Welcome!

Unlock your personalized experience.
Sign Up

Injured: ଆହତ ଅସ୍ମିତା, ବିପନ୍ନ ଭବିଷ୍ୟତ!

Jun 23, 2026 - 06:23
Injured: ଆହତ ଅସ୍ମିତା, ବିପନ୍ନ ଭବିଷ୍ୟତ!

ନିଶା ନିବାରଣ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିଣିଥିଲେ ହେଁ ଏଇ ସରକାର ସଦ୍ୟ ସଦ୍ୟ ମଦ ଦୋକାନ ନିଲାମରୁ ୮୦୦ କୋଟି ଟଙ୍କାରୁ ଅଧିକ ରାଜସ୍ବ ସଂଗ୍ରହ କରିଛନ୍ତି। ସେଥିରୁ ୫୦ କୋଟି ଟଙ୍କା ଖର୍ଚ୍ଚ କରି ନୂତନ ପାଠ୍ୟପୁସ୍ତକ ଛପାଇବା ଦ୍ବାରା ସରକାର ନିଜର ସତ୍ୟଭଙ୍ଗଜନିତ ପାପ ପ୍ରକ୍ଷାଳନ କରିବା ସହିତ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବେ। ଓଡ଼ିଆ ଅସ୍ମିତା ଥିଲା ଶାସକ ଦଳର ମୁଖ୍ୟ ନିର୍ବାଚନୀ ସ୍ଲୋଗାନ୍। ସେଇ ଅସ୍ମିତାର ସୁରକ୍ଷା ନିମିତ୍ତ ସରକାର ଏତିକିମାତ୍ର ଅର୍ଥ ବ୍ୟୟ କରିବାକୁ କୁଣ୍ଠିତ ନ ହୁଅନ୍ତୁ।

Climate Change: ବର୍ତ୍ତମାନ ସମୟରେ ପୁନଶ୍ଚ ପୃଥିବୀର ଆବଶ୍ୟକତା ଅଛି: ବିଧାୟକ

ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ଓଡ଼ିଆ ମାଧ୍ୟମ ବିଦ୍ୟାଳୟମାନଙ୍କରେ ଅଧ୍ୟୟନ କରୁଥିବା କୋମଳମତି ଛାତ୍ରଛାତ୍ରୀମାନଙ୍କର ଭାଗ୍ୟ ବର୍ତ୍ତମାନ ଭୂ-ଲୁଣ୍ଠିତ। ଦେଶ ସାରା ଉଭୟ ମୁଖ୍ୟସ୍ରୋତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବର୍ତ୍ତମାନ ଯାହା ପରିହାସ ଓ ବିଦ୍ରୂପର ଏକ ମୁଖ୍ୟ ବିଷୟବସ୍ତୁରେ ପରିଣତ ହୋଇଛି, ତାହା ହେଲା: ଆଇଜାକ୍ ନିଉଟନ୍ ଥିଲେ ଜଣେ ସୁଦକ୍ଷ ବିମାନ ଚାଳକ ବା ପାଇଲଟ୍! ଏହା ସତ‌ ଯେ ବିମାନ ପରି ବାୟୁଠାରୁ ଅଧିକ ଭାରୀ ଏକ ଯାନ ତଳକୁ ଗଳି ନ ପଡ଼ି ଶୂନ୍ୟରେ ଉଡ଼ିବା ଭଳି ଏକ ଅସମ୍ଭବ ମନେ ହେଉଥିବା ପରିକଳ୍ପନା ବାସ୍ତବତାରେ ପରିଣତ ହେବା ପଛରେ ପଦାର୍ଥ ବିଜ୍ଞାନର ଯେଉଁ ଏକ ନିୟମର ପ୍ରୟୋଗ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥାଏ - ମାଧ୍ୟାକର୍ଷଣ ନିୟମ - ତାହାର ଆବିଷ୍କର୍ତ୍ତା ହେଉଛନ୍ତି ନିଉଟନ୍। କିନ୍ତୁ ବ୍ୟୋମଯାନ ବା ବିମାନର ଉଦ୍ଭାବନ ଘଟିଲା ନିଉଟନ୍‌ଙ୍କର ଇହଧାମ ତ୍ୟାଗର ପ୍ରାୟ ଦୁଇ ଶତାବ୍ଦୀ ପରେ। ଓଡ଼ିଶାର