02 NOVEMBER 2026

Welcome!

Unlock your personalized experience.
Sign Up

Life-Mantra: ଜୀବନ-ମନ୍ତ୍ର: ଧର୍ମମାସ କାର୍ତ୍ତିକ

Nov 02, 2026 - 09:47
Life-Mantra: ଜୀବନ-ମନ୍ତ୍ର: ଧର୍ମମାସ କାର୍ତ୍ତିକ

କାର୍ତ୍ତିକମାସ ଏକ ଧର୍ମମାସ ଭାବରେ ସ୍ବୀକୃତ। ଆମ ସଂସ୍କୃତିରେ ଯେଉଁ ଚାରିଟି ମାସ ଧର୍ମମାସ ବୋଲି ଶାସ୍ତ୍ର-ପୁରାଣରେ ବର୍ଣ୍ଣିତ ଅଛି, ‌ତାହା ହେଉଛି- ‘ଆ-କା-ମା-ବୈ’, ଅର୍ଥାତ୍- ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ। ଏହି ଚାରିଟି ମାସ ମଧ୍ୟରୁ କାର୍ତ୍ତିକମାସ ଧର୍ମମାସ ଭାବରେ ସବୁଠୁ ବେଶୀ ପାଳିତ ହୋଇଥାଏ। ସଂଖ୍ୟାଧିକ ଜନସାଧାରଣ ନିରାମିଷ ବା ହବିଷ୍ୟାନ୍ନ ଭୋଜନ କରି, ସାରା ମାସ ଏହାକୁ ପାଳନ କରିଥାଆନ୍ତି। ସେଥିପାଇଁ କୁହାଯାଇଛି, କୃତ (ସତ୍ୟ) ଯୁଗ ପରି ଯୁଗ ନାହିଁ, ବେଦ ପରି ଶାସ୍ତ୍ର ନାହିଁ, ଗଙ୍ଗା ପରି ତୀର୍ଥ ନାହିଁ କି କାର୍ତ୍ତିକ ପରି ମାସ ନାହିଁ।

ମହାଦେବ ଦାସ ଓଡ଼ିଆରେ ‘କାର୍ତ୍ତିକ ମାହାତ୍ମ୍ୟ’ ରଚନା କରିଛନ୍ତି। ଏହା ବ୍ୟାସଦେବକୃତ ସଂସ୍କୃତ ‘ପଦ୍ମପୁରାଣ’ ଆଧାରିତ। କାର୍ତ୍ତିକମାସରେ କାର୍ତ୍ତିକବ୍ରତ ପାଳନ ଅବସରରେ, ଏହାକୁ ଶ୍ରଦ୍ଧା ଓ ଭକ୍ତି ସହିତ ପାଠ କରାଯାଇଥାଏ। ନୈମିଷାରଣ୍ୟରେ ମୁନିଗଣଙ୍କ ପ୍ରଶ୍ନରେ ସୂତମୁନି ଏହି ମାହାତ୍ମ୍ୟ କହିଛନ୍ତି। ୩୨ଟି ଅଧ୍ୟାୟରେ ଏହା ବର୍ଣ୍ଣିତ ହୋଇଛି। ଆଶ୍ମିନ ଶୁକ୍ଳ ଏକାଦଶୀ ଦିନ କାର୍ତ୍ତିକବ୍ରତ ପାଳନ ପାଇଁ ସଂକଳ୍ପ କରିବା ପରେ, କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବ୍ରତଧାରୀ ବା ହବିଷ୍ୟାଳିମାନେ ଏହି ମାହାତ୍ମ୍ୟ ପାଠ କରିଥାଆନ୍ତି ବା ଏହା ଶୁଣିଥାଆନ୍ତି।
‘କାର୍ତ୍ତିକ ମାହାତ୍ମ୍ୟ’ର ପ୍ରଥମ ଅଧ୍ୟାୟ ଆରମ୍ଭ ହୋଇଛି ଭଗବାନ ବିଷ୍ଣୁଙ୍କ ସ୍ତବରୁ। ଏହି ଅଧ୍ୟାୟରେ, ଏହା ପରେ ରହିଛି ‘ସ୍ନାନମନ୍ତ୍ର’।

କାର୍ତ୍ତିକ ମାସରେ ପ୍ରାତଃସ୍ନାନକୁ ଅନେକ ମହତ୍ତ୍ବ ଦିଆଯାଇଛି। ସେ ଦୃଷ୍ଟିରୁ ଏହି ମନ୍ତ୍ର ଗୁରୁତ୍ବପୂର୍ଣ୍ଣ। ତାହା ପରେ ରହିଛି ‘ଅର୍ଘ୍ୟମନ୍ତ୍ର’। ପ୍ରାତଃସ୍ନାନ ପରେ ଭଗବାନ ବିଷ୍ଣୁଙ୍କୁ ଇଚ୍ଛା ଓ ଶକ୍ତି ଅନୁସାରେ ଅର୍ଘ୍ୟଦାନ ନିମନ୍ତେ ଏହି ମନ୍ତ୍ର ଉଦ୍ଦିଷ୍ଟ। ଏହା କମଳାପତି, ଜଳଶାୟୀ, ହୃଷୀକେଶଙ୍କର ମନ୍ତ୍ର। କାରଣ, ଏହି ମାସରେ ଭଗବାନ ବିଷ୍ଣୁ ଜଳରେ ଅବସ୍ଥାନ କରିଥାଆନ୍ତି। ସେହି କମଳାପତି ବା ଲକ୍ଷ୍ମୀପତି ବିଷ୍ଣୁଙ୍କୁ ଭକ୍ତିରେ ଅର୍ଘ୍ୟଦାନ କଲେ ସେ ଓ ଲକ୍ଷ୍ମୀ ଉଭୟେ ତୁଷ୍ଟ ହୁଅନ୍ତି। ଏହି ମନ୍ତ୍ରରେ ହୃଷୀକେଶଙ୍କର ନାମ ଉଲ୍ଲେଖ ଅଛି, କାରଣ ସମସ୍ତ ଇନ୍ଦ୍ରିୟଙ୍କୁ ସଂଯମ କରି କାର୍ତ୍ତିକ ମାସରେ ଏହି ବ୍ରତ ପାଳନ କରାଯାଇଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)