Godrej: ଗୋଦରେଜ ସାବୁନର କାହାଣୀ ଜାଣିଛନ୍ତି କି? ୧୯୧୮ରେ ପ୍ରସ୍ତୁତ ହୋଇଥିଲା ବିଶ୍ୱର ପ୍ରଥମ ପଶୁ-ଚର୍ବିହୀନ ସାବୁନ୍
ନୂଆଦିଲ୍ଲୀ: ଭାରତୀୟ ବ୍ୟାବସାୟିକ ଜଗତରେ ଗୋଦରେଜ୍ ଗ୍ରୁପ୍ର ଇତିହାସ ଅତ୍ୟନ୍ତ ଗୌରବମୟ। ଆଜିକୁ ପ୍ରାୟ ଏକ ଶତାବ୍ଦୀରୁ ଅଧିକ ସମୟ ପୂର୍ବେ, ଅର୍ଥାତ୍ ୧୯୧୮ ମସିହାରେ ଗୋଦରେଜ୍ ପକ୍ଷରୁ ବିଶ୍ୱର ପ୍ରଥମ ବ୍ୟବସାୟିକ ଭିତ୍ତିରେ ଭେଜେଟେବଲ୍ ଅଏଲ୍ ବ୍ୟବହାର କରି ସାବୁନ୍ ପ୍ରସ୍ତୁତ କରାଯାଇଥିଲା। ସେହି ସମୟରେ ବିଦେଶରୁ ଆସୁଥିବା ଅଧିକାଂଶ ସାବୁନରେ ପଶୁମାନଙ୍କର ଚର୍ବି ବ୍ୟବହାର କରାଯାଉଥିଲା।
ଭାରତ ଭଳି ସମ୍ବେଦନଶୀଳ ବଜାରରେ ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ଦୃଷ୍ଟିରେ ରଖି ଗୋଦରେଜ୍ର ପ୍ରତିଷ୍ଠାତା ଆର୍ଦେଶିର ଗୋଦରେଜ୍ ଏକ ବୈପ୍ଲବିକ ପଦକ୍ଷେପ ଗ୍ରହଣ କରିଥିଲେ। ତାଙ୍କ ମନରେ ପ୍ରଶ୍ନ ଆସିଥିଲା ଯେତେବେଳେ ସାବୁନ୍ ଉଦ୍ଭିଦ ତେଲରୁ ପ୍ରସ୍ତୁତ ହୋଇପାରିବ, ତେବେ ସେଥିରେ ପଶୁ-ଚର୍ବିର ବ୍ୟବହାର କାହିଁକି କରାଯିବ? ଏହି ଚିନ୍ତାଧାରା ସହ ସେ ଗବେଷଣା ଆରମ୍ଭ କରିଥିଲେ।
ଆହୁରି ପଢନ୍ତୁ: Delhi Police: ସୌରଭ-ଆଶୁତୋଷଙ୍କ ସମସ୍ୟା ବଢ଼ିଲା: ନୋଟିସ୍ ପଠାଇଲା ଦିଲ୍ଳୀ ପୁଲିସ
ସ୍ପେନିସ୍ ଫ୍ଲୁ ମହାମାରୀ ସମୟରେ ଆରମ୍ଭ ହୋଇଥିଲା ଯାତ୍ରା
୧୯୧୮ ମସିହାରେ ଯେତେବେଳେ ସମଗ୍ର ବିଶ୍ୱ 'ସ୍ପେନିସ୍ ଫ୍ଲୁ ଭଳି ଭୟଙ୍କର ମହାମାରୀ ସହ ସଂଘର୍ଷ କରୁଥିଲା, ଠିକ୍ ସେହି ସମୟରେ ଗୋଦରେଜ୍ ପଶୁ-ଚର୍ବିହୀନ ସାବୁନ୍ ବଜାରକୁ ଆଣିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ନାମ 'ଗୋଦରେଜ୍ ନଂ-୨' (Godrej No. 2) ରଖାଯାଇଥିଲା, ଯାହାକି ପରେ ଲୋକପ୍ରିୟତାର ଶୀର୍ଷକ ଛୁଇଁ 'ଗୋଦରେଜ୍ ନଂ-୧' (Godrej No. 1) ଭାବରେ ପରିଚିତ ହେଲା।
ସ୍ୱାଧୀନତା ଆନ୍ଦୋଳନ ଏବଂ ସ୍ୱଦେଶୀ ଚିନ୍ତାଧାରା
ଏହି ବ୍ରାଣ୍ଡ୍ କେବଳ ବ୍ୟାବସାୟିକ ସଫଳତା ସୀମା ମଧ୍ୟରେ ଆବଦ୍ଧ ନଥିଲା, ବରଂ ଏହା ଦେଶର ସ୍ୱାଧୀନତା ଆନ୍ଦୋଳନ ଏବଂ 'ସ୍ୱଦେଶୀ' ଚିନ୍ତାଧାରା ସହ ଓତପ୍ରୋତ ଭାବେ ଜଡ଼ିତ ଥିଲା। ୧୯୨୧ ମସିହାରେ ଆର୍ଦେଶିର ଗୋଦରେଜ୍ ନିଜର ବ୍ୟବସାୟିକ ଲାଭର ଅଂଶ ସ୍ୱାଧୀନତା ଆନ୍ଦୋଳନର ପାଣ୍ଠିକୁ ଦାନ କରିଥିଲେ। ସେ ସମୟରେ ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଠାକୁର, ଡା. ଏନି ବେସନ୍ତ ଏବଂ ସି. ରାଜଗୋପାଳାଚାରୀଙ୍କ ଭଳି ମହାନ ବ୍ୟକ୍ତିମାନେ ଏହି ସ୍ୱଦେଶୀ ଉତ୍ପାଦକୁ ବେଶ୍ ପ୍ରୋତ୍ସାହିତ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
