Girl: ଆଜିର ଝିଅମାନେ କେତେ ଭାଗ୍ୟବତୀ...
"ଆଠଟି ସନ୍ତାନଙ୍କର ଜନ୍ମଦାତ୍ରୀ ସିଏ, କିନ୍ତୁ ତାଙ୍କର ହସହସ ବିଲୋଳ ମୁହଁ ଦେଖିଲେ ଲାଗେ ସେ ସଭିଙ୍କର ମାଆ।
ଅଳ୍ପ ବୟସରୁ ବାହା ହୋଇ, ସଂସାର ଜଞ୍ଜାଳ ସମ୍ଭାଳି କେବଳ ଚୁଲି ମୁଣ୍ଡରେ ନିଜ ଜୀବନ କାଟିନାହାନ୍ତି।
ଛନ୍ଦବଦ୍ଧ କବିତା ଲେଖିବାକୁ ଭଲପାଉଥିବା ବଲାଙ୍ଗୀରର ରାସେଶ୍ବରୀ ମିଶ୍ର ୮୯ ବର୍ଷ ବୟସରେ ନିଜ ଜୀବନୀ ପୁସ୍ତକ "ଦିହକର କଥା" ଲେଖି ସମସ୍ତଙ୍କୁ ବିସ୍ମିତ ଓ ଚମତ୍କୃତ କରିଛନ୍ତି।
ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ଦ୍ବାରା ସମ୍ମାନିତା ରାସେଶ୍ବରୀ ଦେବୀ ଏଇ ଅଠାନବେ ବର୍ଷ ବୟସରେ ମଧ୍ୟ ସୃଜନ ଓ ସଂସାର େକ୍ଷତ୍ରରେ ବେଶ୍ ଚଳଚଞ୍ଚଳ।
ତାଙ୍କ ସହ ଆଳାପ କରିଛନ୍ତି ଶୁଭଶ୍ରୀ ଲେଙ୍କା।Advertisment ଆପଣ କେଉଁ ଲେଖକଙ୍କ ଲେଖା ପଢ଼ିବାକୁ ବେଶି ଭଲ ପାଆନ୍ତି?
ସେ ଭିତରୁ ଆପଣ କାହା ଦ୍ୱାରା ବେଶି ପ୍ରଭାବିତ?କିଶୋରୀ ବୟସରେ ମୁଁ କେବଳ ଗଙ୍ଗାଧର, ରାଧାନାଥ, ମାନସିଂ ଆଦି କବିଙ୍କୁ ପଢ଼ୁଥିଲି।
ସେ ଭିତରୁ ଗଙ୍ଗାଧର ଆଜିଯାଏ ମୋର ସବୁଠୁ ପ୍ରିୟକବି।
ପରେପରେ ଫକୀରମୋହନ, କାହ୍ନୁଚରଣ, ସୁରେନ୍ଦ୍ର ମହାନ୍ତି ଆଦିଙ୍କୁ ପଢ଼ି ବହୁତ ପ୍ରଭାବିତ ହେଲି।
ଗତ ଅନେକ ବର୍ଷ ହେଲା ମୁଖ୍ୟତଃ ପତ୍ରିକାମାନଙ୍କରୁ ଅନେକ ଭଲ ଲେଖକଙ୍କୁ ପଢ଼ିଛି।
ସେ ଭିତରୁ ତରୁଣକାନ୍ତି ମିଶ୍ର, ସଦାନନ୍ଦ ତ୍ରିପାଠୀ ଭଳି କିଛି ଲେଖକ ମୋର ଅତି ପ୍ରିୟ।
Blood donation: ରକ୍ତ ଦେଇ ବନ୍ଧୁତା ଦିବସ ପାଳିଲେ, ୪୧ ୟୁନିଟ୍ ରକ୍ତ ସଂଗୃହୀତ ଆପଣଙ୍କ ଆତ୍ମଜୀବନୀ "ଦିହକର କଥା" ପଢ଼ିଲା ବେଳେ ଆପଣଙ୍କ ଅଦ୍ଭୁତ ସ୍ମରଣଶକ୍ତି ଦେଖି ପାଠକ ତାଜ୍ଜୁବ ହେଇଯିବେ।
