Welcome!

Unlock your personalized experience.
Sign Up

Iran Political Crisis : " ତୁମ ବେକରେ ରହିବ ଆମ ଅସ୍ତ୍ର ...", ନିଜ ଲୋକଙ୍କ ଟାର୍ଗେଟରେ ଇରାନ ରାଷ୍ଟ୍ରପତି - ବୈଦେଶିକ ମନ୍ତ୍ରୀ ,ବଡ଼ ବିପ୍ଳବ ଆଶଙ୍କା..

Jul 19, 2026 - 10:27
Iran Political Crisis : " ତୁମ ବେକରେ ରହିବ ଆମ ଅସ୍ତ୍ର ...", ନିଜ ଲୋକଙ୍କ ଟାର୍ଗେଟରେ ଇରାନ ରାଷ୍ଟ୍ରପତି - ବୈଦେଶିକ ମନ୍ତ୍ରୀ ,ବଡ଼ ବିପ୍ଳବ ଆଶଙ୍କା..

ତେହରାନ,୧୯\୭ : ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ବିରତି ପରେ ଇରାନ ଭିତରେ ଏକ ଗମ୍ଭୀର ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି । କଠୋରପନ୍ଥୀ ଗୋଷ୍ଠୀଗୁଡ଼ିକ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଏବଂ ଆମେରିକା ଆଲୋଚନାରେ ସାମିଲ ଥିବା ଶୀର୍ଷ ନେତାମାନଙ୍କୁ କ୍ଷମତା ପରିବର୍ତ୍ତନ ନେଇ ଷଡଯନ୍ତ୍ର କରୁଥିବାର ଅଭିଯୋଗ କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ ଆମେରିକା ସହିତ ଚୁକ୍ତି କରି ସରକାର ଇସଲାମିକ ବିପ୍ଳବର ମୌଳିକ ନୀତି ଏବଂ ସର୍ବୋଚ୍ଚ ନେତୃତ୍ବ ସହ ବୁଝାମଣା କରିଛନ୍ତି ।

ସିଏନଏନ ରିପୋର୍ଟ ଅନୁଯାୟୀ, ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର ସମୟରେ ମଧ୍ୟ ଏହି ବିବାଦ ସାମ୍ନାକୁ ଆସିଥିଲା । ଜନତା ରାଷ୍ଟ୍ରପତି ପେଜେଶକିଆନଙ୍କ ବିରୋଧରେ ଖୋଲାଖୋଲି ପ୍ରତିବାଦ କରିଥିଲେ । 'ସମାବେଶକାରୀଙ୍କୁ ନିପାତ କର'ର ସ୍ଲୋଗାନ୍ ଦେଇଥିଲେ । ସେତେବେଳେ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କୁ ପଥର ମାଡ଼ ସହ ଦେଶ ଦ୍ରୋହି ବୋଲି କୁହାଯାଇଥିଲା । ଆରଘାଚି ସେହି ନେତା ଯିଏ ଆମେରିକା ସହିତ ସିଜ୍ ଫାୟାର ଏବଂ କିଛି ପ୍ରତିବନ୍ଧରେ ଛାଡ଼ ପାଇଁ କଥା ହୋଇଥିଲେ । ସ୍ୱର୍ଗତ ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର ସମୟରେ କଠୋରପନ୍ଥୀ ଦଳ ଆରାଘଚିଙ୍କୁ ଖାଲି ପଥର ମାଡ଼ କରି ନଥିଲେ, ତାଙ୍କୁ ଜଣେ 'ଦେଶଦ୍ରୋହୀ' ଏବଂ 'ବିକ୍ରୟକାରୀ' ବୋଲି କହିଥିଲେ । ଏଥିପାଇଁ ତାଙ୍କୁ ଜୀବନ ବଞ୍ଚାଇ ଦୌଡ଼ିବାକୁ ପଡ଼ିଥିଲା ।

ସରକାରଙ୍କ ସମର୍ଥକ ଧାର୍ମିକ ଗାୟକ ମହମ୍ମଦ ଅଲି ବକ୍ସି ଏକ ସାଧାରଣ ସଭାରେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ସିଧାସଳଖ ଧମକ ଦେଇ କହିଥିଲେ, 'ମହାଶୟ ରାଷ୍ଟ୍ରପତି, ଯଦି ସର୍ବୋଚ୍ଚ ନେତାଙ୍କ ସର୍ତ୍ତ ପୂରଣ ନହୁଏ ତେବେ ତୁମ ଗଳାରେ ଆମ ବ୍ଲେଡ୍ ରହିବ । ଆମେ ଆପଣଙ୍କ ଜୀବନ ନର୍କ କରିଦେବୁ । ' ଇରାନର ଏହି ଆଭ୍ୟାନ୍ତରୀଣ ଆଶାନ୍ତିର କେନ୍ଦ୍ରବିନ୍ଦୁ ହେଉଛି ନୂଆ ସୁପ୍ରିମ ଲିଡ଼ର ମୋଜତାବା ଖାମେନିଙ୍କ ରହସ୍ୟମୟ ଅନୁପସ୍ଥିତି । ପିତାଙ୍କ ମୃତ୍ୟୁ ପରଠୁ ମୋଜତାବା ଖାମେନି ଏପର୍ଯ୍ୟନ୍ତ ନା ଦେଶକୁ ସମ୍ବୋଧିତ କରିଛନ୍ତି ନା ଜନତାଙ୍କ ସମ୍ମୁଖକୁ ଆସୁଛନ୍ତି । ଆଶଙ୍କା କରାଯାଉଛି ଯେ ସେ ନିଜ ଜୀବନ ପ୍ରତି ବିପଦ ଭୟରେ ଲୁଚିଛନ୍ତି କିମ୍ବା ଅସୁସ୍ଥ ଅଛନ୍ତି । କଠୋରପନ୍ଥୀ ଅଭିଯୋଗ କରୁଛନ୍ତି ଯେ ନୂଆ ସର୍ବୋଚ୍ଚ ନେତାଙ୍କ ଅନୁପସ୍ଥିତିର ଫାଇଦା ଉଠାଇ ରାଷ୍ଟ୍ରପତି ପେଜେଶକିୟାନ ଓ ମୁଖ୍ୟ ଆଲୋଚନାକାରୀ ଦେଶର କ୍ଷମତା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବାକୁ ଚାହୁଁଛନ୍ତି ।

