History in mirror: ଇତିହାସ ଆଇନାରେ: ଶ୍ରୀକ୍ଷେତ୍ରରେ କୁମ୍ଭପଟିଆ ଉତ୍ପାତ
"ରାଜେଶ ଅଗ୍ରୱାଲ୍ ୧୮୮୧ ମସିହା ମାର୍ଚ୍ଚ ପହିଲା।
ସମୟ ପ୍ରାୟ ଦିନ ଦଶଟା।
ଏଇ ସମୟରେ ଅଲେଖ...
ମହିମା ଅଲେଖ...
ଅଲେଖ...
ଚିତ୍କାର କରି କେତେଜଣ ପୁରୁଷ ଓ ମହିଳା ଶ୍ରୀମନ୍ଦିର ଭିତରକୁ ପଶିବାକୁ ଉଦ୍ୟମ କଲେ।
ପୁରୁଷମାନଙ୍କ ଶରୀରେର ଛୋଟ କୌପୀନ ଛଡ଼ା ଅନ୍ୟ କୌଣସି ଲୁଗାପଟା ନ ଥିଲା।
ମହିଳାମାନେ ଯାହା ପରିଧାନ କରିଥିଲେ, ତାହା ସେମାନଙ୍କ ଶରୀରକୁ ପୂରା ଢାଙ୍କିପାରୁନଥିଲା।
ସେମାନେ ହାତରେ ଗୋଟାଏ ଲେଖାଏଁ ଭାତହାଣ୍ଡି ଧରିଥିଲେ ଏବଂ ତହିଁରୁ କିଛି ଭାତ ଖାଇ ହାତ ଧୋଇ ନଥିଲେ।
ଅଇଁଠା ହାତରେ ମନ୍ଦିରକୁ ପଶିବାକୁ ଉଦ୍ୟମ କରୁଥିଲେ।
ସେମାନେ ଯେତେବେଳେ ସିଂହଦ୍ବାର ଦେଇ ଭିତରକୁ ପଶିବାକୁ ଚାହିଲେ, ତାଙ୍କ ରୂପଭେକ ଦେଖି "ନିମ୍ନଜାତି" କହି ଜଣେ ସେବକ ଦ୍ବାର ବନ୍ଦ କରିବାକୁ ଚେଷ୍ଟା କଲେ।
କିନ୍ତୁ, ଉକ୍ତ ସେବକଙ୍କୁ ଧକ୍କା ଦେଇ ସେମାନେ ତଳେ ପକାଇଦେଲେ ଓ ମନ୍ଦିରକୁ ପଶିଗଲେ।
ତେବେ ସେମାନେ ଅଇଁଠା ଭାତହାଣ୍ଡିକୁ ଅରୁଣ ସ୍ତମ୍ଭ ପାଖରେ ରଖି ଦେଇଥିଲେ।
ମନ୍ଦିର ଭିତରକୁ ପଶିଥିବା ୧୩ ଜଣ ପୁରୁଷ ଓ ୩ ଜଣ ମହିଳା ଭୋଗମଣ୍ଡପ ଦ୍ବାର ବନ୍ଦ ଥିବାରୁ ତାକୁ ଭାଙ୍ଗିଦେଇ ସେ ବାଟଦେଇ ଜଗମୋହନ ଭିତରକୁ ଚାଲିଗଲେ।
ଏ କାଣ୍ଡ ଦେଖି ଶହ ଶହ ଯାତ୍ରୀ ଜମି ଯାଇଥିଲେ।
ଜୟବିଜୟ ଦ୍ବାର ବନ୍ଦ ଥିବାରୁ ଠାକୁରଙ୍କ ଗମ୍ଭୀରା ଭିତରକୁ ସେମାନେ ପଶି ନ ପାରି ବେଢ଼ା ବାହାରକୁ ଆସି ଭିତରକୁ ଯିବା ରାସ୍ତା ଖୋଜିଲେ।
ଜଣେ ଅନ୍ୟ ଜଣଙ୍କ କାନ୍ଧ ଉପରେ ଚଢ଼ି ଭିତର ରାସ୍ତା ଦେଖୁଥିବା ବେଳେ ଭୋଗମଣ୍ଡପ ପାହାଚ ପାଖ ଅଗ୍ନିଶ୍ବର ମହାଦେବଙ୍କ ସାମନାରେ ଜଣେ ପଥର ଉପରେ ଖସିପଡ଼ି ଅଚେତ ହୋଇଗଲା।
ତାକୁ ଅନ୍ୟମାନେ ବାହାରକୁ ଆଣିଲେ, କିନ୍ତୁ ଚେତା ଫେରିଲା ନାହିଁ।
