03 JULY 2026

Welcome!

Unlock your personalized experience.
Sign Up

Indian Railway : ଏଆଇ ମାଧ୍ୟମରେ ୫ ଗୁଣା ବଢ଼ିବ ରେଳର ଟିକଟ୍‌ ବୁକିଂ କ୍ଷମତା, ପ୍ରତି ମିନିଟରେ ୧.୨୫ ଲକ୍ଷ ବୁକିଂ

Jul 03, 2026 - 09:09
Indian Railway : ଏଆଇ ମାଧ୍ୟମରେ ୫ ଗୁଣା ବଢ଼ିବ ରେଳର ଟିକଟ୍‌ ବୁକିଂ କ୍ଷମତା, ପ୍ରତି ମିନିଟରେ ୧.୨୫ ଲକ୍ଷ ବୁକିଂ

ନୂଆଦିଲ୍ଲୀ, ୩/୭ : ଭାରତୀୟ ରେଳ ନିଜର ଯାତ୍ରୀ ପଞ୍ଜୀକରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବିକଶିତ କରୁଛି । ଏହି ବଡ଼ ପରିବର୍ତ୍ତନ ପରେ ରେଳର ବୁକିଂ ସିଷ୍ଟମ ଦ୍ରୁତ ହେବ । ନୂଆ ସିଷ୍ଟମ୍‌ ପ୍ରତି ମିନିଟ୍‌ରେ ୧.୨୫ ଲକ୍ଷ ଟିକଟ ବୁକିଂ କରିପାରିବ । ଏହା ବର୍ତ୍ତମାନର କ୍ଷମତା ତୁଳନାରେ ୫ ଗୁଣା ଅଧିକ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୃଦ୍ଧିମତା ମାଧ୍ୟମରେ ସେବାରେ ଉନ୍ନତି ଆଣିବା ଲକ୍ଷ୍ୟ ରହିଛି । ସମ୍ପ୍ରତି ରେଳର ସିଷ୍ଟମ ଏକ ମିନିଟ୍‌ରେ ମାତ୍ର ୨୫ ହଜାର ଟିକଟ ହିଁ ପ୍ରୋସେସ୍‌ କରିପାରୁଛି, ଯାହାଦ୍ୱାରା ତତ୍କାଳ ବୁକିଂ କିମ୍ବା ଅଧିକ ଲୋଡ୍‌ ସମୟରେ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୁଅନ୍ତି । 

ସେଣ୍ଟର ଫର୍‌ ରେଲ୍‌ୱେ ଇନ୍‌ଫର୍ମେଶନ୍‌ ସିଷ୍ଟମ(ସିଆର୍‌ଆଇଏସ୍‌) ବୁଧବାର ଏହାର ୪୧ତମ ପ୍ରତିଷ୍ଠା ଦିବସରେ ନୂତନ ବ୍ୟବସ୍ଥାକୁ ନେଇ ସୂଚନା ଦେଇଛି । ସିଆର୍‌ଆଇଏସ୍‌ ଅନୁସାରେ, ଟିକଟ ବୁକିଂ କ୍ଷମତା ୫ ଗୁଣା ବଢ଼ିବା ଦ୍ୱାରା ସିଷ୍ଟମ୍‌ର ପ୍ରଦର୍ଶନରେ ବଡ଼ ସୁଧାର ଆସିବ । ଏହାଦ୍ୱାରା ଭାରତୀୟ ରେଳଯାତ୍ରୀଙ୍କ ରିଜର୍ଭେଶନର ବର୍ଦ୍ଧିତ ଦାବି ଦ୍ରୁତ ବେଗରେ ପୂରଣ ହେବ । ସାଧାରଣ ଯାତ୍ରୀଙ୍କୁ ଏବେ ତତ୍କାଳ ଟିକଟ ବୁକ୍‌ କରିବା ସମୟରେ ଆପ୍‌ କିମ୍ବା ୱେବ୍‌ସାଇଟ୍‌ ବାରମ୍ବାର ହ୍ୟାଙ୍ଗ୍‌ ହେବା ସମସ୍ୟାରୁ ମୁକ୍ତି ମିଳିବା ନେଇ ଆଶା ରହିଛି । 

