23 JULY 2026

Welcome!

Unlock your personalized experience.
Sign Up

Commission: ତଦନ୍ତ କମିସନ ଫାଇଲ୍‌ ହଜିବା ଘଟଣା: ପାଣ୍ଡିଆନଙ୍କୁ ଥାନାକୁ ଡକାଗଲା, ୨୫ରେ ହାଜର ହେବାକୁ ନୋଟିସ୍‌

Jul 23, 2026 - 01:11
Commission: ତଦନ୍ତ କମିସନ ଫାଇଲ୍‌ ହଜିବା ଘଟଣା: ପାଣ୍ଡିଆନଙ୍କୁ ଥାନାକୁ ଡକାଗଲା, ୨୫ରେ ହାଜର ହେବାକୁ ନୋଟିସ୍‌
ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ଅନ୍ୟମାନଙ୍କ ହତ୍ୟା ଘଟଣାରେ ଜଷ୍ଟିସ୍ ନାଇଡ଼ୁ କମିସନ ଦେଇଥିବା ତଦନ୍ତ ରିପୋର୍ଟ ଏବଂ ସମ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାର ଆର୍‌ଡିସି ତଦନ୍ତ ରିପୋର୍ଟ ହଜିବା ମାମଲାରେ କ୍ୟାପିଟାଲ୍‌ ଥାନା ପୁଲିସ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ ନୋଟିସ୍ କରିଛି। ଆସନ୍ତା ୨୫ ତାରିଖ ପୂର୍ବାହ୍ଣ ୧୧ଟାରେ କ୍ୟାପିଟାଲ୍‌ ଥାନା ପରିସରରେ ଥିବା ଏସିପି ଜୋନ୍‌-୧ଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ତଦନ୍ତକାରୀ ଅଧିକାରୀ ବିପିନ ବିହାରୀ ହୋତା ନୋଟିସ୍ କରିଛନ୍ତି। 
ଏହାସହ ତାଙ୍କ ପାଖରେ ଯଦି ଏହି ଦୁଇଟି ତଦନ୍ତ କମିସନ ଫାଇଲ୍‌ ସମ୍ପର୍କିତ କୌଣସି ଦଲିଲ୍‌, ରେକର୍ଡ, ଇଲେକ୍ଟ୍ରୋନିକ ଡିଭାଇସ୍ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଅଛି, ତାକୁ ଆଣିବା ପାଇଁ କୁହାଯାଇଛି। ତଦନ୍ତରେ ସହଯୋଗ କରିବା ପାଇଁ ମଧ୍ୟ ନୋଟିସ୍‌ରେ କୁହାଯାଇଛି। ପାଣ୍ଡିଆନଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍‌ ହେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଭିନ୍ନ ପ୍ରସଙ୍ଗରେ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଜେପି ସରକାରର ମନ୍ତ୍ରୀ, ବିଧାୟକମାନେ ପୂର୍ବରୁ ବହୁବାର ବୟାନବାଜି କରୁଥିବାବେଳେ ଆଜି ପ୍ରଥମ ଥର ପାଇଁ ପାଣ୍ଡିଆନଙ୍କୁ ଆଇନ ଫାଶକୁ ଟଣାଯାଇଛି।

