Literature: ଗଳ୍ପ ଏକା ଏକା: ଗାଳ୍ପିକ ଯୋଗେଶ୍ୱର ପଣ୍ଡାଙ୍କ କଲମରୁ ନିଃସୃତ...

Nov 23, 2026 - 18:44
Literature: ଗଳ୍ପ ଏକା ଏକା: ଗାଳ୍ପିକ ଯୋଗେଶ୍ୱର ପଣ୍ଡାଙ୍କ କଲମରୁ ନିଃସୃତ...

ଏକା ଏକା ଯୋଗେଶ୍ୱର ପଣ୍ଡା Eka Eka: Art by Tanuj Mallick.

Sambad ସେଦିନ ରାତି ରେ ଅଚାନକ ମୋ ଭିତରେ ଏକ ଅସ୍ୱାଭାବିକ ଶୂନ୍ୟତା ଘର କରିବସିଲା।

ଘରର ସମସ୍ତେ ନିଘୋଡ଼ ନିଦରେ ଶୋଇପଡ଼ିଥିଲେ।

ମୁଁ ପାଦ ଚିପି ଚିପି ବାହାରକୁ ଆସିଲି।

ଆକାଶରେ ଜହ୍ନ ନଥିଲା; ଅମାବାସ୍ୟାର ଅନ୍ଧାରଟା ଯେମିତି ଆହୁରି ନିବିଡ଼ ଆଉ ରହସ୍ୟମୟ ଲାଗୁଥିଲା।

ମୁଁ ଅନ୍ୟମନସ୍କ ଭାବେ ଚାଲିବାକୁ ଲାଗିଲି।

Advertisment କେତେବାଟ ଅତିକ୍ରମ କଲି ଜାଣିନି, ଶେଷରେ ଆମ ଗଳିର ସବା ଶେଷ ଆଡ଼କୁ ଥିବା ସେହି ପୁରୁଣା ପୋଖରୀ ତୁଠରେ ଯାଇ ବସିଲି।

ମନ ଖରାପ ଥିଲେ ବେଳେ ବେଳେ ମୁଁ ଏଠାକୁ ଆସେ।

ସେଦିନ ଅବଶ୍ୟ ମନ ଖରାପ ଥିଲା କି ନା ମୁଁ ଜାଣି ପାରୁନଥିଲି।

ପୋଖରୀର ଜଳରାଶି ସମ୍ପୂର୍ଣ୍ଣ ସ୍ଥିର ଥିଲା।

ମୁଁ ସେହି ସ୍ଥିର ଜଳରେ ନିଜର ପ୍ରତିବିମ୍ବକୁ ଦେଖିଲି।

ହଠାତ୍ ପାଣିରେ ଥିବା ସେହି ମୁହଁଟି ହସିଉଠିଲା।

ଆହୁରି ପଢ଼ନ୍ତୁ- Attack: ଜାମା ମସଜିଦ୍‌ ଥାନାରେ ୫ ପୁଲିସ କର୍ମଚାରୀଙ୍କୁ ଛୁରାମାଡ଼, ଖସି ପଳାଉଥିବା ଅଭିଯୁକ୍ତକୁ ଏନ୍‌କାଉଣ୍ଟର ମୁଁ ଥରିଗଲି।

ସେ ଚେହେରା ମୋର ହିଁ ଥିଲା।

ସେହି ସମାନ ଆଖି, ସେହି ନାକ, ସେହି ଓଠ।

କିନ୍ତୁ ତା' ହସ ରେ ମୋର ସେହି ପରିଚିତ ଦମ୍ଭ ବା ଆତ୍ମବିଶ୍ୱାସ ନଥିଲା; ବରଂ ଥିଲା ଏକ ଅଦ୍ଭୁତ କରୁଣାବୋଧ।

