Mahakali enters final production stage: ମହାକାଳୀ' ସୁଟିଂ ଶେଷ ପର୍ଯ୍ୟାୟରେ, ଖୁବ୍ ଶୀଘ୍ର ଆସିବ ରିଲିଜ୍ ତାରିଖ
ଭାରତୀୟ ପୌରାଣିକ ସିନେମାର ପରିସର ଦିନକୁ ଦିନ ବଢ଼ୁଥିବା ବେଳେ ଦର୍ଶକଙ୍କ ଅପେକ୍ଷାର ତାଲିକାରେ ରହିଛି ପ୍ରଶାନ୍ତ ବର୍ମା ସିନେମାଟିକ୍ ୟୁନିଭର୍ସର ଆଗାମୀ ଫିଲ୍ମ 'ମହାକାଳୀ'। ପୂଜା ଅପର୍ଣ୍ଣା କୋଲୁରୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ପୌରାଣିକ କାହାଣୀରେ ଭୂମି ଶେଟ୍ଟୀ ମୁଖ୍ୟ ଭୂମିକାରେ ନଜର ଆସିବେ। ସେହିପରି ବଲିଉଡ୍ ଅଭିନେତା ଅକ୍ଷୟ ଖାନ୍ନା ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି।
ମାସ ମାସ ଧରି ଏହାର ସୁଟିଂ ଚାଲିବା ପରେ ବର୍ତ୍ତମାନ ଫିଲ୍ମଟି ପ୍ରଡକ୍ସନର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ଦ୍ଦେଶକଙ୍କ ନୂଆ ଅପଡେଟ୍ ଅନୁସାରେ, ଫିଲ୍ମଟିର ରିଲିଜ୍ ତାରିଖର ଘୋଷଣା ଖୁବ୍ ଶୀଘ୍ର କରାଯିବ।
ମଙ୍ଗଳବାର RKD ଷ୍ଟୁଡିଓ ପକ୍ଷରୁ ଫିଲ୍ମର କିଛି ପରଦା ପଛର ଫଟୋ ସେୟାର କରାଯାଇଥିଲା।
ଏଥିରେ ଅଭିନେତ୍ରୀ ଭୂମି ଶେଟ୍ଟୀ, ନିର୍ଦ୍ଦେଶକ ପୂଜା ଅପର୍ଣ୍ଣା କୋଲୁରୁ ଏବଂ ପ୍ରଶାନ୍ତ ବର୍ମା ନଜର ଆସିଥିଲେ। ଏହି ଅପଡେଟ୍ ପ୍ରକାଶ ପାଇବା ପରେ ସୋସିଆଲ୍ ମିଡିଆରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ିଯାଇଛି।
ଷ୍ଟୁଡିଓ ପକ୍ଷରୁ କୁହାଯାଇଛି, "ସୁଟିଂ ଚାଲୁ ରହିଛି, ଏବେ ଫାଇନାଲ୍ ପର୍ଯ୍ୟାୟର ଆରମ୍ଭ ହେବ।
'ମହାକାଳୀ'ର ୧୨୫ ଦିନର ସୁଟିଂ ସଫଳତାର ସହ ଶେଷ ହୋଇଛି। ଅକ୍ଷୟ ଖାନ୍ନା ଓ ରୋହିତ ସରାଫ୍ ନିଜ ନିଜ ସୁଟିଂ ସିଡ୍ୟୁଲ୍ ଶେଷ କରିଛନ୍ତି। ଫିଲ୍ମଟି IMAX ଫର୍ମାଟରେ ସୁଟ୍ କରାଯାଇଛି ଏବଂ ରିଲିଜ୍ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ।"
ଯଦିଓ ଅଫିସିଆଲ୍ ପୋଷ୍ଟରେ ୧୨୫ ଦିନର ସୁଟିଂ କଥା କୁହାଯାଇଛି, କିନ୍ତୁ ବିଭିନ୍ନ ରିପୋର୍ଟ ଅନୁଯାୟୀ ଫିଲ୍ମଟିର ମୋଟ ସୁଟିଂ ଦିନ ୧୩୫ ଅତିକ୍ରମ କରିସାରିଛି। ଏହା ପ୍ରଶାନ୍ତ ବର୍ମା ସିନେମାଟିକ୍ ୟୁନିଭର୍ସ ଅଧୀନରେ ନିର୍ମିତ ସବୁଠାରୁ ବଡ଼ ପ୍ରଡକ୍ସନମାନଙ୍କ ମଧ୍ୟରେ ଗଣାଯାଉଛି।
ପ୍ରଶାନ୍ତ ବର୍ମା ସିନେମାଟିକ୍ ୟୁନିଭର୍ସର ଆରମ୍ଭ 'ହନୁ-ମ୍ୟାନ୍' ସହ ହୋଇଥିଲା। ୨୦୨୪ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ ବଡ଼ ସଫଳତା ପାଇଥିଲା। ସେହି ସଫଳତା ପରେ 'ମହାକାଳୀ'କୁ ପ୍ରଶାନ୍ତ ବର୍ମା ସିନେମାଟିକ୍ ୟୁନିଭରସିଟିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ଭାବେ ଦେଖାଯାଉଛି।
'ମହାକାଳୀ'କୁ IMAX ଫର୍ମାଟରେ ସୁଟ୍ କରାଯାଇ ଥିବାରୁ ଦର୍ଶକମାନେ ବଡ଼ ପରଦାରେ ଜୀବନ୍ତ ଅନୁଭୂତି ପାଇବେ ବୋଲି ଆଶା କରାଯାଉଛି। ମୁଖ୍ୟ ସୁଟିଂ ପ୍ରାୟ ଶେଷ ହୋଇଥିବାରୁ ବର୍ତ୍ତମାନ ସମସ୍ତଙ୍କ ନଜର ନିର୍ମାତାଙ୍କ ପରବର୍ତ୍ତୀ ଘୋଷଣା ଉପରେ ରହିଛି। ଖୁବ୍ ଶୀଘ୍ର ଫିଲ୍ମର ଅଫିସିଆଲ୍ ରିଲିଜ୍ ତାରିଖ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।