଗତ କରିବା ପରେ ଭୋଟେକୋଶୀ ଏବଂ ତ୍ରିଶୁଳୀ ନଦୀ ଅବବାହିକାରେ ରହୁଥିବା ଜନବସତିକୁ ହାଇ ଆଲର୍ଟରେ ରହିବାକୁ ମୋବାଇଲ୍ ବାର୍ତ୍ତା ମାଧ୍ୟମରେ ସୂଚିତ କରାଯାଇଛି।

Advertisment ନେପାଳ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ନେପାଳ ଏବଂ ତିବ୍ବତ ଅଞ୍ଚଳରେ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୭୭୦ରେ ପହଞ୍ଚିଥିବା ବେଳେ ୩୦୦୦ରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି।

କେବଳ ନେପାଳରେ ୭୩୪ ଜଣ ପ୍ରାଣ ହରାଇଥିବା ବେଳେ ୨୪୫୮ ଜଣ ନିଖୋଜ ଅଛନ୍ତି।

ଅପରପକ୍ଷେ ଚୀନ୍ କର୍ତ୍ତୃପକ୍ଷ ୧୬ ଜଣଙ୍କ ମୃତ୍ୟୁ ଏବଂ ୫୪୬ ଜଣ ନିଖୋଜ ଥିବା ନେଇ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୨୭୫ ଜଣ ଭାରତୀୟ ନାଗରିକ ନିଖୋଜ ଥିବା ବେଳେ ୧୦୮ ଜଣଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି।

ଅନ୍ୟ ଦେଶର ନାଗରିକତା ରଖିଥିବା ପ୍ରାୟ ୧୨୮ ଜଣ ଭାରତୀୟ ବଂଶୋଦ୍ଭବଙ୍କ ସହ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ।

ଗତ ୪୮ ଘଣ୍ଟା ମଧ୍ୟରେ ଚୀନ୍‌ (ତିବ୍ବତ) ସୀମାରୁ ପ୍ରାୟ ୫୯୮ ଜଣ ଭାରତୀୟ ସୁରକ୍ଷିତ ଭାବେ ନେପାଳ ସୀମାକୁ ପ୍ରବେଶ କରିଛନ୍ତି ଏବଂ ଚୀନ୍‌ ସୀମାରେ ଥିବା ଆଉ ୯୦୦ ଜଣ ଭାରତୀୟ ସୁରକ୍ଷିତ ଅଛନ୍ତି ଓ ସେମାନଙ୍କ ସହ ସମ୍ପର୍କ ରହିଛି ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ୫୦ ଜଣ ଭାରତୀୟଙ୍କ ସହ ପୁଣିଥରେ ସମ୍ପର୍କ ସ୍ଥାପନ ହୋଇପାରିଛି।

ବନ୍ୟା ବିପର୍ଯ୍ୟୟ ଯୋଗୁଁ ଧାଡ଼ିଙ୍ଗ ଜିଲ୍ଲାର ଗାଲଛି ସମେତ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ବହୁ ବାସଭବନ, ଯାନବାହନ ଏବଂ କୃଷି ଟ୍ରାକ୍ଟରଗୁଡ଼ିକ କାଦୁଅର ମୋଟା ଆସ୍ତରଣ ତଳେ ପୋତି ହୋଇ ରହିଛି।

ସେହିପରି ନଦୀକୂଳରେ ଥିବା ଧାନ କ୍ଷେତଗୁଡ଼ିକରେ ବ୍ୟାପକ ଭୂସ୍ଖଳନ ଘଟି ଜମିଗୁଡ଼ିକ ନଦୀ ଗର୍ଭରେ ବିଲୀନ ହୋଇଯାଇଛି।

ଉଦ୍ଧାରକାରୀ ଦଳ ବର୍ତ୍ତମାନ ରାଜଧାନୀ କାଠମାଣ୍ଡୁକୁ ସଂଯୋଗ କରୁଥିବା ମୁଖ୍ୟ ରାଜପଥକୁ ସଫା କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି।

ତେବେ ରାସ୍ତାର କେତେକ ଅଂଶ ସମ୍ପୂର୍ଣ୍ଣ ଧୋଇଯାଇଥିବାରୁ ଯୋଗାଯୋଗ ଏବଂ ସାମଗ୍ରୀ ପରିବହନ କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି।

Nepal: ନେପାଳ ବନ୍ୟା: ଶବଗୃହରେ ସ୍ଥାନ ଅଭାବ, ଡିଏନଏ ସଂଗ୍ରହ ପରେ ଅଜ୍ଞାତ ମୃତଦେହକୁ କବର ଦେଉଛନ୍ତି ସରକାର ଅଞ୍ଚଳର ବୃହତ କଂକ୍ରିଟ୍ ସେତୁ ଏବଂ ଝୁଲା ପୋଲଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଥିବାରୁ ନଦୀର ଆରପାରିରେ ଥିବା ଗ୍ରାମଗୁଡ଼ିକ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ମଝିରେ ଫସି ରହିଛନ୍ତି।

ବିପର୍ଯ୍ୟୟରୁ ବର୍ତ୍ତି ଯାଇଥିବା ବାସଭବନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ରବିବାର ସୁଦ୍ଧା ବିଦ୍ୟୁତ ସେବା ସ୍ୱାଭାବିକ ହୋଇପାରି ନାହିଁ।

କ୍ରମାଗତ ବର୍ଷା ସାଙ୍ଗକୁ ରାତ୍ରି ସମୟରେ ବାରମ୍ବାର ଆସୁଥିବା ବନ୍ୟା ସାଇରେନ୍ ଯୋଗୁଁ ସ୍ଥାନୀୟ ବାସିନ୍ଦା ସେମାନଙ୍କର ବୃଦ୍ଧ ପିତାମାତା ଓ ପରିବାରକୁ ଧରି ଉଚ୍ଚ ସ୍ଥାନକୁ ଦୌଡ଼ିବାକୁ ବାଧ୍ୟ ହେଉଛନ୍ତି, ଯାହା ସେମାନଙ୍କୁ ସମ୍ପୂର୍ଣ୍ଣ ମାନସିକ ଓ ଶାରୀରିକ ଭାବେ କ୍ଲାନ୍ତ କରିଦେଇଛି।

ଚୀନ୍ ଜଳସମ୍ପଦ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ସୀମା ଆରପାରିରେ ଥିବା କୃତ୍ରିମ ହ୍ରଦଗୁଡ଼ିକରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି।

ଯଦି ତାହା ହଠାତ୍ ନିଷ୍କାସିତ ହୁଏ ତେବେ ତଳ ମୁଣ୍ଡରେ ଥିବା ନେପାଳର ଜନବସତି ସମ୍ପୂର୍ଣ୍ଣ ଧୋଇଯିବା ଆଶଙ୍କା ରହିଛି।

ଭାରତ ଏବଂ ଚୀନ୍‌ରୁ ଆସିଥିବା ସାମରିକ ବିଶେଷଜ୍ଞ ଦଳ ବର୍ତ୍ତମାନ ସ୍ଥାନୀୟ ପ୍ରଶାସନ ସହ ମିଶି ନଦୀଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖିବା ସହ ବନ୍ଧଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)