ଘଣ୍ଟାଏ ଭିତରେ ତା"ର ମୃତ୍ୟୁ ହୋଇଗଲା।
ମୃତ ଲୋକଟିର ନାମ ଥିଲା "ଦାସରାମ" ଓ ସେ ଦଳର ନେତା ଥିଲା।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଲା ଯେ ସେମାନେ ତାଙ୍କ ଗୁରୁଙ୍କ ଆଦେଶରେ ସପ୍ତାହେ ତଳେ ସମ୍ବଲପୁରରୁ ପୁରୀ ବାହାରିଥିଲେ।
ପୁରୀ ଶ୍ରୀମନ୍ଦିରକୁ ଯାଇ ଅଇଁଠା ପକାଇ ମନ୍ଦିରକୁ ଅପବିତ୍ର କରିଦେବ ଏବଂ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଦାରୁବିଗ୍ରହ ବଡ଼ଦାଣ୍ଡକୁ ଆଣି ଜାଳିଦେବ ବୋଲି ତାଙ୍କ ଗୁରୁଙ୍କୁ କୁଆଡ଼େ ସ୍ବପ୍ନରେ ଆଜ୍ଞା ହୋଇଥିଲା।Advertisment ଦାସରାମର ମୃତ୍ୟୁ ବାବଦରେ ଖବରପାଇ ପୁରୀର ପୁଲିସ୍ ଆସିଷ୍ଟାଣ୍ଟ୍ ସୁପରିଣ୍ଟେଣ୍ଡେଣ୍ଟ୍ ମିଷ୍ଟର୍ କ୍ଲକ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସେ ଅଣ-ହିନ୍ଦୁ ହୋଇଥିବାରୁ ମନ୍ଦିର ଭିତରକୁ ନ ଯାଇ ସବ୍ଇନ୍ସପେକ୍ଟର୍ କୃପାସିନ୍ଧୁ ମହାନ୍ତିଙ୍କୁ ପଠାଇଥିଲେ।
ଏଭଳି ଉତ୍ପାତ କରିଥିବା ପୁରୁଷ ଓ ମହିଳାଙ୍କୁ ଗିରଫ କରାଯାଇ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା।
ଏହାପରେ ସେମାନଙ୍କୁ ପଚରାଉଚରା ବେଳେ ଜଣାପଡ଼ିଲା ଯେ ଆହୁରି ଦଳେ ଲୋକ ଶ୍ରୀମନ୍ଦିରେ ପଶି ଦାରୁବିଗ୍ରହଙ୍କୁ ପୋଡ଼ିବାକୁ ସମ୍ବଲପୁରରୁ ପୁରୀ ଆସୁଛନ୍ତି।
ପୁଲିସ ସତ୍ୟବାଦୀ ପାଖରୁ ୬ ଜଣ ପୁରୁଷ, ୧୧ ଜଣ ମହିଳା ଓ ୧୧ ଜଣ ଛୋଟପିଲାଙ୍କୁ ଗିରଫ କଲା।
ସେଦିନ ଶ୍ରୀମନ୍ଦିରରେ ପ୍ରସ୍ତୁତ ହୋଇଥିବା ଭୋଗ ଫିଙ୍ଗାଯିବା ସହ ମନ୍ଦିର ଭିତରେ ଦାସରାମ ମରିଥିବାରୁ ମହାସ୍ନାନ ହୋଇ ଶୁଦ୍ଧି କରାଯାଇଥିଲା।
ଏହାପରେ ଡେପୁଟି ମାଜିଷ୍ଟ୍ରେଟ୍ କମଳନାଥ ଘୋଷଙ୍କ କଚେରିରେ ଦୁଇଟି ଅଲଗା ମାମଲା ଦାଖଲ ହୋଇଥିଲା।
ପ୍ରଥମ ଦଳ ବିରୋଧରେ ଭାରତୀୟ ପେନାଲ୍ କୋଡ୍ର ୧୪୭ ଓ ୨୯୭ ଦଫା ଏବଂ ଦ୍ବିତୀୟ ଦଳ ବିରୋଧରେ ସିଭିଲ୍ କୋଡ୍ର ୯୪ ଦଫାରେ ମାମଲା ରୁଜୁ ହୋଇଥିଲା।
