Dana Majhi Film Controversy Sparks Legal Dispute: ଦାନ ମାଝୀଙ୍କୁ ନେଇ ଫିଲ୍ମ ନିର୍ମାଣ ବିବାଦ, ପ୍ରଯୋଜକଙ୍କ ନାଁରେ ଏତଲା

Jul 27, 2026 - 20:07
Dana Majhi Film Controversy Sparks Legal Dispute: ଦାନ ମାଝୀଙ୍କୁ ନେଇ ଫିଲ୍ମ ନିର୍ମାଣ ବିବାଦ, ପ୍ରଯୋଜକଙ୍କ ନାଁରେ ଏତଲା

୨୦୧୬ରୁ ୨୦୨୬। ଠିକ୍ ୧୦ ବର୍ଷର ଅନ୍ତର ପରେ ପୁଣି ଚର୍ଚ୍ଚାରେ କଳାହାଣ୍ଡିର ଦାନ ମାଝୀ। ତେବେ ଏଥର କିନ୍ତୁ ଶବ ବୋହି ନୁହେଁ, ବରଂ ଜଣେ ସିନେ ପ୍ରଯୋଜକଙ୍କ ବିରୋଧରେ ଅଭିଯୋଗ ଆଣି। ଘଟଣା କିଛି ଏମିତି। ୨୦୧୬ରେ ନିଜ ସ୍ତ୍ରୀଙ୍କ ଶବକୁ କାନ୍ଧରେ ବୋହି ୧୦ କିଲୋମିଟର ରାସ୍ତାରେ ଚାଲି ଚାଲି ଯାଇଥିବା ଦାନ ମାଝୀ, ସେତେବେଳେ ସାରା ବିଶ୍ବରେ ଖବରର ଶିରୋନମା ପାଲଟିଥିଲେ। ଆଉ ସେହି ଚର୍ଚ୍ଚିତ କାହାଣୀକୁ ନେଇ ଏକ ବଡ଼ ବଜେଟର ଫିଲ୍ମ କରୁଛନ୍ତି ପାଟଣାଗଡ଼ର ସିନେ ପ୍ରଯୋଜକ ପ୍ରେମଜିତ ପୁଟା। ତେବେ ଏ ଫିଲ୍ମ ରିଲିଜ୍ ପୂର୍ବରୁ ଦାନ ମାଝୀଙ୍କୁ ନେଇ ସାମ୍ନାକୁ ଆସିଛି ଆଉ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ''ଲାସ୍''। କୁହାଯାଉଛି, ଯେଉଁଥିରେ ରହିଛି ଦାନ ମାଝୀଙ୍କ କାହାଣୀ। କିନ୍ତୁ ଏ ଫିଲ୍ମ ପାଇଁ ''ଲାସ''ର ପ୍ରଯୋଜକ ତାଙ୍କଠାରୁ କୌଣସି ଅନୁମତି ନେଇନଥିବା ଅଭିଯୋଗ କରିଛନ୍ତି ଦାନ ମାଝୀ ଓ ତାଙ୍କ ଉପରେ ପୂର୍ବରୁ ଫିଲ୍ମ କରିଥିବା ପ୍ରେମଜିତ୍। ଏଥିପାଇଁ ଉଭୟେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଦାନ ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ। ପୋଲିସ ପ୍ରଯୋଜକଙ୍କ ଏତଲା ଗ୍ରହଣ କରିଥିବା ବେଳେ ଦାନ ମାଝୀଙ୍କୁ କଳାହାଣ୍ଡି ଥୁଆମୂଳ ରାମପୁର ଥାନାରେ ଏତଲା ଦେବାକୁ ପରାମର୍ଶ ଦେଇଛି।

ଦାନ ମାଝୀଙ୍କ ଉପରେ ପାଟଣାଗଡ଼ର ପ୍ରେମଜିତ ପୁଟା କରିଥିବା ସିନେମାର ନାଁ ''ଦାନ ମାଝୀ ଦ ଟ୍ରାଜିକ୍ ଇନସିଡେଣ୍ଟ''। ଏ ଫିଲ୍ମ ଏବେ ମୁକ୍ତିଲାଭ ଅପେକ୍ଷାରେ। କିନ୍ତୁ ତା ପୂର୍ବରୁ ଦାନ ମାଝୀଙ୍କୁ ନେଇ, ତାଙ୍କ ବିନା ଅନୁମତିରେ ତିଆରି ହୋଇଥିବା ''ଲାସ୍'' ଫିଲ୍ମ ଏବେ ଇଣ୍ଡୋ ସିଙ୍ଗାପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ସାରିଲାଣି। ଯାହାକୁ କପି ରାଇଟର ଉଲ୍ଲଂଘନ କହି ବିରୋଧ କରିଛନ୍ତି ପ୍ରଯୋଜକ ପ୍ରେମଜିତ ପୁଟା। ସେପଟେ ସର୍ଟ ଫିଲ୍ମ ଲାସ୍ ର ପ୍ରଯୋଜକ ମନୋଜ ବାଗ୍ କହିଛନ୍ତି, ତାଙ୍କ ଫିକ୍ସନ ଫିଲ୍ମ କାହାଣୀର ଚରିତ୍ର କେବଳ ଦାନ ମାଝୀ ନୁହଁନ୍ତି। ଏମିତି ଘଟିଥିବା ଏକାଧିକ କାହାଣୀ ତାଙ୍କୁ ପ୍ରଭାବିତ କରିଥିଲା। ଏମିତିକି ଫିଲ୍ମରେ ସେ ଦାନଙ୍କ ନାଁ ମଧ୍ୟ ବ୍ୟବହାର କରିନାହାନ୍ତି।

ଏବେ ଦେଖିବାକୁ ବାକି ରହିଲା ଉଭୟ ଦାନ ମାଝୀ ଓ ତାଙ୍କୁ ନେଇ ସିନେମା ତିଆରି କରିଥିବା ପ୍ରଯୋଜକଙ୍କୁ ପୋଲିସ କିଭଳି ନ୍ୟାୟ ଦେଉଛି ? 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।