Gun Seized: ସର୍କିଟ୍ ହାଉସ୍ରୁ ବନ୍ଧୁକ ଜବତ ଘଟଣା: ଗ୍ୟାଙ୍ଗ୍ରେ ଆଉ କିଏ?
"ରାଉରକେଲା: ପାନପୋଷ ସର୍କିଟ୍ ହାଉସ୍ରୁ ବନ୍ଧୁକ ସହ ଅପରାଧୀ ଗିରଫ ଘଟଣାକୁ ୧୦ ଦିନ ବିତିଯାଇଥିଲେ ହେଁ ପ୍ରକାଶକୁ ଧରିପାରିନି ପୁଲିସ।
ସେପଟେ ତାକୁ କାବୁ କରିବାକୁ ପ୍ରତିଦିନ ନୂଆନୂଆ ରଣନୀତି କରି ପ୍ରୟୋଗ କରୁଛି ରାଉରକେଲା ପୁଲିସ।
ରାଜ୍ୟ ବାହାରେ ଥିବା ୪ଟି ଟିମ୍ ପ୍ରକାଶ ଆଶ୍ରୟ ନେଇପାରୁଥିବା ସମ୍ଭାବ୍ୟ ସ୍ଥାନଗୁଡ଼ିକରେ ଚଢ଼ଉ ଜାରି ରହିଛି।
ତେବେ ବିଶ୍ବସ୍ତସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପ୍ରକାଶ ପାସୱାନ ଗତ ୨/୩ ଦିନ ତଳେ ଯେଉଁ ସ୍ଥାନରେ ଥିଲେ ବର୍ତ୍ତମାନ ସେଠାରୁ ସ୍ଥାନ ବଦଳାଇ ଦେଇଛନ୍ତି।
ଅପରପକ୍ଷରେ ତାଙ୍କୁ ଧରିବାକୁ ଏକାଧିକ ଟିମ୍କୁ ମୁତୟନ ହୋଇଛନ୍ତି।
ତେବେ ପ୍ରକାଶକୁ ସହଯୋଗ କରୁଥିବା ଓ ଟଙ୍କା ଯୋଗାଉଥିବା ବ୍ୟକ୍ତିମାନଙ୍କ ଉଠାଇ ଗୋଟିଗୋଟି କରି ତନାଘନା ଜାରି ରହିଛି।
ସେପଟେ ୨୪ ତାରିଖରେ ରାଉରକେଲା ଏସ୍ଡିଜେଏମ୍ କୋର୍ଟରେ ଜାମିନବିହୀନ ପରୱାନା ପାଇଁ ହୋଇଥିବା ଆଦେବନକୁ ମଞ୍ଜୁରୀ ମିଳିଛି।
ଆଜିଠୁ ପ୍ରକାଶଙ୍କ ନାଁରେ ଏନ୍ବିଡବ୍ଲୁ ଜାରି ହୋଇଛି।
ଏହାସହ ସିଆଇଡି-ସିବିଙ୍କ ନିକଟରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିବାକୁ ମଧ୍ୟ ପ୍ରାର୍ଥନ କରାଯାଇଥିବା ସୂଚନା ମିଳିଛି।
ଅପରପକ୍ଷରେ ପୁଲିସ ଏହି ଘଟଣାରେ ଆଉଜଣେ ସହଯୋଗୀ ଜଲଦା ଅଞ୍ଚଳର ହାପି ତନ୍ତୀଙ୍କୁ ଉଠାଇଛି।
ପ୍ରକାଶଙ୍କ ସହ କେମିତି ଜଡ଼ିତ, କେଉଁ କେଉଁ କାମରେ ସେ ସହଯୋଗ କରୁଥିଲେ ସେସବୁ ବିଷୟ ନେଇ ତନାଘନା କରୁଛି।
ଏହି ଘଟଣାରେ ଏପର୍ଯ୍ୟନ୍ତ ପାନପୋଷ ଉପଜିଲ୍ଲାପାଳଙ୍କ ସହ ମୋଟ ୯ ଜଣଙ୍କୁ ପୁଲିସ ପଚରାଉଚରା କରିଛି।Advertisment ଦାଦାବଟି ପାଇଁ ଗ୍ୟାଙ୍ଗ୍ ଗଠନ କରିଥିଲେ ପ୍ରକାଶ ଗତ ଜୁଲାଇ ୧ ତାରିଖରେ ପ୍ରକାଶ ଦୀପ୍ତି ହୋଟେଲ୍ ନିକଟରେ ଆକ୍ରମଣର ଶିକାର ହୋଇଥିଲେ।