ଏତେସବୁ ଛୋଟବଡ଼ ଘଟଣା ମନେ ରହିବାର ରହସ୍ୟ କ"ଣ?ରହସ୍ୟ କିଛି ନାହିଁ।
ଗତ ତିରିଶବର୍ଷ ତଳ ଯାଏ ମୋ ମା" ସାଙ୍ଗରେ କଥା ହେଲାବେଳେ ଏ ଭିତରୁ ଅନେକ ଘଟଣା ଆମ ଆଲୋଚନାରେ ଆସୁଥିଲା।
ମୋ ପିଲାମାନେ ସାନ ଥିଲାବେଳେ ମୁଁ ତାଙ୍କୁ ଗପଛଳରେ ଏଥିରୁ ଅନେକ କଥା କହିଥିଲି।
ଏ ବହି ଲେଖିଲା ବେଳେ ସେହିମାନେ ମୋତେ ମଝିରେ ମଝିରେ ଫୋନ୍ କରି ସେଥିରୁ ଅନେକ ଘଟଣା ମନେପକେଇ ଦେଉଥିଲେ।
ହଁ, ମୋର ଗୋଟିଏ ବଦଭ୍ୟାସ ଅଛି।
ଯେକୌଣସି କାମ କଲାବେଳେ ପୁଟ୍ ପୁଟ୍ ହେଇ ନିଜସହିତ ନିଜେ କଥା ହେଉଥାଏ।
କେତେଦିନର ଘଟଣାକୁ ମନେପକାଇ ତାକୁ ଗୁଣୁଗୁଣାଉ ଥାଏ।
ହୁଏତ ସେଇଟା ବି କାରଣ ହୋଇଥିବ। ଆପଣ ତ କବିତା ଲେଖୁଥିଲେ।
୮୯ ବର୍ଷ ବୟସରେ ଏତେ ବଡ଼ ଆତ୍ମଜୀବନୀ ଲେଖିବା କିଛି କମ୍ ଦୁଃସାହସର କଥା ନୁହେଁ।
ୟା ପଛରେ କାହାର ଭୂମିକା ବେଶି ଥିଲା?ଆରମ୍ଭ କଲାବେଳେ ମୁଁ ଭାବି ନଥିଲି ଯେ ବହିଟା ଏତେ ବଡ଼ ହୋଇଯିବ।
ରାଧୁ ମୋତେ ତିନିଟା କଥା କହିଥିଲା।
ତୋ ମାମାଠୁ ଜେଜେ ବିଷୟରେ ଯାହା ଶୁଣିଛୁ, ସେଇଠୁ ଆରମ୍ଭ କର।
ଦୁଇରେ ଯେତେବେଳେ ଯାହା ବି ମନେପଡୁଛି ଲେଖିଚାଲ, ପରେ ତାକୁ ସଜାଡ଼ିଦେବା।
ତିନିରେ ଆମ ଘରେ ଯେଉଁ ଓଡ଼ିଆ କୋଶଲି ମିଶା ବ୍ରାହ୍ମଣିଆ ଭାଷା କହୁଛୁ, ସେଇ ଭାଷାରେ ଲେଖ ଯେ ତୋତେ ସୁବିଧା ହେବ।
ମୁଁ କିନ୍ତୁ ସାହସ କରି ଓଡ଼ିଆରେ ଛୋଟ ଛୋଟ ବାକ୍ୟରେ ଲେଖିବା ଆରମ୍ଭ କଲି।
ମୋ ପୁଅ ଜୟା ଓ ବାୟା ଚମକିପଡ଼ି କହିଲେ ବହୁତ ଭଲ ହେଉଛି ତ, ତୁ ଓଡ଼ିଆରେ ହିଁ ଲେଖ।
ଆରମ୍ଭରୁ କିଛି ପୃଷ୍ଠା ପରେ ମୋର ସାହସ ବଢ଼ିଗଲା।
