How Safe Are Ram Doli at Bali Jatra: ଗତବର୍ଷ ଅଟକିଥିଲା ଦୋଳି, ଏଥର ଚାଲିଗଲା ଜୀବନ; କେବେ ଚେତିବ ପ୍ରଶାସନ?
ବାଲିଯାତ୍ରାରେ ଦୋଳି କେତେ ସୁରକ୍ଷିତ?
ବସିବା ଆଗରୁ ଦୁଇ ଥର ଭାବିବେ।
ଗତ ଥର ଦୋଳି ଅଧାରେ ଝୁଲିଲା ପରେ ବି ସୁଧୁରିଲାନି ବ୍ୟବସ୍ଥା?
ଏଥର ଘଟିଗଲା ବଡ଼ ଅଘଟଣ, ରାମଦୋଳିରୁ ପଡ଼ି ଯୁବକଙ୍କ ମୃତ୍ୟୁ ପରେ ଚେତା ପଶିଛି।
ଆଲୋକର ଝଲକ୍...
ମନୋରଞ୍ଜନର ମାହୋଲ୍...
ଚାରିଆଡ଼େ ଲୋକଙ୍କ ଗହଳି ।
ହସଖୁସିରେ ଜମୁଥିଲା କଟକ ବାଲିଯାତ୍ରା ।
ହେଲେ ଏହି ଖୁସିର ମାହୋଲ୍ ରେ ହଠାତ୍ ଖେଳିଗଲା ଆତଙ୍କ ଆଉ ଭୟ।
ଯେଉଁ ଦୋଳିରେ ବସି ଲୋକେ ମନୋରଞ୍ଜନ କରୁଥିଲେ, ସେହି ଦୋଳିରୁ ଖସି ଚାଲିଗଲା ଜଣଙ୍କ ଜୀବନ ।
ଗୁରୁବାର ରାତି ପ୍ରାୟ ୧୦ଟା।
ତଳ ବାଲିଯାତ୍ରା ପଡ଼ିଆର କଟକ ଇନ୍ କଟକ ନିକଟରେ ଥିବା ରାମଦୋଳିରେ ବସିଥିଲେ ଦୁଇ ଯୁବକ ।
ହଠାତ୍ କୌଣସି କାରଣରୁ ଦୁହେଁ ଦୋଳିରୁ ତଳକୁ ଖସି ପଡ଼ିଥିଲେ।
ଘଟଣା ପରେ ସେଠାରେ ସୃଷ୍ଟି ହୋଇଥିଲା ହଇଚଇ।
ଖବର ପାଇ ତୁରନ୍ତ ପହଞ୍ଚିଥିଲେ ଅଗ୍ନିଶମ ଟିମ୍ ଓ ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ଏସସିବି ମେଡିକାଲ ନେଇଥିଲା।
ହେଲେ ମେଡିକାଲରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଛନ୍ତି କଟକ ରାଣୀହାଟର ଚନ୍ଦ୍ରକାନ୍ତ ବଳ।
ଏବେ ବି ତାଙ୍କ ବନ୍ଧୁ ଗୁରୁତର ଆହତ।
Advertisment ଏହି ଘଟଣା ପରେ ବାଲିଯାତ୍ରାରେ ଦୋଳିର ହୋଇଛି ଘନ ଘନ ଯାଞ୍ଚ।
ଟେକ୍ନିକାଲ୍ ଟିମ୍ ଘଟଣାସ୍ଥଳକୁ ଯାଇ କିପରି ଏତେ ବଡ଼ ଘଟଣା ହେଲା ଯାଞ୍ଚ କରିଛନ୍ତି।
ତାସହ ଅନ୍ୟ ଦୋଳିର ସ୍ଥିତି ବି ପରଖୁଛନ୍ତି।
ଗତ ବର୍ଷ ଦୋଳିରେ ଅଟକି ଯାଇଥିଲେ ୮ ଜଣ ଯୁବକଯୁବତୀ।
ମଝି ରାତି ଲାଗିଗଲା ସେମାନଙ୍କୁ ବାହାର କରିବାକୁ।
ଆଉ ଏଥର ପୁଣି ଏମିତି।
ଦୋଳିରେ ଅଘଟଣ ଘଟିଲା ପରେ ଯାଞ୍ଚ ହେଉଛି କାହିଁକି ?
ଦୋଳି ଲାଗିବା ପୂର୍ବରୁ ଏନେଇ ସତର୍କତା ଅବଲମ୍ବନ ହୋଇଥିଲା କି?
ଯାଞ୍ଚ କରିଥିଲା କି ପ୍ରଶାସନ ?
ଯଦି, ଯାଞ୍ଚ ହୋଇଥିଲା ତାହେଲେ କେଉଁ ପରିସ୍ଥିତିରେ ରାମଦୋଳିରୁ ଖସିପଡ଼ିଲେ ଦୁଇ ଯୁବକ ?
ଦୋଳି ଖାଲି ବୁଲୁଛି, ଟଙ୍କା ଆଦାୟ ହେଉଛି କିନ୍ତୁ ଦର୍ଶକଙ୍କ ସୁରକ୍ଷା ପାଇଁ କ'ଣ କିଛି ପଦକ୍ଷେପ ନିଆଯାଉଛି ?
ଗତ ଥର ଘଟଣା ପରେ ଏଥର ସଜାଗ ହୋଇଛି ବ୍ୟବସ୍ଥା।
ପ୍ରତିଦିନ ଯାଞ୍ଚ କରାଯାଇ ରିପୋର୍ଟ ଦିଆଯାଉଛି ତଥାପି କେମିତି ଘଟିଲା ଅଘଟଣ।
Advertisment ଏସବୁ ଭିତରେ ଗତକାଲିର ଅଘଟଣକୁ ଯାଞ୍ଚ ହେଉଛି।
ମୃତ ବ୍ୟକ୍ତି ଜଣକ ଅସ୍ବାଭାବିକ ଆଚରଣ କରୁଥିଲେ, କାହିଁକି ସେ ଏମିତି କରୁଥିଲେ, ଝଗଡ଼ା ହୋଇଥିଲା କି ସେ ଦିଗରେ ବି ଯାଞ୍ଚ ହୋଇଥିବା କହିଛନ୍ତି କଟକ ଜିଲ୍ଲାପାଳ।
ମେଳାକୁ ଲୋକେ ଆସନ୍ତି ଖୁସି ଓ ମନୋରଞ୍ଜନ ପାଇଁ ।
ହେଲେ ସେହି ମନୋରଞ୍ଜନ ଯଦି ମୃତ୍ୟୁର କାରଣ ସାଜେ, ତେବେ ଦାୟୀ କିଏ ହେବ?
ଲୋକଙ୍କ ଜୀବନ ସହ ଖେଳୁଥିବା ଏଭଳି ଅବହେଳା ଉପରେ କେବେ ଲାଗିବ ରୋକ୍ ?
ଏବେ ଏହି ସବୁ ପ୍ରଶ୍ନର ଉତ୍ତର ଅପେକ୍ଷାରେ ବାଲିଯାତ୍ରାକୁ ଆସୁଥିବା ହଜାର ହଜାର ଲୋକେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
