Good News: ଗାଁର ଭଙ୍ଗା ଆଡ଼ିବନ୍ଧ ସଜାଡ଼ିଲେ ଆଦିବାସୀ
"କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ କାଳିଆପାଣି ସର୍କଲ କଅଁସ ପଞ୍ଚାୟତ ସଂପୂର୍ଣ୍ଣ ଆଦିବାସୀ ବସବାସ କରୁଥିବା ବାଲିପଡ଼ା(ବାଲିପୁରା) ମୌଜାର ଉପର ମୁଣ୍ଡରେ ଥିବା ଆଡ଼ିବନ୍ଧ ୭ ବର୍ଷ ଧରି ଭଙ୍ଗାଦଦରା ଅବସ୍ଥାରେ ରହିଛି।
ମରାମତି ଅଭାବରୁ ଆଡ଼ିବନ୍ଧରେ ପାଣି ସଂରକ୍ଷଣ ହୋଇପାରୁନି।
ଭାଙ୍ଗିରୁଜି ଯାଇଥିବା ଶାଖା କେନାଲକୁ ବି ପାଣି ପଶୁନାହିଁ।
Advertisment ମରାମତି ଓ ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ସରପଞ୍ଚଙ୍କ ଜରିଆରେ ପ୍ରତିବର୍ଷ ବ୍ଲକ ପ୍ରଶାସନ, କ୍ଷୁଦ୍ର ଜଳସେଚନ ବିଭାଗ ଓ ସ୍ଥାନୀୟ ଖଣି କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଦିଆଯାଉଛି।
ହେଲେ ଏହାର ରକ୍ଷଣାବେକ୍ଷଣ ଓ ମରାମତି ଦିଗରେ କେହି କର୍ଣ୍ଣପାତ କରୁନଥିବା କିମ୍ବା ପଦକ୍ଷେପ ନେଇନଥିବା ଗ୍ରାମବାସୀ ଅଭିଯୋଗ କରନ୍ତି।
ପ୍ରସଙ୍ଗକୁ ନେଇ ଗାଁ ସଭାପତି ବୈଦ୍ୟନାଥ ମୁର୍ମୁଙ୍କ ଆହ୍ବାନରେ ଅନୁଷ୍ଠିତ ଗ୍ରାମସଭାରେ ଚିନ୍ତା ପ୍ରକଟ କରାଯାଇଥିଲା।
ନିଜସ୍ବ ଉଦ୍ୟମରେ ମରାମତି କାମ ପାଇଁ ଯୋଜନା ହୋଇଥିଲା।
ଗାଁର ୨ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମା"ଶକ୍ତି ଓ ବିଦୁ ଚନ୍ଦନ ପକ୍ଷରୁ ସହଯୋଗ କରାଯିବ ବୋଲି ସଭାପତି ବାସନ୍ତୀ ମୁର୍ମୁ ଓ ସମ୍ପାଦକ ଦାନ୍ଗୀ ମୁର୍ମୁ ଏବଂ ରେବତୀ ଲୋହାର ଓ ସୀତା ମାରାଣ୍ଡି ପ୍ରତିଶ୍ରୁତି ଦେଇଥିଲେ।
ଟିକରପଡ଼ା ପାହାଡ଼ରୁ ପ୍ରବାହିତ ଝରଣାର ଜଳ ସଂରକ୍ଷଣ ପାଇଁ ୨୦୦୫ ମସିହାରେ ମାଡା(ମୋଡିଫାଏଡ୍ ଏରିଆ ଡେଭେଲପମେଣ୍ଟ୍ ଏଜେନ୍ସି) ଯୋଜନାରେ ଏକ ଆଡ଼ିବନ୍ଧ ନିର୍ମାଣ କରାଯାଇ ବର୍ଷାଜଳକୁ ସଂରକ୍ଷଣ କରି ଦୋ"ଫସଲି ଚାଷ ଯୋଜନା କରାଯାଇଥିଲା।
ଗାଁ ସୀମାନ୍ତ ଦୁଇ ପାହାଡ଼ ଖୋଲ ମଧ୍ୟବର୍ତ୍ତୀ ସ୍ଥାନରେ ମାତ୍ର ୩୦ ଫୁଟ୍ ଦୈର୍ଘ୍ୟର ଆଡ଼ିବନ୍ଧ ନିର୍ମାଣ କରାଯାଇଥିଲା।
ଏଠାରୁ କେନାଲରେ ବାଲିପୁରା ମୌଜାର ଶ୍ୟାମସାହି, ଜେଣସାହି, ବାଘରାଇସାହି ଓ ମଶସାହି ଏବଂ କଅଁସ ଜାରିଗିସାହି ଓ କମର୍ଦ୍ଦା ଗାଁର ୫ଶହ ଏକରରୁ ଅଧିକ ଜମିକୁ ଜଳସେଚନ କରାଯାଉଥିଲା।
ତେବେ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଆଡ଼ିବନ୍ଧ ଓ ଦଦରା କେନାଲ ଆଶାନୁରୂପ ଭାବେ ଚାଷବାସରେ ସହାୟକ ହୋଇପାରୁନଥିବା ସାଧାରଣରେ ଅଭିଯୋଗ ହୁଏ।
