MCL IPO this month: ଚଳିତ ମାସରେ ଏମ୍ସିଏଲ୍ ଆଇପିଓ: ୯୪୦୦ କୋଟି ସଂଗ୍ରହ ଲକ୍ଷ୍ୟ, ୧୦% ଅଂଶଧନ ବିକିବ କୋଲ୍ ଇଣ୍ଡିଆ
ନୂଆଦିଲ୍ଲୀ: କୋଲ୍ ଇଣ୍ଡିଆ ଲିମିଟେଡ୍ର ସହାୟକ ସଂସ୍ଥା ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ର ଇନିସିଆଲ୍ ପବ୍ଲିକ୍ ଅଫରିଂ (ଆଇପିଓ) ଚଳିତ ମାସରେ ଜାରି ହେବା ସମ୍ଭାବନା ରହିଛି।
ସୂଚନା ଅନୁସାରେ, ନଭେମ୍ବର ଶେଷ ଆଡ଼କୁ କିମ୍ବା ଡିସେମ୍ବର ମାସର ପ୍ରାରମ୍ଭିକ ଦିନଗୁଡ଼ିକରେ ଏହି ଆଇପିଓ ଜାରି କରାଯିବ।
ଏହା ଜରିଆରେ କମ୍ପାନି ୧ ବିଲିଅନ୍ ଡଲାର (ପ୍ରାୟ ୯୪୦୦ କୋଟି ଟଙ୍କା) ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।
ଏମ୍ସିଏଲ୍ର ମୂଲ୍ୟାଙ୍କନ ପ୍ରାୟ ୧୦ ବିଲିଅନ ଡଲାର ହିସାବ କରାଯାଇଛି।
Advertisment ଆଇପିଓକୁ ନେଇ କମ୍ପାନି ପକ୍ଷରୁ ନିବେଶକମାନଙ୍କ ସହ ଆଲୋଚନା ଆରମ୍ଭ ହୋଇଛି।
କମ୍ପାନି ପକ୍ଷରୁ ପୁଞ୍ଜି ବଜାରର ନିୟାମକ ସଂସ୍ଥା 'ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)'ରେ ଦାଖଲ କରାଯାଇଥିବା ଚିଠା ଦସ୍ତାବିଜ ଅନୁସାରେ ଏମ୍ସିଏଲ୍ରେ ଥିବା ନିଜ ଅଂଶଧନକୁ କୋଲ୍ ଇଣ୍ଡିଆ ବିକ୍ରି କରିବ।
ଏହା ୧୦% ସେୟାର ବିକ୍ରି କରିବା ଯୋଜନା ରଖିଛି।
ତେବେ ବଜାର ସ୍ଥିତି ଉପରେ କେତେ ପରିମାଣର ସେୟାର ପ୍ରତ୍ୟାହାର କରାଯିବ ତାହା ନିର୍ଭର କରିବ।
ଏମ୍ସିଏଲ୍ର ସେୟାର ପିଛା ମୂଲ୍ୟ କେତେ ରହିବ ତାହା ମଧ୍ୟ ଧାର୍ଯ୍ୟ କରାଯାଉଛି।
ଏହି ଅଫର ପାଇଁ ଏସ୍ବିଆଇ କ୍ୟାପିଟାଲ୍ ମାର୍କେଟ୍ସ, ଆକ୍ସିସ୍ କ୍ୟାପିଟାଲ୍, ବିଓବି କ୍ୟାପିଟାଲ୍ ମାର୍କେଟ୍ସ, ଆଇଡିବିଆଇ କ୍ୟାପିଟାଲ୍ ମାର୍କେଟ୍ସ ଆଣ୍ଡ୍ ସିକ୍ୟୁରିଟିଜ୍ ଓ ଆଇଆଇଏଫ୍ଏଲ୍ କ୍ୟାପିଟାଲ୍ ସର୍ଭିସେସ୍କୁ ବୁକ୍ ରନିଂ ଲିଡ୍ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି।
ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଜିଓ ପ୍ଲାଟଫର୍ମସ୍କୁ ପୁଞ୍ଜି ବଜାରରେ ତାଲିକାଭୁକ୍ତ କରାଯାଇଥିଲା।
ଆଇପିଓ ଜରିଆରେ ଜିଓ ୩୦ହଜାର କୋଟି ଟଙ୍କାରୁ ଅଧିକ ସଂଗ୍ରହ କରିଥିଲା।
ତାହା ଏକ ବ୍ଲକ୍ବଷ୍ଟର୍ ଇସ୍ୟୁ ସାବ୍ୟସ୍ତ ହୋଇଥିଲା ଯାହା ନିବେଶକମାନଙ୍କୁ ଉଲ୍ଲେଖନୀୟ ରିଟର୍ଣ୍ଣ ପ୍ରଦାନ କରିଥିଲା।
ଏମ୍ସିଏଲ୍ ଆଇପିଓକୁ ନେଇ ମଧ୍ୟ ନିବେଶକଙ୍କ ମଧ୍ୟରେ ଉତ୍ସାହ ରହିବା ଆଶା କରାଯାଉଛି।
ଏହା ଚଳିତ ବର୍ଷର ଅନ୍ୟତମ ବଡ଼ ଆଇପିଓ ମଧ୍ୟରୁ ଅନ୍ୟତମ।
୨୦୨୬ରେ ବିଭିନ୍ନ କମ୍ପାନି ଆଇପିଓ ଜରିଆରେ ପୁଞ୍ଜି ବଜାରରୁ ୧୮.୪୮ ବିଲିଅନ୍ ଡଲାର ସଂଗ୍ରହ କରିଛନ୍ତି।
୨୦୨୫ରେ ଆଇପିଓ ମାଧ୍ୟମରେ ବିଭିନ୍ନ ସଂସ୍ଥା ୨୨.୩୬ ବିଲିଅନ୍ ଡଲାର ସଂଗ୍ରହ କରିଥିଲେ।
ଏମ୍ସିଏଲ୍ ହେଉଛି ଭାରତର ସର୍ବବୃହତ୍ କୋଇଲା ଉତ୍ପାଦନକାରୀ।
ଏହାର ୧୦୦% ଅଂଶଧନ କୋଲ୍ ଇଣ୍ଡିଆ ପାଖରେ ରହିଛି।
୨୦୨୫-୨୬ ଆର୍ଥିକ ବର୍ଷରେ କମ୍ପାନି ୨୧୮.୩୧ ନିୟୁତ ଟନ୍ କୋଇଲା ଉତ୍ପାଦନ କରିଥିଲା।
ଦେଶର ଅଣ କୋକିଂ କୋଇଲା ଉତ୍ପାଦନ ପ୍ରତି ଏମ୍ସିଏଲ୍ର ୨୨.୪% ଅବଦାନ ରହିଛି।
କମ୍ପାନିର ୧୭ଟି ଖଣି ଅଛି।
ସେଥିରୁ ୧୪ଟି ଓପନ କାଷ୍ଟ୍ ଓ ଅନ୍ୟ ତିନିଟି ହେଉଛି ଭୂତଳ ଖଣି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
