Infertility Rising Globally: ବଢୁଛି ଇନ୍‌ଫର୍ଟିଲିଟି ସମସ୍ୟା; ବିବାହ ପରେ କେବେ IVF ଆବଶ୍ୟକ, ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

Jul 27, 2026 - 19:48
Infertility Rising Globally: ବଢୁଛି ଇନ୍‌ଫର୍ଟିଲିଟି ସମସ୍ୟା; ବିବାହ ପରେ କେବେ IVF ଆବଶ୍ୟକ, ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ବର୍ତ୍ତମାନ ସମୟରେ ବିଶ୍ୱବ୍ୟାପୀ ବଢ଼ିବାରେ ଲାଗିଛି ଇନ୍‌ଫର୍ଟିଲିଟି ସମସ୍ୟା। ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପାନୀୟରେ ଅନିୟମିତତା, ଧୂମପାନ ଓ ମଦ୍ୟପାନ ଭଳି ଅଭ୍ୟାସ ସହ ପରିବେଶୀୟ କାରଣ ଏହି ସମସ୍ୟା ବଢ଼ିବାର ମୁଖ୍ୟ କାରଣ ଭାବେ ଦେଖାଯାଉଛି।

ରିପୋର୍ଟ ଅନୁସାରେ, ବିଶ୍ୱରେ ୩୫ରୁ ୪୯ ବର୍ଷ ବୟସର ପ୍ରାୟ ୫.୩୬ କୋଟି ମହିଳା ସାଧାରଣ ଭାବେ ଗର୍ଭଧାରଣ କରିବାରେ ସମସ୍ୟାର ସାମ୍ନା କରୁଛନ୍ତି। ଯଦି ଏହି ଧାରା ଜାରି ରହେ, ତେବେ ୨୦୩୬ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୭.୯୬ କୋଟିକୁ ବଢ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।

ପୂର୍ବରୁ ଇନ୍‌ଫର୍ଟିଲିଟିକୁ କେବଳ ମହିଳାଙ୍କ ସମସ୍ୟା ବୋଲି ଧରାଯାଉଥିଲା। କିନ୍ତୁ ବର୍ତ୍ତମାନର ଗବେଷଣା କହୁଛି ଯେ ପ୍ରାୟ ୫୦ ପ୍ରତିଶତ କ୍ଷେତ୍ରରେ କାରଣ ପୁରୁଷଙ୍କ ସହ ଜଡ଼ିତ ହୋଇଥାଏ। ଏପରି ସ୍ଥିତିରେ ଇନ୍‌ ଭିଟ୍ରୋ ଫର୍ଟିଲାଇଜେସନ୍‌ (IVF) ପ୍ରଯୁକ୍ତି ଅନେକ ଦମ୍ପତିଙ୍କ ପାଇଁ ଆଶାର କିରଣ ପାଲଟିଛି।

IVF କେବେ କରାଇବା ଉଚିତ?

ଡାକ୍ତରମାନଙ୍କ କହିବା ଅନୁସାରେ, IVF ଆଧୁନିକ ପ୍ରଜନନ ଚିକିତ୍ସାର ଏକ ଗୁରୁତ୍ୱପୂର୍ଣ୍ଣ ପଦ୍ଧତି ହେଲେ ମଧ୍ୟ ଏହା ପ୍ରତ୍ୟେକ ଦମ୍ପତିଙ୍କ ପାଇଁ ପ୍ରଥମ ବିକଳ୍ପ ନୁହେଁ। ଅନେକ ସମୟରେ ଜୀବନଶୈଳୀରେ ପରିବର୍ତ୍ତନ, ଔଷଧ କିମ୍ବା ଅନ୍ୟ ଚିକିତ୍ସା ଦ୍ୱାରା ମଧ୍ୟ ଗର୍ଭଧାରଣ ସମ୍ଭବ ହୋଇପାରେ। ତେଣୁ ବିବାହ ପରେ ତୁରନ୍ତ IVF କରାଇବା ଉଚିତ ନୁହେଁ। ପ୍ରଥମେ ସମସ୍ୟାର କାରଣ ଜାଣିବା ଆବଶ୍ୟକ।

କେବେ ଫର୍ଟିଲିଟି ଟେଷ୍ଟ କରାଇବେ?

