Lie Detection Test in Soumya Murder Case: ସୌମ୍ୟ ରଂଜନ ହତ୍ୟା ମାମଲାରେ ଭିନ୍ନ ମୋଡ଼; ଓମ ପ୍ରକାଶ ଦେଉଛନ୍ତି ମିଛ ବୟାନ!

ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟ ରଂଜନ ହତ୍ୟା ମାମଲାରେ ଭିନ୍ନ ମୋଡ଼। ଘଟଣା ପଛରେ ରହିଛି ଷଡ଼ଯନ୍ତ୍ର । ମୃତ ସୌମ୍ୟ ସହଯୋଗୀ ଓମ ପ୍ରକାଶ ଦେଉଛନ୍ତି ମିଛ ବୟାନ । ଏଭଳି କିଛି ତଥ୍ୟ ପାଇବା ସହ ମିଛ ଧରିବା ପାଇଁ ଓମ ପ୍ରକାଶର ହୋଇଛି ଲାଇ ଡିଟେକ୍ସନ ଟେଷ୍ଟ । ଦୀର୍ଘ ୫ ଘଣ୍ଟା ଧରି ଷ୍ଟେଟ ଫରେନସିକ ଲାବରେ ଓମର ଲାଇଡିଟେକ୍ସନ ଟେଷ୍ଟ ହେବା ପରେ ହେପାଜତରେ ନେଇଛି କ୍ରାଇମବ୍ରାଞ୍ଚ । ସେପଟେ ଘଟଣାରେ ଜଡିତ ୩ ମୁଖ୍ୟ ଅଭିଯୁକ୍ତଙ୍କୁ ୨ ଦିନ ରିମାଣ୍ଡରେ ନେଇ ମାରାଥନ ଜେରା ପରେ ବହୁ ତଥ୍ୟ ପାଇଛି ତଦନ୍ତକାରୀ ଟିମ । ଓମର ଲାଇ ଡିଟେକ୍ସନ ଟେଷ୍ଟକୁ ନେଇ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ମା ଓ ମାମୁଁ ।
ସୌମ୍ୟଙ୍କ ମା ଆଗରୁ ବି କହୁଥିଲେ । ଆଜି ବି କହୁଛନ୍ତି । ଓମ୍ ସବୁ ଜାଣିଛି । ସୌମ୍ୟ ହତ୍ୟା ପଛରେ ଷଡ଼ଯନ୍ତ୍ର କରିଛି ଓମ୍ । ଘଟଣାରେ ଜଡ଼ିତ ଯୁବତୀଙ୍କ ସହ ଓମ୍ଙ୍କ ସଂପର୍କ ଅଛି । କ୍ରାଇମବ୍ରାଞ୍ଚ ମଧ୍ୟ ଏହା ଉପଲବ୍ଧ କଲା । ଓମର ବୟାନରେ ରହିଛି ମିଛ । ଆଉ ସତ ଜାଣିବା ଲାଗି ଆବଶ୍ୟକ ଲାଇ ଡିଟେକସନ୍ ଟେଷ୍ଟ । ଆଉ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାହାହିଁ ହେଲା ।
ଘଟଣାକୁ ୬୦ ଦିନ ହେବାକୁ ବସିଲାଣି। ତଥାପି ରହସ୍ୟ ଘେରରେ ଜିଆରପି କନଷ୍ଟେବଳ ସୌମ୍ୟ ରଂଜନ ସ୍ବାଇଁ ହତ୍ୟା ମାମଲାର ସତ। କଣ ସେଦିନ ଘଟିଥିଲା ? କାହିଁକି ସୌମ୍ୟକୁ ପିଟି ପିଟି ହତ୍ୟା କଲେ ? ମୃତକ ସୌମ୍ୟ କଣ ସତରେ ପୂର୍ବରୁ ଫିଡ୍ସ ରୋଗରେ ପୀଡିତ ଥିଲେ ? ଭିଡ଼କୁ ଆୟୁଦ୍ଧ କରି କେହି ଷଡ଼ଯନ୍ତ୍ର ରଚିଥିଲା କି ? ବାଲିଅନ୍ତା ପୋଲିସ ଓ କ୍ରାଇମବ୍ରାଞ୍ଚ ନିକଟରେ କାହିଁକି ମିଛ କହୁଛନ୍ତି ସୌମ୍ୟଙ୍କ ସାଙ୍ଗ ଓମପ୍ରକାଶ ? ଓମପ୍ରକାଶର ମିଛ ଧରିବା ପାଇଁ ତାଙ୍କର ହୋଇଛି ଲାଇ ଡିଟେକ୍ସନ ଟେଷ୍ଟ । କୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଓମକୁ ଷ୍ଟେଟ ଫରେନସିକ ସାଇନ୍ସ ଲାବୋରେଟୋରୀରେ ହାଜର କରାଯାଇଥିଲା।