''କାହିଁକି ଡରୁଛୁ?'' ସେ ନିରବତା ଭାଙ୍ଗି ପଚାରିଲା।

ମୋ ପାଟିରୁ ଶବ୍ଦ ବାହାରିଲା ନାହିଁ।

''ମୋତେ ଚିହ୍ନିପାରୁନୁ କି?'' ''ତୁ କିଏ?'' କଣ୍ଠସ୍ୱର କମ୍ପି ଉଠିଲା ମୋର।

ସେ ଏକ ମଳିନ ହସ ହସିଲା।

ମୁଁ ଭୟ ରେ ଆଖି ବନ୍ଦ କରିଦେଲି।

ନିଜକୁ ବୁଝାଇଲି, ଏସବୁ କେବଳ ମୋ ମନର ଭ୍ରମ, ଏକ ଅବାସ୍ତବ କଳ୍ପନା।

କିନ୍ତୁ ଯେତେବେଳେ ଆଖି ଖୋଲିଲି, ସେ ଆଉ ଜଳରେ ଆବଦ୍ଧ ନଥିଲା।

ସେ ମୋ ପାଖରେ, ଠିକ୍ ମୋରି ଭଳି ରକ୍ତମାଂସର ଶରୀର ନେଇ ବସିପଡ଼ିଥିଲା।

ମୁଁ ତାକୁ ନିର୍ନିମେଷ ନୟନରେ ଦେଖୁଥିଲି, ଆଉ ସେ ମୋତେ।

''ତୁ ମୋ ବିଷୟରେ କ'ଣ ଜାଣୁ?'' ମୁଁ ସାହସ ସଞ୍ଚୟ କରି ପଚାରିଲି।

ସେ ଗମ୍ଭୀର ହୋଇ କହିଲା, ''ତୁ ଦୁନିଆ କୁ ଯେତିକି ଦେଖାଇଛୁ, ମୁଁ ତା'ଠାରୁ ଅଧିକ ଜାଣେ।

ଆଉ ତୁ ଯାହା ସମସ୍ତଙ୍କଠାରୁ ଲୁଚାଇଛୁ, ମୁଁ ତା'ଠାରୁ ବି ଅଧିକ ଜାଣେ।'' ମୁଁ ନିରୁତ୍ତର ରହିଲି।

''ତୁ ନିଜକୁ ଜଣେ ଖୁବ୍ ଭଲ ମଣିଷ ବୋଲି ଭାବୁଛୁ, ନା?'' ମୁଁ ସମ୍ମତିରେ ମୁଣ୍ଡ ହଲାଇଲି, ''ହଁ।'' ''ତା'ହେଲେ ତୁ ମିଛ କହୁଛୁ।'' ମୋ ଭିତରେ ଥିବା ଅହମିକାର ପାଚେରିଟା ଯେମିତି ହଠାତ୍ ଦୋହଲିଗଲା।

''ମୁଁ ମିଛ କହୁଛି?'' ''ହଁ, ଅନ୍ୟମାନଙ୍କୁ ନୁହେଁ...

ନିଜକୁ ନିଜେ ପ୍ରତାରିତ କରୁଛୁ।'' ମୁଁ ପ୍ରତିବାଦ କରିବାକୁ ଚାହିଲି, କିନ୍ତୁ କଣ୍ଠରୁ ସ୍ୱର ସ୍ଫୁରିଲା ନାହିଁ।

ସେ କହିଚାଲିଲା, ''ତୋର ମିଥ୍ୟା ଅହଂକାର ତୋତେ ଏକ ତଥାକଥିତ ଭଲ ମଣିଷ ର ପରିଚୟ ଦେଇଛି।

କିନ୍ତୁ ମୁଁ ସାକ୍ଷୀ, କେତେଥର ତୁ ଅନ୍ୟର ଦୁଃଖ ଦେଖି ମଧ୍ୟ ନିର୍ବିକାର ଭାବେ ଆଖି ଫେରାଇ ନେଇଛୁ।

କେତେଥର ତୋତେ କ୍ଷମା ମାଗିବାର ଥିଲା, କିନ୍ତୁ ତୋର ଅହଂ ତୋତେ ମୁଣ୍ଡ ନୁଆଁଇବାକୁ ଦେଇନି।

କେତେଥର ଅନ୍ୟର ସଫଳତା ଦେଖି ତୋ ଭିତରେ ଈର୍ଷାର ନିଆଁ ଜଳିଛି।

କେତେଥର ଅନ୍ୟର ଦୋଷ ଦର୍ଶାଇ ତୁ ନିଜର ଭୁଲ୍‌କୁ ଘୋଡ଼ାଇବାକୁ ଚେଷ୍ଟା କରିଛୁ।

କେତେଥର ତୁ ନିଃସ୍ୱାର୍ଥପର ଭଲପାଇବା ବାଣ୍ଟିବାକୁ ଚାହିଛୁ, ଅଥଚ ନିଜ କ୍ଷୁଦ୍ର ସ୍ୱାର୍ଥର ଗଣ୍ଡି ଡେଇଁପାରିନୁ!'' ଆହୁରି ପଢ଼ନ୍ତୁ- Eating Oats : ପ୍ରତିଦିନ ଓଟ୍ସ ଖାଇଲେ ଶରୀରରେ କ'ଣ ପ୍ରଭାବ ପଡ଼େ, ଚାଲନ୍ତୁ ଜାଣିବା...