ବିଶେଷଜ୍ଞଙ୍କ ଅନୁସାରେ, ନିୟମିତ ଅସୁରକ୍ଷିତ ଯୌନ ସମ୍ପର୍କ ପରେ ମଧ୍ୟ ଯଦି ଦୀର୍ଘ ସମୟ ଧରି ଗର୍ଭଧାରଣ ହେଉନାହିଁ, ତେବେ ଫର୍ଟିଲିଟି ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ।

•    ୩୫ ବର୍ଷରୁ କମ୍ ବୟସର ମହିଳା: ୧୨ ମାସ ପର୍ଯ୍ୟନ୍ତ ଚେଷ୍ଟା ପରେ ମଧ୍ୟ ଗର୍ଭଧାରଣ ନ ହେଲେ ଯାଞ୍ଚ କରାଇବା ଉଚିତ। 
•    ୩୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ମହିଳା: ୬ ମାସ ଚେଷ୍ଟା ପରେ ମଧ୍ୟ ସଫଳତା ନ ମିଳିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 
•    ୪୦ ବର୍ଷ ପାଖାପାଖି ବୟସ କିମ୍ବା ମାସିକ ଧର୍ମ ଅନିୟମିତ ଥିଲେ: ଆହୁରି ଶୀଘ୍ର ଡାକ୍ତରଙ୍କୁ ଦେଖାଇବା ଆବଶ୍ୟକ। 

ବିବାହ ପରେ କେବେ IVF ବିଷୟରେ ଭାବିବେ?

ମହିଳା ରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, କେବଳ ବିବାହର କେତେ ବର୍ଷ ହେଲା ତାହା ଦେଖି IVFର ନିଷ୍ପତ୍ତି ନିଆଯାଏ ନାହିଁ।

•    ଏଥିରେ ମହିଳାଙ୍କ ବୟସ, ମେଡିକାଲ୍‌ ରିପୋର୍ଟ, ଅଣ୍ଡାଣୁର ଗୁଣବତ୍ତା, ପୁରୁଷଙ୍କ ଶୁକ୍ରାଣୁର ସ୍ଥିତି ଓ ଗର୍ଭାଶୟର ସ୍ୱାସ୍ଥ୍ୟକୁ ବିଚାର କରାଯାଏ।
•    ଯଦି ମହିଳାଙ୍କ ବୟସ ୩୫ ବର୍ଷରୁ କମ୍ ଏବଂ ଏକ ବର୍ଷ ଚେଷ୍ଟା ପରେ ମଧ୍ୟ ଗର୍ଭଧାରଣ ହେଉନାହିଁ, ତେବେ ପ୍ରଥମେ ଫର୍ଟିଲିଟି ମୂଲ୍ୟାଙ୍କନ କରାଯାଏ। 
•    ଯଦି ବୟସ ୩୫ ବର୍ଷରୁ ଅଧିକ ଏବଂ ପ୍ରାକୃତିକ ଭାବେ ଗର୍ଭଧାରଣର ସମ୍ଭାବନା କମ୍ ଥାଏ, ତେବେ ଡାକ୍ତର IVF ପରାମର୍ଶ ଦେଇପାରନ୍ତି। 

IVF ୧୦୦% ସଫଳ ହୁଏ କି?

ବିଶେଷଜ୍ଞଙ୍କ କହିବା ଅନୁସାରେ, IVFର ସଫଳତା ନିଶ୍ଚିତ ନୁହେଁ। ଏହା ମହିଳାଙ୍କ ବୟସ, ଅଣ୍ଡାଣୁର ଗୁଣବତ୍ତା, ଶୁକ୍ରାଣୁର ସ୍ଥିତି ଓ ଗର୍ଭାଶୟର ସ୍ୱାସ୍ୟ୍  ଉପରେ ନିର୍ଭର କରେ। ସାଧାରଣତଃ କମ ବୟସର ମହିଳାଙ୍କଠାରେ IVF ସଫଳତାର ସମ୍ଭାବନା ଅଧିକ ରହିଥାଏ।

IVF ଓ ICSI ମଧ୍ୟରେ ପାର୍ଥକ୍ୟ କ’ଣ?

ଗର୍ଭଧାରଣର ସମସ୍ୟାର କାରଣ ଅନୁସାରେ ଡାକ୍ତର IVF କିମ୍ବା ICSI ପରି ପ୍ରଯୁକ୍ତିର ବ୍ୟବହାର କରନ୍ତି।

ICSI (Intracytoplasmic Sperm Injection) ପ୍ରକ୍ରିୟାରେ ଏକ ସୁସ୍ଥ ଶୁକ୍ରାଣୁ ବାଛି ତାହାକୁ ସିଧାସଳଖ ଅଣ୍ଡାଣୁ ଭିତରେ ପ୍ରବେଶ କରାଯାଏ। ବିଶେଷକରି ପୁରୁଷଙ୍କ ବନ୍ଧ୍ୟାତ୍ୱ ସମସ୍ୟାରେ ଏହା ଅଧିକ ଉପଯୋଗୀ ହୋଇଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।