ତା"ପରେ ସବୁ ପୁଅଝିଅ ଉତ୍ସାହ ଦେଇ ମୋଠୁ ଲେଖେଇନେଲେ।
ମୋ ବଡ଼ପୁଅ ନବ କହିଲା ରାମଜୀପଡ଼ାର ରାମଲୀଳା ଉପରେ ଲେଖ, ରାଧୁ କହିଲା ଆମ ଘରକୁ ଆସୁଥିବା କୁଣିଆମାନଙ୍କ ଉପରେ ଲେଖ, ରାଜୁ ବରାଦ କଲା ଆମ ପିଲାବେଳର ଘଟଣାସବୁ ଲେଖିଦେ।
ହେଲେ ମୁଁ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ମୋ ସ୍ୱାମୀଙ୍କ ଆତ୍ମଜୀବନୀ ପଢ଼ିଥିଲି।
ସେଥିରେ ତ ଏଭଳି କଥାସବୁ ନଥିଲା।
ତଥାପି ପିଲାଙ୍କ ଆଗ୍ରହରେ ଲେଖିଦେଲି।
ଶେଷରେ ରାଧୁ ବଲାଙ୍ଗୀର ଆସି ଜାଗା ଜାଗାରେ ଭାଷା ଓ ବାକ୍ୟ ସୁଧାରି ସବୁକୁ ଅଧ୍ୟାୟ ଭାଙ୍ଗି ଘଟଣାଗୁଡ଼ିକୁ ସଜାଡ଼ିଲା।
ବୁର୍ଲାରେ ରହୁଥିବା ମୋ ଝିଅ ବେବି ଲାଗିପଡ଼ି ଗୁଡ଼ାଏ ଭୁଲ୍ ସୁଧାରିଲା।
ତଥାପି ମୋତେ ଲାଗେ ଏଥିରେ ଉଣେଇଶ ବର୍ଷ ବୟସରେ ମରି ଯାଇଥିବା ମୋର ନାନୀ ଓ ଅଣତିରିଶ ବର୍ଷ ତଳୁ ମରି ସାରିଥିବା ମୋ ମାଁର ଭୂମିକା ସବୁଠୁ ବେଶି ଥିଲା।
ମୋତେ ଲାଗେ, ବହିଟି ସେହିମାନେ ହିଁ ମୋ ହାତରେ ଲେଖେଇନେଲେ। ନିଜ ଆତ୍ମଜୀବନୀରେ ଆପଣ ଶତାଧିକ ଘଟଣାର ଉଲ୍ଲେଖ କରିଛନ୍ତି।
ସେ ଭିତରୁ କେଉଁ ପ୍ରସଙ୍ଗ ଆପଣଙ୍କୁ ବିଚଳିତ କରିଥିଲା?
କେଉଁ ପ୍ରସଙ୍ଗ ଲେଖିଲା ବେଳେ ଖୁସି ଅନୁଭବ କରୁଥିଲେ?ଶାଶୂଘରେ ତିନିବର୍ଷ କାଳ ମାନସିକ ଯନ୍ତ୍ରଣା ଭୋଗି ଉଣେଇଶ ବର୍ଷ ବୟସରେ ମରିଯାଇଥିବା ମୋ ନାନୀର ଅଧ୍ୟାୟଟା ମୁଁ କାନ୍ଦ କାନ୍ଦ ହେଇ ଲେଖିଛି।
ମୋ ପୁଅ ରାଜୁ ପାରାଶୁଟରେ ଉଚ୍ଚ ବିଜୁଳି ତାରରେ ଖସି ଜାଗା ଜାଗାରେ ପୋଡ଼ି ବେହୋସ ହୋଇଯାଇଥିଲା।
ଛଅମାସ କାଳ ଆର୍ମି ହସ୍ପିଟାଲ୍ରେ ପଡ଼ି ଯେତେବେଳେ ଘରକୁ ଆସିଲା ତାକୁ ଦେଖି ମୁଁ ଶିହରି ଯାଇଥିଲି।
