Nandighosha: ବିଧି ରକ୍ଷା ପାଇଁ ଗଡ଼ିଲା ନନ୍ଦିଘୋଷ: ବିନା ଟାହିଆରେ ବଡ଼ଦାଣ୍ଡକୁ ଓହ୍ଲାଇଲେ ମହାପ୍ରଭୁ ଶ୍ରୀଜଗନ୍ନାଥ

Jul 17, 2026 - 02:02
Nandighosha: ବିଧି ରକ୍ଷା ପାଇଁ ଗଡ଼ିଲା ନନ୍ଦିଘୋଷ: ବିନା ଟାହିଆରେ ବଡ଼ଦାଣ୍ଡକୁ ଓହ୍ଲାଇଲେ ମହାପ୍ରଭୁ ଶ୍ରୀଜଗନ୍ନାଥ

"ପୁରୀ: ବର୍ଷାରେ ତିନ୍ତୁଥିଲା ଶରୀର, କିନ୍ତୁ ଭକ୍ତି ରସରେ ଜୁଡ଼ୁବୁଡ଼ୁ ହେଉଥିଲା ମନ।

ଭକ୍ତ, ଜଗନ୍ନାଥ ସଭିଏଁ ଭିଜୁଥିଲେ।

ଅସମ୍ଭାଳ ଭିଡ଼ରେ ଅଟକି ଯାଉଥିଲା ନିଃଶ୍ବାସ, ଆଶା ହାରୁନଥିଲେ ଭକ୍ତ।

ରଥାରୂଢ଼ ମହାପ୍ରଭୁଙ୍କ ଆଡ଼କୁ ଛୁଟୁଥିବା ପାଦରେ ଲାଗିନଥିଲା ବିରାମ।

ଭାବ ସମୁଦ୍ରରେ ବିଭୋର ହୋଇଥିଲେ ଅଗଣିତ ଭକ୍ତ।

ପହଣ୍ଡି ସଅଳ ଆରମ୍ଭ ହେଲା, କିନ୍ତୁ ସରିବା ବିଳମ୍ବ ହେଲା।

ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଆଗପଛ ହୋଇ ୧୦ଟା ୫୫ ସୁଦ୍ଧା ରଥାରୂଢ଼ ହୋଇ ୧୧ଟା ସୁଦ୍ଧା ରୁନ୍ଧା ସରିଥିଲେ।

ମାତ୍ର ଅଚଳ ମହାମେରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁମୁଟ ପାଖରୁ ରଥକୁ ଆସିବାକୁ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ବ ଲଗାଇ ଦେଇଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇ ରୁନ୍ଧା ସରିବାବେଳକୁ ୩ଟା ବାଜି ସାରିଥିଲା।

ରଥଟଣା ମଧ୍ୟ ଘଣ୍ଟାଏ ବିଳମ୍ବ ହୋଇଥିଲା।

ମହାପ୍ରଭୁ ଗୁମୁଟରୁ ବାହାରିବା ବେଳକୁ ମଥାରେ ଆଉ ଟାହିଆ ନଥିଲା।

ଟାହିଆ ତଳେ ପଡ଼ିଯିବାରୁ ଆଉ ଲାଗି ହୋଇ ନଥିଲା।

ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ପୂର୍ବତନ ରାଜ୍ୟପାଳ ଗଣେଶୀ ଲାଲ, ହାଇକୋର୍ଟ ବିଚାରପତି ଓ ମନ୍ତ୍ରୀଗଣ ଉପସ୍ଥିତ ଥିଲେ।

Advertisment Horoscope 2026 July 17: ଜାଣନ୍ତୁ ଆଜିର ରାଶିଫଳ ଲଗାଣ ବର୍ଷା ସତ୍ତ୍ବେ ଭିଡ଼ ବଢ଼ୁଥିଲା।