ସରକାରୀ ବିଦ୍ୟାଳୟମାନଙ୍କରେ ପ୍ରଚଳିତ ପାଠ୍ୟପୁସ୍ତକର ପ୍ରଣେତାମାନେ କିନ୍ତୁ ଏଇ ଦୁଇ ଶତାବ୍ଦୀର ତଫାତ୍‌କୁ ଅନାୟାସରେ ଲମ୍ଫ ମାରି ଅତିକ୍ରମ କରି ନିଉଟନ୍‌ଙ୍କୁ ଏକ ବ୍ୟୋମଯାନର କକ୍‌ପିଟ୍‌ରେ ବସାଇ ଦେଇଛନ୍ତି। ସେମାନଙ୍କର ଏଇ ନିର୍ବୋଧତା ସ୍ବାଭାବିକ ଭାବରେ ଦେଶବ୍ୟାପୀ ହାସ୍ୟରୋଳ ସୃଷ୍ଟି କରିଥିବା ବେଳେ ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ଓଡ଼ିଆମାନଙ୍କର ବୌଦ୍ଧିକ ସ୍ତର ସମ୍ବନ୍ଧରେ ଯେଉଁ ପ୍ରଶ୍ନବାଚୀ ଛିଡ଼ା କରାଇଛି, ତାହା ଓଡ଼ିଆ ଅସ୍ମିତା ପ୍ରତି ଯେ ଏକ ଶକ୍ତି ଆଘାତ, ତାହା ଏଇ ପୁସ୍ତକଗୁଡ଼ିକର ପ୍ରକାଶକ ଓଡ଼ିଶା ସରକାର ମଧ୍ୟ ନିଶ୍ଚିତ ରୂପେ ସ୍ବୀକାର କରିବେ।
ପୁଣି ସେତିକି ନୁହେଁ ଓଡ଼ିଶା ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ବିଭାଗ ଛାପିଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପାଠ୍ୟପୁସ୍ତକରେ ରହିଥିବା ଏଇଭଳି ତ୍ରୁଟି ସଂଖ୍ୟା ଏଇ ସମ୍ବାଦପତ୍ରରେ ରବିବାର ପ୍ରକାଶିତ ରିପୋର୍ଟ ଅନୁସାରେ ଦୁଇ ହଜାରରୁ ଅଧିକ ବୋଲି ଜଣାପଡ଼ିଲାଣି। ଏଇ ତ୍ରୁଟିମାଳା ମଧ୍ୟରେ ରହିଥିବା ଅନେକ ମୁକ୍ତାମାନଙ୍କ ମଧ୍ୟରୁ କେତୋଟି ହେଲା: କର୍ଣ୍ଣାଟକର ହାମ୍ପି ମନ୍ଦିର ଛବିକୁ ଓଡ଼ିଶାର ଗର୍ବ କୋଣାର୍କର ସୂର୍ଯ୍ୟ ମନ୍ଦିରର ଛବି ରୂପେ ପ୍ରଦର୍ଶନ; ନିୟମଗିରି ପର୍ବତକୁ ନେଇ ଝାଡ଼ଖଣ୍ଡରେ ସ୍ଥାପନ; ବ୍ରହ୍ମପୁରକୁ ଏକ ଜିଲ୍ଲାର ମାନ୍ୟତା ପ୍ରଦାନ...। ଆମୋଦଦାୟକ ଭାବରେ ଓଡ଼ିଶା ସରକାରଙ୍କ ଠାରୁ ଏଥିପାଇଁ ପାରିଶ୍ରମିକ ପାଇଥିବା ପୁସ୍ତକଗୁଡ଼ିକର ପ୍ରସ୍ତୁତକର୍ତ୍ତାମାନେ ସେମାନଙ୍କର ଏଇ ବାଛବିଚାରହୀନ ଆକ୍ରମଣରୁ ଖୋଦ୍ ସରକାରଙ୍କୁ ମଧ୍ୟ ଛାଡ଼ି ନାହାନ୍ତି, ଯାହାର ଏକ ଉଦାହରଣ ହେଲା: ଓଡ଼ିଶା ବିଧାନସୌଧର ଯେଉଁ ଫଟୋଚିତ୍ର ପୁସ୍ତକରେ ଛାପା ହୋଇଛି, ତାହା ହେଉଛି ପ୍ରକୃତରେ କର୍ଣ୍ଣାଟକ ବିଧାନସୌଧର ଫଟୋ। ଆଜିର ଜ୍ଞାନଭିତ୍ତିକ ଦୁନିଆରେ ଏଭଳି ଅଜ୍ଞାନ ଆହରଣ କରି ବିଦ୍ୟାଳୟମାନଙ୍କରୁ ବାହାରିବା ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ଯେ ଅନ୍ଧକାରମୟ କରିଦେବ, ତାହା କିଏ ନ ଜାଣେ?