ଏହାପରେ ସେ ସହରର ପେସାଦାର ଅପରାଧୀମାନଙ୍କୁ ନେଇ ଏକ ଗ୍ୟାଙ୍ଗ୍ ଗଠନ କରିବାକୁ ଯୋଜନା କରିଥିଲେ।
ଯୋଜନା ଥିଲା ନିଜକୁ ସୁରକ୍ଷିତ ରଖିବା ଓ ବେଆଇନ ଭାବେ ଟଙ୍କା ଆଦାୟ କରିବା।
ଏମିତି କି ଅପରାଧୀ ବିକାଶ ଡୁଙ୍ଗରୀକୁ ନିଜର ଅତି ଘନିଷ୍ଠ କରି ରଖିଥିଲେ।
ବ୍ଲୁ-ପ୍ରିଣ୍ଟ ତିଆରୁଥିଲା ଶରତଏହି ଲୋମହର୍ଷକଣକାରୀ ମାମଲାରେ ଆଉଜଣେ ଅଭିଯୁକ୍ତଙ୍କ ନାଁ ସାମ୍ନାକୁ ଆସିଛି।
ସେ ହେଉଛନ୍ତି ଶରତ ସାହୁ।
ବାସ୍ତବରେ ଗତ ୩/୪ ବର୍ଷ ହେଲା ଶରତ ଓ ପ୍ରକାଶଙ୍କ ମଧ୍ୟରେ ସୁସମ୍ପର୍କ ରହିଥିଲା।
ଶରତ ୨୦୨୫ ମସିହାରେ ଏକ ସାଇବର ଠକେଇ ମାମଲାରେ ଗିରଫ ହୋଇ ଦୀର୍ଘଦିନ ଧରି ଜେଲ୍ରେ ରହିଥିଲେ।
ଜେଲ୍ରୁ ବାହାରିବାପରେ ତାଙ୍କୁ ପ୍ରକାଶ ନିଜ କାର୍ଯ୍ୟାଳୟରେ ରଖିଥିଲେ।
ଏମିତିକି ପ୍ରକାଶ ନିଜର କାଟ୍ତି ଦେଖାଇ ଶରତଙ୍କ ନାଁରେ ଏକାଧିକ ଠିକା ପ୍ରଦାନ କରିଥିଲେ।
ପ୍ରକାଶଙ୍କ ସୁପାରିସ୍କ୍ରମେ ଶରତଙ୍କୁ ନିର୍ଦ୍ଦିଷ୍ଟ ଅଞ୍ଚଳର ପାର୍କିଂ ପରିଚାଳନା ଦାୟିତ୍ବ ଦିଆଯାଇଥିଲା।
ପ୍ରକୃତରେ ଶରତ ହିଁ ପ୍ରକାଶଙ୍କ ମାର୍ଗଦର୍ଶକଭାବେ କାମ କରୁଥିଲେ।
ସେ ହିଁ ଟଙ୍କା ଆଦାୟ କରିବାର ବ୍ଲୁପ୍ରିଣ୍ଟ୍ ତିଆରି କରିବା ସହ କିଭଳି ସଫଳତାର ସହ ଆଦାୟ ହେବ, ତା"ର ରୋଡ୍ମ୍ୟାପ୍ ପ୍ରସ୍ତୁତ କରୁଥିଲେ।
ପରେ ପ୍ରକାଶଙ୍କ ଜରିଆରେ ଚାପ ପକାଇ ଟଙ୍କା ଆଦାୟ କରୁଥିଲେ।
ଘଟଣା ଦିନ, ଅର୍ଥାତ୍ ଅଗଷ୍ଟ ୧୪ ତାରିଖ ଦିନ ଶରତ ମଧ୍ୟ ସର୍କିଟ୍ ହାଉସ୍ରେ ଉପସ୍ଥିତ ଥିଲେ।
ତେବେ ପୁଲିସ୍ ଚଢଉ ଜାଣି ସେଠାରୁ ଚତୁରତାର ସହ ଫେରାର୍ ହୋଇଯାଇଥିଲେ।
ଅସ୍ତ୍ରଶସ୍ତ୍ର ଯୋଗାଉଥିଲା ରାଜେଶଏହି ଗ୍ୟାଙ୍ଗ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା ବିହାର ମୁଙ୍ଗେର୍ ଅଞ୍ଚଳର ମୂଳବାସିନ୍ଦା ତଥା ରେଲୱେ କଲୋନିର ରାଜେଶ ସାହୁ।
ତାଙ୍କ ନାଁରେ ଏକାଧିକ ମାମଲା ରହିଥିବା ପୁଲିସ ସୂଚନାରୁ ପ୍ରକାଶ।
