23 JULY 2026

Welcome!

Unlock your personalized experience.
Sign Up

National highway: ଜାତୀୟ ରାଜପଥରେ ଯାଉଥିଲେ, ସାବଧାନ! ଓଡ଼ିଶାରେ ୫ ବର୍ଷରେ ୨୧,୨୧୯ ଦୁର୍ଘଟଣା

Jul 23, 2026 - 01:11
National highway: ଜାତୀୟ ରାଜପଥରେ ଯାଉଥିଲେ, ସାବଧାନ! ଓଡ଼ିଶାରେ ୫ ବର୍ଷରେ ୨୧,୨୧୯ ଦୁର୍ଘଟଣା

ଭୁବନେଶ୍ବର: ବର୍ଷରେ ଏମିତି ଗୋଟିଏ ବି ଦିନ ନଥିବ, ଯେଉଁଦିନ ରାସ୍ତାରେ ଦୁର୍ଘଟଣା ଘଟୁନାହିଁ। ଓଡ଼ିଶାରେ ଏଭଳି ଦୁର୍ଘଟଣା ନିୟମିତ ଘଟୁଛି ଓ ସେଥିରେ ଶହଶହ ପରିବାର ନିଜର ରୋଜଗାରିଆ ସଦସ୍ୟଙ୍କୁ ହରାଇ ସର୍ବସ୍ବାନ୍ତ ହେଉଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଏକ ତଥ୍ୟ କହୁଛି, ୨୦୨୦ରୁ ୨୦୨୪ ମଧ୍ୟରେ ପାଞ୍ଚ ବର୍ଷରେ ଓଡ଼ିଶାର ରାଜପଥଗୁଡ଼ିକରେ ୨୧,୨୧୯ଟି ଦୁର୍ଘଟଣା ଘଟିଥିଲା। ସେଥିରେ ୧୦,୪୯୫ ଜଣଙ୍କର ଜୀବନ ଯାଇଥିଲା ଓ ୧୮,୯୪୧ ଜଣ ଆହତ ହୋଇଥିଲେ। ଓଡ଼ିଶାର ଜାତୀୟ ରାଜପଥରେ ବର୍ଷକୁ ହାରାହାରି ୪୦୦୦-୪୫୦୦ ଥର ଦୁର୍ଘଟଣା ଘଟୁଛି। ପ୍ରତିବର୍ଷ ମୃତାହତଙ୍କ ସଂଖ୍ୟା ବଢ଼ିଚାଲିଛି। ବ୍ୟାପକ ସଚେତନତା ସତ୍ତ୍ବେ ଏହା ରାଜ୍ୟର ସବୁଠୁ ବଡ଼ ଜନସୁରକ୍ଷା ଆହ୍ବାନ ହୋଇରହିଛି। ତଥ୍ୟ ବି‌ଶ୍ଳେଷଣରୁ ଜଣାପଡ଼ିଛି ଯେ କରୋନା ମହାମାରୀ ବ୍ୟାପିବା ବର୍ଷ ୨୦୨୦ରେ ଜାତୀୟ ରାଜପଥ ଦୁର୍ଘଟଣା‌ରେ ରାଜ୍ୟରେ ୧୭୮୧ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୩୪୨୧ ଜଣ ଆହତ ହୋଇଥିଲେ। ମହାମାରୀକୁ ରୋକିବା ପାଇଁ ଯାତାୟାତ ଉପରେ କଟକଣା ସତ୍ତ୍ବେ ସେହି ବର୍ଷ ଏତେ ସଂଖ୍ୟାରେ ଲୋକଙ୍କ ଜୀବନ ସଡ଼କରେ ଯାଇଥିଲା। ୨୦୨୧ରେ ୧୯୩୩ ଜଣ, ୨୦୨୨ରେ  ୨୦୪୩, ୨୦୨୩ରେ ୨୧୮୦ ଓ ୨୦୨୪ରେ ୨୫୫୮ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେହିପରି ୨୦୨୦ରେ ୩୪୨୧ ଜଣ, ୨୦୨୧ରେ ୩୫୨୦, ୨୦୨୨ରେ ୩୭୪୬, ୨୦୨୩ରେ ୩୯୯୭ ଓ ୨୦୨୪ରେ ୪୨୫୭ ଜଣ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ। 

