Judgement: ବିଳମ୍ବରେ ଆବେଦନ ଦାଖଲ, ୧ ଲକ୍ଷ ଟଙ୍କା ତଣ୍ଡ ଗଣିବେ ସରକାର
"କଟକ: ସରକାରୀ କଳର ଅବହେଳା ଓ ଶିଥିଳତା ପାଇଁ ଅଦାଲତରେ ବିଳମ୍ବରେ ମାମଲା ଦାୟର ହେବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।
ହାଇକୋର୍ଟ ସରକାରଙ୍କ ତରଫରୁ ଦାୟର ଆବେଦନକୁ ଖାରଜ କରିଛନ୍ତି।
ଏଥି ସହିତ ଏକ ସପ୍ତାହ ଭିତରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ନିକଟରେ ଆବେଦନକାରୀ ସରକାରଙ୍କ ତରଫରୁ ଏକ ଲକ୍ଷ ଟଙ୍କା ଜମା କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Advertisment ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ (ଆରଡବ୍ଲୁଏସଏସ), କଟକ ସର୍କଲ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ (ଆରଡବ୍ଲୁଏସଏସ), କଟକ ଆରଡବ୍ଲୁଏସଏସ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ସରକାରଙ୍କ ଆବେଦନ ଖାରଜ ପରେ ଦୀର୍ଘ ୪ ଦଶନ୍ଧି କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା କର୍ମଚାରୀ ତଥା ମାମଲାର ପ୍ରତିପକ୍ଷ ରତ୍ନାକର ସ୍ୱାଇଁଙ୍କୁ ନ୍ୟାଯ୍ୟ ପେନସନ ମିଳିବା ପଥ ପରିଷ୍କାର ହୋଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ରତ୍ନାକର ୧୯୮୦, ଡିସେମ୍ବର ୧୬ରୁ ସାଲେପୁର ଆରଡବ୍ଲୁଏସଏସ ଡିଭିଜନରେ "ଫିଟର ମେକାନିକ" ଭାବେ କାର୍ଯ୍ୟ କରୁଥିଲେ।
ସେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରି ୨୦୨୨, ଫେବ୍ରୁଆରିରେ ଅବସର ଗ୍ରହଣ କରିଥିଲେ।
ତେବେ ତାଙ୍କଠାରୁ କନିଷ୍ଠ ଥିବା ଜଣେ କର୍ମଚାରୀଙ୍କ ଚାକିରି ନିୟମିତ କରାଯାଇ ପେନସନ ପ୍ରଦାନ କରାଯାଇଥିବା ବେଳେ, ରତ୍ନାକରଙ୍କୁ ଏହି ସୁବିଧାରୁ ବଞ୍ଚିତ କରାଯାଇଥିଲା।
ରତ୍ନାକର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
୨୦୨୫, ଫେବ୍ରୁଆରି ୧୩ରେ ଜଷ୍ଟିସ ଭି.ନରସିଂହଙ୍କୁୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ରତ୍ନାକରଙ୍କ ସେବାକୁ ନିୟମିତ କରିବା ସହ ୩ ମାସ ମଧ୍ୟରେ ପେନସନ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Orissa High Court: ତିନି ଦଶନ୍ଧି ଧରି କାର୍ଯ୍ୟ କରିବା ପରେ ବହିଷ୍କାର: ୪୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସମୟସୀମା ମଧ୍ୟରେ ଅର୍ଥ ପ୍ରଦାନ ନ କଲେ ୧୦% ସୁଧ ଦେବାକୁ ପଡ଼ିବ ଓ ଏ ବାବଦ ଅର୍ଥ ଦାୟୀ ଅଧିକାରୀଙ୍କ ଦରମାରୁ ଭରଣା କରାଯିବ ବୋଲି ଖଣ୍ଡପୀଠ କହିଥିଲେ।
ଜଣିକିଆ ବିଚାରପତିଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ୩୦୩ ଦିନ ବିଳମ୍ବରେ ଦୁଇ ଜଣିଆ ଖଣ୍ଡପୀଠରେ ରିଟ ଅପିଲ ଦାୟର କରିଥିଲେ।
ବିଳମ୍ବ କ୍ଷମା କରିବା ପାଇଁ ଏକ ଅନ୍ତରୀଣ ଆବେଦନ ଅପିଲ ସହିତ ଦାଖଲ କରିଥିଲେ।
ବିଳମ୍ବ ପାଇଁ ଦର୍ଶାଯାଇଥିବା କାରଣ ସନ୍ତୋଷଜନକ ନଥିବା ହାଇକୋର୍ଟ କହିବା ସହିତ ଅନ୍ତରୀଣ ଆବେଦନ ଓ ରିଟ ଅପିଲକୁ ଖାରଜ କରିଛନ୍ତି।
ପ୍ରତିପକ୍ଷ ଶ୍ରୀ ସ୍ବାଇଁଙ୍କ ତରଫରୁ ଆଇନଜୀବୀ ଯଯାତି କେଶରୀ ଖୁଣ୍ଟିଆ ମାମଲା ପରିଚାଳନା କରୁଥିଲେ।
"