Married Woman's Self-Immolation Attempt: ବିବାହିତା ମହିଳାଙ୍କ ଆତ୍ମଦାହ ଉଦ୍ୟମ ମାମଲା, ପୀଡ଼ିତାଙ୍କୁ ଯୌନ ନିର୍ଯାତନା ଅଭିଯୋଗ
ଇଏ ଏମିତି ଏକ ଘଟଣା, ଯାହା ବଖାଣିବାବେଳକୁ ସଙ୍କୋଚ ଲାଗୁଛି। ଇଏ ଏମିତି ଏକ କାହାଣୀ, ସଭ୍ୟ ସମାଜକୁ ଲଜ୍ଜିତ କରୁଛି। କାରଣ ଜଣେ ବାପା ବିରୋଧରେ ଝିଅ ଆଣିଛି ସଂଗୀନ ଅଭିଯୋଗ। ଯୌନ ନିର୍ଯାତନା ଭଳି ସାଂଘାତିକ ବୟାନ ଦେଇଛନ୍ତି ବିବାହିତା ଝିଅଟିଏ। ଯେଉଁ ବାପା ଜଣେ ଶିକ୍ଷକ, ସେହି ବାପାକୁ ସୈତାନ ଦର୍ଶାଇଛନ୍ତି ମରଣ ସହ ସଂଘର୍ଷ କରୁଥିବା ଝିଅଟିଏ। ସେଦିନ ଥିଲା ଜୁଲାଇ ୯। ଯେଉଁଦିନ ବ୍ରହ୍ମପୁରର ଏହି ପୀଡ଼ିତାଙ୍କୁ ଦଗ୍ଧ ଅବସ୍ଥାରେ ବ୍ରହ୍ମପୁରରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଏହି ଅଘଟଣ ପଛରେ ଯେ ଏତେବଡ଼ ଘଟଣା ଲୁଚିଥିବ ନା କେହି ଜାଣିଥିଲେ ନା ସମ୍ପୂର୍ଣ୍ଣ ଖବର ସାମ୍ନାକୁ ଆସିଥିଲା। ଆଜି କିନ୍ତୁ ବ୍ରହ୍ମପୁର ପୋଲିସ ଘଟଣା ପଛର ଗୁମର ଖୋଲିବା ସହ ସଂପୃକ୍ତ ପୀଡ଼ିତାଙ୍କ ବାପାଙ୍କୁ ଗିରଫ କରିଛି। ବ୍ରହ୍ମପୁର ଅତିରିକ୍ତ ଏସପିଙ୍କ କହିବା କଥା, କିଛିଦିନ ତଳେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ବାପା ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଏକ ଭିଡ଼ିଓ ପୋଷ୍ଟ କରିଥିଲେ ପୀଡ଼ିତା। ସେହି ଆଧାରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ବୟାନ ବି ରେକର୍ଡ କରାଯାଇଛି। ଏପରିକି ପ୍ରାଥମିକ ତଦନ୍ତରୁ ଏବଂ ଝିଅ ସହ କରିଥିବା ଚାଟିଂରୁ ବାପା ବିରୋଧରେ ପ୍ରମାଣ ବି ମିଳିଛି। ସେସବୁ ଆଧାରରେ ନିଜ ଆଡୁ ମାମଲା ରୁଜୁ କରି ତାଙ୍କୁ ଗିରଫ କରାଯାଇଛି।
ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିଥିବା ଭିଡ଼ିଓରେ ପୀଡ଼ିତାଙ୍କ କହିବା କଥା, ତାଙ୍କ ବାପା ଜଣେ ଶିକ୍ଷକ। କିନ୍ତୁ ନିର୍ବନ୍ଧ ହେବା ପରେ ବି ତାଙ୍କୁ କୁତ୍ସିତ କାର୍ଯ୍ୟରେ ନିୟୋଜିତ କରାଉଥିଲେ। ବାରଣ କଲେ ଧମକ ଚମକ ବି ଦେଇ ଆସୁଥିଲେ। ହେଲେ ଦେଢ଼ ବର୍ଷ ତଳେ ବିବାହ କରିଥିବା ପୀଡ଼ିତା ଜଣକ ଶାଶୁଘରେ ଜଳିଗଲେ କେମିତି ? କାହିଁକି ସେ ନିଜକୁ ଜାଳି ଜୀବନ ହାରିବାକୁ ଉଦ୍ୟମ କରିଥିଲେ ? ଜଣେ ବାପାଟିଏ ଯଦି ଏଭଳି ଅପରାଧ ଭିଆଉଛି, ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରିବା ଅପେକ୍ଷା ପୋଲିସଠାରୁ କାହିଁକି ସୁରକ୍ଷା ଲୋଡ଼ିନଥିଲେ ? ଏ ସଂପର୍କରେ ଯଦି ବି କୌଣସି ନିକଟ ସମ୍ପର୍କୀୟ ଜାଣିଥିଲେ, ସେମାନେ ଥାନାର ଦ୍ବାରସ୍ଥ ହୋଇଥିଲେ କି ? ଝିଅର ଅଭିଯୋଗ ଯଦି ବି ମିଛ, ତାହେଲେ ସଂପୃକ୍ତ ବାପା କରୁଥିଲେ କ’ଣ ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ଅଭିଯୁକ୍ତ ବାପା କିମ୍ବା ଝିଅଙ୍କ ଶାଶୁଘର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅପରପକ୍ଷେ ଘଟଣାରେ ଆଉ କାହାର ସଂପୃକ୍ତ ରହିଛି କି ନାହିଁ, ପୀଡ଼ିତାଙ୍କ ମୋବାଇଲ ସିଜ୍ କରିବା ସହ ସମସ୍ତ ଦିଗକୁ ଧରି ପୋଲିସ ତଦନ୍ତ କରୁଛି।
୭୦ ପ୍ରତିଶତ ପୋଡ଼ିଯାଇଥିବା ପୀଡ଼ିତା ଏବେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମରଣ ସହ ସଂଘର୍ଷ କରୁଛନ୍ତି। ତେବେ ଏଠାରେ କହିରଖୁଛୁ, ପୀଡ଼ିତାଙ୍କ ସମ୍ମାନ ଓ ସାମାଜିକ ସୁରକ୍ଷା ଦୃଷ୍ଟିରୁ ଏଇଠି ନା ତ ତାଙ୍କ ପରିଚୟ ପ୍ରଘଟ କରୁଛୁ ନା ତାଙ୍କ ବାପାଙ୍କ ନାଁ କହିବାକୁ ଉଚିତ ମଣିଛୁ। ତଥାପି ଯେଉଁ ଅଭିଯୋଗ ଆସିଛି, ତା’ପଛର ରହସ୍ୟକୁ ନେଇ ନାନା ଚର୍ଚ୍ଚା ହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।