BMC: ବିଏମ୍‌ସିର କନ୍‌ସଲ୍‌ଟାନ୍‌ସି ପ୍ରୀତି

Jul 02, 2026 - 07:53
BMC: ବିଏମ୍‌ସିର କନ୍‌ସଲ୍‌ଟାନ୍‌ସି ପ୍ରୀତି

"ଭୁବନେଶ୍ବର: ମାଳମାଳ ଇଂଜିନିୟରିଂ ବିଭାଜନ, ସ୍ବତନ୍ତ୍ର ଡ୍ରେନେଜ ବିଭାଜନ ଏବଂ ସିଟି ପ୍ଲାନର୍‌ଙ୍କଠାରୁ ଆରମ୍ଭ କରି ଅନ୍ୟ ଯୋଜନାର ରୂପରେଖ ପ୍ରସ୍ତତକାରୀ ଇଂଜିନିୟରିଂ ବିଭାଗ ରହିଛି।

ତଥାପି ବିଏମ୍‌ସି କନ୍‌ସଲ୍‌ଟାନ୍ସି ସଂସ୍ଥା ପ୍ରୀତି ଛାଡ଼ିପାରୁନି।

ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍‌ (ପିଏମ୍‌ୟୁ) ସେଲ୍‌ ନାଁରେ ଏକ ଘରୋଇ ସଂସ୍ଥାକୁ ବର୍ଷ ବର୍ଷ ଧରି ପୋଷି ଆସୁଛି।

ଆର୍ଥିକ ଅଚଳାବସ୍ଥା ଭିତରେ ବି ଅଢ଼େଇ ବର୍ଷରେ ବିଏମ୍‌ସି ନିଜ ରାଜକୋଷରୁ ଏହି ସଂସ୍ଥାକୁ ପ୍ରାୟ ୫.୫୨ କୋଟି ଟଙ୍କା ଅଜାଡ଼ି ଦେଲାଣି।

ସଂସ୍ଥା ପ୍ରତି ଏତେ ଅନୁକମ୍ପା ଯେ ପ୍ରତିବର୍ଷ ଦେୟ ପରିମାଣର ୧୦ ପ୍ରତିଶତ ବୃଦ୍ଧି କରି ଚାଲିଛି।

ଆଉଟ୍‌ସୋର୍ସିଂ ନିଯୁକ୍ତିରେ ବାର୍ଷିକ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରି ବଦ୍‌ନାମର ବୋଝ ମୁଣ୍ଡାଇଥିବା ବିଏମ୍‌ସି ପୁଣି ପିଏମ୍‌ୟୁ ସେଲ୍‌ ବିବାଦରେ ଛନ୍ଦି ହୋଇଛି।

ଏହାକୁ ନେଇ ଗତ ମେ ମାସ କର୍ପୋରେସନ୍‌ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା।

ଯଦି ବିଏମ୍‌ସିର ମାଳମାଳ ଇଂଜିନିୟରିଂ ବିଭାଗ ଓ ଅଧିକାରୀ ଅଛନ୍ତି, ସେଠି ପିଏମ୍‌ୟୁ ସେଲ୍‌ ନାଁରେ କାହିଁକି ଏକ ଘରୋଇ ସଂସ୍ଥାକୁ ପୋଷାଯାଉଛି ବୋଲି ଅଭିଯୋଗ ଉଠିଥିଲା।

ଗତକାଲିର କର୍ପୋରେସନ୍‌ ବୈଠକରେ ବି ଏହି ପ୍ରସଙ୍ଗ ଉଠିଛି।

କର୍ପୋରେଟରମାନେ ଏହାର ଜବାବ ମାଗିଛନ୍ତି।

୨୦୨୩ ମସିହା ପୂର୍ବରୁ ବିଏମ୍‌ସିର କୌଣସି ପିଏମ୍‌ୟୁ ସେଲ୍‌ ନ ଥିଲା।

ବିଏମ୍‌ସି ବିନା ପିଏମ୍‌ୟୁ ସେଲ୍‌ରେ ଅନେକ ବିକାଶମୂଳକ କାମ କରି ଦେଖାଇଥିଲା ଓ ଏଥିପାଇଁ ପ୍ରଶଂସା ବି ସାଉଁଟିଥିଲା।