ସେ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ପୂର୍ବରୁ ଗିରଫ ବି ହୋଇଥିଲେ।
ତାଙ୍କୁ ୨୦୨୫ ଅଗଷ୍ଟ ମାସରେ ୧୦ଟି ବନ୍ଧୁକ ସହ ରାଉରକେଲା ପୁଲିସ ଗିରଫ କରିଥିଲା।
ପ୍ରକାଶଙ୍କ ନେତୃତ୍ବରେ ଚାଲିଥିବା ଏହି ଗ୍ୟାଙ୍ଗ୍କୁ ରାଜେଶ ହିଁ ବିଭିନ୍ନ କିସମର ବନ୍ଧୁକ ଯୋଗାଉଥିଲା।
ତେବେ କେଉଁଠାରୁ ବନ୍ଧୁ ଆଣୁଥିଲା, ତାହା ତଦନ୍ତାଧୀନ ରହିଛି।
ଟେଣ୍ଡର୍ ଫିକ୍ସିଂରେ ମାତିଥିଲେଗତ ୧୪ ତାରିଖ ଦିନ ସର୍କିଟ୍ ହାଉସ୍ରେ ବିକାଶ, ନାରାୟଣ, ଶରତ ଓ ସାଗର ଉପସ୍ଥିତ ଥିଲେ।
ପ୍ରତିଦିନି ଭଳି ସେମାନଙ୍କର ମଦରଆସର ଜମିଗିଥିଲା।
ପୁଲିସ ଚଢଉ ବିଷୟରେ ଜାଣି ଶରତ ଓ ସାଗର ସେଠାରୁ ଚମ୍ପଟ୍ ମାରିଥିଲେ।
ବିକାଶ ଓ ନାରାୟଣ ପୁଲିସ ହାତରେ ଧରାପଡ଼ିଯାଇଥିଲେ।
ପରେ ସାଗରକୁ ଢେଙ୍କାନାଳ ଦଦରା ଘାଟିରୁ ଗିରଫ କରାଯାଇଥିଲା।
ଉକ୍ତଦିନ ଶରତ ଉପସ୍ଥିତିରେ ସାଗର ଟ୍ରାଫିକ୍ ଗେଟି ମାର୍କେଟ୍ର ଟେଣ୍ଡିର ଫିକ୍ସିଂ କରିଥିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି।
ଉଲ୍ଲେଖଯୋଗ୍ୟ, ଗତ ୧୨ ତାରିଖରେ ଗାର୍ଡେନ୍ ବାର୍ ନିକଟରେ ଜେଲ୍ରୋଡ୍ର ଅଭିଷେକ ଧଳଙ୍କୁ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିଲା ବିକାଶ ଡୁଙ୍ଗରୀ।
ତେବେ ତାକୁ ଧରିବାକୁ ଯାଇ ପୁଲିସ ଏହି ଗ୍ୟାଙ୍ଗ୍କୁ ସଫଳତାର ସହ ଠାବ କରିଛି।
ଉପଜିଲ୍ଲାପାଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?ରାଉରକେଲା ସର୍କିଟ୍ ହାଉସ୍ରୁ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ମାମଲାରେ ଏବେ ପ୍ରଶାସନିକ ଅବହେଳାକୁ ନେଇ ଗମ୍ଭୀର ଅଭିଯୋଗ ଆସିଛି।
ସମଗ୍ର ଘଟଣାର ମାଷ୍ଟର୍ମାଇଣ୍ଡ୍ କୁହାଯାଉଥିବା ପ୍ରକାଶ ପାଶ୍ବାନଙ୍କ ପ୍ରତି ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକଙ୍କ ଅହେତୁକ ଅନୁକମ୍ପା ପଛର ଅସଲ ଉଦ୍ଦେଶ୍ୟ କ"ଣ?
