Heavy Rain: ମୁମ୍ବାଇରେ ପ୍ରବଳ ବର୍ଷା, ୩ ଦିନରେ ୬ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇ ଏବଂ ପୁନେରେ ଗତ ୩ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି। ମୁମ୍ବାଇ ସହରର ବିଭିନ୍ନ ଅଂଶ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ମିମିରୁ ଅଧିକ ବର୍ଷାଜଳ ଗ୍ରହଣ କରିଛି। ତେବେ ୩ ଦିନର ଲଗାଣ ବର୍ଷା ଯୋଗୁ ଗତ ୩ ଦିନ ମଧ୍ୟରେ ମୁମ୍ବାଇ, ଥାନେ ଏବଂ ପୁଣେରେ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜୁନ୍ ୩୦ ତାରିଖରେ ଚେମ୍ବୁର ପୂର୍ବରେ ଜଣେ ୧୧ ବର୍ଷୀୟ ବାଳକଙ୍କର ଗଛ ପଡ଼ି ମୃତ୍ୟୁ ହୋଇଗଲା। ସେ ଯାଉଥିବା ସ୍କୁଲ୍ ବସ୍ ଉପରେ ଗଛ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି।
ଏହାର ଠିକ୍ ୨ ଦିନ ପରେ ଅନ୍ୟ ଏକ ବର୍ଷା ଜନିତ କାରଣ ପାଇଁ ମୁମ୍ବାଇରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଅସଲମ ଇସାଫ ଶେଖ୍ଙ୍କର ଏକ ଖୋଲା ମ୍ୟାନହୋଲ୍ରେ ପଡ଼ି ମୃତ୍ୟୁ ହୋଇଯାଇଛି। ସେହିପରି ଥାନେରେ ମଧ୍ୟ ଗତକାଲି ୨ ଜଣଙ୍କର ବର୍ଷା ଜନିତ କାରଣ ପାଇଁ ମୃତ୍ୟୁ ହୋଇଥିଲା। ଜଳମଗ୍ନ ରାସ୍ତାରେ ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଏବଂ ଜଣେ କିଶୋରୀଙ୍କର ମୃତ୍ୟୁ ହୋଇଯାଇଛି।
Mumbai Man Falls Manhole: ମୁମ୍ବାଇରେ ବର୍ଷା ବିପତ୍ତି: ମ୍ୟାନହୋଲରେ ଭାସିଯାଇ ଜଣେ ବ୍ୟକ୍ତି ମୃତ
ଆଜି ମୀରା ଭୟନ୍ଦରରେ ପ୍ରବଳ ବର୍ଷା ଏବଂ ପବନ ଯୋଗୁ ଜଣେ ପୂର୍ବତନ ଉପ ମେୟରଙ୍କ ପୁଅଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ନାଁ ରାହୁଲ ଅଶୋକ ପାଟିଲ (୩୫)। ସଦାନନ୍ଦ ନଗରରେ ସେ ତାଙ୍କ ମୋଟରସାଇକେଲ୍ ଚଲାଉଥିବାବେଳେ ଏକ ନଡ଼ିଆ ଗଛ ହଠାତ୍ ଉପୁଡ଼ି ତାଙ୍କ ଉପରେ ପଡ଼ି ଯାଇଥିଲା। ୨ ଦିନ ସେ ହସ୍ପିଟାଲରେ ଚିକିତ୍ସାଧୀନ ରହିବାପରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ବାପା ହେଉଛନ୍ତି ମୀରା ଭୟନ୍ଦର ପୌର ନିଗମର ଜଣେ ପୂର୍ବତନ ଉପ ମେୟର।
ସେହିପରି ପୁଣେରେ ଆଜି ଲୋନି କଲଭୋର୍ ଅଞ୍ଚଳରେ ଆଜି ଏକ ଖୋଲା ଗାତରେ ପଡ଼ିଯାଇ ଜଣେ ୨ ବର୍ଷୀୟ ଶିଶୁ ଶୋହମ ଲଖନ କସ୍ବେର ମୃତ୍ୟୁ ହୋଇଯାଇଛି। ବର୍ଷାଜଳ ନିଷ୍କାସନ ପାଇଁ ଏହି ଗାତ ଖୋଳାଯାଇଥିଲା। ତେବେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ କଣ୍ଟ୍ରାକ୍ଟର ଅଧାରୁ କାମ ବନ୍ଦ କରିଦେବା ସହ ଗାତଟିକୁ ଖୋଲା ଛାଡ଼ିଦେବାରୁ ଏଥିରେ ପଡ଼ି ଶିଶୁଟିର ମୃତ୍ୟୁ ହୋଇଯାଇଛି। ଆସନ୍ତା ସପ୍ତାହାନ୍ତରେ ମୁମ୍ବାଇରେ ପ୍ରବଳ ବର୍ଷା ହେବା ନେଇ ଆଇଏମ୍ଡି ରେଡ ଆଲର୍ଟ ଜାରି କରିଛି।