ମୌଳବାଦୀ ସାଂସଦ ମହମୁଦ ନବାବିଆନ ସୋସିଆଲ ମିଡିଆରେ ଏକ ଚେତାବନୀ ଜାରି କରି ପଚାରିଛନ୍ତି, "ଇରାନର ଲୋକଙ୍କୁ ଚେତାବନୀ : କ'ଣ ଦେଶରେ କ୍ଷମତା ପରିବର୍ତ୍ତନର ହେବାକୁ ଯାଉଛି?" । ଇରାନର ଯୁଦ୍ଧକାଳୀନ ନେତାମାନେ ବିଶ୍ୱାସ କରନ୍ତି ଯେ ଏହି ବିପ୍ଳବୀମାନେ ଦେଶର ସୁରକ୍ଷା ଏବଂ ଆମେରିକା ସହିତ ଚାଲିଥିବା ରଣନୈତିକ ଆଲୋଚନା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛନ୍ତି । ତେଣୁ ସଂସଦ ବାଚସ୍ପତି ଗାଲିବାଫ୍ ଏହି କଠୋରପନ୍ଥୀ ମାନଙ୍କୁ କ୍ଷମତାରୁ ହଟେଇବା ଆରମ୍ଭ କରିଛନ୍ତି ।

ଏହି ବିପ୍ଳବକୁ ଘଟାଇବା ପଛରେ ଥିବା ଜଣେ ପ୍ରମୁଖ କଠୋରପନ୍ଥୀ ସାଂସଦ ମହମୁଦ ନାବାଭିଆନଙ୍କୁ ସଂସଦର ଜାତୀୟ ସୁରକ୍ଷା କମିଟିରୁ ବାହାର କରାଯାଇଛି। ସେ ଗତ ମାସରେ ଆମେରିକା ଆଲୋଚନାର ଗୋପନୀୟ ଦଲିଲକୁ ଗଣମାଧ୍ୟମ ଆଗରେ ପ୍ରକାଶ କରି ଅସ୍ତ୍ରବିରତିକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ । ଏହା ମଧ୍ୟରେ ଆମେରିକା ସହ ହୋଇଥିବା ଅସ୍ଥାୟୀ ସିଜଫାୟାର୍ ଚୁକ୍ତି ଭାଙ୍ଗିବାରୁ କଠୋରପନ୍ଥୀଙ୍କ ସାହାସ ବଢିଛି । ସେମାନେ ଆମେରିକା ଏବଂ ଇସ୍ରାଏଲ ସହିତ ଯେକୌଣସି ଚୁକ୍ତିର ଘୋର ବିରୋଧ କରୁଛନ୍ତି ଏବଂ ଯୁଦ୍ଧ ଚାହୁଁଛନ୍ତି।

ଇରାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଏବଂ କଠୋରପନ୍ଥୀ ନେତା ମାନୁଚେର ମୋଟାକି ସରକାରୀ ଟିଭିରେ ଏକ ଭିନ୍ନ ଧାରଣା ସେୟାର କରି କହିଛନ୍ତି, "ମୁଁ ପରାମର୍ଶ ଦେଉଛି ଯେ .. ଆମ ଅଞ୍ଚଳରେ ଥିବା ଯେକୌଣସି ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବା ଉଚିତ ଏବଂ ଅତି କମରେ ୧୦୦ ଆମେରିକୀୟ ସୈନିକଙ୍କୁ ବନ୍ଧକ କରି ଇରାନକୁ ଆଣିବା ଉଚିତ " । ଇରାନ ଭିତରେ ଚାଲିଥିବା ଏହି ଗୃହଯୁଦ୍ଧ ଦେଶକୁ ଏକ ନୂଆ ବିପଦ ଆଡ଼କୁ ଠେଲି ଦେଇପାରେ । ସରକାର ପ୍ରତିବନ୍ଧକରୁ ମୁକ୍ତି ପାଇଁ ଆମେରିକା ସହିତ ଯୁଦ୍ଧ ସମାପ୍ତ କରିବାକୁ ଚାହୁଁଥିବା ବେଳେ, ଆଭ୍ୟନ୍ତରୀଣ କଠୋରପନ୍ଥୀ ନିଜ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଲାଗିପଡ଼ିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।