ମୋ ଛାତି ଉପରେ ଯେମିତି କିଏ ପଥର ଉପରେ ପଥର ଲଦି ଚାଲିଥିଲା ଆଉ ମୁଁ ଆହୁରି ଆହୁରି ଭାରାକ୍ରାନ୍ତ ହେଇଚାଲିଥିଲି।

ମୋ ମୁଣ୍ଡ ଆପଣାଛାଏଁ ନଇଁଗଲା।

ମୁଁ ତାକୁ ଆଖି ମିଶାଇ ଚାହିଁପାରିଲି ନାହିଁ।

ସେ ଧୀର କଣ୍ଠରେ ପୁଣି ପଚାରିଲା, ''ତୋର ସବୁଠାରୁ ବଡ଼ ଅପରାଧ କ'ଣ ଜାଣୁ?'' ମୁଁ ନିରୁପାୟ ହୋଇ ତା' ଆଡ଼କୁ ନିରବରେ ଚାହିଁଲି।

''ତୁ ନିଜର ଦୋଷକୁ କେବେ ଦେଖିବାକୁ ଚାହିଛୁ?

ସେ ପୁଣି ପଚାରିଲା।

ମୁଁ କିଛି ସମୟ ନିରବ ରହିଲି।

ଆଖି ବନ୍ଦ କଲି ଓ ପୁଣି ଖୋଲିଲି।

ପୁଣି ବନ୍ଦ କଲି ଓ ଖୋଲିଲି।

ମୋତେ କିଛି ଗୋଟେ ଉପଲବ୍ଧି ହେଲା ଭଳି ଲାଗିଲା।

ଆମେ ଜୀବନସାରା ଭିଡ଼ ଭିତରେ କେତେ କେତେ ଲୋକଙ୍କୁ ଭେଟୁ, ବାପା, ମାଆ, ପ୍ରେମିକା , ବନ୍ଧୁ, ଶତ୍ରୁ କିମ୍ବା ଆଦୌ ଚିହ୍ନି ନଥିବା କିଛି ଅପରିଚିତ ଚେହେରା।

ମୁଁ ବି ସେହି ଗତାନୁଗତିକ ସ୍ରୋତର ଜଣେ ଯାତ୍ରୀ ଥିଲି।

ଦିନତମାମ୍ କୋଳାହଳ ଭିତରେ ହଜିଯିବା, ଅଭିନୟର ହସ ହସିବା, ଆଉ ନିଜକୁ ଜଣେ 'ଆଦର୍ଶ ମଣିଷ'ର ଆଖ୍ୟା ଦେଇ ଆତ୍ମସନ୍ତୋଷ ଲାଭ କରିବା ଥିଲା ମୋର ଦୈନନ୍ଦିନ ଅଭ୍ୟାସ।

ମୋର ପ୍ରତିଟି ତ୍ରୁଟି ପାଇଁ ମୋ ପାଖରେ ପ୍ରସ୍ତୁତ ଥିଲା ଏକ ନିଖୁଣ ସଫେଇ, ପ୍ରତିଟି ଭୁଲ୍ ପାଇଁ ଥିଲା ସୁନ୍ଦର ବ୍ୟାଖ୍ୟା , ଆଉ ଅନ୍ୟର ଦୋଷ ଦେଖାଇବା ବେଳେ ମୁଁ ସାଜୁଥିଲି ସବୁଠୁ ବଡ଼ ସମାଲୋଚକ।

କେବଳ ନିଜ କାଠଗଡ଼ାରେ ମୁଁ ନିଜେ କେବେ ନ୍ୟାୟାଧୀଶ ହୋଇପାରି ନଥିଲି।

ମଣିଷ ସାରାଜୀବନ ଅନ୍ୟର ଆଖିରେ ନିଜ ପାଇଁ ପ୍ରଶଂସା ଖୋଜେ, ଦର୍ପଣରେ ନିଜର ବାହ୍ୟ ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହୁଏ।

କିନ୍ତୁ ଆତ୍ମାର ଦର୍ପଣ ସାମ୍ନାରେ ଠିଆ ହେବାକୁ ସେ ଭୟ କରେ।

କାରଣ ସେଠାରେ ମୁହଁ ନୁହେଁ...