କିନ୍ତୁ ଏବେ ବିନା ପିଏମ୍‌ୟୁ ସେଲ୍‌ରେ ପ୍ରକଳ୍ପ ପରିଚାଳନା କରିବା ସମ୍ଭବପର ହେଉନି ବୋଲି ବିଏମ୍‌ସି ଦର୍ଶାଇଛି।Advertisment Jail in Yampur: ଜେଲ୍‌ ନା ଯମପୁର, ୧୨ ବର୍ଷରେ ୧୪ ମୃତ ବିଏମ୍‌ସି ୨୦୨୩ରେ ପିଏମ୍‌ୟୁ ସେଲ୍‌ ଗଠନ କରିଥିଲା ଓ ଇଜିସ୍‌ ଇଣ୍ଡିଆ କନ୍‌ସଲ୍‌ଟିଂ ଇଂଜିନିୟରିଂ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଏହାର ପରିଚାଳନା ଦାୟିତ୍ବ ଦେଇଥିଲା।

ଏହି ସଂସ୍ଥା ୨୦୨୩ ଅଗଷ୍ଟ ୧ରୁ ପିଏମ୍‌ୟୁ ସେଲ୍‌ ଦାୟିତ୍ବରେ ରହିଛି।

ଏଥିପାଇଁ ସଂସ୍ଥାକୁ ମାସିକ ୧୯ଲକ୍ଷ ୮୫ହଜାର ୪୯୦ ଟଙ୍କା ଦିଆଯାଉଛି।

ଦେୟ ଅର୍ଥର ବାର୍ଷିକ ୧୦ ପ୍ରତିଶତ ବୃଦ୍ଧି କରିବାକୁ ବି ସଂସ୍ଥା ସହିତ ବିଏମ୍‌ସି ଚୁକ୍ତି କରିଛି।

୨୦୨୩ ଅଗଷ୍ଟ ୧ରୁ ଜାନୁଆରି ୨୦୨୬ ପର୍ଯ୍ୟନ୍ତ ଏହି ସଂସ୍ଥାକୁ ବିଏମ୍‌ସି ୫କୋଟି ୫୨ଲକ୍ଷ ୯୨ହଜାର ୭୧୨ ଟଙ୍କା ଗଣି ସାରିଲାଣି।

Amarnath Yatra 2026: 'ହର ହର ମହାଦେବ' ଧ୍ୱନି ସହ ଅମରନାଥ ଅଭିମୁଖେ ତୀର୍ଥଯାତ୍ରୀ ଅପରପକ୍ଷେ, ବିଏମ୍‌ସି ଏହି ସଂସ୍ଥାକୁ ପ୍ରଥମ ପର୍ଯ୍ୟାୟରେ ୧୨ଜଣ ଓ ପରେ ଆଉ ୪ଜଣ କର୍ମଚାରୀ ନିଯୁକ୍ତିର ଅନୁମତି ଦେଇଥିଲା।

ହିସାବ କଲେ ୧୬ଜଣ କର୍ମଚାରୀ ପିଏମ୍‌ୟୁ ସେଲ୍‌ରେ କାମ କରିବା କଥା।

କିନ୍ତୁ ଏବେ ୧୩ଜଣ କର୍ମଚାରୀ କାମ କରୁଛନ୍ତି।

ଯେତିକି ବିଏମ୍‌ସି ଏହି ସଂସ୍ଥାକୁ ମାସିକ ଦେଉଛି, କର୍ମଚାରୀଙ୍କ ମୁଣ୍ଡପିଛା ହିସାବ କଲେ, ଜଣେ ଜଣେ କର୍ମଚାରୀ ଦେଢ଼ ଲକ୍ଷରୁ ଅଧିକ ଟଙ୍କାର ଦରମା ପାଉଛନ୍ତି।

