Long live life: ଜୀବନ ଜିନ୍ଦାବାଦ୍: ଆଇଟିମ୍ୟାନ୍ ହେଲେ ଆଇରନ୍ମ୍ୟାନ୍
"ଶୃଙ୍ଖଳା ଓ ନିୟମିତତା ଆଧାରରେ କୌଣସି ବି ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରାଯାଇପାରେ।
ତାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଆଇରନ୍ମ୍ୟାନ୍ ପଙ୍କଜ କୁମାର ସିଂହ।
ଦୁଇଥରର ବିଫଳତା ପରେ ବି ଉଦ୍ୟମ ଅବ୍ୟାହତ ରଖି ବିଶ୍ୱର ସବୁଠାରୁ କଠିନତମ କ୍ରୀଡ଼ା "ଆଇରନ୍ମ୍ୟାନ୍ ଟ୍ରାଇଥଲନ୍" ଜିତି ସେ ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି।
ସଫଳତାର ପଥ ସବୁବେଳେ ସହଜ ନୁହେଁ।
ବାରମ୍ବାର ବିଫଳତା, କଠିନ ପରିଶ୍ରମ ଓ ଅନେକ ପ୍ରତିବନ୍ଧକ ସତ୍ତ୍ୱେ ଯେଉଁମାନେ ହାର୍ ମାନନ୍ତି ନାହିଁ, ଶେଷରେ ସଫଳତା ସେମାନଙ୍କ ପାଦଛୁଏଁ।
ଜଣେ ଆଇରନ୍ମ୍ୟାନ୍ ଭାବେ ନିଜ ପରିଚୟ ସୃଷ୍ଟି କରିଥିବା ପଙ୍କଜଙ୍କ ଜୀବନଯାତ୍ରା ଏହା ହିଁ ଶିକ୍ଷା ଦିଏ।
ବିଫଳ ହେବା ପରେ ମଧ୍ୟ ସେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ।
ଅଦମ୍ୟ ଇଚ୍ଛାଶକ୍ତି, ଶୃଙ୍ଖଳା ଓ ନିରନ୍ତର ପ୍ରୟାସ ବଳରେ ସେ ଶେଷରେ ନିଜ ସ୍ୱପ୍ନକୁ ସାକାର କରିବାରେ ସମର୍ଥ ହୋଇଛନ୍ତି। "ଆଇରନମ୍ୟାନ୍ ଟ୍ରାଇଥଲନ୍"କୁ ବିଶ୍ୱର ସବୁଠାରୁ କଠିନ ଏକଦିନିଆ ପ୍ରତିଯୋଗିତା ଭାବେ ଗଣାଯାଏ।Advertisment ଏଥିରେ ପ୍ରତିଯୋଗୀଙ୍କୁ କ୍ରମାଗତ ଭାବେ ୩.୮ କିଲୋମିଟର ପାଣିରେ ପହଁରିବା, ୧୮୦ କିଲୋମିଟର ସାଇକେଲ ଚଳାଇବା ଏବଂ ଶେଷରେ ୪୨.୨ କିଲୋମିଟର ମାରାଥନ୍ ଦୌଡ଼ ସମ୍ପୂର୍ଣ୍ଣ କରିବାକୁ ପଡ଼େ।
ସମଗ୍ର ପ୍ରତିଯୋଗିତା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ହୋଇଥାଏ।
ଏହି କ୍ରୀଡ଼ା ଆଗରେ ବର୍ଷ ବର୍ଷର କଠିନ ପରିଶ୍ରମ ବି ହାର୍ ମାନେ।
ପଙ୍କଜଙ୍କ କ୍ଷେତ୍ରରେ ବି ସେପରି ଘଟିଥିଲା।
ସେ ବାରମ୍ବାର ଭାଗ ନେଇ ଖଣ୍ଡିଆଖାବରା ହୋଇ ବିଫଳ ହେଉଥିଲେ।
ତଥାପି କେବେ ବି ଭାବୁ ନଥିଲେ ଯେ ପରବର୍ତ୍ତୀ ଥର ଭାଗ ନେବିନାହିଁ।
ଖେଳୁଆଡ଼ ମନୋବୃତ୍ତିରେ ସବୁ ହାର୍କୁ ହସି ହସି ଉପେକ୍ଷା କରି ସେ ଜିତିବା ଲକ୍ଷ୍ୟରେ ପୁଣି ଆଗେଇ ଚାଲନ୍ତି।
ଶେଷରେ ତାଙ୍କର ଜିଦ୍ ହିଁ ସଫଳ କାହାଣୀ ଲେଖିଲା।
ତୃତୀୟ ପ୍ରୟାସେର ସେ ପାଲଟିଗଲେ ଆଇରନ୍ମ୍ୟାନ୍ ମାଲେସିଆ ୨୦୨୫ର ଫିନିସର୍ ପଙ୍କଜ କୁମାର ସିଂହ।
ପ୍ରଥମ ଦୁଇଟି ପ୍ରୟାସରେ ସେ ଫିନିସ୍ ଲାଇନ୍ ପାର କରିପାରି ନଥିଲେ।