ଏଭଳି ଉଦ୍ଭଟ ଓ ଅକ୍ଷମଣୀୟ ତ୍ରୁଟିମାନ କିପରି ପାଠ୍ୟପୁସ୍ତକଗୁଡ଼ିକରେ ପ୍ରବେଶ କଲା, ତାହାର ଥଳକୂଳ ପାଉ ନ ଥିବା ଅନେକଙ୍କ ମନରେ ଏକ ସମ୍ଭାବନା ଉଙ୍କି ମାରିଥିଲା, ଯାହା ହେଉଛି ଏଇଭଳି। କେତେ ବର୍ଷ ତଳେ ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏକ ଟେଲିଭିଜନ ଚାନେଲର ରିପୋର୍ଟରମାନେ ବୁଲିବୁଲି ବିଭିନ୍ନ ଲୋକମାନଙ୍କୁ ସେ ସଂପର୍କିତ କେତେକ ପ୍ରଶ୍ନ ପଚାରୁଥାନ୍ତି। ସେଇ ସମୟରେ କେତେକ କଲେଜ ଛାତ୍ରଛାତ୍ରୀ ଦେଇଥିବା ଯେଉଁସବୁ ଉତ୍ତର ଦର୍ଶକମାନଙ୍କୁ ହତଭମ୍ଭ କରିଦେଇଥିଲା, ତାହାର କେତେକ ନମୁନା ଥିଲା ଏଇଭଳି: ଜାନୁଆରି ୨୬ ହେଉଛି ସ୍ବାଧୀନତା ଦିବସ; ମହାତ୍ମା ଗାନ୍ଧୀ ଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ; ରାଜ୍ୟପାଳମାନେ ନିର୍ବାଚିତ ହୋଇଥାନ୍ତି, ... ଇତ୍ୟାଦି। ମନେ ହେଉଥିଲା ଅତୀତର ସେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କେତେକ ବୋଧହୁଏ ବଡ଼ ହୋଇଯାଇ ପରିଣତ ହୋଇଛନ୍ତି ଆଜିର ଏଇ ପାଠ୍ୟପୁସ୍ତକ ପ୍ରଣେତାରେ। କିନ୍ତୁ ଏଇ ସମ୍ବାଦପତ୍ରରେ ଶନିବାର ଦିନ ପ୍ରକାଶିତ ଅନ୍ୟ ଏକ ଖବର ଏଭଳି କଳ୍ପନାଜଳ୍ପନାରେ ଅନ୍ତ ଘଟାଇଛି। ଏହା ଅନୁସାରେ ସଂପାଦନା ମଣ୍ଡଳୀର ସଦସ୍ୟମାନେ ପ୍ରକାଶ କରିଛନ୍ତି ଯେ ‌ସମୟ ଅଭାବରୁ ସେମାନେ କାର୍ଯ୍ୟଟିକୁ ପ୍ରାୟ ସଂପୂର୍ଣ୍ଣ ରୂପେ କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଦ୍ବାରା ସଂପାଦିତ କରିଛନ୍ତି। କେତେଦିନ ପୂର୍ବେ ଏଇ ସ୍ତମ୍ଭରେ ଆମେ ‘ଏଆଇ’ ଦ୍ବାରା କମନ୍‌ୱେଲ୍‌ଥ ପୁରସ୍କାର ପାଇଁ ବିଦେଶରେ ହୋଇଥିବା ଏକ ସାହିତ୍ୟ ଜାଲିଆତି ସମ୍ବନ୍ଧରେ ଆଲୋଚନା କରିଥିଲୁ। କିଏ ଜାଣିଥିଲା, ମାତ୍ର କେତେଦିନ ମଧ୍ୟରେ ଆମ ରାଜ୍ୟରେ ‘ଏଆଇ’ ଦ୍ବାରା ହୋଇଥିବା ଏଭଳି ଏକ ଜଘନ୍ୟ ପାଠ୍ୟପୁସ୍ତକ ଜାଲିଆତି ପଦାରେ ପଡ଼ିବ?