ତା"ର ସେ ଘଟଣା ଲେଖିଲାବେଳେ ବି ବହୁତ ବିଚଳିତ ଲାଗୁଥିଲା।
କିନ୍ତୁ ମୋ ମାଁର ଜୀବନକଥା ଲେଖିଲାବେଳେ କେବେଠୁ ଭୁଲି ଯାଇଥିବା ଅନେକ ଘଟଣା ଛାଏଁ ମନେପଡ଼ି ଯାଉଥିବାରୁ ସବୁଠୁ ବେଶି ଖୁସି ଲାଗୁଥିଲା। ଆପଣଙ୍କ ସାହିତ୍ୟ ସାଧନାରେ ଆପଣଙ୍କ ସ୍ୱାମୀଙ୍କ ସହଯୋଗ କିପରି ରହୁଥିଲା?ମୁଁ କବିତା ଲେଖୁଥିଲା ବେଳେ ମୋ ସ୍ୱାମୀ ତାକୁ ସୁଧାରି ଦେଉଥିଲେ।
ଭଲଭଲ କବିଙ୍କ ବହିଆଣି ଦେଉଥିଲେ।
ସେ ନିଜେ ବି ଜଣେ କବି।
ଆମ ଭିତରେ ନିୟମିତ ସାହିତ୍ୟ ଚର୍ଚ୍ଚା ହେଉଥିଲା।
କିନ୍ତୁ ମୁଁ ଆତ୍ମଜୀବନୀ ଲେଖିଲାବେଳେ ତାଙ୍କୁ ପଞ୍ଚାନବେ ବର୍ଷ, ୨୪ଘଣ୍ଟା ଶଯ୍ୟାଶାୟୀ।
ମୁଁ ତାଙ୍କ ସେବାଯତ୍ନ ଛାଡ଼ି ଅଲଗା କାମରେ ହାତଦେଲେ ଭାରି ଚିଡ଼ଚିଡ଼ ହେଉଥିଲେ।
ଶେଷ ପର୍ଯ୍ୟନ୍ତ ସେ ଜାଣି ପାରିଲେ ନାହିଁ ଯେ ତାଙ୍କ ପାଖରେ ବସି ମୁଁ କ"ଣସବୁ ଲେଖୁଛି।
ଭାବୁଥିଲି ସବୁ ସରିଗଲା ପରେ ତାଙ୍କୁ "ସର୍ପ୍ରାଇଜ୍" ଦେବି।
କିନ୍ତୁ ତା" ଆଗରୁ ସେ ମୋତେ "ସର୍ପ୍ରାଇଜ୍" ଦେଇ କୋମାକୁ ଯେ ଚାଲିଗଲେ ଆଉ ଫେରିଲେ ନାହିଁ।
RBI: ମୁଦ୍ରା ନୀତି କମିଟିର ବୈଠକ ଆଜିଠୁ ଆପଣଙ୍କ ପିଲାବେଳେ ପରିବାରରେ, ସମାଜରେ ନାରୀମାନଙ୍କ ସ୍ଥିତି କିପରି ଥିଲା?ମୋ ପିଲାବେଳେ ଅଳ୍ପ କେଇଜଣ ଚାକିରିଆ ସ୍ତ୍ରୀଙ୍କୁ ଛାଡ଼ିଦେଲେ ବାକି ସ୍ତ୍ରୀଲୋକ ପ୍ରାୟ ଅପାଠୋଇ ଥିଲେ ଏବଂ ନିଜର ଶାଶୂ ବା ସ୍ୱାମୀଙ୍କ ଇଚ୍ଛା ଅନୁସାରେ ଚଳୁଥିଲେ।
ଅନ୍ଧାର ଥାଉଁ ପୋଖରୀରେ ଗାଧୁଆ କାମ ସାରିବାକୁ ପଡୁଥିଲା।
ବ୍ରାହ୍ମଣ ଘର ସ୍ତ୍ରୀଲୋକଙ୍କ ଅବସ୍ଥା ଆଉ ଟିକେ ଦୟନୀୟ।
ତାଙ୍କ ପାଇଁ ଦିନବେଳା ଦାଣ୍ଡକୁ ବାହାରିବା ମନା।
