Mahanadi River: ମହାନଦୀ, ସାତକୋଶିଆ ଗଣ୍ଡ ଓ ଘଡିଆଳ କୁମ୍ଭୀରର ସଂରକ୍ଷଣ ଆଶା
"ଭୁବନେଶ୍ବର: ଅୟୁତ ବର୍ଷ ପୂର୍ବେ ପୃଥିବୀରେ ଜୀବନ ସୃଷ୍ଟି ହେବା ସହ ଜୀବସତ୍ତାର ବିକାଶ ଘଟିଥିଲା।
ସମୟାନୁକ୍ରମେ ବାୟୁମଣ୍ଡଳୀୟ ପରିବର୍ତ୍ତନ, ତାପମାତ୍ରାର ପରିବର୍ତ୍ତନ, ବିଶେଷକରି ବିବର୍ତ୍ତନର ପ୍ରଭାବରେ ଅନେକ ନୂତନ ଜୀବନ ସୃଷ୍ଟି ଲାଭ କରିଥିଲେ।
ସେଥି ମଧ୍ୟରୁ କୁମ୍ଭୀରର ସୃଷ୍ଟି ଅନନ୍ୟ ଥିଲା।
ସମୟାନୁକ୍ରମେ ଜୀବଜନ୍ତୁଙ୍କ ଶରୀରକୁ ଆର୍ଥିକ ଉପାର୍ଜନ ପାଇଁ ବହୁଳ ଭାବରେ ବ୍ୟବହାର ହେଲା।
ବିଶ୍ବର ବିଭିନ୍ନ ପ୍ରାନ୍ତରେ ଧୀରେ ଧୀରେ କୁମ୍ଭୀର ଚାଷ ଓ ଚମଡା ଉତ୍ପାଦନ ବ୍ୟବସାୟ ଆରମ୍ଭ ହେଲା।
ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତି ଇନ୍ଦିରାଗାନ୍ଧୀଙ୍କ ଦୃଷ୍ଟି ଚମଡା ବ୍ୟବସାୟ ଉପରେ ପଡିଲା ପରେ ସୁଦୂର ଅଷ୍ଟ୍ରେଲିଆରୁ ସରୀସୃପ ବିଶେଷଜ୍ଞ ଡ.
ହାରୋଲ୍ଡ ରବର୍ଟ ବଷ୍ଟାର୍ଡ ଙ୍କୁ ଭାରତ ଡକାଇଥିଲେ।
ସେ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ସମର୍ଥିତ "ଭାରତୀୟ କୁମ୍ଭୀର ପରିଯୋଜନା"ର ମୁଖ୍ୟ ଯାନ୍ତ୍ରିକ ଉପଦେଷ୍ଟା ଭାବେ ଭାରତ ଆସି ଓଡିଶା ଏକମାତ୍ର ରାଜ୍ୟ ଭାବେ ଘଡିଆଳ, ମଗର (ଗୋମୁହାଁ) ଏବଂ ଲୁଣା (ବଉଳା) କୁମ୍ଭୀରର ବାସସ୍ଥଳୀ ବୋଲି ଭାରତ ସରକାରଙ୍କୁ ତଥ୍ୟ ପ୍ରଦାନ କରିଥିଲେ।Advertisment ତାଙ୍କ ସର୍ବେକ୍ଷଣ ଅନୁସାରେ କୁମ୍ଭୀରଙ୍କ ସଂଖ୍ୟା କମିଯାଇଥିବା ଜଣାପଡିବା ପରେ ଭାରତ ସରକାରଙ୍କ ଆଭିମୁଖ୍ଯ ବଦଳି ମହାନଦୀର ସାତକୋଶିଆ ଗଣ୍ଡରେ ଘଡିଆଳ କୁମ୍ଭୀର ଓ ଭିତରକନିକାରେ ବଉଳା କୁମ୍ଭୀର ର ସଂରକ୍ଷଣ ୧୯୭୫ ମସିହା ଅପ୍ରେଲ୍ ମାସରେ ଆରମ୍ଭ ହୋଇଥିଲା।