ଜାତୀୟ ରାଜପଥରେ ଏଭଳି କିଛି ସ୍ଥାନ ରହିଛି ଯେଉଁଠାରେ ନିୟମିତ ଦୁର୍ଘଟଣା ହେଉଛି। ସାରା ଦେଶରେ ଏଭଳି ୬୩୫୮ଟି ବ୍ଲାକ୍‌ ସ୍ପଟ୍‌ ବା ବ୍ଲାକ୍‌ କରିଡର୍‌ ଚିହ୍ନଟ କରାଯାଇଛି। କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଟୁଲ୍‌ ବ୍ୟବହାର କରି ସେଗୁଡ଼ିକୁ ଚିହ୍ନଟ କରାଯାଇଛି। ଓଡ଼ିଶାର ଜାତୀୟ ରାଜପଥଗୁଡ଼ିକରେ ୧୯୪ଟି ବ୍ଲାକ୍‌ କରିଡର୍‌ ରହିଛି। ସର୍ବାଧିକ ୨୮ଟି ବ୍ଲାକ୍‌ କରିଡର୍‌ ଯାଜପୁର ଜିଲ୍ଲାରେ ରହିଛି। ଏହା ବ୍ୟତୀତ ଗଞ୍ଜାମରେ ୧୭, ପୁରୀରେ ୧୩, କଟକ ୟୁପିଡିରେ ୧୩, ବ୍ରହ୍ମପୁରରେ ୧୦, ଭଦ୍ରକରେ ୧୦, ଭୁବନେଶ୍ବର ୟୁପିଡିରେ ୧୧, ମୟୂରଭଞ୍ଜରେ ୧୧, ନୟାଗଡ଼ରେ ୧୦, ବରଗଡ଼ରେ ୭, କେନ୍ଦୁଝରରେ ୭, ସମ୍ବଲପୁରରେ ୭, କୋରାପୁଟରେ ୫, ଝାରସୁଗୁଡ଼ାରେ ୫, ବଲାଙ୍ଗୀରରେ ୫ ଓ ବାଲେଶ୍ବରରେ ୫ଟି ଲେଖାଏଁ ବ୍ଲାକ୍‌ କରିଡର୍‌ ଚିହ୍ନଟ କରାଯାଇଛି। 

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି ଯେ ଭାରତୀୟ ସଡ଼କ କଂଗ୍ରେସର ଗାଇଡ୍‌ଲାଇନ୍‌, ମାନକ ଓ ସଂହିତା ଆଧାରରେ ରାଜପଥ ନିର୍ମାଣ କରାଯାଉଛି। ସଡ଼କ ଡିଜାଇନ୍‌, ନିର୍ମାଣ, ପରିଚାଳନା ଓ କାର୍ଯ୍ୟକ୍ଷମ ସ୍ତରରେ ଆବଶ୍ୟକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଉଛି। ସବୁ ଜାତୀୟ ରାଜପଥର ନିମୟିତ ସୁରକ୍ଷା ଅଡିଟ୍‌ କରାଯାଉଛି। ସଡ଼କ ସୁରକ୍ଷା ସମସ୍ୟାର ମୁକାବିଲା କରିବା ଲାଗି ସରକାର ବିିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସଚେତନତାଠାରୁ ଆରମ୍ଭ କରି ଇଞ୍ଜିନିୟରିଂ, ନିୟମ ପାଳନ ଓ ଜରୁରିକାଳୀନ ସେବା ଆଦି ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।