ମନ୍ଦିର ସେବକ, ସିଭିଲ୍ ସର୍ଜନ୍, ପୁଲିସ କର୍ମଚାରୀଙ୍କ ସାକ୍ଷ୍ୟ ନିଆଯାଇ ମାଜିଷ୍ଟ୍ରେଟ୍ ଦ୍ବିତୀୟ ଦଳର ଅପରାଧ ଉପରେ ଶୁଣାଣି କରି କହିଥିଲେ, ଏହି ୧୭ ଜଣଙ୍କ ବିରୋଧରେ ୯୪ ଦଫାରେ ଦଣ୍ଡ ଦିଆଯାଇ ପାରିବ ନାହିଁ, କାରଣ ପୁରୀକୁ ଆସୁଥିବା ଶହ ଶହ ଭିକାରିଙ୍କ ଠାରୁ ଏମାନେ ଭିନ୍ନ ନ ଥିଲେ।
୧୮୮୧ ମେ ମାସ ୭ ତାରିଖରେ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଥିଲା।
ଯେହେତୁ ପ୍ରଥମ ଦଳର ୪ ଜଣ ବୟାନ ଦେଇଥିଲେ ଯେ ସେମାନେ ଏକାଠି ହୋଇ ମୂର୍ତ୍ତି ଜାଳିବାକୁ ଯାଉଥିଲେ, ତେଣୁ ୧୪୩ ଦଫା ମୁତାବକ ଏକ ଅବୈଧ ମେଳି ବାନ୍ଧିଥିବା ଦୋଷରେ ମାୟା, ଭଜ, ଜୀରା ଓ ହୀରାକୁ ୭ ଦିନର ସଶ୍ରମ କାରାବାସ ଆଦେଶ ହେଲା।
ଅନ୍ୟ ମାମଲାର ରାୟ ୧୪ ତାରିଖରେ ପ୍ରକାଶ ପାଇଥିଲା।
ଅଭିଯୁକ୍ତ ଧନ, ସିତ, ଭଗତ, ମାୟାରାମ ଆଦି ୧୫ ଜଣଙ୍କ ଦୋଷ ପ୍ରମାଣିତ ହେଲା।
ସେମାନେ ମୂର୍ତ୍ତି ପୋଡ଼ିଦେବା ପାଇଁ ପୁରୀ ଆସିଥିଲେ ବୋଲି ସ୍ବୀକାର କରିଥିଲେ।
ପୁଣି କେତେଜଣ ଗୁରୁଙ୍କ ଶୂନ୍ୟବାଣୀ ଶୁଣିଥିବା କହିଥିଲେ।
୧୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମାଜିଷ୍ଟ୍ରେଟ୍ ୧୪୭ ଦଫାରେ ୨ ମାସର ଓ ୨୯୭ ଦଫାରେ ୧ ମାସର ସଶ୍ରମ କାରାବାସ ଆଦେଶ ଦେଇଥିଲେ।
ଏହି ଘଟଣାରେ ଓଡ଼ିଶା ଓ ଛତିଶଗଡ଼ର ଅଲେଖଧର୍ମୀଙ୍କ କାର୍ଯ୍ୟକଳାପ ବାବଦରେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ କୁହାଯାଇଥିଲା।
ଏହି ନିର୍ଦ୍ଦେଶ ଅନୁସାରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ବିଜୟ ଚନ୍ଦ୍ର ମଜୁମଦାର, ବାଙ୍କୀ ତହସିଲଦାର ବଳରାମ ବୋଷ, ଅନୁଗୋଳ ତହସିଲଦାର ବିଚ୍ଛନ୍ଦ ପଟ୍ଟନାୟକ (ପୂର୍ବରୁ ସମ୍ବଲପୁର ଶିକ୍ଷା ବିଭାଗରେ କାର୍ଯ୍ୟରତ), ଢେଙ୍କାନାଳ ମ୍ୟାନେଜର୍ ବନମାଳୀ ସିଂହ ତଥ୍ୟଭିତ୍ତିକ ରିପୋର୍ଟ ଦେଇଥିଲେ।
