Legislative Assembly: ବିଧାନସଭାରେ ଏମ୍ଏମ୍ଡିଆର୍ ତାତି
ଭୁବନେଶ୍ବର: କେନ୍ଦ୍ର ସରକାର ଖଣି ବେପାରୀଙ୍କ ପାଇଁ ଏମ୍ଏମ୍ଡିଆର୍ ଆଇନରେ ସଂଶୋଧନ କରିଛନ୍ତି।
ଓଡ଼ିଶା ଏହାଦ୍ବାରା ଖଣି ସେସ୍ ବାବଦକୁ ପାଇବାକୁ ଥିବା ପ୍ରାୟ ୧ଲକ୍ଷ ୫୦ ହଜାର କୋଟି ଟଙ୍କା ହରାଇଲା।
କେବଳ ଏତିକି ନୁହେଁ, ବର୍ଷକୁ ପ୍ରାୟ ୧୫ ହଜାର କୋଟି ଟଙ୍କା ପାଇବାକୁ ଥିଲା, ଯାହା ପାଇବନି।
କେନ୍ଦ୍ର ସରକାର ଯେତେବେଳେ ସଂସଦରେ ଏହି ବିଲ୍କୁ ପାସ୍ କଲେ ବିଜେପି ର ୨୫ ଜଣ ସାଂସଦ ଟେବୁଲ୍ ବାଡ଼େଇ ସମର୍ଥନ କଲେ।
ଏହାଠାରୁ ଦୁଃଖ ଆଉ କ'ଣ?
ଯଦି ଏବେ ପଶ୍ଚାତାପ କରିବାକୁ ଚାହୁଁଛ ତେବେ ଏମ୍ଏମ୍ଡିଆର୍ ସଂଶୋଧିତ ଆଇନ ପ୍ରତ୍ୟାହାର ପାଇଁ ବିଧାନସଭାରେ ଏକ ସଂକଳ୍ପ ପାରିତ ହେଉ।
ଏହାକୁ ସବୁ ଦଳ ସମର୍ଥନ କରିବେ।
ଆଜି ବିଧାନସଭାରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନାବେଳେ ଉଭୟ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଏହି ପ୍ରସ୍ତାବ ଦେଇଛନ୍ତି।
Advertisment Constitution Day: ଏମ୍ସ ଭୁବନେଶ୍ୱରରେ 'ପ୍ରସ୍ତାବନା ପାଠ' ମାଧ୍ୟମରେ ସମ୍ବିଧାନ ଦିବସ ପାଳିତ ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, କେନ୍ଦ୍ରର ସଂଶୋଧିତ ଆଇନକୁ ବିରୋଧ କରି ଏହାକୁ ପ୍ରତ୍ୟାହାର କରିବାକୁ କର୍ଣ୍ଣାଟକ, ଗୋଆ, କେରଳ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିବାବେଳେ ଝାଡ଼ଖଣ୍ଡ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତି କରୁଛି।
ହେଲେ ଆମ ରାଜ୍ୟରେ ସରକାର କାହିଁକି ଚୁପ୍ ବସିଛନ୍ତି।
ଦିନେ ଓରିସେଡ୍ ଆଇନକୁ ଲାଗୁ କରିବା ପାଇଁ ବର୍ତ୍ତମାନର ରାଷ୍ଟ୍ରପତି ତଥା ତତ୍କାଳୀନ ବିଧାୟକ ଥିବା ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ତଥା ସେତେବେଳେ ବିଧାୟକ ଥିବା ମୋହନ ମାଝୀ ଏହି ବିଲ୍କୁ ବିଧାନସଭାରେ ସମର୍ଥନ କରିଥିଲେ।
କିନ୍ତୁ ଏବେ ଓଡ଼ିଶାର ସ୍ବାର୍ଥ ହାନି ହେବ ଜାଣି ମଧ୍ୟ ଚୁପ୍?
ସୁପ୍ରିମକୋର୍ଟଙ୍କ ରାୟ ପରେ ଝାଡ଼ଖଣ୍ଡ ସରକାର ୨୦୨୫-୨୬ରେ ୧୩୪୪୨ କୋଟି ଟଙ୍କା ଆଦାୟ କରିପାରିଲେ।
ହେଲେ ଆମେ କାହିଁକି କରିପାରିଲେନି?
