Jupiter and Venus: ଜୁନ୍ ୯ରୁ ମାସେ ଧରି ଆକାଶରେ ଚମକିବେ ବୃହସ୍ପତି ଓ ଶୁକ୍ର
ଭୁବନେଶ୍ବର: ଜୁନ୍ ୯ ସନ୍ଧ୍ୟା ଆକାଶରେ ବୃହସ୍ପତି ଓ ଶୁକ୍ର ଗ୍ରହ ଅତ୍ୟନ୍ତ ନିକଟତର ଦେଖାଯିବେ। ଜ୍ୟୋତିର୍ବିଦମାନେ ଏହାକୁ ଏକ ଗ୍ରହ ସଂଯୋଗ ଭାବରେ ଉଲ୍ଲେଖ କରନ୍ତି। ପଶ୍ଚିମ ଆକାଶରେ ସୂର୍ଯ୍ୟାସ୍ତ ପରେ ଏହି ସଂଯୋଗ ଦୃଶ୍ୟମାନ ହେବ। ପୃଥିବୀରୁ ଦୃଶ୍ୟମାନ ସବୁଠାରୁ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଓ ସୌରମଣ୍ଡଳର ସର୍ବବୃହତ୍ ଗ୍ରହ ବୃହସ୍ପତି ପରସ୍ପରଠାରୁ କେବଳ ୧.୫ ଡିଗ୍ରି ଦୂରତାରେ ଦେଖାଯିବେ। ଅର୍ଥାତ୍ ଗ୍ରହ ଦୁଇଟି ପୂର୍ଣ୍ଣଚନ୍ଦ୍ର ବ୍ୟାସର ୩ ଗୁଣ ଆକାରର ଅଞ୍ଚଳ ଭିତରେ ଦେଖାଯିବେ। ସୂର୍ଯ୍ୟାସ୍ତ ପରେ ପ୍ରାୟ ଏକରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହି ଗ୍ରହଯୋଡ଼ି ଦୃଶ୍ୟମାନ ରହିବ। ପଶ୍ଚିମ ଦିଗବଳୟ ମେଘମୁକ୍ତ ଥିଲେ ଓଡ଼ିଶା ଓ ଭାରତର ସବୁ ସ୍ଥାନରେ ଏହି ଘଟଣା ଖାଲି ଆଖିରେ ସନ୍ଧ୍ୟା ୭ରୁ ରାତି ୮ ମଧ୍ୟରେ ଦେଖି ହେବ। ଆସନ୍ତା ଏକ ମାସ ଧରି ସନ୍ଧ୍ୟା ସମୟରେ ଏହି ଦୃଶ୍ୟ ଉପଭୋଗ କରିହେବ।
ଜୁନ୍ ୭ ତାରିଖ ଯାଏଁ ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଆକାଶରେ ପ୍ରଥମେ ଶୁକ୍ର ଦୃଶ୍ୟମାନ ହେବ। କିଛି ସମୟ ପରେ ଅପେକ୍ଷାକୃତ ସାମାନ୍ୟ କମ୍ ଉଜ୍ଜ୍ବଳ ବୃହସ୍ପତି, ଶୁକ୍ର ଗ୍ରହର ସାମାନ୍ୟ ତଳକୁ ଦେଖାଯିବ। ଦିନକୁ ଦିନ ଗ୍ରହ ଦୁଇଟି ପରସ୍ପରର ନିକଟତର ହେବେ। ୮ ଓ ୯ ତାରିଖ ରାତିରେ ପୂରା ପାଖାପାଖି ଦେଖାଯିବେ। ତା’ପରେ ଶୁକ୍ର ଗ୍ରହ ଉପରକୁ ଉପରକୁ ଉଠି ବୃହସ୍ପତିଠାରୁ ଦୂରରେ ଦେଖାଯିବ। ଗ୍ରହ ଦୁଇଟି ମହାକାଶରେ ପରସ୍ପର ନିକଟରେ ଦେଖାଗଲେ ମଧ୍ୟ ସେମାନେ ଆମଠାରୁ ସମାନ ଦୂରତାରେ ନାହାନ୍ତି। ଶୁକ୍ର ସୂର୍ଯ୍ୟଠାରୁ ପ୍ରାୟ ୧୧ କୋଟି କିଲୋମିଟର ଦୂରରେ ଥିଲା ବେଳେ ବୃହସ୍ପତି ପ୍ରାୟ ୭୮ କୋଟି କିମି ଦୂରରେ ସୂର୍ଯ୍ୟ ପରିକ୍ରମା କରେ। ଏପରି ଦେଖାଯିବାର କାରଣ ଏବେ ପୃଥିବୀ, ଶୁକ୍ର ଓ ବୃହସ୍ପତି ପ୍ରାୟ ଏକ ସରଳରେଖାରେ ରହିଛନ୍ତି। ଏଥିସହ ଶୁକ୍ର ଗ୍ରହ ପଛରେ ବୃହସ୍ପତି ରହିଛି। ଶୁକ୍ର-ବୃହସ୍ପତି ସଂଯୋଗ ୨୦୨୩ ମାର୍ଚ୍ଚ ୧ରେ ହୋଇଥିଲା। ପରବର୍ତ୍ତୀ ସଂଯୋଗ ୨୦୨୭ ଅଗଷ୍ଟ୨୬ ସନ୍ଧ୍ୟାରେ ଦେଖାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।