Jamshedpur bandh: କର୍ନି ସେନା ନେତାଙ୍କ ହତ୍ୟାକୁ ବିରୋଧ କରି ଜମଶେଦପୁରରେ ବନ୍ଦ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଜମଶେଦପୁରରେ ଜଣେ କର୍ନି ସେନା ନେତାଙ୍କ ହତ୍ୟା ଘଟଣାକୁ ବିରୋଧ କରି ବନ୍ଦ ପାଳନ ହୋଇଛି। ବିଜେପି ଏବଂ ଜେଡିୟୁ କର୍ମୀମାନେ ବନ୍ଦ ପାଳନ କରିଥିବାବେଳେ ଏଥିଯୋଗୁ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି। ବନ୍ଦ ସମର୍ଥକମାନେ ପ୍ରମୁଖ ରାସ୍ତା ବନ୍ଦ କରିବା ସହ ଟାୟାର ଜାଳି ବଜାର, ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ୍ ବନ୍ଦ କରିବାକୁ ବାଧ୍ୟ କରିଥିଲେ। ଏଥିଯୋଗୁ ସାଧାରଣ ପରିବହନ ଅତି ସାଂଘାତିକ ଭାବେ ପ୍ରଭାବିତ ହୋଇଛି।
ସ୍କୁଲ୍ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିବାବେଳେ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟ ସେମାନଙ୍କ ସଟର୍ ପକାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜମଶେଦପୁରର ବିସ୍ତୁପୁର ଅଞ୍ଚଳରେ ଏକ ବାର୍ରେ ଗତ ଜୁନ୍ ୨୭ ତାରିଖରେ ଜଣେ ୨୮ ବର୍ଷୀୟ ଯୁବକ ହିମାନ୍ସୁ ସିଂହଙ୍କର ଏକ ଗୋଷ୍ଠୀ ସହ ସଂଘର୍ଷ ହୋଇଥିଲା ଏବଂ ଏହି ସମୟରେ ହିମାନ୍ସୁଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ଏହି ହତ୍ୟା ମାମଲାରେ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।