Majhighariani Sees Record Donations: ମଝିଘରିଆଣି ମନ୍ଦିରକୁ ରେକର୍ଡ ଦାନ, ମିଳିଲା ବିଦେଶୀ ମୁଦ୍ରା ଓ ସୁନା ରୂପା ଅଳଙ୍କାର
ରାୟଗଡ଼ା ମା' ମଝିଘରିଆଣି ମନ୍ଦିରକୁ ରେକର୍ଡ ୧.୨୬ କୋଟି ଟଙ୍କା ଦାନ। ୯ଟି ହୁଣ୍ଡିରୁ ବାହାରିଲା ୧ କୋଟି ୨୨ ଲକ୍ଷ ୨୯ ହଜାର ୨୬୩ ଟଙ୍କା। ସେହିପରି ୧୩୦୦ ଗ୍ରାମର ରୂପା ଓ ୩୨ ଗ୍ରାମ ସୁନା ଅଳଙ୍କାର ମିଳିଛି। ୟୁପିଆଇ ମାଧ୍ୟମରେ ୩ ଲକ୍ଷ ୯୭ ହଜାର ୨୩୧ ଟଙ୍କା ମଧ୍ୟ ମିଳିଛି। ୯ଟି ବିଦେଶୀ ମୁଦ୍ରା ମଧ୍ୟ ଠାବ ହୋଇଛି।
ସୋମବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା' ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଗଣତି ଶେଷ ହୋଇଛି। ଶତାଧିକ ମହିଳା ସ୍ୱେଚ୍ଛାସେବୀ ଧାଡ଼ି ଧାଡ଼ିରେ ବସି ଟଙ୍କାକୁ ପୃଥକ କରି ଗଣତି ସାରିଛନ୍ତି। ପ୍ରାୟ ପାଞ୍ଚ ମାସ ପରେ ରାଜସ୍ୱ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଦାନ ହୁଣ୍ଡି ଖୋଲାଯାଇଥିଲା।
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରାୟ ୩୦୦ ଜଣ ମହିଳା ସ୍ୱେଚ୍ଛାସେବୀ ଓ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟଙ୍କ ସହଯୋଗରେ ଦୀର୍ଘ ୧୨ ଘଣ୍ଟା ଧରି ଗଣତି କାର୍ଯ୍ୟ ଚାଲିଥିଲା। ଗଣତି ଶେଷ ପରେ ସମସ୍ତ ନଗଦ ଅର୍ଥ, ସୁନା ଓ ରୂପାକୁ ମଝିଘରିଆଣୀ ଟ୍ରଷ୍ଟର ସ୍ୱତନ୍ତ୍ର ବସ୍ ଯୋଗେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରାୟଗଡ଼ାସ୍ଥିତ ୟୁନିୟନ୍ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା।