Indian Jewellery Demand Falls: ଆକାଶଛୁଆଁ ସୁନା ଦାମ୍, ଗହଣା କିଣିବାକୁ ପଛଘୁଞ୍ଚା ଦେଉଛନ୍ତି ଗ୍ରାହକ

Jul 30, 2026 - 18:14
Indian Jewellery Demand Falls: ଆକାଶଛୁଆଁ ସୁନା ଦାମ୍, ଗହଣା କିଣିବାକୁ ପଛଘୁଞ୍ଚା ଦେଉଛନ୍ତି ଗ୍ରାହକ

ସୁନା ଦାମ ଆକାଶଛୁଆଁ ହେବାର ପ୍ରଭାବ ଏବେ ଗହଣା ବଜାରରେ ସ୍ପଷ୍ଟ ଦେଖିବାକୁ ମିଳିଛି। ୱାର୍ଲ୍ଡ ଗୋଲ୍ଡ କାଉନସିଲ୍‌ର ରିପୋର୍ଟ ଅନୁଯାୟୀ, ଭାରତରେ ସୁନା ଗହଣାର ଚାହିଦା ଗତ ବର୍ଷ ତୁଳନାରେ ୧୫ ପ୍ରତିଶତ କମିଛି।

ୱାର୍ଲ୍ଡ ଗୋଲ୍ଡ କାଉନସିଲ୍‌ର ରିପୋର୍ଟ ଅନୁସାରେ, ଏପ୍ରିଲ୍‌ରୁ ଜୁନ୍ ତ୍ରୟମାସିକରେ ଭାରତର ଗହଣା ଚାହିଦା ୭୫ ଟନ୍‌କୁ ଖସିଆସିଛି, ଯାହା ଗତ ବର୍ଷ ତୁଳନାରେ ୧୫ ପ୍ରତିଶତ କମ୍। ବିଶ୍ୱସ୍ତରରେ ମଧ୍ୟ ଗହଣା ଚାହିଦା କମି ୨୭୮ ଟନ୍‌ରେ ପହଞ୍ଚିଛି, ଯାହା କୋଭିଡ୍ ପରବର୍ତ୍ତୀ ସମୟର ସବୁଠୁ ଦୁର୍ବଳ ଦ୍ୱିତୀୟ ତ୍ରୟମାସିକ ବୋଲି କୁହାଯାଇଛି।

ରିପୋର୍ଟ ଅନୁସାରେ, ସୁନାର ଉଚ୍ଚ ଦର ଯୋଗୁଁ ଗ୍ରାହକମାନେ ଭାରୀ ଗହଣା ବଦଳରେ ହାଲୁକା ଡିଜାଇନ୍‌କୁ ବେଶି ପସନ୍ଦ କରୁଛନ୍ତି। ଏହାର ପ୍ରଭାବରେ ଗହଣା କିଣିବାର ପରିମାଣ କମିଥିଲେ ମଧ୍ୟ, ଉଚ୍ଚ ଦର କାରଣରୁ ମୋଟ ବଜାର ମୂଲ୍ୟରେ ବୃଦ୍ଧି ଦେଖାଯାଇଛି।

ଅନ୍ୟପଟେ, କେନ୍ଦ୍ରୀୟ ବ୍ୟାଙ୍କମାନେ ସୁନା କିଣିବା ଜାରି ରଖିଛନ୍ତି। ଏପ୍ରିଲ୍‌ରୁ ଜୁନ୍ ମଧ୍ୟରେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମୋଟ ୨୮୯ ଟନ୍ ସୁନା ରିଜର୍ଭରେ ଯୋଡ଼ିଛନ୍ତି। ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ୨୦୦ କିଲୋଗ୍ରାମ୍ ସୁନା କ୍ରୟ କରିଛି।

ବିଶେଷଜ୍ଞଙ୍କ ମତରେ, ୨୦୨୬ର ଦ୍ୱିତୀୟାର୍ଦ୍ଧରେ ବିନିଯୋଗ ଚାହିଦା ସୁନା ବଜାରକୁ ଆଗକୁ ବଢ଼ାଇପାରେ। କିନ୍ତୁ ଉଚ୍ଚ ଦର ଯୋଗୁଁ ଗହଣା କ୍ରୟ ଉପରେ ଚାପ ଜାରି ରହିବାର ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।