ଡଃ ବଷ୍ଟାର୍ଡଙ୍କ ପ୍ରାରମ୍ଭିକ ସର୍ବେକ୍ଷଣ ଅନୁସାରେ ଟିକରପଡାଠାରେ ଘଡିଆଳ କୁମ୍ଭୀର ସଂରକ୍ଷଣ ପରିଯୋଜନା ଆରମ୍ଭ ହେବା ବେଳକୁ ସାତକୋଶିଆ ଗଣ୍ଡରେ ୨୨ ଫୁଟର ଏକ ଘଡିଆଳକୁ ମିଶାଇ ମାତ୍ର ୭ଟି ଘଡିଆଳ ଥିବାବେଳେ, ବ୍ରାହ୍ମଣୀ ଓ ବୈତରଣୀ ନଦୀରୁ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିଲେ।
ଆନ୍ତର୍ଜାତିକ ବଜାରରେ ଘଡିଆଳ କୁମ୍ଭୀର ଚମଡାର ଖୁବ୍ ଚାହିଦା ଥିବାରୁ, ମାଡ୍ରାସ ଓ ବିହାରରୁ କୁମ୍ଭୀର ଶିକାରୀମାନେ ଆସି କୁମ୍ଭୀର ମାରି ଚମଡା ନେଇ ଯାଉଥିବାର ସ୍ଥାନୀୟ ଅଧିବାସୀମାନେ କହିଥିଲେ।
ତେଣୁ ହ୍ରାସ ଘଟୁଥିବା ଘଡିଆଳ କୁମ୍ଭୀରଙ୍କ ସଂଖ୍ୟାକୁ ନଜରରେ ରଖି, ସେମାନଙ୍କ ସୁରକ୍ଷା ସହ ପରିବେଶ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ସମୟରେ ରାଜ୍ୟ ସରକାର ୧୯.୦୫.୧୯୭୬ ମସିହାରେ ୭୯୫.୫୨ ବର୍ଗ କି.ମି.
ଅଞ୍ଚଳକୁ ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ।
୧୯୭୪ - ୧୯୭୬ ମସିହା ସର୍ବେକ୍ଷଣ ଅନୁସାରେ ବୌଦ୍ଧରୁ ସାତକୋଶିଆ ଗଣ୍ଡ ମଧ୍ଯରେ ୭ଟି, ସାତକୋଶିଆ ଗଣ୍ଡରେ ୪ଟି ଘଡିଆଳ କୁମ୍ଭୀର ଥିଲେ।
୧୯୭୫ ଓ ୧୯୭୬ ମସିହାରେ ଗଣ୍ଡ ଅଞ୍ଚଳରୁ ଯଥାକ୍ରମେ ୨୪ ଓ ୧୦ଟି ଅଣ୍ଡା ସଂଗ୍ରହ କରାଯାଇଥିଲେ ମଧ୍ଯ ସେଥିରୁ ଗୋଟିଏ ବି ଛୁଆ ଫୁଟି ନ ଥିଲେ।
ତେଣୁ ୧୯୭୫ ମସିହାରେ ଗଣ୍ଡକ ନଦୀ ଓ କତରନିଆ ଘାଟରୁ ସଂଗୃହୀତ ଅଣ୍ଡାରୁ ୩୮ଟି, ୧୯୭୬ ଓ ୧୯୭୭ ମହିହାରେ ଗଣ୍ଡକରୁ ସଂଗୃହୀତ ଅଣ୍ଡାରୁ ୩୮ ଓ ୭୬ଟି ଘଡିଆଳ ଶାବକ ଗଣ୍ଡ ଅଞ୍ଚଳରେ ଛଡାଯାଇଥିଲା।
୧୯୭୯, ୧୯୮୦ ଏବଂ ୧୯୮୧ ମସିହାରେ ଚମ୍ବଲରୁ ସଂଗୃହୀତ ଅଣ୍ଡାରୁ ଯଥାକ୍ରମେ ୧୫ଟି, ୧୦୧ଟି ଓ ୭୭ଟି ଏବଂ ୧୯୮୪, ୧୯୮୫ ଓ ୧୯୮୮ ରେ ମହାନଦୀରୁ ସଂଗୃହୀତ ଅଣ୍ଡାରୁ ଯଥାକ୍ରମେ ୬ଟି, ୭ଟି ଘଡିଆଳ ଶାବକ ଗଣ୍ଡରେ ଛଡାଯାଇଥିଲା।
