Malnutrition: ପ୍ରାଚୁର୍ଯ୍ୟ ମଧ୍ୟରେ ଅପପୁଷ୍ଟି, ଅର୍ଦ୍ଧାହାର

Jul 02, 2026 - 06:36
Malnutrition: ପ୍ରାଚୁର୍ଯ୍ୟ ମଧ୍ୟରେ ଅପପୁଷ୍ଟି, ଅର୍ଦ୍ଧାହାର

"ଅବିନାଶ ଶର୍ମା କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ ସଦର ମହକୁମାରୁ ୪ କିମି ଦୂରରେ ଥିବା ତେନ୍ତୁଳିଡିହି ଗାଁ ଆଜି ଅପପୁଷ୍ଟି, ରକ୍ତହୀନତା ଓ ଅର୍ଦ୍ଧାହାରର ନୂଆ ଠିକଣା ପାଲଟିଛି।

ବିକାଶର ଦାବି ଓ ଖଣିଜ ପାଣ୍ଠିର ରଙ୍ଗିନ ଚିତ୍ର ଭିତରେ ଏହି ଗ୍ରାମର ବାସ୍ତବତା ଅତ୍ୟନ୍ତ ଚିନ୍ତାଜନକ।

ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ଏଠାରେ ୮୦ରୁ ଊର୍ଦ୍ଧ୍ୱ ପରିବାରଙ୍କ ଜୀବନ ଘୋର ଦାରିଦ୍ର୍ୟ ଏବଂ ହା-ହୁତାଶ ମଧ୍ୟରେ ବିତୁଛି।

ଗାଁରେ ପାଦ ଦେବା ମାତ୍ରେ ଛାତି ଥରିଉଠେ।

ଲଙ୍ଗଳା-ଫୁଙ୍ଗୁଳା ଦେହରେ କୁନିକୁନି ଶିଶୁମାନେ ବୁଲୁଛନ୍ତି।

କାହାର କଙ୍କାଳସାର ଶରୀର ତ କାହାର ଅପପୁଷ୍ଟିରେ ପେଟ ଫୁଲିଯାଇଛି।

ପ୍ରାୟ ସମସ୍ତ ଶିଶୁଙ୍କ ଦେହସାରା କାଛୁକୁଣ୍ଡିଆ।

ଘରେ ଥିବା ମହିଳାଙ୍କ ଅବସ୍ଥା ଶୋଚନୀୟ।

ଅଧିକାଂଶ ରକ୍ତହୀନତାର ଶିକାର।

ବୃଦ୍ଧବୃଦ୍ଧାମାନେ ଅର୍ଦ୍ଧାହାରରେ, ଅସହାୟ ଅବସ୍ଥାରେ ପଡ଼ିରହିଛନ୍ତି।

ଆନୁମାନିକ ୯୦ ବର୍ଷରୁ ଊର୍ଦ୍ଧ୍ୱ ଭୁକୁଲି ମୁଣ୍ଡାଙ୍କୁ ଭେଟିଲାବେଳେ ତାଙ୍କ ନିଃସ୍ବ ଅବସ୍ଥା ଦେଖି ଯେକେହି ମଧ୍ୟ ବିଚଳିତ ହୋଇଯିବ।

ଶରୀର ନଇଁପଡ଼ିଲାଣି, ବାଡ଼ି ଭରସାରେ ଚାଲୁଛନ୍ତି।Advertisment Mobile Tower: ଛାତ ଉପରେ ଅସୁରକ୍ଷିତ ମୋବାଇଲ ଟାୱାର; ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ଆଧାର କାର୍ଡରେ ବୟସ ୮୨ ବର୍ଷ, ହେଲେ ଆଜି ପର୍ଯ୍ୟନ୍ତ ସରକାରୀ ଚାଉଳ କି ବାସଗୃହ ପାଇନାହାନ୍ତି।

ଭତ୍ତା ୩ ହଜାର ବଦଳରେ ମିଳୁଛି ମାତ୍ର ୧ ହଜାର ଟଙ୍କା।

ଘରେ ପୁଅ ଲୁଙ୍ଗୁଳା ମୁଣ୍ଡା, ବୋହୂ ସୋମବାରୀ ଓ ତିନି କୁନି ଶିଶୁ ଝାଟିମାଟି କୁଡ଼ିଆରେ ରହୁଛନ୍ତି।

ପୁଅ ଜ୍ୱରରେ ପୀଡ଼ିତ, ଗଛମୂଳେ ଶୋଇଛି।

ମୁଣ୍ଡ ପାଖରେ ହାଣ୍ଡିଆଭରା ତାଟିଆ ଓ କିଛି ଚେରମୂଳ।

ହସ୍‌ପିଟାଲ ନେବାକୁ ପଚାରିଲେ ଉତ୍ତର ଆସେ, "ଟଙ୍କା ନାହିଁ, କେମିତି ନେବୁ?" ଗ୍ରାମର ଅନ୍ୟ ବୃଦ୍ଧା ପେମ୍ପଲେ ମୁଣ୍ଡା ଓ ଜେମାଙ୍କ ମତରେ, ଚାଉଳ କିମ୍ବା ଭତ୍ତା କେବେ ମିଳିନି।

ଗ୍ରାମର ପ୍ରାୟ ପୁରୁଷ ଅସୁସ୍ଥ।

ଉପଚାର ପାଇଁ ଦେଶୀ ଚେରମୂଳ ଓ ହାଣ୍ଡିଆ ହିଁ ଏକମାତ୍ର ଭରସା।

ସାମନାରେ ଏତେ ଖଣି, ଖଣିଜ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ତେନ୍ତୁଳିଡିହି ଗ୍ରାମର ଏହି ଦୃଶ୍ୟ ସରକାରୀ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏ ସମ୍ପର୍କରେ କୋଇଡ଼ା ବିଡିଓ ରଶ୍ମିରେଖା ପାତ୍ର କହିଛନ୍ତି, "ତେନ୍ତୁଳିଡିହି ଗାଁ ସମସ୍ୟା ବିଷୟରେ ଆମେ ଅବଗତ ରହିଛୁ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବହୁ ଲୋକଙ୍କ ନାମ ତାଲିକାରେ ପଠାଯାଇଛି।

କେହି ରହିଯାଇଥିଲେ ସେମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିବୁ।

ଭତ୍ତା ଓ ରାସନ କାର୍ଡ ପାଇଁ ଯୋଗ୍ୟ ହିତାଧିକାରୀ ଏବଂ ଗ୍ରାମର ଅନ୍ୟ ସମସ୍ତ ସମସ୍ୟାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପଠାଇ ତ୍ୱରାନ୍ୱିତ କରିବୁ।" Child Abuse: ବେଙ୍ଗାଲୁରୁ ଡେ-କେୟାରରେ ଶିଶୁଙ୍କ ଉପରେ ଅକଥନୀୟ ନିର୍ଯାତନା"