ବନ୍ଧରେ ଆବଶ୍ୟକ ପାଣି ରହୁନାହିଁ।
କେନାଲର ଫଟା କାନ୍ଥବାଟେ ପାଣି ସବୁ ତଳମୁଣ୍ଡରେ ଥିବା ଡମଶାଳ ନାଳ ଆଡ଼କୁ ଅକାରଣରେ ବହି ଯାଉଛି।
ସେହିପରି ଏବର୍ଷ ବର୍ଷା ଅଭାବରୁ ପାର୍ଶ୍ବସ୍ଥ କ୍ଷେତରେ ଖରିଫ୍ ଧାନଚାଷ ଆରମ୍ଭ ହୋଇପାରିନାହିଁ।
ଚାଷୀ ତଳି ପକାଇବାକୁ ସାହସ ଜୁଟାଇ ପାରୁନି।
ପରିସ୍ଥିତିର ମୁକାବିଲା ପାଇଁ ଗ୍ରାମସଭାରେ ଆଡ଼ିବନ୍ଧ ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ହୋଇଥିଲା।
୧୦ଟି ସିମେଣ୍ଟ୍ ବସ୍ତା ଅଣାଯାଇଥିଲା। suspicious death case ପୁଲିସ ରଖିଲାନି ଅଭିଯୋଗ, ଆରଡ଼ି ଫାଣ୍ଡି ଘେରିଲେ ଶତାଧିକ ଗ୍ରାମବାସୀ ଆଖପାଖରୁ ବଡ଼ବଡ଼ ପଥର ଗୋଟାଇ ଏହାକୁ ହାତୁଡ଼ିରେ ପିଟି ଚିପ୍ସ ସାଇଜ୍ କରାଯାଉଛି।
ନାଳଶଯ୍ୟାରୁ ବାଲି ଉଦ୍ଧାର କରାଯାଉଛି।
୨ ଦିନ ଧରି ଆଡ଼ିବନ୍ଧର ଗାଡ଼ ଓ ଫାଟ ମରାମତି କାମ ଜାରିରହିଛି।
ଭଜୁ ମୁର୍ମୁ, ଲକ୍ଷ୍ମଣ ଲୋହାର, ବୁଧୁରାଇ ମୁର୍ମୁ, ଲକ୍ଷ୍ମୀ ମୁର୍ମୁ, ଦିଉଗି ଟୁଡ଼ୁ, ମିନି ମୁର୍ମୁ, ସୁନ୍ଦରା ମାରାଣ୍ଡି, କାରାନ ହେମ୍ବ୍ରମ, ସାଲଖାନ ମାରାଣ୍ଡି, ଅଜୟ ଲୋହାର, ଧନୁ ମାରାଣ୍ଡି ପ୍ରମୁଖ ଶ୍ରମଦାନ କରିଛନ୍ତି।
ଗ୍ରାମବାସୀଙ୍କ ନିଜସ୍ବ ଉଦ୍ୟମରେ ତଥା ସୀମିତ ବୈଷୟିକ ଜ୍ଞାନ ଓ ନିର୍ମାଣ ଶୈଳୀରେ ଅନଭିଜ୍ଞତା କାରଣରୁ ମରାମତି କାର୍ଯ୍ୟର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆଉ ୧୦ଟି ସିମେଣ୍ଟ୍ ଆବଶ୍ୟକ ପଡ଼ୁଥିଲେ ହେଁ ସମ୍ବଳ ଅଭାବରୁ ସଂପୂର୍ଣ୍ଣ ମରାମତି କାମ ଆଗେଇ ପାରୁନଥିବା ଗାଁ ସଭାପତି ଶ୍ରୀ ମୁର୍ମୁ ଅଭିଯୋଗ କରନ୍ତି।
ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଧାନଚାଷରେ ଥୋଡ଼ ଓ ଫୁଲ ଉଡ଼ାଇବା ବେଳରେ ପାର୍ଶ୍ବସ୍ଥ ଜମିରେ ଜଳାଭାବ ପରିସ୍ଥିତି ଗ୍ରାମବାସୀଙ୍କୁ ଚିନ୍ତାରେ ପକାଇଆସୁଛି।
ଲୋକେ ଭଙ୍ଗା କେନାଲରେ ପଥର ପ୍ୟାକିଂ କରିବା ସହ ଖୋଲରେ ପତ୍ରଚୁଣ୍ଟା ଦେଇ ଜମିକୁ ପାଣି ମଡ଼ାଇଥାନ୍ତି। ଏ ସଂପର୍କରେ ବ୍ଲକର କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀ ଇଂ ରଙ୍କମିଧି ମାଝୀଙ୍କୁ ପଚାରିବାରେ ପରିସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।
"