Jayee Rajguru: ଜନ୍ମମାଟିରେ ଅଲୋଡ଼ା ଜୟୀ ରାଜଗୁରୁ
ପୁରୀ: ଅଖଣ୍ଡ ଭାରତର ପ୍ରଥମ ସହିଦ ଜୟୀ ରାଜଗୁରୁ। ଅଥଚ ପ୍ରତିମୂର୍ତ୍ତି ଛଡ଼ା, ପୁରୀ ମାଟିରେ ତାଙ୍କ ନାଁରେ କଲେଜଟିଏ ବି ନାମକଣ କରାଗଲା ନାହିଁ। ଏହି ଯୋଗଜନ୍ମା ବୀର ସହିଦ ପୁରୀ ମାଟିରେ ଜନ୍ମ ନେଇଥିଲେ ହେଁ ଏଯାଏଁ ତାଙ୍କୁ ଉଚିତ ସମ୍ମାନ ମିଳିଲା ନାହିଁ। ୧୮୦୩ ମସିହାରେ ବ୍ରିଟିସ ସରକାରକୁ ଏକା ଥରହର କରିଦେଇଥିଲେ ଏହି ବୀର ସନ୍ତାନ। ଅଥଚ ପୁରୀର କୌଣସି ନଗର, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ମାର୍ଗକୁ ସହିଦ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରିବା ପାଇଁ କେହି ମନ ବଳେଇଲେ ନାହିଁ। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ‘ସହିଦ ଜୟୀ ରାଜଗୁରୁ’ ଚେୟାର ପ୍ରତିଷ୍ଠା ହେବ ବୋଲି ପୂର୍ବ ସରକାର ଘୋଷଣା କରିଥିଲେ, ମାତ୍ର କାର୍ଯ୍ୟକାରୀ କଲେ ନାହିଁ। ନିର୍ବାଚନ ସରିଯିବା ପରେ ସବୁକିଛି ଘୋଷଣାରେ ସୀମିତ ରହିଗଲା। ବୀର ହରେକୃଷ୍ଣପୁରରେ ୧୭୩୯ ଅକ୍ଟୋବର ୨୯ ଅଁଳା ନବମୀରେ ଜନ୍ମିତ ସହିଦ ଜୟୀ ରାଜଗୁରୁଙ୍କ ବାବଦରେ ଏଯାବତ ସବିଶେଷ ଗବେଷଣା ହୋଇପାରି ନାହିଁ। ଯଦିଓ କେବଳ ତାଙ୍କ ଘର ଏବଂ ଗୋଡ଼କୁ ଦୁଇ ଗଛରେ ବାନ୍ଧି ବ୍ରିଟିସ ସରକାର ମଝିରୁ ଦୁଇ ଫାଳ କରି କ୍ରୂର ହତ୍ୟା କରିଥିବାର ସ୍ଥାନ ପ୍ରାଥମିକ ଭାବେ ଚିହ୍ନଟ ହୋଇଛି, ହେଲେ ତାଙ୍କ ପରିବାର ଓ ବଂଶଜଙ୍କ ବାବଦରେ ତଥ୍ୟ ଉପଲବ୍ଧ ହେଉନାହିଁ। ସହିଦ ଜୟୀ ରାଜଗୁରୁଙ୍କ ବାବଦରେ ଗବେଷଣା ନିହାତି ଆବଶ୍ୟକ ଥିବା ଦୃଷ୍ଟିରୁ ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ସହିଦଙ୍କ ନାମରେ ଚେୟାର ପ୍ରତିଷ୍ଠା ପାଇଁ ନିବେଦନ କରାଯାଇଥିଲା। ବୀରହରେକୃଷ୍ଣପୁର ଛକରେ ଠିଆ ହୋଇଥିବା ମୂର୍ତ୍ତି ପରିସର ଅନାବନା ଜଙ୍ଗଲରେ ଭର୍ତ୍ତି ହୋଇଗଲାଣି।
Neglect: ବିଧାୟକ ପାଣ୍ଠି ଖର୍ଚ୍ଚରେ ମନ୍ଥରତା: ବଳକା ପଡ଼ିଛି ୯.୬୭କୋଟି
ଏ ନେଇ ପରିଷଦର ଜଟାଧାରୀ ମିଶ୍ର କହିଛନ୍ତି, ମାଳତୀପାଟପୁର ରେଳ ପ୍ଲାଟଫର୍ମକୁ ସହିଦଙ୍କ ନାମରେ କରିବା ପାଇଁ ରେଳ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। କୌଣସି ଏକ୍ସପ୍ରେସକୁ ତାଙ୍କ ନାମରେ ଚଳାଇବାକୁ ନିବେଦନ କରାଯାଇଥିଲା। ହେଲେ ଏଯାଏଁ ତାହା କାର୍ଯ୍ୟକାରୀ ହେଲା ନାହିଁ। ରାଜ୍ୟ ସରକାରଙ୍କୁ ପୁନଃ ଏ ସଂକ୍ରାନ୍ତରେ ପ୍ରସ୍ତାବ ଦେବାରୁ ଉତ୍ତର ଆସିଥିଲା, ଟ୍ରାନ୍ସପୋର୍ଟ ଓ ଭିଜିଲାନ୍ସ ବିଭାଗ ପକ୍ଷରୁ ଯୁଗ୍ମ ରିପୋର୍ଟ ଗଲେ ହିଁ ଏ କଥା ସରକାର ବିଚାରକୁ ନେଇପାରିବେ। ବିଡ଼ମ୍ବନା ଏହି ଯେ ୧୯୮୩ ମସିହା ପର୍ଯ୍ୟନ୍ତ ଖୋଦ ବୀର ହରେକୃଷ୍ଣପୁର ବାସିନ୍ଦାମାନେ ମଧ୍ୟ ଜୟୀ ରାଜଗୁରୁଙ୍କ ଘର ବାବଦରେ ଅବଗତ ନଥିଲେ। ପରବର୍ତ୍ତୀ ସମୟରେ ୧୯୮୮ରେ ଗ୍ରାମର ମଧ୍ୟ ଭାଗରେ ଏକ ଜାଗା ଚିହ୍ନଟ ହୋଇ ସେଠାରେ ସ୍ମାରକୀ ଗୃହ ନିର୍ମାଣ ହୋଇଛି। ତଥାପି ଜୟୀ ରାଜଗୁରୁଙ୍କ ଉପରେ ଯଥେଷ୍ଟ ଗବେଷଣା ହୋଇନାହିଁ। କୌଣସି ଅଞ୍ଚଳର ପ୍ରତିଷ୍ଠିତ ଲୋକଟିଏ ଆରପାରିକୁ ଚାଲିଗଲେ ତାଙ୍କ ନାଁରେ ନଗରର ନାମକରଣ ହୋଇପାରୁଛି। କିନ୍ତୁ ସହିଦ ଜୟୀ ରାଜଗୁରୁଙ୍କ ନାମରେ କୌଣସି ସାହିର ବି ନାମକରଣ ହୋଇନାହିଁ। କେବଳ ଜନ୍ମଦିନ ଓ ମହାପ୍ରୟାଣ ଦିନ ଆସିଲେ ଜୟୀ ରାଜଗୁରୁଙ୍କ ସ୍ମୃତିଚାରଣ କରାଯାଏ। ଏତିକିରେ ହିଁ ସବୁକିଛି ସୀମିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
