Govt to Provide Rental Housing ସହରରେ ସରକାର ଯୋଗାଇବେ ’ଭଡ଼ା ଘର’, ମାସିକ ୫ଶହରୁ ୧୫ଶହ ଟଙ୍କା
"ଭୁବନେଶ୍ବର(ବିଶ୍ବଜିତ ଦାଶ): ରାଜ୍ୟର ସମସ୍ତ ସହରାଞ୍ଚଳରେ ବେଆଇନ ଭାବେ ବସ୍ତି ସଂଖ୍ୟା ବଢ଼ୁଥିବାବେଳେ ଏହା ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରୁଛନ୍ତି।
ସମସ୍ତ ସହରାଞ୍ଚଳରେ ପିଏମ୍-ଆବାସ(ସହରାଞ୍ଚଳ) ୨.୦ରେ ଯେଉଁ ଘର ନିର୍ମାଣ କରାଯିବ ସେଥିରୁ ଅଧା ବସ୍ତିବାସିନ୍ଦା ଏବଂ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ବିକ୍ରି ହେବାକୁ ଥିବାବେଳେ ବାକି ଘର ସରକାର ଭଡ଼ାରେ ଲଗାଇବେ।
ଏହାର ନୋଡାଲ ସଂସ୍ଥା ଭାବେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ କାର୍ଯ୍ୟ କରିବ।
କେଉଁ ଘର ଭଡ଼ାରେ ଲାଗିବ ଏବଂ କେମିତି ଅର୍ଥ ଆଦାୟ ହେବ ସେ ଦାୟିତ୍ବ ସ୍ଥାନୀୟ ପୌରସଂସ୍ଥାର ରହିବ ବୋଲି ନିଷ୍ପତ୍ତି ହୋଇଛି।Advertisment ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ଚିଠା ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ,୨୦୨୬ ଆଣିଛନ୍ତି।
ଏହା ଉପରେ ଲୋକଙ୍କ ଠାରୁ ମତାମତ ମଗାଯାଇଛି।
ମତାମତ ମିଳିବା ପରେ ଏହାକୁ ଲାଗୁ କରିବାକୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ।
ଏହି ନିୟମ ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ପିଏମ୍-ଆବାସ (ସହରାଞ୍ଚଳ) ୨.୦ରେ ଘର ନିର୍ମାଣ କରି ଲୋକଙ୍କୁ ଶସ୍ତାରେ ଭଡ଼ାରେ ଦିଆଯିବ।
ଏବେ ବହୁ ଛାତ୍ରଛାତ୍ରୀ, ଶ୍ରମିକ, ଛୋଟ ବ୍ୟବସାୟୀ, ବିଭିନ୍ନ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ସହରାଞ୍ଚଳରେ ଘର ଭଡ଼ା ପାଇବାରେ ସମସ୍ୟା ହେଉଛି।
ତେଣୁ ସେମାନେ ବସ୍ତି ମୁହାଁ ହେଉଛନ୍ତି।
ଏହାଦ୍ବାରା ବେଆଇନ ଭାବେ ବସ୍ତି ବଢ଼ୁଛି।
ତେଣୁ ସେମାନଙ୍କୁ ଶସ୍ତାରେ ପକ୍କା ଘର ଭଡ଼ାରେ ଯୋଗାଇଲେ ସେମାନେ ଆଉ ବସ୍ତିକୁ ଯିବେନି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନଗର ଉନ୍ନୟନ ବିଭାଗ ପକ୍ଷରୁ ପିଏମ୍ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ପ୍ରାୟ ୧ଲକ୍ଷ ୬୦ହଜାର ଘର ନିର୍ମାଣ କରାଯାଇଛି।
ହେଲେ ବହୁ ଘର ବିକ୍ରି ନହୋଇ ଖାଲି ପଡ଼ିଛି।
ତେଣୁ ସରକାର ଏହାକୁ ଭଡ଼ା ସୂତ୍ରରେ ଦେବାକୁ ଲକ୍ଷ୍ୟ ରଖିଛନ୍ତି।
ଏହାସହ ଏବେ ସରକାରଙ୍କ ନିୟମ ଅନୁଯାୟୀ, ରିଅଲ ଇଷ୍ଟେଟ୍ ସଂସ୍ଥାଗୁଡ଼ିକ ବଡ଼ ପ୍ରକଳ୍ପ କଲେ ସେମାନଙ୍କ ପ୍ରକଳ୍ପର ୧୦ରୁ ୨୦% ପର୍ଯ୍ୟନ୍ତ ଘର ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ନିର୍ମାଣ କରିବେ।
ତେଣୁ ଏହି ସବୁ ଘରକୁ ଯେପରି ଭଡ଼ା ସୂତ୍ରରେ ଲଗାଯାଇପାରିବ ସେନେଇ ସରକାର ଏହି ଯୋଜନା ଆପଣାଇଛନ୍ତି।
ଏଥିରେ ଘର ପିଛା ୫୦୦ରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଭଡ଼ା ଆଦାୟ ହେବ।
ଏଥିପାଇଁ ସ୍ଥାନୀୟ ପୌରସଂସ୍ଥା ଆବଶ୍ୟକୀୟ ପଦକ୍ଷେପ ନେବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।