ସଂଶୋଧିତ ଆଇନ ପ୍ରତ୍ୟାହାର ପାଇଁ ସଂକଳ୍ପ ପାରିତ କର: ବିଜେଡି 'ପି' ନାମଧାରୀଙ୍କ ଇସାରାରେ ବିଜେଡି ଚୁପ୍ ଥିଲା, ଏବେ ବିଜେପି ଚୁପ୍: କଂଗ୍ରେସ ମୁହଁ ଦେଖି ଦେଉଥିଲ, ଆମ ସରକାର ଆସିବା ପରେ ନିଲାମ ହେଲା: ବିଜେପି କଳିକେଶ ସିଂହଦେଓ କହିଥିଲେ, ବିଜେଡି ସରକାର ନିୟମ କରିଥିଲା, ଓଡ଼ିଶାର ଖଣି ନେବ ମାନେ ଓଡ଼ିଶାରେ ଶିଳ୍ପ କରିବ।
ହେଲେ ଏବେ ଆମ ଖଣି ନେଇ କିଏ ଗୁଜୁରାଟ, ଛତିଶଗଡ଼, ମହାରାଷ୍ଟରେ ଶିଳ୍ପ କଲେଣି।
ରାଜ୍ୟରେ ପ୍ରାୟ ୬୦୦ଟି ଖଣି ଲିଜ୍ ଦିଆଯାଇଥିଲା।
ହେଲେ ଚାଲିଛି ୧୩୦ରୁ ୧୪୦ଟି।
ନୂଆ ଏମ୍ଏମ୍ଡିଆର୍ ଆଇନରେ ୩୬ଟା ଦେଇସାରିଲଣି।
କିନ୍ତୁ ସେମାନେ ଖଣି ଲିଜ୍ ନେଇ ବ୍ୟବହାର କରୁନାହାନ୍ତି।
ବିଜେଡି ପକ୍ଷରୁ ତୁଷାରକାନ୍ତି ବେହେରା ଓ ଗଣେଶ୍ବର ବେହେରା ଖର୍ଚ୍ଚଦାବିକୁ ବିରୋଧ କରିଥିଲେ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ୨୦୦୩ରୁ ରାଜ୍ୟରେ ଖଣି ଚୋରି ହେଉଛି।
ଏଠାରୁ ଯେଉଁମାନେ ଦୀର୍ଘବର୍ଷ ଧରି ଖଣି ଲୁଟ୍ କଲେ ସେମାନେ ମିଳିମିଶି ମହାରାଷ୍ଟ୍ରରେ ୭ହଜାର କୋଟିର କାରଖାନା କରୁଛନ୍ତି।
ଯେଉଁ 'ପି' ନାମଧାରୀ ଓଡ଼ିଶାରେ ଖଣି ଲୁଟ୍ କରୁଥିଲେ ତାଙ୍କ ନିର୍ଦ୍ଦେଶରେ ବିଜେଡି ଦୀର୍ଘ ବର୍ଷ ଚୁପ୍ ରହିଲା, ତାଙ୍କ ନିର୍ଦ୍ଦେଶରେ ବିଜେପି ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ବେ ବକେୟା ସେସ୍ ଆଦାୟ କଲାନି।
ଏବେ କେନ୍ଦ୍ର ସରକାର ତାଙ୍କ ନିର୍ଦ୍ଦେଶରେ ଏମ୍ଏମ୍ଡିଆର୍ ଆଇନରେ ସଂଶୋଧନ କରିଛନ୍ତି।
ଏବେବି ସମୟ ଆସିଛି ଗୃହର ସଂକଳ୍ପ ପାରିତ କରନ୍ତୁ, ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରନ୍ତୁ।
ସମସ୍ତେ ସହଯୋଗ କରିବୁ।
Judgement: ହାଇକୋର୍ଟରେ ହାଜର ହେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ସିଏସ୍ ରାଜନ ଏକ୍କା କହିଥିଲେ, ଓଡ଼ିଶାରେ ଏମିତି ଏକ ବିକାଶ ମଡେଲ୍ ଆପଣାଯାଇଛି ଯେ ଜନପ୍ରତିନିଧି, ଅଧିକାରୀଙ୍କ ସହାୟତାରେ ଲୋକଙ୍କ ମଧ୍ୟରେ ଅବିଶ୍ବାସର ବାତାବରଣ ସୃଷ୍ଟି କରାଯାଇଛି।
ସିଏସ୍ଆର୍, ଡିଏମ୍ଏଫ୍ ପାଣ୍ଠିରେ ବ୍ୟାପକ ଅନିୟମିତତା ହେଉଛି।
ଗ୍ରାମସଭା ନ ହୋଇ ମିଛରେ ହୋଇଛି ବୋଲି ଅଧିକାରୀମାନେ କହୁଛନ୍ତି।
ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ?