ଏହାକୁ ଭିତ୍ତି କରି ଅକ୍ଟୋବର ୨୧ରେ ବିଚାର ବିଭାଗ ଅଲେଖ ପନ୍ଥୀ କୁମ୍ଭପଟିଆଙ୍କ ବାବଦରେ ଏକ ରିଜ୍ୟୁଲେସନ୍ ପ୍ରକାଶ କରିଥିଲେ। "କୁମ୍ଭୀପଟ" ପିନ୍ଧୁଥିବା ଜଣେ ଅଲେଖ ସ୍ବାମୀଙ୍କୁ ଏମାନେ ଅନୁସରଣ କରୁଥିଲେ।
ସେ ୧୮୬୪ରେ ହିମାଳୟରୁ ଆସି ବାଙ୍କୀରେ ୬୪ ଜଣ ଶିଷ୍ୟ ଗ୍ରହଣ କରିଥିଲେ।
ସେଠାରୁ ସେ ଢେଙ୍କାନାଳ ଯାଇ ଧର୍ମ ପ୍ରଚାର କରିଥିଲେ।
ଏହାପରେ ତାଙ୍କର ପ୍ରଚାର ସମ୍ବଲପୁରକୁ ବ୍ୟାପିଥିଲା।
କୁମ୍ଭପଟୁଆ ଅଲେଖଧର୍ମୀଙ୍କ ପ୍ରଧାନ ନିୟମଗୁଡ଼ିକ ଥିଲା, ଅଦ୍ବିତୀୟ ପୁରୁଷରେ ବିଶ୍ବାସ, ସତ୍ୟବାଦିତା, ଗୁରୁ ଉପଦେଶ ପାଳନ ଇତ୍ୟାଦି।
ସେମାନେ ଦେବଦେବୀଙ୍କ ମୂର୍ତ୍ତି ପୂଜନରେ ବିଶ୍ବାସ କରୁନଥିଲେ, ଔଷଧ ବ୍ୟବହାର କରୁନଥିଲେ, କେବଳ ଦିନବେଳା ଖାଉଥିଲେ ।
ଏହି ଧର୍ମ ବାବଦରେ ପୂର୍ବରୁ "ଉତ୍କଳ ଦୀପିକା"ରେ ୧୮୬୭ ଜୁନ୍ ପହିଲା ସଂଖ୍ୟାରେ ଏକ ଲେଖା ବାହାରିଥିଲା।
ପରେ ୧୮୭୧ ଅଗଷ୍ଟ ୨୬ ସଂଖ୍ୟାରେ ପ୍ରେରିତ ପତ୍ର କ୍ରମରେ ଢେଙ୍କାନାଳର ଫଳହାରୀ କୁମ୍ଭପଟୁଆ ବାବଦରେ ମଧ୍ୟ ଲେଖା ପ୍ରକାଶିତ ହୋଇଥିଲା।
୧୮୭୩ ସେପ୍ଟେମ୍ବର ୬ "ଦୀପିକା"ରେ ପ୍ରକାଶ ପାଇଥିଲା ଯେ ଏହି ଧର୍ମପନ୍ଥୀ ବେଦ ବା କୌଣସି ଶାସ୍ତ୍ରକୁ ମାନନ୍ତି ନାହିଁ, ଦେବତାଙ୍କ ପୂଜା କରନ୍ତି ନାହିଁ, ତାଙ୍କ ଧର୍ମ ନିର୍ବେଦ ଓ ଅଲେଖ।
ସେମାନେ କେବଳ ମହିମାଙ୍କୁ ମାନନ୍ତି। "କୁମ୍ଭପଟିଆ"ଙ୍କ ବାବଦରେ ଆଉ ଏକ ରିପୋର୍ଟ ମିଳିଥିଲା ଯେ ଏହି ଘଟଣା ପରେ କିଛି ଅନୁଗାମୀ ତତ୍କାଳୀନ ନେତା ଭୀମ କନ୍ଧଙ୍କୁ ଛାଡ଼ି ଅନ୍ୟ ଏକ ଗୋଷ୍ଠୀ ଗଠନ କରିଥିଲେ।
ଏକଥା ମଧ୍ୟ ଜଣାପଡ଼ିଥିଲା, ଅନୁଗୋଳ ତହସିଲ୍ଦାର ଅପରାଧ ପରାୟଣ କେତେକଙ୍କୁ କୁମ୍ଭପଟିଆ କରାଇ ଅପରାଧ କମାଇବାରେ ସଫଳ ହୋଇଥିଲେ।ଅତାବିରା, ବରଗଡ଼ମୋ: ୯୪୩୮୨୧୪୮୭୮"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।