ଚରିତ୍ରର ଉଲଗ୍ନ ରୂପ ପ୍ରତିଫଳିତ ହୁଏ।

ମୁଁ କ୍ଷୀଣ ସ୍ୱରରେ ପଚାରିଲି, ''ତା'ହେଲେ...

ମୁଁ କ'ଣ ଜଣେ ଖରାପ ମଣିଷ?'' ଆହୁରି ପଢ଼ନ୍ତୁ- ଆମାଜନ ଜଙ୍ଗଲରେ ବାସ କରୁଥିବା ଆଦିବାସୀ ଗୋଷ୍ଠୀର ସଦସ୍ୟ ଗାଁରେ ପହଞ୍ଚି ମାଗିଲେ କନ୍ଦମୂଳ ସେ ହସିଲା, ''ନା।

ତୁ କେବଳ ଜଣେ ସାଧାରଣ ମଣିଷ।'' ''ୟାର ଅର୍ଥ?'' ''ଅର୍ଥ ଖୁବ୍ ସ୍ପଷ୍ଟ।

ପ୍ରତିଟି ମଣିଷ ଭିତରେ ଆଲୋକ ଅଛି, ଆଉ ଅନ୍ଧକାର ବି ଅଛି।

ତୁ କେବଳ ଆଲୋକଟାକୁ ନିଜର ବୋଲି ସାଉଁଟିନେଇଛୁ ଆଉ ଅନ୍ଧାରଟାକୁ ଅନ୍ୟ କାହାର ବୋଲି ଭାବି ଦୂରେଇଦେଇଛୁ।'' ମୁଁ ଏକ ଦୀର୍ଘ ନିରବତା ଭିତରକୁ ଠେଲି ହୋଇଗଲି।

ତା' ପରେ ପ୍ରଥମ ଥର ପାଇଁ ନିଜ ଭିତରର ସେହି ଅମାବାସ୍ୟା କୁ ଅନୁଭବ କଲି।

ସେଠାରେ ଅନେକ କିଛି ଜମାଟ ବାନ୍ଧି ରହିଥିଲା; ଈର୍ଷା, ଦ୍ୱେଷ, ଅହଂକାର, ଲୋଭ, ଭୟ ଆଉ ଅସହିଷ୍ଣୁତା।

ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବାର ଏକ ଅସୁସ୍ଥ ପ୍ରତିଯୋଗିତା।

ଆଉ ସେଇ ଅନ୍ଧାର ଭିତରେ ଲୁଚି ରହିଥିଲା...

କିଛି ଗୋଟେ ଭଲ କରିବାର ଏକ ଅସମ୍ପୂର୍ଣ୍ଣ ଇଚ୍ଛା।

ମୁଁ ତାକୁ ପଚାରିଲି, ''ଯଦି ତୁ ମୋର ବାସ୍ତବତା, ତେବେ ତୁ କ'ଣ ସବୁବେଳେ ମୋ ସାଥିରେ ଥିଲୁ?'' ''ହଁ, ନିଶ୍ଚୟ।'' ''ତେବେ ମୁଁ ତୋତେ ଆଗରୁ କେବେ ଦେଖିପାରିନଥିଲି କାହିଁକି?

ସେ ଏକ ଦୀର୍ଘଶ୍ୱାସ ଛାଡ଼ି କିଛି ନ କହି କେବଳ ଏକ ରହସ୍ୟମୟ ହସଟିଏ ହସିଲା।'' ପୂର୍ବ ଦିଗର ଆକାଶ ଏବେ ଧୀରେ ଧୀରେ ଫର୍ଚ୍ଚା ହେବାକୁ ଲାଗିଥିଲା।

ଆଲୋକର ପ୍ରଥମ କିରଣ ପାଣି ଉପରେ ପଡ଼ିଲା।

ମୁଁ ପୁଣିଥରେ ପୋଖରୀକୁ ଚାହିଁଲି।

ସେଠାରେ ଏବେ ଆଉ କେହି ନଥିଲେ; ଥିଲା କେବଳ ମୋର ନିଜସ୍ୱ ପ୍ରତିଛବି ।

ମୁଁ ସମ୍ପୂର୍ଣ୍ଣ ଏକା ଥିଲି।

ମୋ: ୮୭୬୩୩୯୦୦୪୫ ଅଧିକ ଦେଖନ୍ତୁ-

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)