ଏଠାରେ ‘ଜଘନ୍ୟ’ ଭଳି ଏକ କଠୋର ବିଶେଷଣର ପ୍ରୟୋଗର ଯଥାର୍ଥତା ହୃଦୟଙ୍ଗମ କରିବା ପାଇଁ ମହାନ ଜନନାୟକ ସ୍ବର୍ଗୀୟ ନେଲ୍‌ସନ୍ ମାଣ୍ଡେଲାଙ୍କର ଏକ ସୁପରିଚିତ ଉକ୍ତି ଉଦ୍ଧାର କରିବା ସମୀଚୀନ ହେବ। ତାଙ୍କ ନେତୃତ୍ବରେ ସଦ୍ୟ ସ୍ବାଧୀନତାପ୍ରାପ୍ତ ଦକ୍ଷିଣ ଆଫ୍ରିକାର ସୁରକ୍ଷା ଓ ସମୃଦ୍ଧି ନିଶ୍ଚିତ କରିବାରେ ସେ ଦେଶରେ ଶିକ୍ଷାର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ସରକାର ଓ ଶିକ୍ଷାନୁଷ୍ଠାନମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ମାଣ୍ଡେଲା କହିଥିଲେ: ‘‘କୌଣସି ଏକ ରାଷ୍ଟ୍ରକୁ ଧ୍ବଂସ କରିବା ଲାଗି ପରମାଣୁ ବୋମା କିମ୍ବା ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାରର ଆବଶ୍ୟକତା ନ ଥାଏ। କେବଳ ସେ ଦେଶରେ ଶିକ୍ଷାର ମାନରେ ହ୍ରାସ ଘଟାଇବା ଦ୍ବାରା ତାହା ସାଧିତ ହୋଇଥାଏ।’’ ବର୍ତ୍ତମାନ କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଯେଉଁସବୁ ବିଭ୍ରାଟମାନ ଘଟିବାରେ ଲାଗିଛି, ତାହା ଦେଖି ମନେହେଉଛି ଆମର ଏଠି ସରକାରରୁ ଶିକ୍ଷାବିତ୍ ପର୍ଯ୍ୟନ୍ତ କେହିହେଲେ ମାଣ୍ଡେଲାଙ୍କ ସତର୍କବାଣୀ ସମ୍ବନ୍ଧରେ ସଚେତନ ନୁହନ୍ତି, କିମ୍ବା ସେଥିପ୍ରତି ସାମାନ୍ୟତମ ଗୁରୁତ୍ବ ପ୍ରଦାନ କରନ୍ତି ନାହିଁ।

Fire: କୋଚିଂ ସେଣ୍ଟର ଅଗ୍ନିକାଣ୍ଡରୁ ବଞ୍ଚାଇବାକୁ ବାପାଙ୍କୁ ଶେଷ ଫୋନ୍ କଲେ ସୁଖମଣି

ଏଠାରେ ଉପରୋକ୍ତ ‘ଏଆଇ’ ବ୍ୟବହାର ସମ୍ବନ୍ଧରେ ଅନ୍ୟ ଏକ ଭାବନା ଆମ ମନରେ ଉଦ୍ରେକ ହେଉଛି। ‘ଚାଟ୍‌ଜିପିଟି’ ହେଉ କିମ୍ବା ‘ଜେମିନାଇ’ ହେଉ, ପ୍ରତ୍ୟେକ ‘ଏଆଇ ଚାଟ୍‌ବଟ୍’ ତା’ର ବ୍ୟବହାରକାରୀଙ୍କୁ ସର୍ବଦା ସତର୍କ କରାଇ ଦେଇଥାଏ ଯେ ‘ଏଆଇ’ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିବାର ସମସ୍ତ ସମ୍ଭାବନା ରହିଛି, ତେଣୁ ବ୍ୟବହାରକାରୀ ହୁସିଆର ରହି ‘ଏଆଇ’-ପ୍ରଦତ୍ତ ଉତ୍ତରର ପୁନଃ ଯାଞ୍ଚ କରିବା ଜରୁରି। ଆମର ପାଠ୍ୟପୁସ୍ତକ ସଂପାଦକମାନେ ଏତିକି କଷ୍ଟ ସ୍ବୀକାର ନ କରି ସେମାନଙ୍କର ଦାୟିତ୍ବ ଓ କାର୍ଯ୍ୟଭାର ପୂରାପୂରି ଭାବରେ ‘ଏଆଇ’ ଉପରେ ଲଦି ଦେଇଛନ୍ତି। ଏଠାରେ ଏକ ନୈତିକ ପ୍ରଶ୍ନର ଆବିର୍ଭାବ ଘଟିଥାଏ: କୌଣସି କାର୍ଯ୍ୟ ନ କରି ଏଇ ତଥାକଥିତ ସଂପାଦକମାନେ ସରକାରଙ୍କ ତହବିଲରୁ ପାରିଶ୍ରମିକ ନେଇଛନ୍ତି ନା ନାହିଁ?
