Migrant Worker: ପିଛା ଛାଡ଼ୁନି ଦାଦନ ଦୁଃଖ, ଉଜୁଡ଼ିଲାଣି ଶହ ଶହ ପରିବାର
ଭୁବନେଶ୍ବର: ଓଡ଼ିଶାର ଗାଁ ଗହଳିରେ ଆଜି ବି ଗୋଟିଏ ଶବ୍ଦ ଶୁଣିଲେ ଅନେକ ପରିବାରର ଛାତି ଥରି ଉଠେ। ସେହି ଶବ୍ଦ ହେଉଛି "ଦାଦନ"। ଦୁଇ ପଇସା ରୋଜଗାର ଆଶାରେ ନିଜ ମାଟି, ନିଜ ପରିବାର ଏବଂ ନିଜ ଲୋକଙ୍କୁ ଛାଡ଼ି ହଜାର ହଜାର କିଲୋମିଟର ଦୂରକୁ ଦାଦନ ଖଟିବାକୁ ଚାଲିଯାଆନ୍ତି ଘରର ଭେଣ୍ତିଆ ପୁଅ ଓ ଝିଅ। ଅଧିକ ରୋଜଗାର ଆଶା ସେମାନଙ୍କୁ ବାହାର ରାଜ୍ୟକୁ ଟାଣିନିଏ। ଦି’ ପଇସା ଅଧିକ ଆଣି ପରିବାକୁ ୩ଓଳି ଭଲ ଖାଇବାକୁ ଦେବାର ଆଶା ନେଇ ଅନେକ ଘର ଛାଡ଼ନ୍ତି। ହେଲେ ଆଉ ଫେରନ୍ତି ନାହିଁ। କଳାହାଣ୍ଡି, ବଲାଙ୍ଗୀର, କେନ୍ଦୁଝର, ନୂଆପଡା, ବରଗଡ଼ କିମ୍ବା ସୋନପୁର ଭଳି ଜିଲ୍ଲାରୁ ପ୍ରତିବର୍ଷ ହଜାର ହଜାର ଲୋକ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଏବଂ କେରଳ ଚାଲିଯାଆନ୍ତି। ଘରେ ଭୋକିଲା ପିଲାଙ୍କ ମୁହଁ, ଋଣର ବୋଝ ଓ ଦାରିଦ୍ର୍ୟ ସେମାନଙ୍କୁ ବାଧ୍ୟ କରେ ନିଜ ମାଟି ଛାଡ଼ିବାକୁ। ହେଲେ ସେ ଆଉ ନିଜ ଭିଟାମାଟିକୁ ଫେରିପାରନ୍ତି ନାହିଁ।