House Sealed Without Loan Default Allegation: ଲୋନ୍ ନନେଇ ଘର ସିଲ୍, ଦିବ୍ୟାଙ୍ଗ ପରିବାର ଉପରେ କାହିଁକି ଜୁଲମ୍ ?
ଲୋନ୍ ନନେଇ ଘର ସିଲ୍
କେମିତି ହେଲା ଋଣ, କିଏ ଭୋଗୁଛି ଦଣ୍ଡ ?
ତହସିଲଦାର ଓ ବ୍ୟାଙ୍କ ନାଁରେ ଅଭିଯୋଗ
ଦିବ୍ୟାଙ୍ଗ ପରିବାର ଉପରେ କାହିଁକି ଜୁଲମ୍ ?
ଘର ଭିତରେ ଅଛି ଜଣେ ଦିବ୍ୟାଙ୍ଗଙ୍କ ସ୍ୱପ୍ନ, ସଂଘର୍ଷ ଓ ସାରା ଜୀବନର ସଞ୍ଚୟ। କିନ୍ତୁ ଆଜି ସେଇ ଘରେ ତାଲା ଝୁଲିଛି, ସିଲ୍ ଲାଗିଛି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଗୌତମପାଲିର ଦିବ୍ୟାଙ୍ଗ ଧନଞ୍ଜୟ ପ୍ରଧାନ ଆଜି ବେଘର। ନିଜ ଘରେ ନୁହେଁ, ପାଖରେ ଥିବା ଛୋଟ କୋଠରୀରେ ପରିବାର ସହ ଦିନ କାଟୁଛନ୍ତି। କାରଣ ସେ ଋଣ ଖିଲାପ କରିଥିବାରୁ ବ୍ୟାଙ୍କ ଓ ରାଜସ୍ୱ ବିଭାଗ ତାଙ୍କ ଘରକୁ ସିଲ୍ କରିଦେଇଛି। କିନ୍ତୁ ଧନଞ୍ଜୟଙ୍କ ଦାବି, ସେ କେବେ ବି କୌଣସି ବ୍ୟାଙ୍କରୁ ଋଣ ନେଇନାହାନ୍ତି।
ତଥାପି ପ୍ରାୟ ୨୦ ଦିନ ହେଲା ତାଙ୍କ ପରିବାର ଘର ବାହାରେ ଅସହାୟ ଜୀବନ ବିତାଉଛନ୍ତି। ଅଭିଯୋଗ କରିଛନ୍ତି, ଅନ୍ୟ ଜଣେ ଋଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ପ୍ରଶାସନ ଭୁଲବଶତଃ ତାଙ୍କ ଘର ସିଲ୍ କରିଛି। ନିଜ ଜମି ଓ ଘର କାଗଜପତ୍ର ଦେଖାଇଥିଲେ ବି କେହି ଶୁଣିନାହାନ୍ତି। ବ୍ୟାଙ୍କ ନୋଟିସରେ ଥିବା ପ୍ଲଟ୍ ନମ୍ବର ୨୮୪, ହେଲେ ଧନଞ୍ଜୟଙ୍କ ଘର ଅଛି ପ୍ଲଟ୍ ନମ୍ବର ୨୮୬ରେ। ନୋଟିସରେ ଥିବା ଋଣଗ୍ରାହୀ ସୁଦୀପ୍ତ ପ୍ରଧାନଙ୍କ ସହ ମଧ୍ୟ ତାଙ୍କର କୌଣସି ସମ୍ପର୍କ ନାହିଁ। ...
ପ୍ରଶ୍ନ ଉଠୁଛି, ବିନା ଯାଞ୍ଚରେ କାହିଁକି ଏପରି ପଦକ୍ଷେପ ନିଆଗଲା ? ପ୍ରକୃତ ଋଣଖିଲାପିଙ୍କୁ ନଧରି ଜଣେ ଦିବ୍ୟାଙ୍ଗଙ୍କ ପରିବାରକୁ କାହିଁକି ହଇରାଣ କରାଗଲା ?
ଘଟଣାକୁ ନେଇ ଧନଞ୍ଜୟଙ୍କ ସମ୍ପର୍କୀୟ ଭାଇ ପ୍ରସନ୍ନ ପ୍ରଧାନ ଆଉ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା କଥା, ଋଣ ପାଇଁ ଜମି କାଗଜପତ୍ର ଓ ସ୍ୱାକ୍ଷର ଜାଲିଆତି କରାଯାଇଛି। ଏ କାମ ତାଙ୍କ ପୁଅ ସୁଦୀପ୍ତ ପ୍ରଧାନ କରିଛନ୍ତି। ମାତ୍ର ୧୧ ଡେସିମିଲ୍ ଜମି ଉପରେ ୧୭ ଲକ୍ଷ ଟଙ୍କାର ଋଣ ମଞ୍ଜୁର ହୋଇଥିବା ବେଳେ ଏବେ ସେହି ଋଣ ପ୍ରାୟ ୨୭ ଲକ୍ଷ ଟଙ୍କାରେ ପହଞ୍ଚିଛି। RTIରୁ ମିଳିଥିବା ତଥ୍ୟରେ ବି ଋଣ କାଗଜପତ୍ରରେ ଥିବା ସ୍ୱାକ୍ଷର ଜାଲିଆତି ବୋଲି ଜଣାପଡିଛି। ...
ଘଟଣାରେ ଦିବ୍ୟାଙ୍କ ଧନଞ୍ଜୟଙ୍କ ପରିବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଘଟଣାର ତଦନ୍ତ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ। ...
କିନ୍ତୁ ଯେଉଁ ଭୁଲ ପାଇଁ ଜଣେ ନିରୀହ ଦିବ୍ୟାଙ୍ଗଙ୍କ ପରିବାର ନିଜ ଘରୁ ବଞ୍ଚିତ ହୋଇଛନ୍ତି, ସେହି ଭୁଲର ଦାୟିତ୍ୱ ନେବ କିଏ ?...