ଏମ୍ଏମ୍ଡିଆର୍ ଆଇନ ସଂଶୋଧନ ଦ୍ବାରା ରାଜ୍ୟର କେତେ ଅର୍ଥ କ୍ଷତି ହୋଇଛି ସରକାର ତାହା ସ୍ପଷ୍ଟ କରନ୍ତୁ।
ଶାସକ ଦଳ ପକ୍ଷରୁ ବିଧାୟକ ସନ୍ତୋଷ ଖଟୁଆ, ଇରାଶିଷ ଆଚାର୍ଯ୍ୟ କହିଥିଲେ, ରାଜ୍ୟରେ ଖଣି ଚୋରି ରୋକିବାକୁ ବହୁତ ପଦକ୍ଷେପ ନିଆଯାଇଛି।
ଫଳ ରେ ଖଣି ଚୋରା କାରବାର ବନ୍ଦ ହୋଇଛି।
କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଖଣି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି।
ପୂର୍ବରୁ ସରକାର ମୁହଁ ଦେଖି ଖଣି ଲିଜ୍ ଦେଉଥିଲେ।
ଓରିସେଡ୍ ଆଇନ ଲାଗୁ ହୋଇଥିଲେ ୨୦୨୭ ସୁଦ୍ଧା ସର୍ବାଧିକ ୬୪,୫୦୦ କୋଟି ଟଙ୍କା ପାଇଥାନ୍ତେ।
କିନ୍ତୁ ଏବେ ବର୍ଷକୁ ପ୍ରାୟ ୨୦ ହଜାର କୋଟି ଟଙ୍କା ରୟାଲଟି ମିଳିବ।
ଶାସକ ଦଳ ପକ୍ଷରୁ ଫକୀର ମୋହନ ନାଏକ, ପଦ୍ମଲୋଚନ ପଣ୍ଡା, ଦୁଷ୍ମନ୍ତ କୁମାର ସ୍ବାଇଁ ଅତିରିକ୍ତ ଖର୍ଚ୍ଚଦାବିକୁ ସମର୍ଥନ କରିଥିଲେ।
ବିଧାୟିକା ସୁବାସିନୀ ଜେନା ଆଲୋଚନାରେ ଭାଗ ନେଇଥିଲେ।
ଓଏମ୍ସି ଟଙ୍କାକୁ ମନିପର୍ସ ଭଳି ଖର୍ଚ୍ଚ କରୁଥିଲେ: ମନ୍ତ୍ରୀ ଭୁବନେଶ୍ବର: ବିଜେଡି ସରକାର ମୁହଁ ଦେଖି ଖଣି ଦେଉଥିଲେ।
ଖଣି କିଏ କେତେ କେଉଁଠି ଖୋଳିଲା, କୁଆଡ଼େ ପଠାଇଲା, ରାଜ୍ୟ କେତେ ରାଜସ୍ବ ହରାଉଛି ତା'ର ହିସାବ ନଥିଲା।
୭୫ଟି ଲାଇସେନ୍ସ ବିନା ପରିବେଶ ମଞ୍ଜୁରିରେ ଦିଆଯାଇଥିଲା।
୧୯୨ଟି ଖଣି ମଧ୍ୟରୁ ୧୦୬ଟି ଘଞ୍ଚ ଜଙ୍ଗଲରେ ଥିଲା।
କମ୍ପାନିକୁ ଦରଦ ଓ ପକ୍ଷପାତିତାର ସୀମା ଟପିଯାଇଥିଲେ।
ପୋସ୍କୋକୁ ଶାଗମାଛ ଦରରେ ଖଣି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
ଏହା ପଛରେ କାହାର ସ୍ବାର୍ଥ ଥିଲା?
