Hindu Muslim Unity in Odisha: ମନ୍ଦିରରେ ମୁସଲମାନଙ୍କ ଭିଡ଼, ଏଠାରେ ମା’ କାଳୀଙ୍କ ପୂଜାରେ ସାମିଲ ହୁଅନ୍ତି ସବୁ ଧର୍ମର ଲୋକ!
ଧର୍ମ ଅଲଗା, ହେଲେ ଭାବନା ଗୋଟିଏ।
ଜଣେ ହିନ୍ଦୁ ତ ଆଉ ଜଣେ ମୁସଲମାନ।
ହେଲେ ଦୁହିଁଙ୍କ ମା' ଜଣେ।
ମା'ଙ୍କ ପୂଜା ପାଇଁ ଏଠି ଏକାଠି ହୁଅନ୍ତି ଦୁଇ ସମ୍ପ୍ରଦାୟର ଲୋକ।
ଧର୍ମ ନାଁରେ ବିଭେଦ ଓ ବିବାଦ ଭିତରେ ଏଭଳି ଏକ ନିଆରା ଭାଇଚାରାର ଉଦାହରଣ ସୃଷ୍ଟି କରିଛି କେନ୍ଦ୍ରାପଡ଼ା ଜିଲ୍ଲାର ଓଳାଭର କାଳୀପୂଜା।
ଦୀର୍ଘ ୮୦ ବର୍ଷ ଧରି ହିନ୍ଦୁ ଓ ମୁସଲମାନ ମିଳିତ ଭାବେ ଏଠାରେ ମା' କାଳୀଙ୍କ ପୂଜାର୍ଚ୍ଚନା କରିଆସୁଛନ୍ତି।
କୁହାଯାଏ, ପ୍ରାୟ ୮୦ ବର୍ଷ ପୂର୍ବେ ଏହି ପୂଜାସ୍ଥଳୀ ଏକ ଶ୍ମଶାନ ଥିଲା।
ଲକ୍ଷେ ମୁଣ୍ଡ ପୂରଣ ହେବା ପରେ ମା'ଙ୍କ ସ୍ୱପ୍ନାଦେଶ ହୋଇଥିବା ଲୋକକଥା ରହିଛି।
ଦିନେ ଅଞ୍ଚଳର ସେକ୍ କରାମତ ଅଲ୍ଲୀ ଏବଂ ହିନ୍ଦୁ ସମ୍ପ୍ରଦାୟର କିଛି ବ୍ୟକ୍ତି ମିଶି ପଡ଼ିଆ ସଫା କରୁଥିବା ସମୟରେ ମା'ଙ୍କ ଏକ ପ୍ରତିମୂର୍ତ୍ତି ପାଇଥିଲେ।
ଏହାପରେ ଆରମ୍ଭ ହୋଇଥିଲା ମା'ଙ୍କ ଆରାଧନା।
୧୯୪୫ ମସିହାରୁ ଏଠାରେ ଧୁମଧାମରେ ପାଳିତ ହୋଇଆସୁଛି କାଳୀପୂଜା।
ପ୍ରଥମେ ଏକ ଚାଳଛପର ଘରେ ମା' ପୂଜା ପାଉଥିଲେ।
ପରେ ମନ୍ଦିର ନିର୍ମାଣ ହେବା ସହ ମାଟି ମୂର୍ତ୍ତି ପୂଜା ପାଇଥିଲେ।
ଏବେ ମନ୍ଦିରରେ ସ୍ଥାୟୀ ପଥର ମୂର୍ତ୍ତି ସ୍ଥାପନ କରାଯାଇଛି।
ଦୀର୍ଘ ୧୫ ଦିନ ଧରି ଚାଲେ ମା'ଙ୍କ ପୂଜା ଓ ଉତ୍ସବ।
ଏଥିରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ସମସ୍ତ ଆୟୋଜନରେ ସାମିଲ ହୁଅନ୍ତି।
ମା'ଙ୍କ ପାଖରେ ମାନସିକ କଲେ ମନୋସ୍କାମନା ପୂରଣ ହୁଏ ବୋଲି ଶ୍ରଦ୍ଧାଳୁଙ୍କ ଅଗାଢ଼ ବିଶ୍ୱାସ ରହିଛି।
ଆଜିର ସମାଜରେ ଯେତେବେଳେ ଧର୍ମକୁ ନେଇ ବିଭିନ୍ନ ସମୟରେ ବିବାଦ ଦେଖାଦେଉଛି, ସେତେବେଳେ ଓଳାଭରର ଏହି ପରମ୍ପରା ଦେଉଛି ଏକ ବଡ଼ ବାର୍ତ୍ତା।
ଧର୍ମ ଭିନ୍ନ ହୋଇପାରେ, କିନ୍ତୁ ମଣିଷପଣିଆ ଓ ଭାଇଚାରା ସବୁଠୁ ବଡ଼।
୮୦ ବର୍ଷର ଏହି ଅନନ୍ୟ ପରମ୍ପରା ଆଜି ସାମ୍ପ୍ରଦାୟିକ ସଦ୍ଭାବନାର ଏକ ଜୀବନ୍ତ ଉଦାହରଣ ପାଲଟିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