ଦିନରେ ଡାକ୍ତରଖାନା ଯିବା ଜରୁରୀ ହେଲେ ବି ଶଗଡ଼ ଗାଡ଼ି ଯୋଗାଡ଼ କରି ସେଥିରେ ପର୍ଦ୍ଦା ପକେଇ ନିଛାଟିଆ ବାଟ ଦେଇ ଯିବାକୁ ହେଉଥିଲା।
ବର୍ଷମୁଣ୍ଡକୁ ପୁଅ ଜନ୍ମ ନକଲେ ବୋହୂ ବାଂଝୁଣି ବୋଲାଉଥିଲା।
ଏଇଥିପାଇଁ ମୋ ମାଁ ତ ଦଶବର୍ଷ କାଳ ତା ଶଶୁରଙ୍କ ଠାରୁ ଓ ମୋ ନାନୀ ପ୍ରାୟ ତିନିବର୍ଷ କାଳ ତା ଶାଶୂଠାରୁ ଝିଙ୍ଗାସ ଶୁଣି କାନ୍ଦିକାନ୍ଦି ଜୀବନ କାଟିଥିଲେ।
ସେଦିନ କଥା ଭାବିଲେ ଲାଗେ ଆଜିର ଝିଅମାନେ କେତେ ଭାଗ୍ୟବତୀ।
ନିଜ ଗୋଡ଼ରେ ଠିଆ ହେବାର ସଂଘର୍ଷରେ ଅନେକ ଝିଅ ତିରିଶ ବର୍ଷ ଯାଏ ବାହା ବି ହେଉନାହାନ୍ତି।
ମୋତେ ତ ତିରିଶ ବର୍ଷ ହେଲା ବେଳକୁ ମୋର ଆଠଟା ଯାକ ପୁଅଝିଅ ଜନ୍ମ ହୋଇ ସାରିଥିଲେ। ଆପଣଙ୍କ ବିଶାଳ ପରିବାରର ଅଧିକାଂଶ ନାତି ନାତୁଣୀ, ଅଣନାତି ଅଣନାତୁଣୀ ଓଡ଼ିଆ ଲେଖିପଢ଼ି ଜାଣନ୍ତିନାହିଁ।
ତାକୁ ଆପଣ କେଉଁ ଦୃଷ୍ଟିରେ ଦେଖନ୍ତି?ହଁ ସତକଥା, ମୋର କିଛି ନାତିନାତୁଣୀ ଓ ଅଧିକାଂଶ ଅଣନlତି ଅଣନାତୁଣୀ ଓଡ଼ିଆ ଲେଖିପଢ଼ି ଜାଣନ୍ତିନାହିଁ।
ସେମାନେ ଜନ୍ମରୁ ଓଡ଼ିଶା ବାହାରେ, ପରେ ଦେଶ ବାହାରେ ରହିଛନ୍ତି।
ତଥାପି ଘରେ ସମସ୍ତେ ଓଡ଼ିଆରେ ହିଁ କଥାବାର୍ତ୍ତା କରନ୍ତି।
ମୋତେ ଫୋନ୍ରେ ଓଡ଼ିଆରେ ତାଙ୍କ ଘରକଥା, ସ୍କୁଲ୍କଥା କହନ୍ତି।
ମୋ କଥା ଶୁଣି ହସନ୍ତି, ଦୁଃଖିତ ହୁଅନ୍ତି ଓ ମୋତେ ଓଡ଼ିଆରେ ଉପଦେଶ ଦିଅନ୍ତି।
ଖୁସିର କଥା, ନିଜ ଘରେ ହେଉଥିବା ଓଷାବ୍ରତ ଜରିଆରେ ଆମ ସଂସ୍କୃତିକୁ ବି ବୁଝୁଛନ୍ତି। ଆପଣ ନିଜେ, ଆପଣଙ୍କ ଭାଇ ଓ ଆପଣଙ୍କ ପୁଅ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ମାନିତ।