ଦୀର୍ଘ ୫ ଘଣ୍ଟା ଧରି ବିଭିନ୍ନ ପ୍ରଶ୍ନ ସହ କରାଯାଇଛି ଲାଇ ଡିଟେକ୍ସନ ଟେଷ୍ଟ । ଆଉ ଏହି ରିପୋର୍ଟ ଆସିବା ପରେ ସୌମ୍ୟ ହତ୍ୟା ମାମଲାର ସତ କଣ ମିଛ କଣ ସବୁ ହୋଇଯିବ ସ୍ପଷ୍ଟ । ତେବେ କାହିଁକି ଓମପ୍ରକାଶର ଲାଇ ଡିଟେକ୍ସନ ଟେଷ୍ଟ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ଦରକାର ପଡ଼ିଲା । କଣ ଏମିତି ସତକୁ ଓମ ଲୁଚାଇ ରଖିଛନ୍ତି ଯାହା ତଦନ୍ତକାରୀ ସଂସ୍ଥା ଜାଣିବାକୁ ଚାହୁଁଛି ।
ସେପଟେ ଓମ ଉପରେ ପ୍ରଥମରୁ ସନ୍ଦେହ କରୁଥିବା ସୌମ୍ୟଙ୍କ ପରିବାର ଲୋକ ଆଜି ଖୁସି ହୋଇଛନ୍ତି । ଓମକୁ ଜେରା କରିବା ସହ ତାଙ୍କର ପଲିଗ୍ରାଫ ଟେଷ୍ଟ କରିବା ପାଇଁ ସୌମ୍ୟଙ୍କ ମା ଓ ମାମୁ ବାରମ୍ବାର ଦାବି କରି ଆସୁଥିଲେ । ତେବେ ସେହି କ୍ରମରେ ଆଜି ଓମର ଲାଇ ଡିଟେକ୍ସନ ଟେଷ୍ଟ ହୋଇଥିବରୁ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମା ଓ ମାମୁ ।
ଏଥିସହ ସୌମ୍ୟ ରଂଜନ ହତ୍ୟା ମାମଲାର ପ୍ରକୃତ କାରଣ କଣ ଏବେ ସାମ୍ନାକୁ ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି । କେବଳ ଓମ ନୁହେଁ ଘଟଣା ସହ ଜଡିତ ଦୁଇ ଯୁବତୀଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ କରିବା ପାଇଁ ସୌମ୍ୟଙ୍କ ମା ଦାବି କରିଛନ୍ତି । ଘଟଣା ଦୁଇ ଯୁବତୀଙ୍କ ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରକୃତ କାରଣ କଣ ସେ ଦୁହେଁ କହି ପାରିବେ । ଏପରିକି ଓମ୍ ସହ ଦୁଇ ଯୁବତୀଙ୍କର ସଂପର୍କ ରହିଥିବା ସୌମ୍ୟଙ୍କ ମା ଅଭିଯୋଗ କରିଛନ୍ତି ।
ଗତ ମେ ୭ ତାରିଖରେ ବାଲିଅନ୍ତା ଭିଙ୍ଗାରପୁର କାଜ ନିକଟରେ ଘଟିଥିଲା ଘଟଣା । ଜିଆରପି କନଷ୍ଟେବଳ ସୌମ୍ୟ ରଂଜନ ସ୍ବାଇଁଙ୍କୁ ଲୋକେ ପିଟି ପିଟି କରିଥିଲେ ହତ୍ୟା । ଯେଉଁ ଘଟଣାରେ ଏବେ ସୁଦ୍ଧା ୨୦ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ତେବେ ଅଧିକ ତଥ୍ୟ ଜାଣିବା ପାଇଁ ଘଟଣାରେ ଜଡିତ ୩ ମୁଖ୍ୟ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି କ୍ରାଇମବ୍ରାଞ୍ଚ ।