ତାହା ସବୁଠାରୁ ବଡ଼ ପ୍ରଶ୍ନ।
କେବଳ ମୌଖିକଭାବେ ପ୍ରକାଶଙ୍କ ସୁପାରିସ୍ରେ ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ସର୍କିଟ୍ ହାଉସ୍କୁ ଅପରାଧୀଙ୍କ ହାତକୁ ଟେକି ଦେଇଥିବା ଉପଜିଲ୍ଲାପାଳଙ୍କ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର୍ ଧରିଲାଣି।
ଅଭିଯୋଗ ଅନୁଯାୟୀ, ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ ମୁଖ୍ୟ ସୂତ୍ରଧର ପ୍ରକାଶଙ୍କୁ ଅଯଥା ଅନୁଗ୍ରହ ଦେଖାଇ କୌଣସି ଯାଞ୍ଚ ନକରି ସର୍କିଟ୍ ହାଉସ୍ରେ ରୁମ୍ ବୁକ୍ କରିବାକୁ ଅନୁମତି ଦେଇଥିଲେ।
ଏହି କାରଣରୁ ଦୁର୍ଦ୍ଦାନ୍ତ ଅପରାଧୀମାନେ ପ୍ରାୟ ୨୩ ଦିନ ଧରି ସେଠାରେ ଆତ୍ମଗୋପନ କରି ରହିଥିଲେ, ଯାହା ସମ୍ପୂର୍ଣ୍ଣ ବେଆଇନ ଓ ସୁରକ୍ଷା ନିୟମର ଖୋଲାଖୋଲି ଉଲ୍ଲଂଘନ।
ସରକାରୀ ଅତିଥି ଭବନକୁ ଅପରାଧୀଙ୍କ ଆଡ୍ଡାସ୍ଥଳୀରେ ପରିଣତ କରାଯାଇଥିବା ବେଳେ ଏଭଳି ସମ୍ବେଦନଶୀଳ ଘଟଣାରେ ଉପଜିଲ୍ଲାପାଳଙ୍କ ଭୂମିକାକୁ ନେଇ ଜନସାଧାରଣ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ରାଉରକେଲା ପୁଲିସ ଏହି ମାମଲାରେ ଉପଜିଲ୍ଲାପାଳଙ୍କୁ ଜେରା କରିସାରିଥିଲେ ମଧ୍ୟ ରାଜ୍ୟ ସରକାର ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ କୌଣସି ଦୃଢ଼ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି, ଯାହା ସରକାରଙ୍କ ସ୍ବଚ୍ଛ ଶାସନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସରକାରଙ୍କ ଏହି ନିରବତା ଓ କାର୍ଯ୍ୟାନୁଷ୍ଠାନରେ ମନ୍ଥରତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି।
Sundargarh: ସୁନ୍ଦରଗଡ଼ ଜେଲର ହତ୍ୟା ଅଭିଯୁକ୍ତ ଚମ୍ପଟ ଉଲ୍ଲେଖଯୋଗ୍ୟ, ଉପଜିଲ୍ଲାପାଳ ପୁଲିସ ଜେରା ବେଳେ ଅପରାଧୀଙ୍କ ରହଣି ବିଷୟରେ ଅବଗତ ନ ଥିବା କୁଆଡ଼େ କହିଥିଲେ।
ପ୍ରକାଶଙ୍କ ଅନୁରୋଧ କ୍ରମେ ସେ ଜୁଲାଇ ୨୧ ରୁ ୨୩ ପର୍ଯ୍ୟନ୍ତ ଗୋଟିଏ ରୁମ୍ ବୁକ୍ କରିବାକୁ ଅନୁମତି ଦେଇଥିଲେ।
ଅପରାଧୀମାନେ କିଭଳି ଦୁଇଟି ରୁମ୍ ମାଡ଼ି ବସିଲେ, ସେ ବିଷୟରେ ସେ ଆଦୌ ଜାଣିନଥିଲେ।
ଏହାସହ ରୁମ୍ ଆବଣ୍ଟନ ପ୍ରକ୍ରିୟା ସହକାରୀ ଜିଲ୍ଲାପାଳ (ନିଜାରତ ଅଧିକାରୀ), ଷ୍ଟେନୋଗ୍ରାଫର ଏବଂ ଦାୟିତ୍ୱରେ ଥିବା ପ୍ରାଇଭେଟ୍ ଏଜେନ୍ସି ସମନ୍ୱୟ ରକ୍ଷା କରନ୍ତି ବୋଲି କହିଥିଲେ।
ତିନ ସପ୍ତାହରୁ ଅଧିକ ସମୟଧରି ଅପରାଧୀ ସର୍କିଟ୍ ହାଉସ୍ରେ ରହିବା, ସାମାଜିକ ଗଣମାଧ୍ୟମରେ ଲାଇଭ୍କରି ଧମକଚମକ ଦେବା, ସର୍କିଟ୍ ହାଉସ୍ କର୍ମଚାରୀଙ୍କୁ ମାଡ଼ପିଟ୍ କରିବା, ଏକାଧିକ ଅପରାଧୀଙ୍କ ଅବାଧ ପ୍ରବେଶ ଓ ପାର୍ଟିର ଆୟୋଜନ ଚାଲୁଥିବା ସତ୍ତ୍ବେ ବିଭାଗୀୟ ଅଧିକାରୀ କିଛି ସୁରାକ୍ ନ ପାଇବା, ତାଙ୍କର କାର୍ଯ୍ୟକଳାପ ପ୍ରତି ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ୍।
ଏହି ବେଆଇନ କାର୍ଯ୍ୟର ନିରପେକ୍ଷ ତଦନ୍ତ ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର୍ ଧରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
