Malnutrition Crisis Deepens in Sundargarh: ଅଖାଦ୍ୟ ଯୋଗୁଁ ଶିଶୁଙ୍କୁ ଗ୍ରାସିଛି ଅପପୁଷ୍ଟି, କୁଆଡ଼େ ଯାଉଛି ସରକାରୀ ଯୋଜନା ?

Jul 27, 2026 - 20:28
Malnutrition Crisis Deepens in Sundargarh: ଅଖାଦ୍ୟ ଯୋଗୁଁ ଶିଶୁଙ୍କୁ ଗ୍ରାସିଛି ଅପପୁଷ୍ଟି, କୁଆଡ଼େ ଯାଉଛି ସରକାରୀ ଯୋଜନା ?

କାହା କଙ୍କାଳ ଦେଖାଯାଉଛି ତ ଆଉ କାହା ପଞ୍ଜରା ବାରି ହେଉଛି। ପୁଣି କାହା ବୟସ ବଢୁଥିଲେ ବି ଓଜନ କିନ୍ତୁ ଆଖିଦୃଶିଆ ନୁହେଁ। ନା କେହି ସୁସ୍ଥ ଦେଖାଯାଉଛନ୍ତି ନା କେହି ସବଳ ଅଛନ୍ତି। ପେଟ ସବୁ ଫୁଲିଲା ଫୁଲିଲା ଲାଗୁଛି। ମାନସିକ ଅନଗ୍ରସରତା ବାରି ହେଉଛି। ଖଣିଜ ସମ୍ପଦର ଭଣ୍ଡାର ସୁନ୍ଦରଗଡ଼ ଜିଲ୍ଲା ଡେଙ୍ଗୁଳା ପଞ୍ଚାୟତ ତିନ୍ତୋ ଗାଁ। ବସବାସ କରନ୍ତି ପାଉଡ଼ି ଭୂୟା ଜନଜାତି। ଯାହାଙ୍କ ଖାଦ୍ୟ କହିଲେ ଜଙ୍ଗଲ ଜାତ ଦ୍ରବ୍ୟ, ପାରମ୍ପାରିକ ଖାଦ୍ୟ କହିଲେ ଛେଳିର ଶୁଖିଲା ମାଂସ। ଜଙ୍ଗଲି ଛତୁ, ପଣସ ଆଦିକୁ ମୁଖ୍ୟ ଖାଦ୍ୟ ଭାବେ ବ୍ୟବହାର କରନ୍ତି ସତ, କିନ୍ତୁ ଖାଦ୍ୟ ପ୍ରସ୍ତୁତି ସ୍ବାସ୍ଥ୍ୟ ପାଇଁ ହିତକର ନୁହେଁ। ଆଜି ବି ଜଙ୍ଗଲରେ ପୋଡୁ ଚାଷ ଏମାନଙ୍କର ମୁଖ୍ୟ ଜୀବିକା। ଭାତରୁ ସକାଳ ଆରମ୍ଭ ହୁଏ, ବାସି ଖାଦ୍ୟରେ ରାତି ସରେ। କାଠ ଚୁଲି ଓ ଝରଣା ପାଣି ହିଁ ବଞ୍ଚାଇ ରଖିଛି ଏମାନଙ୍କୁ।

ଶିଶୁଙ୍କ କଥା ଛାଡ଼ନ୍ତୁ। ପୁଷ୍ଟିକର ଖାଦ୍ୟ ଅଭାବରୁ ମହିଳାଙ୍କ ଶାରିରୀକ ଅବସ୍ଥା ବି ସଂଗୀନ। କାହାକୁ ଗ୍ରାସିଛି ରକ୍ତହୀନତା, ପୁଣି କିଏ ଅଳ୍ପ ବୟସରେ ଦୂରାରୋଗ୍ୟର ଶିକାର। ଅକାଳରେ ଝାଉଁଳିପଡୁଛି ଜୀବନ। ବ୍ୟାପକ ସରକାରୀ ଯୋଜନା ସତ୍ତ୍ବେ ଏହି ଆଦିମ ଜନଜାତି ପାଉଡ଼ି ଭୂୟାଁଙ୍କ ଭାଗ୍ୟ ବଦଳିପାରୁନି। ଶିକ୍ଷାଦୀକ୍ଷା କି ଗମନାଗମନ ଭଳି ମୌଳିକ ସୁବିଧା କଥା ଛାଡ଼ନ୍ତୁ, ସାଧାରଣ ସ୍ବାସ୍ଥ୍ୟସେବା ବି ପହଞ୍ଚିପାରିନି ଏମାନଙ୍କ ଭାଗ୍ୟରେ। ପରିଣାମ ସ୍ବରୂପ, ସୁନ୍ଦରଗଡ଼ ଜିଲ୍ଲାରେ ରହୁଥିବା ୧୪ ହଜାର ପାଉଡ଼ି ଭୂୟାଙ୍କ ମଧ୍ୟରୁ ବହୁ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। ମହିଳା ବି ରକ୍ତହୀନତା ତଥା ଆନେମିଆରେ ପୀଡ଼ିତ। ଏହାବ୍ୟତୀତ ଅନେକ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ସହ ବି ଯୁଝୁଛନ୍ତି। 

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗବେଷଣା କହୁଛି, ସୁନ୍ଦରଗଡ ଜିଲ୍ଲାରେ ୬୪ % ପାଉଁଡ଼ି ଭୂୟାଁ ମହିଳା ରକ୍ତହୀନତାରେ ପୀଡ଼ିତ, ୬୮ % ପାଉଡ଼ି ଭୂୟାଁ ଶିଶୁ ଅପପୁଷ୍ଟିର ଶିକାର। ମ୍ୟାଲେରିଆ ଓ କିଡନୀ ରୋଗର ପ୍ରକୋପ କିଛି କମ୍ ନୁହଁ। ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ଦୂରରେ ଥିବାରୁ ଆଜି ବି ଜଡ଼ିବୁଟିକୁ ନିର୍ଭର କରୁଛନ୍ତି। ଚାଷ ଯୋଗ୍ୟ ଜମିର ଅଭାବ ସେମାନଙ୍କ ଆର୍ଥିକ ସ୍ଥିତିକୁ ବିଗାଡ଼ୁଛି। ଦୂରରେ ସ୍କୁଲ୍ ଥିବାରୁ ଡ୍ରପ୍-ଆଉଟ୍ ହାର ବି ବଢ଼ିଛି। ବିଶେଷ କରି ବଣାଇ, କୋଇଡା, ଗୁରୁଣ୍ଡିଆ ବ୍ଲକରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା। CDMOଙ୍କ କହିବା କଥା, ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ସହ CHCରେ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ଦିଆଯାଉଛି। ପ୍ରତି ୧୫ ଦିନରେ ଥରେ ଓଜନ ମପାଯାଉଛି। ତାସହ ଗ୍ରାମାଞ୍ଚଳରେ ସଚେତନତା ଶିବିର କରାଯାଉଛି। 

ବିଲୁପ୍ତପ୍ରାୟ ପାଉଁଡ଼ି ଭୂୟାଙ୍କ ପାଇଁ ନଗଡ଼ା ପାଲଟିଛି ସୁନ୍ଦରଗଡ଼ ଖଣିଜ ଭରା ଜିଲ୍ଲା। କୋଟି କୋଟିର ଖଣିଜ ପାଣ୍ଠି ବି ଆସୁଛି। ଅଥଚ କାହିଁକି ବଦଳି ପାରୁନି ଏମାନଙ୍କ ଭାଗ୍ୟ ? ଉଠିଛି ନାନା ପ୍ରଶ୍ନ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।