ଏଥି ମଧ୍ଯରେ ୧୩.୦୬.୧୯୭୬ ମସିହାରେ ନନ୍ଦନକାନନର ଆବଦ୍ଧ କ୍ଷେତ୍ରରେ ସୃଷ୍ଟି କରାଯାଇଥିବା କୃତ୍ରିମ ପ୍ରଜନନ କେନ୍ଦ୍ରରେ ୧୯୮୦ ମସିହା ମେ ' ମାସରେ ପ୍ରଜନନ ସଫଳତା ଲାଭ କରିଥିଲା, ଯାହା ସାରା ବିଶ୍ବରେ ପ୍ରଥମ ଥିଲା।
ଏହି କ୍ରମରେ ୧୯୭୭ ମସିହାଠାରୁ ୧୯୮୯ ମସିହା ମଧ୍ଯରେ ପର୍ଯ୍ୟାୟ କ୍ରମେ ଟିକରପଡା ଘଡିଆଳ ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଏବଂ ନନ୍ଦନକାନନ ଚିଡିଆଖାନାରୁ ସମୁଦାୟ ୬୦୯ ରୁ ଉର୍ଦ୍ଧ୍ବ ୧ ମିଟରରୁ ଅଧିକ ଲମ୍ବର ଘଡିଆଳ ଶାବକ ଗଣ୍ଡର ବସା ଓ ଅଣ୍ଡାଦାନ ଉପଯୋଗୀ ସ୍ଥାନରେ ଛଡା ଯାଇଥିଲା।
ସେଥିମଧ୍ୟରୁ ଟିକରପଡାରେ ୬୯ଟି (୨୬, ୪୩) ଏବଂ ମଝିପଡା ଓ ସୁନାଖଣିଆରେ ସର୍ବାଧିକ ୪୫୨ଟି (୫୬, ୩୨, ୧୦୦, ୧୨୪, ୧୬୬, ୧୮) ଛଡାଯାଇଥିଲା।
ପରବର୍ତ୍ତୀ ସମୟରେ ୧୯୯୩ରେ ୭୨ଟି, ୧୯୯୫ରେ ୧୦୦ଟି, ୧୯୯୮ରେ ୬୫ଟି, ୨୦୦୧ରେ ୧୦ଟି, ୨୦୧୪ରେ ୧୨ଟି ମିଶାଇ ୨୬୨ଟି ଶାବକ ଗଣ୍ଡରେ ଛଡା ଯାଇଥିଲା।
ଏହିପରି ଭାବେ ୧୯୭୭ରୁ ୨୦୧୪ ମସିହା ମଧ୍ୟରେ ୮୬୮ଟି ଘଡିଆଳ ସାତକୋଶିଆ ଗଣ୍ଡରେ ଛଡାଯାଇଥିଲା।
୨୦୧୬-୨୦୧୭ ଓ ୨୦୧୭-୨୦୧୮ ମସିହା ଗଣନା ଅନୁସାରେ ମହାନଦୀରେ ଯଥାକ୍ରମେ ୯ଟି ଓ ୭ଟି ଘଡିଆଳ ଠାବ କରାଯାଇଥିଲା।
୧୯୭୭-୨୦୧୭ ମସିହା ମଧ୍ୟରେ ୮୦୦ ରୁ ଉର୍ଦ୍ଧ୍ୱ ସଂଖ୍ୟକ ଘଡିଆଳ ମହାନଦୀରେ ଛଡାଯିବା ସତ୍ତ୍ୱେ ଅନେକ କାରଣ ଘଡିଆଳ ବଂଶ ବୃଦ୍ଧିରେ ବାଧକ ସାଜିଥିଲା।
ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ନିୟମିତ ଭାବେ ଗଣ୍ଡରୁ ମାଛ ଧରି ବିକ୍ରି କରିବା ଦ୍ୱାରା ମାଛର ଅଭାବ ସୃଷ୍ଟି ହେବା, ନଦୀପଠାରୁ ବେଆଇନ ବାଲି ଚୋରାଚାଲାଣ ଯୋଗୁଁ ଉପଯୁକ୍ତ ଅଣ୍ଡାଦାନ ସ୍ଥଳୀର କ୍ଷତିଗ୍ରସ୍ତ ହେବା, ଚମଡା ପାଇଁ ଘଡିଆଳ ଶିକାର, ସଂଖ୍ୟା ହ୍ରାସ ଯୋଗୁଁ ଗୁଣସୂତ୍ରର ବହୁଳତାରେ ହ୍ରାସ ଘଟିବା, ମୋଟର ଚାଳିତ ଡଙ୍ଗାର ବହୁଳ ବ୍ୟବହାର, ନଦୀର ଉପର ମୁଣ୍ଡରେ ଡ୍ୟାମ୍ ନିର୍ମାଣ, ନଈ ବଢିରେ ଶାବକ ତଳମୁଣ୍ଡକୁ ଭାସିଯିବା ଏବଂ ଜାଲରେ ଲାଗି ମରିବା ଆଦି କାରଣ ବଂଶ ବୃଦ୍ଧିରେ ପ୍ରତିବନ୍ଧକ ସାଜିଥିଲା।