ଶୁଣିବାକୁ ମିଳିଛି, ସଂସ୍ଥାର ଜଣେ ଜଣେ ଅଧିକାରୀ ମାସିକ ୭ଲକ୍ଷ ପର୍ଯ୍ୟନ୍ତ ଦରମା ପାଉଛନ୍ତି।

ଯେଉଁଠି ରାସ୍ତାଘାଟ, ନାଳ ସଜାଡ଼ିବାକୁ ବିଏମ୍‌ସି ପାଖରେ ଟଙ୍କା ନାହିଁ, ସେଠି କାହା ସ୍ବାର୍ଥରେ କନ୍‌ସଲ୍‌ଟାନ୍ସି ସଂସ୍ଥାକୁ ଏତେ ଟଙ୍କା ଅଜାଡ଼ି ଦିଆଯାଉଛି ବୋଲି କର୍ପୋରେଟରମାନେ ପ୍ରଶ୍ନ କରିଛନ୍ତି।

କର୍ପୋରେଟର ନୃପେଶ କୁମାର ନାୟକ ଅଭିଯୋଗ କରିଛନ୍ତି, ପବ୍ଲିକ ୱାର୍କସ ପାଇଁ ବିଏମ୍‌ସିର ୩ଟି ଇଂଜିନିୟରିଂ ବିଭାଜନ ଓ ସ୍ବତନ୍ତ୍ର ଡ୍ରେନେଜ ବିଭାଜନ ରହିଛି।

କୋଠାବାଡ଼ି ପ୍ଲାନ୍‌ ଅନୁମୋଦନ ପାଇଁ ସିଟି ପ୍ଲାନର୍‌ ଅଫିସ୍‌ ସହ ପର୍ଯ୍ୟାପ୍ତ ବୈଷୟିକ ଅଧିକାରୀ ରହିଛନ୍ତି।

ଏହା ସତ୍ତ୍ବେ ପିଏମ୍‌ୟୁ ସେଲ୍‌କୁ ପୋଷାଯାଉଛି।

ବିଏମ୍‌ସି ଆର୍ଥିକ ଅଚଳାବସ୍ଥା ଦେଇ ଗତି କରୁଛି।

ଚାରିଆଡ଼େ ରାସ୍ତା, ନାଳ ଅବସ୍ଥା ଦୟନୀୟ।

ଏଭଳି ସ୍ଥିତିରେ ଏକ ସଂସ୍ଥାକୁ ବାର୍ଷିକ କୋଟି କୋଟି ଟଙ୍କା ଗଣିବା ବନ୍ଦ କରି ବିଏମ୍‌ସି ଇଂଜିନିୟରିଂ ବିଭାଗ ଏକଥା ସିଧାସଳଖ ବୁଝୁ।

ଅନ୍ୟ କର୍ପୋରେଟରମାନେ ବି ଦାବିକୁ ଯୁକ୍ତିସଂଗତ ଦର୍ଶାଇ ପିଏମ୍‌ୟୁ ସେଲ୍‌ ହଟାଇବାକୁ ଦାବି କରିଛନ୍ତି।ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି, ବିଏମ୍‌ସିରେ ଇଂଜିନିୟରଙ୍କ ଅଭାବ ରହିଛି।

ଯେତିକି ଇଂଜିନିୟର ଅଛନ୍ତି, ସେମାନେ କାମ ଦେଖିବା କଷ୍ଟକର, ସେଥିରେ ଟେଣ୍ଡର କଥା ବା କେମିତି ବୁଝିବେ।

ଏଣୁ ଟେଣ୍ଡର ଆହ୍ବାନ, ଆର୍‌ପିଏଫ୍‌ ଆଦି ପିଏମ୍‌ୟୁ ସେଲ୍‌ କରୁଛି।

ଇଂଜିନିୟରମାନେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି।

କର୍ପୋରେଟର ଏକଥା ବୁଝି ସାରିଲେଣି ଓ ସେମାନଙ୍କ ସହମତିରେ ସଂସ୍ଥାର କାର୍ଯ୍ୟ ଅବଧି ବୃଦ୍ଧି କରାଯାଇଛି।"