ଠେଲାପେଲା ଅତିଷ୍ଠ କରୁଥିଲା।

ଚଳିତ ବର୍ଷ ରଥଯାତ୍ରାରେ ୯ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା।

ଏଣେ ପହଣ୍ଡି ୧୨ଟା ପରିବର୍ତ୍ତେ ୨ଟା ଅତିକ୍ରମ କରିଯାଇଥିବାରୁ ରଥଟଣା ବିଳମ୍ବ ହୋଇଥିଲା।

ସନ୍ଧ୍ୟା ୫ଟା ୧୦ରେ ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଥିଲା।

ଶ୍ରୀବଳଭଦ୍ରଙ୍କ ରଥ ବିନା ବାଧାରେ ଗଡ଼ିଥିଲା।

ତାଳଧ୍ବଜ ରଥ ଟାଉନ୍‌ ଥାନା ନିକଟରେ ଅଟକିଥିଲା।

ଦେବୀ ସୁଭଦ୍ରାଙ୍କ ରଥ ୬ଟା ୧୨ରେ ଗଡ଼ିଥିଲା।

ଦେବଦଳନ ରଥ ମରିଚିକୋଟ ଛକ ନିକଟରେ ଅଟକିଛି।

ନନ୍ଦିଘୋଷ ରଥ ଟଣା ହେବା ବେଳକୁ ସନ୍ଧ୍ୟା ୭ଟା ୧୩ ବାଜି ଯାଇଥିଲା।

ମାତ୍ର ୨୦ ଫୁଟ ଗଡ଼ିଥିଲେ ନନ୍ଦିଘୋଷ।

ରାତିରେ ରଥଟଣା ବିଧି ବିରୁଦ୍ଧ ଥିଲେ ହେଁ ଏହା ଆଜି ଦେଖିବାକୁ ମିଳିଥିଲା।

ବିନା ଟାହିଆରେ ବଡ଼ଦାଣ୍ଡକୁ ଓହ୍ଲାଇଲେ ମହାପ୍ରଭୁ ଶ୍ରୀଜଗନ୍ନାଥଟାଉନ ଥାନା ପାଖେ ତାଳଧ୍ବଜ, ମରୀଚିକୋଟରେ ଦେବଦଳନଭାବ ଓ ବର୍ଷାରେ ଦିନସାରା ଭିଜିଲେ ୯ ଲକ୍ଷ ଶ୍ରଦ୍ଧାଳୁ ପୂର୍ବ ରାତ୍ର ପହୁଡ଼ ହୋଇନଥିଲା।

ଭୋର ସାଢ଼େ ୫ଟାରେ ମଙ୍ଗଳ ଆଳତି ହୋଇ ମଇଲମ, ଅବକାଶ ପୂଜା, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ ସରି ମଙ୍ଗଳାର୍ପଣ ହେବା ପରେ ସକାଳ ୯ଟାରେ ପହଣ୍ଡି ଆରମ୍ଭ ହୋଇଥିଲା।

୨ଟା ୨୦ରେ ମଦନମୋହନ ବିଜେ ହୋଇଥିଲେ।

୨ଟା ସୁଦ୍ଧା ପହଣ୍ଡି ସରି ୩ଟାରେ ରୁନ୍ଧା ଶେଷ ହୋଇଥିଲା।

ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇ ଭକ୍ତଙ୍କୁ ଆଡ଼କୁ ଚକାଚକା ଆଖିରେ ଚାହିଁବା ମାତ୍ରେ ହରିବୋଲ, ହୁଳହୁଳିରେ ଉଛୁଳି ପଡ଼ିଥିଲା ବଡ଼ଦାଣ୍ଡ।

କିଛି ଭକ୍ତଙ୍କ ଆଖିରୁ ଧାରଧାର ହୋଇ ବୋହି ଆସୁଥିଲା ଭାବର ଲୋତକ।

ସତେ ଯେମିତି ଅନେକ ଦିନ ପରେ ନିଜର ଅନ୍ତରଙ୍ଗକୁ ଭେଟୁଛନ୍ତି।

କିଏ ଖୁସିରେ ବାହା ପ୍ରସାରୀ ନାଚୁଥିଲା ତ, ଆଉ କିଏ ବଡ଼ଦାଣ୍ଡର ପବିତ୍ର କାଦୁଆ ପାଣିରେ ଲୋଟି ପଡ଼ୁଥିଲା।

ଆଖିରେ ଆଖିରେ ଆରମ୍ଭ ହୋଇଯାଇଥିଲା ଭାବ ଦିଆନିଆ।

Rath Yatra: ସହରରୁ ଗାଁ ୯ ଦିନ ଟଣାହୁଏ ରଥ ରଥ ଚଳା ଶୃଙ୍ଖଳା ଓ ସମୟାନୁଯାୟୀ ସମାପନ କରିବା ଲକ୍ଷ୍ୟ ନେଇ ଗତକାଲିଠାରୁ ନୀତିକାନ୍ତିକୁ ଗୁରୁତ୍ବ ଦିଆଯାଇଥିଲା।

କିନ୍ତୁ ନୀତିକାନ୍ତି ସଅଳ ଚାଲିଥିଲେ ହେଁ ପହଣ୍ଡି ବିଜେ ବେଳେ ଅହେତୁକ ବିଳମ୍ବ ସବୁ ଗଣିତ ଓଲଟପାଲଟ କରିଦେଇଥିଲା।

୩ଟା ପରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ପଟ୍ଟଶିଷ୍ୟଙ୍କ ସହ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ସାଢ଼େ ୩ଟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପହଞ୍ଚିବା ପରେ ଛେରାପହଁରା ନୀତି ଆରମ୍ଭ ହୋଇଥିଲା।

୪ଟା ୩୫ ସୁଦ୍ଧା ଗଜପତି ଛେରାପହଁରା ସାରି ରାଜ ଦରବାର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ।

ଏହା ମଧ୍ୟରେ ରଥରୁ ଚାରଫିଟା କାର୍ଯ୍ୟ ସହ ଘୋଡ଼ା ଯୋଚା କାର୍ଯ୍ୟ ଚାଲୁ ରହିଥିଲା।

ନନ୍ଦିଘୋଷ ରଥ ଗଡ଼ିବା ବେଳକୁ ସନ୍ଧ୍ୟା ହୋଇ ଯାଇଥିବାରୁ କେବଳ ବିଧି ରକ୍ଷା ପାଇଁ ରଥ ଗଡ଼ାଇ ଦେବା ପରେ ରାତି ଯୋଗୁଁ ଅଟକାଯାଇଥିଲା।

ଶୁକ୍ରବାର ସକାଳେ ପୁନଃ ରଥଟଣା ହେବ।

ଠେଲାପେଲା, ୨ ମୃତ ପୁରୀ: ବ୍ୟାପକ ପ୍ରସ୍ତୁତି ସତ୍ତ୍ବେ ମହାପ୍ରଭୁଙ୍କ ଘୋଷଯାତ୍ରାରେ ଘଟିଲା ଅଘଟଣ।

ପ୍ରବଳ ଗହଳି ଯୋଗୁ ମରୀଚିକୋଟ ଛକରେ ଠେଲାପେଲା ହୋଇଥିଲା।

କିଛି ଭକ୍ତ ତଳେ ପଡ଼ିଯାଇଥିବା ବେଳେ ଅନ୍ୟଭକ୍ତମାନେ ତାଙ୍କ ଉପରେ ଚଢ଼ି ଯାଇଥିଲେ।

ଫଳରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା।

ସେଠାରୁ ପ୍ରାୟ ୧୮ ଜଣଙ୍କୁ ମେଡିକାଲ୍‌ ଅଣାଯାଇଥିଲା।

ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।

ମୃତକଙ୍କ ମଧ୍ୟରୁ ଜଣେ କେନ୍ଦୁଝରର ଅନୀଲ ଦାସ ଓ ଅନ୍ୟ ଜଣେ ବିଶାଖାପାଟଣାର ଏସ୍‌.