ତେଣୁ ଘଡିଆଳ ବଂଶର ପୁନରୁଦ୍ଧାର କରିବା ପାଇଁ ନନ୍ଦନକାନନ ଚିଡିଆଖାନା କର୍ତ୍ତୃପକ୍ଷ ୧୨ ଜୁନ୍ ୨୦୧୯ରେ "ଘଡିଆଳ ପୁନରୁଦ୍ଧାର ପରିଯୋଜନା" ଆରମ୍ଭ କରିଥିଲେ।
ପରିଯୋଜନା ଅନୁସାରେ ୨୦୧୯ରେ ୫ଟି (୨ଟି ମାଈ ୩ଟି ଅଣ୍ଡିରା), ୨୦୨୦ରେ ୨ଟି ଅଣ୍ଡିରା, ୨୦୨୧ ଜାନୁଆରୀରେ ୬ଟି (୩ଟି ମାଈ, ୩ଟି ଅଣ୍ଡିରା) ଓ ଡିସେମ୍ବରରେ ୪ଟି (୧ଟି ଅଣ୍ଡିରା, ୩ଟି ମାଈ), ୨୦୨୨ରେ ୨ଟି ମାଈ ସାତକୋଶିଆର ସୁନାଖଣିଆଠାରେ ଛଡାଯାଇଥିଲା।
୨୦୧୯-୨୦୨୧ ଜାନୁଆରୀ ପର୍ଯ୍ୟନ୍ତ ଭି.ଏଚ୍.ଏଫ୍ ଟ୍ରାନ୍ସମିଟର ଲଗାଯାଇଥିବା, ୨୦୨୧ ଡିସେମ୍ବରରୁ ୨୦୨୨ ଫେବୃଆରୀରେ ଜିପିଏସ୍ ଟ୍ରାନ୍ସମିଟର ଲଗାଯାଇଥିବା ଘଡିଆଳ, ୨୦୨୫ରେ ୭ଟି (୨ଟି ଅଣ୍ଡିରା, ୫ଟି ମାଈ) ଉଭୟ ଭି.ଏଚ୍.ଏଫ୍ ଓ ଜିପିଏସ୍ ଟ୍ରାନ୍ସମିଟର ଲଗାଯାଇଥିବା ଘଡିଆଳ ଛଡାଯାଇଛି।
ସମୁଦାୟ ୨୬ଟି ଘଡିଆଳ ମଧ୍ଯରୁ ୯ଟି ର ଗତିବିଧି ଜାଣିହେଉଥିଲା ବେଳେ, ୯ଟିଙ୍କର ମୃତ୍ୟୁ ଘଟିଛି ଏବଂ ୭ଟି ନିଖୋଜ ଅଛନ୍ତି ।
୨୯ ମାର୍ଚ୍ଚ ୨୦୨୬ରେ ଆଉ ୧୨ଟି ଉଭୟ ଭି.ଏଚ୍.ଏଫ୍ ଓ ଜିପିଏସ୍ ଟ୍ରାନ୍ସମିଟର ଲଗାଯାଇଥିବା ଘଡିଆଳ ସୁନାଖଣିଆଠାରେ ଛଡାଯାଇଛି।
ଗଣ୍ଡ ଅଞ୍ଚଳରେ ଘଡିଆଳ ପୁନରୁଦ୍ଧାର ପରିଯୋଜନାରେ ବଂଶ ବୃଦ୍ଧି ପାଇଁ ଘଡିଆଳ ଛଡାଯିବା ସହ ପଦକ୍ଷେପ ସ୍ୱରୂପ ବଳଦମରାଠାରୁ ରାମଗାଁବାଲି ପର୍ଯ୍ୟନ୍ତ ଗଣ୍ଡର ୧୦ କି.ମି ଅଞ୍ଚଳକୁ ମାଛମରା ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି, ନଦୀ ସଂଲଗ୍ନ ୫ ଜିଲ୍ଲାର (ବୌଦ୍ଧ, ଅନୁଗୋଳ, କଟକ, ସୋନପୁର ଓ ନୟାଗଡ) ପାଖାପାଖି ୩୦୦ ଗ୍ରାମରେ ଜନ ସଚେତନତା ସୃଷ୍ଟି କରାଯିବା ସହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମାନଙ୍କ ପାଇଁ ମାଛ ଚାଷ ପୋଖରୀ ଖୋଳା ଯାଇଛି, ତାର ଜାଲି ମାଧ୍ୟମରେ ୧୦ କି.