Gold Ring for Newborns: ନବଜାତ ଶିଶୁଙ୍କୁ ସୁନା ମୁଦି ଦେବେ ସରକାର, ୭୫୫ କୋଟି ଟଙ୍କା ମଞ୍ଜୁର

Jun 27, 2026 - 14:44
Gold Ring for Newborns: ନବଜାତ ଶିଶୁଙ୍କୁ ସୁନା ମୁଦି ଦେବେ ସରକାର, ୭୫୫ କୋଟି ଟଙ୍କା ମଞ୍ଜୁର

ତାମିଲନାଡୁ (Tamil Nadu)ସରକାର ନବଜାତ ଶିଶୁମାନଙ୍କ ପାଇଁ ଏକ ନୂଆ ଜନକଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଜନ୍ମ ନେଉଥିବା ପ୍ରତ୍ୟେକ ନବଜାତ ଶିଶୁଙ୍କୁ ୧ ଗ୍ରାମ ଓଜନର ଏକ ସୁନା ମୁଦି ଉପହାର ଭାବେ ପ୍ରଦାନ କରାଯିବ।

କ'ଣ ଏହି ଯୋଜନା

ଏହି ଯୋଜନାର ନାମ ‘ଥାଇମାମାନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’ (Thaimaman Thanga Mothiram Thittam) ରଖାଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଏହି ଯୋଜନା ସେପ୍ଟେମ୍ବର ୧୫ ତାରିଖରୁ କାର୍ଯ୍ୟକାରୀ ହେବ। ସରକାରଙ୍କ କହିବା ଅନୁସାରେ, ପ୍ରତ୍ୟେକ ସୁନା ମୁଦିର ମୂଲ୍ୟ ପ୍ରାୟ ୧୩,୬୦୦ ଟଙ୍କା ରହିବ। ଯେଉଁ ଶିଶୁ ସରକାରୀ ହସ୍ପିଟାଲରେ ଜନ୍ମ ନେବେ, ସେମାନଙ୍କୁ ଏହି ଉପହାର ପ୍ରଦାନ କରାଯିବ। ଏଥିପାଇଁ ସରକାର ୭୫୫.୮୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ରାଜ୍ୟ ସରକାର କହିଛନ୍ତି ଯେ, ଏହି ଯୋଜନା ତାମିଲ ସଂସ୍କୃତିର ‘ଥାଇମାମାନ୍ ସୀର୍’ (Thaimaman Seer) ପରମ୍ପରାରୁ ପ୍ରେରିତ। ଏହି ପରମ୍ପରାରେ ନବଜାତ ଶିଶୁର ଜନ୍ମ ପରେ ମା’ଙ୍କ ଭାଇ, ଅର୍ଥାତ୍ ମାମୁଁ, ଶିଶୁକୁ ଉପହାର ଦେଇ ତାକୁ ସ୍ୱାଗତ କରିବା ସହ ମାତୃତ୍ୱକୁ ସମ୍ମାନ ଜଣାଇଥାନ୍ତି। ଏହି ପରମ୍ପରାକୁ ଆଧାର କରି ତାମିଲନାଡୁ ସରକାର କହିଛନ୍ତି ଯେ, ଏହି ଯୋଜନା ମାଧ୍ୟମରେ ସରକାର ନିଜେ ନବଜାତ ଶିଶୁଙ୍କ ପାଇଁ ‘ମାମୁଁ’ ହୋଇ ସୁନା ମୁଦି ଦେବେ। ଏହା କେବଳ ଏକ ଉପହାର ନୁହେଁ, ବରଂ ନବଜାତ ଶିଶୁ ଓ ମା’ଙ୍କ ପ୍ରତି ସରକାରଙ୍କ ସ୍ନେହ, ଯତ୍ନ ଓ ସମ୍ମାନର ପ୍ରତୀକ ବୋଲି କୁହାଯାଇଛି।

ଏହି ଯୋଜନା ମାଧ୍ୟମରେ ସରକାରୀ ହସ୍ପିଟାଲରେ ପ୍ରସବକୁ ଅଧିକ ପ୍ରୋତ୍ସାହନ ମିଳିବା ସହ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆହୁରି ମଜବୁତ କରିବାରେ ସହାୟକ ହେବ ବୋଲି ତାମିଲନାଡୁ ସରକାର ଆଶା ପ୍ରକାଶ କରିଛନ୍ତି।