Hardik Pandya Trade Buzz: ହାର୍ଦ୍ଦିକଙ୍କୁ ନେବାକୁ ସିଏସକେର ମେଗା ଅଫର୍, ଏମଆଇ ସହ ଟ୍ରେଡ୍ ଚର୍ଚ୍ଚା ଜୋରଦାର
ଆଇପିଏଲ୍ ୨୦୨୭ ପୂର୍ବରୁ ଟ୍ରେଡ୍ ବଜାରରେ ବଡ଼ ହଲଚଲ। ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିବାକୁ ଚେନ୍ନାଇ ସୁପର କିଙ୍ଗ୍ସ ଦେଇଛି ବଡ଼ ଅଫର୍। ତେବେ ଉଭୟ ଫ୍ରାଞ୍ଚାଇଜି ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ସହମତି ହୋଇନାହିଁ।
ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇର ଯୁବ ବ୍ୟାଟର ଆୟୁଷ ମହାତ୍ରେଙ୍କ ସହ ନଗଦ ଅର୍ଥ ଦାବି କରିଥିଲା। କିନ୍ତୁ ସିଏସକେ ୧୯ ବର୍ଷୀୟ ମହାତ୍ରେଙ୍କୁ ଛାଡ଼ିବାକୁ ରାଜି ନୁହେଁ।
ଏହାର ପ୍ରତିବଦଳରେ ସିଏସକେ ଶିବମ ଦୁବେ, ଦକ୍ଷିଣ ଆଫ୍ରିକାର ବ୍ୟାଟର ଡିୱାଲ୍ଡ ବ୍ରେଭିସ ଏବଂ ୧୦ କୋଟି ଟଙ୍କାର ନଗଦ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି।
ଯଦି ଏହି ଚୁକ୍ତି ସଫଳ ହୁଏ, ତେବେ ମୁମ୍ବାଇ ପାଇଁ ଏହା ୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଟ୍ରେଡ୍ ହୋଇପାରେ। ତେବେ ଆଇପିଏଲ୍ ୨୦୨୬ରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ଆଶାନୁରୂପ ନଥିଲା। ସେ ୨୦୬ ରନ୍ କରିଥିବାବେଳେ ମାତ୍ର ୪ଟି ୱିକେଟ୍ ନେଇଥିଲେ।
ବର୍ତ୍ତମାନ ଏହି ଟ୍ରେଡ୍କୁ ନେଇ ଦୁଇ ଫ୍ରାଞ୍ଚାଇଜି ମଧ୍ୟରେ ଆଲୋଚନା ଜାରି ରହିଛି। ଅନ୍ୟପଟେ, ଏହି ଚୁକ୍ତି ଭାଙ୍ଗିଗଲେ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ହାର୍ଦ୍ଦିକଙ୍କୁ ଦଳରେ ନେବା ଦୌଡ଼ରେ ସାମିଲ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।
ତେବେ ହାର୍ଦ୍ଦିକ ପାଣ୍ଡ୍ୟା ସତରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଯିବେ କି ନାହିଁ, ତାହା ଆସନ୍ତା କିଛି ଦିନ ମଧ୍ୟରେ ସ୍ପଷ୍ଟ ହେବ। ଏପର୍ଯ୍ୟନ୍ତ ଏହି ଟ୍ରେଡ୍କୁ ନେଇ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।