ମି ଅଞ୍ଚଳକୁ ଘେରାଉ କରାଯାଇଛି, ଜାଲରେ ପଡିଥିବା ଘଡିଆଳ ଶାବକ ଫେରାଇଲେ ବା ଘଡିଆଳ ଯୋଗୁଁ ଜାଲ ନଷ୍ଟ ହେଲେ ୧୦୦୦ ଟଙ୍କା ପୁରସ୍କାର ରାଶି ବା କ୍ଷତିପୂରଣ ଆକାରରେ ମତ୍ସ୍ୟଜୀବୀମାନଙ୍କୁ ଦିଆଯାଉଛି, ବନ୍ୟା ସ୍ରୋତରୁ ରକ୍ଷା ପାଇବା ପାଇଁ ୩ ମିଟରରୁ ଅଧିକ ଲମ୍ବର ଘଡିଆଳ ଗଣ୍ଡ ଅଞ୍ଚଳରେ ଛଡାଯାଉଛି, ସଚେତନତା ରଥର ବ୍ୟବସ୍ଥା କରାଯିବା ସହ ପଥପ୍ରାନ୍ତ ନାଟକ କରାଯାଉଛି ଏବଂ କୁମ୍ଭୀର ବନ୍ଧୁ ସୃଷ୍ଟି କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।
ଏହାର ଫଳ ସ୍ୱରୂପ ୧୦ଟି ଘଡିଆଳ ଶାବକ ମତ୍ସ୍ୟଜୀବୀଙ୍କଠାରୁ ଉଦ୍ଧାର ହେବା ସହ ଦୀର୍ଘ ୪୦ ବର୍ଷର ବ୍ୟବଧାନ ପରେ ଗଣ୍ଡ ଅଞ୍ଚଳରେ ଘଡିଆଳ ପ୍ରଜନନ ସମ୍ଭବପର ହୋଇପାରିଛି।
ପ୍ରଜନନ ସମୟରେ ପୁରୁଷ ଓ ମାଈ କୁମ୍ଭୀରଙ୍କ ଗତିବିଧି ଓ କାର୍ଯ୍ୟକଳାପକୁ ସିସିଟିଭିରେ କଏଦ ହୋଇପାରିଛି।
ଗଣ୍ଡରେ ଥିବା ମାଈ ଓ ଅଣ୍ଡିରା କୁମ୍ଭୀରଙ୍କ ମଧ୍ୟରେ ସଫଳ ମିଳନ ଓ ପ୍ରଜନନ ଫଳରେ ୨୨ ମଇ ୨୦୨୧ ରେ ୨୮ଟି ଶାବକ, ୨୧ ମଇ ୨୦୨୨ ରେ ୩୨ଟି ଶାବକ, ୨୫ ମଇ ୨୦୨୩ ରେ ୩୫ଟି ଶାବକ, ୨୩ ମଇ ୨୦୨୪ ରେ ୩୫ଟି ଶାବକ, ୧୮ ମଇ ୨୦୨୫ ରେ ୩୦ଟି ଶାବକ ଏବଂ ୨୪ ମଇ ୨୦୨୬ ରେ ୧୧ଟି ଶାବକ ଜନ୍ମ ନେଇଛନ୍ତି।
କ୍ରମାଗତ ୬ ବର୍ଷ (ବଳଦମରାଠାରେ) ଗଣ୍ଡର ୧୦ କି.ମି.
ଅଞ୍ଚଳ ଭିତରେ ବସା ଚୟନ, ଅଣ୍ଡାଦାନ ଏବଂ ଶାବକ ଜନ୍ମହେବା ଫଳରେ ଘଡିଆଳ ବଂଶବୃଦ୍ଧି, ସଂରକ୍ଷଣ ଏବଂ ପ୍ରାକୃତିକ ସନ୍ତୁଳନର ଆଶା ଉଜ୍ଜୀବିତ ହୋଇଛି।
ମା ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