ପ୍ରକାଶ ରାଓ ବୋଲି ଜଣାପଡ଼ିଛି।

ଘଟଣାସ୍ଥଳରୁ ଆହତ ହୋଇ ମେଡିକାଲ୍‌ ଆସିଥିବା ବାକି ୧୬ ଜଣଙ୍କ ମଧ୍ୟରୁ ୯ ଜଣଙ୍କର ଗୋଡ଼ହାତ ଭାଙ୍ଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।

ଏମାନଙ୍କ ମଧ୍ୟରୁ ୫ ଜଣ ଏକୁଟିଆ ଆସିଥିବାରୁ ହଇରାଣ ହୋଇଥିଲେ।

ଆଜି ଏଭଳି ବଡ଼ଦାଣ୍ଡରୁ ୩୫୪ ଜଣ ଭକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

୧୦୯ ଜଣ ଟ୍ରମାକେୟାରରେ ଭର୍ତ୍ତି ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ୧୭ ଜଣଙ୍କର ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମହାପ୍ରଭୁଙ୍କ ପହଣ୍ଡି ଚାଲିଥିଲା।

ମାର୍କେଟ୍‌ ଛକରୁ ଜନସମୁଦ୍ର ରଥ ଆଡ଼କୁ ମାଡ଼ି ଯାଉଥିଲା।

ମରୀଚିକୋଟ ଛକଠାରେ ରାସ୍ତା ସଙ୍କୁଚିତ ଥିଲା।

ଗୋଟିଏ ପାର୍ଶ୍ବରେ ଅଗ୍ନିଶମ ବିଭାଗର ଏକାଧିକ ଗାଡ଼ି ବଡ଼ଦାଣ୍ଡକୁ ଲାଗି ରହିଥିବା ବେଳେ ମଝିରେ ଆମ୍ବୁଲାନ୍‌ସ ପାଇଁ ଗ୍ରିନ୍‌ କରିଡର୍‌ କରାଯାଇଥିଲା।

ସ୍ବେଚ୍ଛାସେବୀମାନେ ଦଉଡ଼ି ଧରି ଏହି ରାସ୍ତାକୁ ଫାଙ୍କା ରଖିଥିଲେ।

ଛକରେ କିଛି ଲୋକ ଲବଣିଖିଆ ଛକରୁ ବଡ଼ଦାଣ୍ଡକୁ ଆସୁଥିବା ବେଳେ କିଛି ଭକ୍ତ ବଡ଼ଦାଣ୍ଡ ଗହଳିରୁ ବାହାରି ଗଳି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ।

ଫଳରେ ଠେଲାପେଲା ହୋଇଥିଲା।

ଡାକ୍ତରଖାନା ରେକର୍ଡ ଅନୁସାରେ ନନ୍ଦିଘୋଷ କର୍ଡନ୍‌ ପାର୍ଶ୍ବରେ, ଶ୍ରୀମନ୍ଦିର ପ୍ରଶାସନ ଅଫିସ୍‌ ସାମନା, ମାର୍କେଟ୍‌ ଛକ, ସୂର୍ଯ୍ୟ କମ୍ପ୍ଲେକ୍ସ ସାମନାରୁ ସର୍ବାଧିକ ଆହତ ଆସିଛନ୍ତି।

ପହଣ୍ଡି ସମୟରେ ଶ୍ରୀମନ୍ଦିର ଭିତରୁ ଦୁଇଜଣ ମହିଳାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମଧ୍ୟାହ୍ନ ସୁଦ୍ଧା ମାତ୍ର ୬୮ ଜଣ ଆସିଥିବା ବେଳେ ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ୩୫୪ ଜଣ ଆହତ ଆସିଥିଲେ।

ମରୀଚିକୋଟ ଛକରେ କେଉଁ ପରିସ୍ଥିତିରେ ଠେଲାପେଲା ହେଲା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।