ଓଏମ୍ସିର ଟଙ୍କାକୁ ରାଜ୍ୟ ସରକାର ନିଜ ମନିପର୍ସ ଭଳି ଯେମିତି ପାରୁଥିଲେ ସେମିତି ଖର୍ଚ୍ଚ କରୁଥିଲେ।
ଏସବୁ ବର୍ତ୍ତମାନ ହୋଇପାରୁନି।
ଖଣି ଚୋରିରେ ସବୁ ସଂପୃକ୍ତ ରହିଲ।
ଶାହ କମିସନ, ସିଏଜି ଅଡିଟ୍ ରିପୋର୍ଟରୁ ଏସବୁ ସ୍ପଷ୍ଟ।
ଆମ ସରକାର କୌଣସି ଖଣି ସମ୍ପର୍କିତ ଅପରାଧରେ ସାମିଲ ନାହିଁ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।
ଆଜି ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ତୁମେ ଶିଳ୍ପ ସଂସ୍ଥାଙ୍କୁ ଖଣି ଓ ଜମି ଦେବା ପାଇଁ ଯେମିତି ଆଦିବାସୀଙ୍କ ପାପୁଲି କାଟିଦେଉଥିଲ; ଆମେ ତ ସେମିତି ନିଷ୍ଠୁର କାର୍ଯ୍ୟ କରୁନୁ।
ଖଣି ନିଲାମରେ ସ୍ବଚ୍ଛତା ଆଣିଛୁ।
୨୦୨୩ ମସିହାରୁ ଗୋଟିଏ ବି ଖଣି ନିଲାମ କରିନଥିଲ।
ଆମେ ଆସିବା ପରେ ପର୍ଯ୍ୟାୟକ୍ରମେ ୩୮ଟି ଖଣି ନିଲାମ ଦିଆଯାଇଥିବାବେଳେ ୧୬ଟିର ନିଲାମ ପ୍ରକ୍ରିୟା ଚାଲିଛି।
ଖଣିରୁ ୩,୫୩,୫୨୮କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି।
ଓରିସେଡ୍ କଥା ବିରୋଧୀ କହୁଛନ୍ତି।
ଏହା ଯଦି ଏତେ ଭଲ ଥିଲା, ୧୮ ବର୍ଷ କାହିଁକି କୋର୍ଟ ଆଳ ଦେଖାଇ ଚୁପ୍ ଥିଲେ?
ଏହା ଲାଗୁ ହୋଇଥିଲେ ଆମେ ଯେତିକି ଖଣି ରାଜସ୍ବ ପାଉଛୁ ତାହାଠାରୁ ବହୁତ କମ୍ ପାଇଥାନ୍ତୁ।
ସେଥିରେ ନିୟମ ଥିଲା ରୟାଲଟିର ୧୦% ଅର୍ଥ ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ ହେବ।
ଡିଏମ୍ଏଫ୍ରେ ତ ଅଧିକ ଅର୍ଥ ଖର୍ଚ୍ଚ ହେଉଛି।
ସେହିପରି ଡିଏମ୍ଏଫ୍ ପାଣ୍ଠିରେ ପୂର୍ବ ସରକାର ବ୍ୟାପକ ଅନିୟମିତତା କରିଛନ୍ତି।
ଡିଏମ୍ଏଫ୍ ନିୟମ ଅନୁଯାୟୀ ଖଣି ପ୍ରଭାବିତ, ଖଣି ଅଣପ୍ରଭାବିତ ଅଞ୍ଚଳରେ ଏହା ଖର୍ଚ୍ଚ ହେବ।
କିନ୍ତୁ ବିଜେଡି ସରକାର ନୂଆ ନିୟମ କରି କେନ୍ଦୁଝରରେ କମନ୍ ଏରିଆ ଘୋଷଣା କରି ୧୩୫୨ କୋଟି ଖର୍ଚ୍ଚ କରିଦେଲେ।
ଯାହାକୁ ସିଏଜି ଅଡିଟ୍ରେ ଧରାଯାଇଛି।
ସେମାନେ ଡିଏମ୍ଏଫ୍, ଓମ୍ବାଡସି, ଓଏମ୍ସିର ସିଏସ୍ଆର୍ ପାଣ୍ଠିକୁ ଯେମିତି ଖର୍ଚ୍ଚ କରୁଥିଲେ, କେହି ସେମିତି ଅନିୟମିତତା କରିପାରିବେନି।
ଏହାସହ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ଏମ୍ଏମ୍ଡିଆର୍ ଆଇନ ସଂଶୋଧନ ଦ୍ବାରା ଓଡ଼ିଶା ଲକ୍ଷ ଲକ୍ଷ କୋଟି ଟଙ୍କା ହରାଇଲା ବୋଲି ବିରୋଧୀ ମିଛ ପ୍ରଚାର କରୁଛନ୍ତି।
ଭାବୁଛନ୍ତି ଗୋଟିଏ ମିଛକୁ ବାରମ୍ବାର କହିଲେ ସତ ହୋଇଯିବ।
ସେମାନେ ଜାଣିବା ଦରକାର ଏହାଦ୍ବାରା ଖଣି ଉତ୍ପାଦନ ବୃଦ୍ଧି ପାଇବ, ଖଣିଜ ଆମଦାନି ହ୍ରାସ ହେବ, ଟିକସ ବ୍ୟବସ୍ଥା ସରଳୀକରଣ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