ଆପଣଙ୍କ ଭାଇ ତ ପଦ୍ମଶ୍ରୀ ସମ୍ମାନରେ ବି ଅଳଙ୍କୃତ।
ଗୋଟିଏ ପରିବାରରେ ଏଇଟା ସଂଯୋଗ ମାତ୍ର ନା ଅଲୌକିକ?ମୋ ଭାଇ ଓ ମୋ ପୁଅ ତ ସାରାଜୀବନ ସାହିତ୍ୟ ସେବାରେ ଲାଗିଛନ୍ତି।
ତାଙ୍କୁ ଏ ସମ୍ମାନ ନିଶ୍ଚୟ ତାଙ୍କ ଯୋଗ୍ୟତାକୁ ଦେଖି ହିଁ ମିଳିଥିବ।
ପଶ୍ଚିମ ଓଡ଼ିଶାର ଭାଷା ସାହିତ୍ୟ ସଂସ୍କୃତିକୁ ମୋ ଭାଇ ନରସିଂହର ଅବଦାନ ପାଇଁ ତାକୁ ପଦ୍ମଶ୍ରୀ ସମ୍ମାନ ବି ମିଳିଛି।
ହେଲେ ଗୋଟିଏ ଛୋଟ ଘରେ ଚଉଦଜଣିଆ ବିରାଟ ପରିବାରକୁ ନେଇ ମୋର ତ ସାରାଜୀବନ ସରିଗଲା।
ସେ ଭିତରେ ଯେତିକି ପଢ଼ିପାରିଛି କି ଲେଖିପାରିଛି ସେଇଟା ସେମାନଙ୍କ ସାଧନା ଆଗରେ କିଛି ନୁହେଁ।
ତେଣୁ ସାହିତ୍ୟ ଏକାଡେମୀ ଭଳି ଏତେ ବଡ଼ ମର୍ଯ୍ୟାଦାଜନକ ସଂସ୍ଥାର ସମ୍ମାନ ମୋ ପାଇଁ ଅଲୌକିକ ବୋଲି ହିଁ କୁହାଯିବ।
ସେଇଥିପାଇଁ ସମ୍ମାନ ଘୋଷଣା ଦିନ ମୁଁ ସାହିତ୍ୟ ଏକାଡେମିର ସେ କାଳର ସଦସ୍ୟମାନଙ୍କ ଶୁଭ ମନାସି ଘରେ ଅଖଣ୍ଡ ଦୀପଟିଏ ଜାଳିଥିଲି। ଏବେ ଏଇ ଅଠାନବେ ବର୍ଷ ବୟସରେ ଆପଣ ଶାରୀରିକ ଓ ମାନସିକ ଭାବରେ କେତେ ଚଞ୍ଚଳ ଅଛନ୍ତି?
ଏବେ ଆମ ସାହିତ୍ୟ ଜଗତକୁ ଆଉ କିଛି ନୂଆ ଭେଟିଦେବାର ଯୋଜନା ଅଛି କି?ମୁଁ ବେଶ୍ ଚଳଚଞ୍ଚଳ ଅଛି।
ଘରେ ଚା ଜଳଖିଆ ସବୁ କରୁଛି।
ଅତିଥି ଅଭ୍ୟାଗତଙ୍କ ଚର୍ଚ୍ଚା କରୁଛି।
କିଛି ପଢୁଛି, କିଛି ଲେଖୁଛି।
ଏବେ ମୋର ତିନିଝିଅ ଓ ପାଞ୍ଚବୋହୂଙ୍କ ଜୀବନ କାହାଣୀକୁ ନେଇ ଦୁଇଶହ ପୃଷ୍ଠାର ବହିଟିଏ ଲେଖୁଛି।
ଏବର୍ଷ ଶେଷ ସୁଦ୍ଧା ତାକୁ ସାରିବାକୁ ଭାବିଛି।
ଅବଶ୍ୟ ଆମ ପାଠକମାନେ ତାକୁ କେମିତି ଗ୍ରହଣ କରିବେ ଜାଣି ପାରୁନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।