ଜଣେ ବରିଷ୍ଠ ରେଳ ଅଧିକାରୀଙ୍କ ସୂଚନା ଅନୁସାରେ, ଗତ ବର୍ଷ ଆରମ୍ଭ ହୋଇଥିବା ରେଳର ସୁପର୍‌ ଆପ୍‌ ‘ରେଲ୍‌ୱାନ୍‌’କୁ ଲୋକେ ପସନ୍ଦ କରୁଛନ୍ତି । ଏହାର ସହଜ ଡିଜାଇନ ଯାତ୍ରୀଙ୍କୁ ଉନ୍ନତ ଅନୁଭବ ଦେଉଛି । ଏଯାବତ ଏହାକୁ ୪.୩୫ କୋଟିରୁ ଅଧିକ ଥର ଡାଉନ୍‌ଲୋଡ୍‌ କରାଯାଇଛି । ଏ ଆପ୍‌ରୁ ପ୍ରତିଦିନ ହାରହାରି ୧୦ ଲକ୍ଷ ଟ୍ରାଞ୍ଜାକ୍ସନ ହେଉଛି । ରେଳ ଏବେ ଏହାର କାର୍ଯ୍ୟକୁ ଉନ୍ନତ ଏବଂ ସୁରକ୍ଷିତ ବନାଇବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ପ୍ରଯୁକ୍ତିର ବ୍ୟବହାର କରୁଛି । ଏହା ଆସିବା ଦ୍ୱାରା ଟ୍ରେନ୍‌ଗୁଡ଼ିକର ରକ୍ଷଣାବେକ୍ଷଣ କାର୍ଯ୍ୟ ସୂଚାରୁ ରୂପେ ହୋଇପାରିବ । ରେଳ ଖରାପ ହେବା ପୂର୍ବରୁ ଆଗୁଆ ତ୍ରୁଟିକୁ ସୁଧାରି ହେବ । ଫଳରେ ଦୁର୍ଘଟଣା କମିବ ଏବଂ ସୁରକ୍ଷା ମଜଭୁତ ହେବ । ସିଆର୍‌ଆଇଏସ୍‌ର ଏମ୍‌ଡି ଜିବିଏଲ୍‌ ସତ୍ୟ କୁମାର କହିଛନ୍ତି ଯେ, ନୂଆ ଆପ୍‌ ହେଉ ଅବା ଏଆଇ ପ୍ରଯୁକ୍ତି ଆମର ଲକ୍ଷ୍ୟ ହେଉଛି ପ୍ରଯୁକ୍ତିର ଲାଭ ଦେଶର ସାଧାରଣ ଲୋକଙ୍କୁ ମିଳୁ । ଯାତ୍ରୀଙ୍କୁ ଉନ୍ନତ ସେବା ମିଳିବା ହେଉଛି ଉଦ୍ଦେଶ୍ୟ । ଏହା ହେଲେ ହିଁ ଭାରତୀୟ ରେଳ ସେବା ବିଶ୍ୱସ୍ତରୀୟ ହୋଇପାରିବ।

ଆହୁରି ପଢନ୍ତୁ- ଓଲଟା ଜୀବନ: ୪୫ ଡିଗ୍ରୀ ତାତିରେ ଦରକାର ରେଜେଇ; ଶୀତରେ ବରଫରେ ଶୁଅନ୍ତି, ଜାଣନ୍ତୁ କିଏ ସେହି ଲୋକ...

୬୦ ବର୍ଷୀୟ ବଡି ବିଲ୍ଡର ରବି ଦାସଙ୍କ ସଫଳ କାହାଣୀ : ୬୦ ବର୍ଷ ବୟସରେ ବି ସୁପର ଫିଟ୍