କେବେ ଶାରୀରିକ ସମସ୍ୟା, କେବେ ସମୟସୀମା ତାଙ୍କ ରାସ୍ତାରେ ବାଧା ସୃଷ୍ଟି କରିଥିଲା।
କିନ୍ତୁ ପ୍ରତ୍ୟେକ ବିଫଳତାରୁ ଶିକ୍ଷା ନେଇ ସେ ନିଜର ପ୍ରଶିକ୍ଷଣ ପଦ୍ଧତି, ଖାଦ୍ୟାଭ୍ୟାସ, ଫିଟ୍ନେସ୍ ଏବଂ ମାନସିକ ପ୍ରସ୍ତୁତିରେ ପରିବର୍ତ୍ତନ ଆଣିଥିଲେ।
ଫଳସ୍ୱରୂପ ଚତୁର୍ଥ ପ୍ରୟାସରେ ସେ ସ୍ୱପ୍ନ ପୂରଣ କରିପାରିଥିଲେ।
ପଙ୍କଜ ଜଣେ ଆଇଟି ପ୍ରଫେସ୍ନାଲ୍।
ବିହାରର ଏକ ସାଧାରଣ ପରିବାରରେ ବଢ଼ିଥିବା ଏହି ୪୨ ବର୍ଷୀୟ ଯୁବକଙ୍କ ପରିବାର ଲୋେକ ପାଠପଢ଼ାରେ ସଫଳତାକୁ ହିଁ ସଫଳତାର ପ୍ରମୁଖ ମାପକାଠି ଭାବେ ଦେଖୁଥିଲେ।
କିନ୍ତୁ, ପିଲାଦିନରୁ ହିଁ ତାଙ୍କର ଆଗ୍ରହ ଥିଲା ଖେଳକୁଦ ଓ ଶାରୀରିକ କ୍ରୀଡ଼ା ପ୍ରତି।
ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା, କଠୋର ଅଭ୍ୟାସ କରିବା ଏବଂ ଶୃଙ୍ଖଳାବଦ୍ଧ ଜୀବନଯାପନ ତାଙ୍କୁ ସବୁବେଳେ ଆକର୍ଷିତ କରୁଥିଲା।
ସମୟ ସହିତ ଖେଳ ପ୍ରତି ଏହି ଭଲପାଇବା କେବଳ ତାଙ୍କର ରୁଚି ହୋଇ ରହିଲା ନାହିଁ, ବରଂ ତାଙ୍କ ବ୍ୟକ୍ତିତ୍ୱ ଓ ପରିଚୟର ସବୁଠାରୁ ଶକ୍ତିଶାଳୀ ଅଂଶରେ ପରିଣତ ହୋଇଥିଲା।
୨୦୧୭ ଓ ୨୦୧୮ ମସିହାରେ ସେ ଦୁଇଥର ଡିଏନ୍ଏଫ୍ ବା ଡିଡ୍ ନଟ୍ ଫିନିସ୍ ହୋଇଥିଲେ।
ଦୀର୍ଘ ଆଠବର୍ଷର ପରିଶ୍ରମ ପରେ ୨୦୨୫ରେ ସେ ପୁଣିଥରେ ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ; ତାହା ପୁଣି ପୂର୍ଣ୍ଣ ପ୍ରସ୍ତୁତି ସହିତ।
ନିଜ ସଫଳତା ପଛର ସଂଘର୍ଷକୁ ବଖାଣି ପଙ୍କଜ କହନ୍ତି, ""ଆଇରନ୍ମ୍ୟାନ୍ କେବଳ ଶରୀରର ନୁହେଁ, ମନର ମଧ୍ୟ ପରୀକ୍ଷା।
ପ୍ରତିଯୋଗିତା ସମୟରେ କ୍ଳାନ୍ତି, ବେଦନା ଏବଂ ହାର୍ ମାନିବାର ଇଚ୍ଛା ବାରମ୍ବାର ଆସିଥାଏ।
ତଥାପି ଲକ୍ଷ୍ୟକୁ ଆଖି ଆଗରେ ରଖି ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢ଼ାଇବା ହିଁ ସଫଳତାର ମୂଳମନ୍ତ୍ର।
ବିଫଳତା କେବେ ଶେଷ ନୁହେଁ; ବରଂ ଏହା ଆଗକୁ ବଢ଼ିବାର ପ୍ରେରଣା।""ତାଙ୍କର ପ୍ରେରଣାଦାୟକ ଯାତ୍ରା ଆଜି ହଜାର ହଜାର ଯୁବକ ଓ କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଉଦାହରଣ ପାଲଟିଛି।
ଲଗାତାର ବିଫଳତା ପରେ ମଧ୍ୟ ନିଜ ଲକ୍ଷ୍ୟରୁ ବିଚ୍ୟୁତ ନହୋଇ ଶେଷରେ ସଫଳତା ହାସଲ କରିଥିବା ଏହି କାହାଣୀ ପ୍ରମାଣ କରୁଛି ଯେ, ଶୃଙ୍ଖଳା, ଧୈର୍ଯ୍ୟ ଓ ଅକ୍ଳାନ୍ତ ପରିଶ୍ରମ ହିଁ ବଡ଼ ସ୍ୱପ୍ନକୁ ସାକାର କରିବାର ସବୁଠାରୁ ବଡ଼ ଅସ୍ତ୍ର।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।