Landing Gear Glitch Forces IndiGo Flight Back: ଉଡ଼ାଣର କିଛି ସମୟ ପରେ ଲ୍ୟାଣ୍ଡିଂ ଗିୟରରେ ତ୍ରୁଟି, ଇଣ୍ଡିଗୋ ବିମାନର ଜରୁରୀ ଅବତରଣ
ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି।
ଫଳରେ ଗୌହାଟୀ ଯାଉଥିବା ଇଣ୍ଡିଗୋ ବିମାନକୁ ପୁଣିଥରେ ପୁଣେ ବିମାନବନ୍ଦରକୁ ଫେରାଇ ଅଣାଯାଇଛି।
ଏହି ବିମାନରେ ଥିବା ୧୯୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।
କାହାରି କିଛି କ୍ଷତି ହୋଇନାହିଁ।
Advertisment ସୂଚନା ଅନୁସାରେ, ଇଣ୍ଡିଗୋର 6E 0623 ବିମାନଟି ରବିବାର ସକାଳେ ପୁଣେରୁ ଗୌହାଟୀ ଅଭିମୁଖେ ଉଡ଼ାଣ ଭରିଥିଲା।
ତେବେ ଉଡ଼ାଣର କିଛି ସମୟ ପରେ ବିମାନର ଲ୍ୟାଣ୍ଡିଂ ଗିୟର୍ ଭିତରକୁ ଯାଇନଥିବା ପାଇଲଟ୍ ଜାଣିବାକୁ ପାଇଥିଲେ।
ଏହାପରେ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC)କୁ ଏନେଇ ସୂଚନା ଦେଇଥିଲେ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଣେ ବିମାନବନ୍ଦର କର୍ତ୍ତୃପକ୍ଷ ଓ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇଯାଇଥିଲେ।
ବିମାନବନ୍ଦର ପରିଚାଳନା କରୁଥିବା ଭାରତୀୟ ବାୟୁସେନା (IAF) ପକ୍ଷରୁ ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।
ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟ ଜରୁରୀକାଳୀନ ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯାଇଥିଲା।
Advertisment ଅବତରଣ ପୂର୍ବରୁ ବିମାନର ଲ୍ୟାଣ୍ଡିଂ ଗିୟର୍ ଠିକ୍ ଅବସ୍ଥାରେ ଅଛି କି ନାହିଁ ଯାଞ୍ଚ କରିବା ପାଇଁ ପାଇଲଟ୍ ରନୱେ ଉପରେ ଏକ ନିମ୍ନ ଉଡ଼ାଣ (Low Pass) କରିଥିଲେ।
ଏହା ପରେ ସକାଳ ୯ଟା ୦୪ ମିନିଟ୍ରେ ବିମାନଟି ସୁରକ୍ଷିତ ଭାବେ ପୁଣେ ବିମାନବନ୍ଦରରେ ଅବତରଣ କରିଥିଲା।
ଅବତରଣ ପରେ ତିନୋଟି ଅଗ୍ନିଶମ ଗାଡ଼ି ଓ ଦୁଇଟି ଆମ୍ବୁଲାନ୍ସ ବିମାନକୁ ଘେରି ରହିଥିଲେ ଏବଂ ଏହାକୁ ବେ ନମ୍ବର ୭କୁ ନିଆଯାଇଥିଲା।
ବିମାନଟି ସୁରକ୍ଷିତ ଥିବା ନିଶ୍ଚିତ ହେବା ପରେ ସକାଳ ୯ଟା ୧୦ ମିନିଟ୍ରେ ATC ପକ୍ଷରୁ ଜରୁରୀକାଳୀନ ପରିସ୍ଥିତିକୁ ପ୍ରତ୍ୟାହାର କରାଯାଇଥିଲା।
ପରେ ବିମାନ ସହ ଏରୋବ୍ରିଜ୍ ସଂଯୋଗ କରାଯାଇ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା।
ଏନେଇ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ମୂଳ ବିମାନବନ୍ଦର ପୁଣେକୁ ଫେରାଇ ଅଣାଯାଇଥିଲା।
ବର୍ତ୍ତମାନ ବିମାନଟିର ଯାନ୍ତ୍ରିକ ଯାଞ୍ଚ ଚାଲିଛି।
ଆବଶ୍ୟକ ଅନୁମତି ମିଳିବା ପରେ ଏହା ପୁଣି ଉଡ଼ାଣ ଆରମ୍ଭ କରିବ।
ଅନ୍ୟପଟେ, ଗୌହାଟୀ ଯିବାକୁ ଥିବା ପ୍ରଭାବିତ ଯାତ୍ରୀମାନଙ୍କ ପାଇଁ ଇଣ୍ଡିଗୋ ପକ୍ଷରୁ ତୁରନ୍ତ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
