KG To PG Free Admission Confusion: ଛିଡୁନି କେଜିରୁ ପିଜି ମାଗଣା ଶିକ୍ଷା ଦ୍ବନ୍ଦ୍ବ, ପିଲାଙ୍କଠୁ ଅଣ୍ଡରଟେକିଂ ନେଉଛନ୍ତି କଲେଜ

Jul 11, 2026 - 20:09
KG To PG Free Admission Confusion: ଛିଡୁନି କେଜିରୁ ପିଜି ମାଗଣା ଶିକ୍ଷା ଦ୍ବନ୍ଦ୍ବ, ପିଲାଙ୍କଠୁ ଅଣ୍ଡରଟେକିଂ ନେଉଛନ୍ତି କଲେଜ

କେଜିରୁ ପିଜି ମାଗଣା ଆଡମିଶନ୍ ଲାଗି ରାଜ୍ୟ ସରକାରଙ୍କ ଘୋଷଣା ପରେ କଲେଜ କର୍ତ୍ତୃପକ୍ଷମାନେ ଆଡମିଶନ୍ ତ ମାଗଣା କରୁଛନ୍ତି କିନ୍ତୁ ପିଲାଙ୍କଠାରୁ ଅଣ୍ଡରଟେକିଂ ବି ରଖୁଛନ୍ତି। ଫି' ଛାଡ଼ ଘୋଷଣା ସତ୍ତ୍ବେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ଫି ବାବଦକୁ ଭରଣା ଅର୍ଥକୁ ଭରସା କରିପାରୁନାହାନ୍ତି। ଆଡମିସନ୍ ପାଇଁ ଆସିଲା ଗାଇଡ୍ ଲାଇନ୍। କିନ୍ତୁ କଲେଜ ପରିଚାଳନା କେମିତି ହେବ ସେ ନେଇ କୌଣସି ନିର୍ଦ୍ଦେଶନାମା ଆସିନାହିଁ। ଶିକ୍ଷା ବର୍ଷ ଆରମ୍ଭ ହେଇ କ୍ଲାସ୍ ଚାଲିଲାଣି। କିନ୍ତୁ ଏଯାଏ କେଜିରୁ ପିଜି ମାଗଣା ଶିକ୍ଷା ଦ୍ବନ୍ଦ୍ବ ଛିଡ଼ିଲାନି। ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକ କେବେ ପାଇବେ ଛାତ୍ରଛାତ୍ରୀଙ୍କ ଫି' ଛାଡ଼ ର ଭରଣା ଅର୍ଥ ତାକୁ ନେଇ ଲାଗି ରହିଛି ସସପେନ୍ସ। ଆଡମିସନ୍ ଓ ରି' ଆଡମିସନ ଫି ଦେବେନି ଛାତ୍ରଛାତ୍ରୀ।

 ସରକାରଙ୍କ ଏହି ନିଷ୍ପତ୍ତିରେ ପିଲା ଓ ଅଭିଭାବକ ତ ଖୁସି, କିନ୍ତୁ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଦୁଃଖ ବଢ଼ିଯାଇଛି। କାରଣ ପିଲାଙ୍କ ଠାରୁ ଆସୁଥିବା ଆଡମିସନ ଫି ରୁ ପୁରା କଲେଜ ଚାଲେ ଓ ଅଧ୍ୟାପକ କର୍ମଚାରୀ ଦରମା ପାଆନ୍ତା। ଏବେ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ବାଧ୍ୟ ହୋଇ ପିଲାଙ୍କ ମାଗଣା ଆଡମିଶନ ସିନା କରୁଛନ୍ତି, କିନ୍ତୁ ବ୍ୟବସ୍ଥା ଉପରେ ଭରସା ନଥିବାରୁ ପିଲାଙ୍କଠାରୁ ଆଡମିଶନ ସମୟରେ ଅଣ୍ଡରଟେକିଂ ରଖାଯାଉଛି। ପୁରା ରାଜ୍ୟରେ ଏପରି ସ୍ଥିତି। ସରକାର ଖୁବ ଶୀଘ୍ର ଅନୁଦାନପ୍ରାପ୍ତ କଲେଜ ପାଇଁ ଅର୍ଥର ବ୍ୟବସ୍ଥା ବାବଦକୁ ନୀତି ନିର୍ଦ୍ଧାରଣ ନକଲେ ଆଗକୁ ଶିକ୍ଷାଦାନ ପ୍ରଭାବିତ ହେବ ବୋଲି କଲେଜ କର୍ତ୍ତୃପକ୍ଷ କହିଲେଣି।

ସେପଟେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ସରକାରଙ୍କ ଅସ୍ପଷ୍ଟ ନୀତିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ପରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। କେଜି ରୁ ପିଜି ନାମଲେଖା ଫି ଦ୍ୱନ୍ଦ୍ୱ ଦୂର କରିବାକୁ ଖୁବ୍ ଶୀଘ୍ର SOP ଆସିବ। ଯେଉଁଥିରେ ଉଲ୍ଲେଖ ରହିବ ଅନୁଦାନପ୍ରାପ୍ତ କଲେଜକୁ କେବେ ସୁଦ୍ଧା ଭରଣା ରାଶି ମିଳିବ। କେତେ ଟଙ୍କା ମିଳିବ ? ଏକକାଳୀନ ନା ପର୍ଯ୍ୟାୟକ୍ରମେ ମିଳିବ ? ଉଚ୍ଚଶିକ୍ଷା ମନ୍ତ୍ରୀ କିନ୍ତୁ କଲେଜଗୁଡ଼ିକୁ ଆଶ୍ବାସନା ଦେଇ କହିଛନ୍ତି ସରକାର ତ ଅର୍ଥ ଦେବେ, କଲେଜଗୁଡ଼ିକ ପାଖରେ ମଧ୍ୟ ପର୍ଯ୍ୟାପ୍ତ ପାଣ୍ଠି ରହିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆସନ୍ତା ସୋମବାର SOP ଆସିବାକୁ ଯାଉଛି। ଏସ୍ଓପି ଆସିବା ପରେ ଅନୁଦାନୁପ୍ରାପ୍ତ କଲେଜ କର୍ତ୍ତୃପକ୍ଷଙ୍କ ଲାଗି ଏହା କେତେଦୂର ଗ୍ରହଣୀୟ ହେଉଛି, ତାଉପରେ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।