୨୫ରେ ହାଜର ହେବାକୁ ନୋଟିସ୍‌
ଆସିଲେନି ରାଜେଶ ବର୍ମା

ଅପରପକ୍ଷେ ପାଣ୍ଡିଆନଙ୍କୁ କ୍ୟାପିଟାଲ୍‌ ଥାନା ପୁଲିସ ନୋଟିସ୍ କରିବା ପୂର୍ବରୁ ଆଜି ପୁଲିସ କମିସନର ଏସ୍‌. ଦେବଦତ୍ତ ସିଂହ, ଡିସିପି ଜଗମୋହନ ମୀନା ମଧ୍ୟାହ୍ଣ ଗୋଟାଏରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଦୀର୍ଘ ସମୟ ଆଲୋଚନା କରିଥିଲେ। ଏହା ପରେ ତଦନ୍ତକାରୀ ଅଧିକାରୀ ଏହି ନୋଟିସ୍ ଜାରି କରିଥିବା ଜାଣିବାକୁ ମିଳିଛି। ତଦନ୍ତ କମିସନ ଫାଇଲ୍‌ ହଜିବା ଘଟଣାରେ ତଦନ୍ତ କରୁଥିବା ଏସ୍ଆଇଟିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜେଶ ବର୍ମା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବାବେଳେ ଏହି ଦୁଇଟି ଫାଇଲ୍‌ ସିଏମ୍‌ଓକୁ ଯାଇଥିଲା। ସେହିପରି ମନୋଜ ମିଶ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଥିବାବେଳେ ବିଭିନ୍ନ ଫାଇଲ୍‌ ଗୃହ ବିଭାଗକୁ ହସ୍ତାନ୍ତର ହୋଇଥିଲେ ହେଁ ଏହି ଦୁଇଟି ତଦନ୍ତ କମିସନଙ୍କ ଫାଇଲ୍ ହସ୍ତାନ୍ତର ହୋଇନଥିଲା। ଏହି ଆଧାରରେ ଦୁଇ ଅଧିକାରୀଙ୍କୁ ନୋଟିସ୍ କରାଯାଇଥିଲା। ହେଲେ ରାଜେଶ ବର୍ମା ଥାନାରେ ହାଜର ହୋଇ ନଥିବା ବେଳେ ମନୋଜ ମିଶ୍ର ଏହି ଫାଇଲ୍ ସମ୍ପର୍କରେ ଜାଣିନଥିବା କହିଥିଲେ। ଏପରିକି ସେ ଫାଇଲ୍‌ର ହାର୍ଡ କିମ୍ବା ସଫ୍‌ଟ କପି ରଖିନଥିବା କହିଥିଲେ। ତେଣୁ ତାଙ୍କ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଭି.କେ ପାଣ୍ଡିଆନଙ୍କୁ ନୋଟିସ୍ କରାଯାଇଛି। ଯଦି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କିମ୍ବା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ୍ ଯାଇଥିବ ତେବେ କୌଣସି ନା କୌଣସି ସମୟ‌ରେ ଏହି ତିନି ଅଧିକାରୀଙ୍କ ମଧ୍ୟରୁ କେହି ଜଣଙ୍କ ମାଧ୍ୟମରେ ଫାଇଲ୍ ଫେରିଥିବ। ତେଣୁ ସମସ୍ତେ ଯଦି କହିବେ ଫାଇଲ୍ କେଉଁଠି ଅଛି ଆମେ ଜାଣିନୁ ତେବେ ଆମେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନେବୁ।
ଅପରପକ୍ଷରେ ଆଜି ପୂର୍ବାହ୍ଣ ୧୧ଟା ସୁଦ୍ଧା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ରାଜେଶ ବର୍ମା ହାଜର ହେବାର ଥିଲେ ମଧ୍ୟ ସେ ହାଜର ହୋଇନାହାନ୍ତି। ‌େତଣୁ ତାଙ୍କୁ ଖୁବ୍‌ଶୀଘ୍ର ପୁଣି ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ନୋଟିସ୍ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଯଦି ଶ୍ରୀ ବର୍ମା ନୋଟିସ୍‌କୁ ଅବମାନନା କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ‌ନିଆଯିବ ବୋଲି ସେ କହିଛନ୍ତି। ତିନି ଅଧିକାରୀ ଫାଇଲ ସମ୍ପର୍କରେ କୌଣସି ଠୋସ୍‌ ସୂଚନା  ନ ଦେଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହିଁ ଆଇନ ଅନୁଯାୟୀ ନୋଟିସ୍‌ ହେବାର ସମ୍ଭାବନା ରହିଛି। କିନ୍ତୁ ନବୀନଙ୍କୁ ନୋଟିସ୍‌ କରିବା ନିଷ୍ପତ୍ତି ଏତେ ସହଜ ହେବ ନାହିଁ। ଏଥି ପାଇଁ କମିସନରେଟ୍‌ ପୁଲିସ ନିଜ ଆଡ଼ୁ ନିଷ୍ପତ୍ତି ନେଇପାରିବ ନାହିଁ। ସରକାର ଓ ଶାସକ ଦଳରୁ ଅଲିଖିତ ଅନୁମତି ଆଣିବାକୁ ପଡ଼ିବ। ଏ ନେଇ ଉପର ମହଲରେ ଆଲୋଚନା ହୋଇଛି। ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି। ତେବେ ଏହି ପ୍ରକ୍ରିୟାରେ ବିଶେଷ ଅଗ୍ରଗତି ହୋଇ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।