ଉପଲବ୍‌ଧ ସୂଚନା ଅନୁସାରେ ସମସ୍ୟାର ଏକ ତାଳିପକା-ସମାଧାନ ସ୍ବରୂପ ସରକାର ସେଇ ପ୍ରମାଦପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକରେ ଶତାଧିକ ପୃଷ୍ଠା ସମ୍ବଳିତ ଏକ ଭ୍ରମ ‌ସଂଶୋଧନ ତାଲିକା ବା ‘କରିଜେଣ୍ଡମ୍’ ଯୋଡ଼ି ଦେଇଛନ୍ତି। କୋମଳମତି ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧ୍ୟୟନକୁ ଏହା ଏକ ଦୁର୍ବିଷହ ବୋଝରେ ପରିଣତ କରିବା ସାର ହେବ। ଲକ୍ଷାଧିକ ଶିକ୍ଷକ ସ୍ଥାନ ଖାଲି ପଡ଼ିଥିବା ବିଦ୍ୟାଳୟମାନଙ୍କରେ ଶିକ୍ଷକମାନଙ୍କ ପକ୍ଷରେ କରିଜେଣ୍ଡମ୍ ମିଳାଇ ପାଠ ପଢ଼ାଇବା ସମ୍ଭବ ନୁହେଁ ବୋଲି ଶିକ୍ଷକମାନେ ହତାଶା ପ୍ରକାଶ କରିବା ଦେଖାଗଲାଣି। ସରକାର ବର୍ତ୍ତମାନ ଖର୍ଚ୍ଚକୁ ଖାତିର ନ କରି ସମସ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ ନଷ୍ଟ କରି ଯଥାଶୀଘ୍ର ତ୍ରୁଟିଶୂନ୍ୟ ପୁସ୍ତକମାନ ଛାପିବା ଜରୁରି।
ନିଶା ନିବାରଣ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିଣିଥିଲେ ହେଁ ଏଇ ସରକାର ସଦ୍ୟ ସଦ୍ୟ ମଦ ଦୋକାନ ନିଲାମରୁ ୮୦୦ କୋଟି ଟଙ୍କାରୁ ଅଧିକ ରାଜସ୍ବ ସଂଗ୍ରହ କରିଛନ୍ତି। ସେଥିରୁ ୫୦ କୋଟି ଟଙ୍କା ଖର୍ଚ୍ଚ କରି ନୂତନ ପାଠ୍ୟପୁସ୍ତକ ଛପାଇବା ଦ୍ବାରା ସରକାର ନିଜର ସତ୍ୟଭଙ୍ଗଜନିତ ପାପ ପ୍ରକ୍ଷାଳନ କରିବା ସହିତ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବେ। ଓଡ଼ିଆ ଅସ୍ମିତା ଥିଲା ଶାସକ ଦଳର ମୁଖ୍ୟ ନିର୍ବାଚନୀ ସ୍ଲୋଗାନ୍। ସେଇ ଅସ୍ମିତାର ସୁରକ୍ଷା ନିମିତ୍ତ ସରକାର ଏତିକିମାତ୍ର ଅର୍ଥ ବ୍ୟୟ କରିବାକୁ କୁଣ୍ଠିତ ନ ହୁଅନ୍ତୁ।