GI race: ଜିଆଇ ଦୌଡ଼ରେ ୬ ଖାଦ୍ୟ ସାମଗ୍ରୀ: ସରସତିଆ ମିଠା, ପାଳ ବାଇଗଣ, ମାଣିକପାଟଣା ଦହିର ତଥ୍ୟ ଯାଞ୍ଚ ସରିଲା
ଭୁବନେଶ୍ବର: ଭୌଗୋଳିକ ସୂଚକାଙ୍କ(ଜିଆଇ) ଟ୍ୟାଗ୍ ମାନ୍ୟତା ଦୌଡ଼ରେ ଓଡ଼ିଶାର ୬ଟି ଖାଦ୍ୟ ସାମଗ୍ରୀ। ସମ୍ବଲପୁରର ପ୍ରସିଦ୍ଧ ସରସତିଆ ମିଠା ସମେତ ଢେଙ୍କାନାଳର ପାଳ ବାଇଗଣ, ପୁରୀର ମାଣିକପାଟଣା ଦହି, କୋରାପୁଟର ବାଟି ମାଣ୍ଡିଆ ଓ କେନ୍ଦୁଝରର ପେଜୁଆ ବିରିକୁ ଜିଆଇ ମାନ୍ୟତା ଦେବାକୁ ପ୍ରୟାସ ହୋଇଛି। ବିଭିନ୍ନ ସଙ୍ଗଠନ ସହାୟତାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ବୈଜ୍ଞାନିକମାନଙ୍କ ଦ୍ବାରା ତଥ୍ୟ ସଂଗ୍ରହ ସହ କିଭଳି ମାନ୍ୟତା ମିଳିପାରିବା ସେଦିଗରେ ପଦକ୍ଷେପ ନିଆଯାଇଛି। ମାଣିକପାଟଣା ଦହି, ସରସତିଆ ମିଠା ଓ ପାଳ ବାଇଗଣ ସମ୍ପର୍କରେ ଦାଖଲ ହୋଇଥିବା ତଥ୍ୟଗୁଡ଼ିକର ଯାଞ୍ଚ ପ୍ରାୟତଃ ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ତିନୋଟି ଖାଦ୍ୟକୁ ଜିଆଇ ମାନ୍ୟତା ମିଳିବାର ସମ୍ଭାବନା ରହିଛି ବୋଲି ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି।
Neglect: କଳମା-ବେତନଟୀ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ବିପଦ
ସରସତିଆ ମିଠା, ପାଳ ବାଇଗଣ, ମାଣିକପାଟଣା ଦହିର ତଥ୍ୟ ଯାଞ୍ଚ ସରିଲା
ବାଟି ମାଣ୍ଡିଆ ଓ ପେଜୁଆ ବିରି ତଥ୍ୟ ଦାଖଲ କରିବ ଓୟୁଏଟି
ବାଲି ପାନକୁ ଜିଆଇ ମାନ୍ୟତା ପାଇଁ ବାହାର ସଂସ୍ଥା ଆବେଦନ କରିଛି
ସରସତିଆ ମିଠା ସମ୍ବଲପୁର ଜିଲ୍ଲାର ପ୍ରସିଦ୍ଧ ଓ ପାରମ୍ପରିକ ମିଠା। ଏହା ଦେଖିବାକୁ ଜାଲ ଭଳି ତିନିକୋଣିଆ। ବହୁତ ହାଲୁକା ମଧ୍ୟ। ଏଥିରେ ଛେନା କିମ୍ବା କ୍ଷୀର ବ୍ୟବହାର ହୁଏ ନାହିଁ। ବରଂ ଏହା ଏକ ବିଶେଷ ଗଛର ରସ ବା ଅଠାରୁ ପ୍ରସ୍ତୁତ କରାଯାଇଥାଏ। ‘ଗଞ୍ଜେର’ ନାମକ ଏକ ଗଛର କାଠିରୁ ବାହାରୁଥିବା ଅଠାଳିଆ ରସ, ଅରୁଆ ଚାଉଳ ଗୁଣ୍ଡ ଓ ଚିନି ମିଶାଇ ତିଆରି ହେଉଥିବା ଏହି ମିଠା ପ୍ରାୟ ୨୦୦ ବର୍ଷର ପୁରୁଣା। ଯାହାର ତଥ୍ୟ ଓୟୁଏଟି ପକ୍ଷରୁ ଜିଆଇ ପଞ୍ଜୀକରଣ ସମୟରେ ଦାଖଲ କରାଯାଇଛି। ଢେଙ୍କାନାଳର ପାଳ ବାଇଗଣକୁ ନେଇ ବହୁଦିନ ଧରି ଚାଲିଥିବା ଗବେଷଣାରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଜିଆଇ କାର୍ଯ୍ୟାଳୟରେ ଦାଖଲ ହୋଇଥିବା ତଥ୍ୟର ସତ୍ୟାସତ୍ୟ ଅନୁସନ୍ଧାନ ଶେଷ ହୋଇଛି। ମିଠା ସ୍ୱାଦ ଓ ଉତ୍କୃଷ୍ଟ ଗୁଣ ପାଇଁ ପ୍ରସିଦ୍ଧ ଏହି ବାଇଗଣ ପ୍ରଚୁର ପରିମାଣରେ ଫଳିଥାଏ। ଏହାର ସ୍ୱାଦ ଅନ୍ୟ ବାଇଗଣଠାରୁ ବହୁତ ଭିନ୍ନ। ଲୋକେ ଏହାକୁ ତରକାରୀ ଓ ପୋଡ଼ା ଭର୍ତ୍ତା କରି ଖାଇବାକୁ ବହୁତ ପସନ୍ଦ କରନ୍ତି। ଅନୁରୂପ ଭାବେ ମାଣିକପାଟଣା ଦହି ଉତ୍କୃଷ୍ଟ ସ୍ୱାଦ ଓ ପ୍ରାଚୀନ ଐତିହ୍ୟ ପାଇଁ ପ୍ରସିଦ୍ଧ। ମଇଁଷି କ୍ଷୀରରୁ ପ୍ରସ୍ତୁତ ଦହି ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱ ବହନ କରିଥାଏ। ଆଜିର ଦିନରେ ମଧ୍ୟ ଏହି ଅଞ୍ଚଳର ମଇଁଷି ପାଳକମାନେ କ୍ଷୀରରୁ ଦହି ପ୍ରସ୍ତୁତ କରି ବିକ୍ରି କରି ନିଜର ଜୀବିକା ନିର୍ବାହ କରୁଛନ୍ତି। ଏହି ଦହିରେ ରୋଗ ପ୍ରତିରୋଧ ଶକ୍ତି ସହିତ କ୍ୟାନ୍ସର ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ରହିଛି। ଏହିପ୍ରକାର ଦହି ଦେଶର ଅନ୍ୟ କୌଣସି ଅଞ୍ଚଳରେ ଦେଖାଯାଉ ନଥିବା ଦାଖଲ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର
ଏହି ତିନିଟି ଖାଦ୍ୟ ସାମଗ୍ରୀ ବ୍ୟତୀତ କୋରାପୁଟର ବାଟି ମାଣ୍ଡିଆ ଓ କେନ୍ଦୁଝରର ପେଜୁଆ ବିରିକୁ ଜିଆଇ ମାନ୍ୟତା ପାଇଁ ଓୟୁଏଟିର ଗବେଷକମାନେ ଦସ୍ତାବିଜ୍ ପ୍ରସ୍ତୁତ କରୁଛନ୍ତି। ପେଜୁଆ ବିରି କେନ୍ଦୁଝର ଜିଲ୍ଲାର ଏକ ପାରମ୍ପରିକ ଓ ସ୍ଥାନୀୟ ବିରି ଜାତୀୟ ଡାଲି, ଯାହାକି ମୁଖ୍ୟତଃ ପାହାଡ଼ିଆ ଅଞ୍ଚଳରେ ଜୁଆଙ୍ଗ ଜନଜାତିଙ୍କ ଦ୍ୱାରା ଚାଷ କରାଯାଇଥାଏ। ଏହି ବିରି କେନ୍ଦୁଝରର ପ୍ରସିଦ୍ଧ ‘ଫୁଲବଡ଼ି’ ପ୍ରସ୍ତୁତି ପାଇଁ ସବୁଠାରୁ ଅଧିକ ବ୍ୟବହୃତ ହୋଇଥାଏ। ଏହାର ସ୍ୱତନ୍ତ୍ର ସ୍ୱାଦ ଓ ଗୁଣ ରହିଛି। କେନ୍ଦୁଝର ଜିଲ୍ଲା ପ୍ରଶାସନ ସହାୟତାରେ ଓୟୁଏଟିର ବୈଜ୍ଞାନିକମାନେ ତଥ୍ୟ ସଂଗ୍ରହ କରିସାରିଛନ୍ତି ଏବଂ ଖୁବ୍ଶୀଘ୍ର ଆବେଦନ ହେବ। ସେହିପରି ବାଟି ମାଣ୍ଡିଆ କୋରାପୁଟ ଅଞ୍ଚଳର ଏକ ପାରମ୍ପରିକ ଓ ଦେଶୀ ଜାତିର ମାଣ୍ଡିଆ। ସ୍ଥାନୀୟ ଚାଷୀମାନେ ଜୈବିକ ପଦ୍ଧତିରେ ଚାଷ କରନ୍ତି, ଯାହାକି ଶରୀର ପାଇଁ ବହୁତ ଲାଭଦାୟକ। ମରୁଡ଼ି ପରିସ୍ଥିତିରେ ମଧ୍ୟ ଏହା ବଞ୍ଚି ରହିପାରେ। ଏଥିରେ ପ୍ରଚୁର ପରିମାଣର କ୍ୟାଲସିୟମ୍ ଓ ଲୌହସାର ରହିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳର ପ୍ରସିଦ୍ଧ ବାଲି ପାନକୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ କରିବାକୁ ଓୟୁଏଟି ବୈଜ୍ଞାନିକଙ୍କ ଦ୍ବାରା ତଥ୍ୟ ସଂଗ୍ରହ କରାଯାଇଥିଲେ ମଧ୍ୟ ଅନ୍ୟ ଏକ ସଂସ୍ଥା ଆବେଦନ କରିସାରିଥିବା ଜଣାପଡ଼ିଛି। ତେଣୁ ଆବେଦନ କରିପାରିଲୁ ନାହିଁ ବୋଲି କୁଳପତି ପ୍ରଫେସର ରାଉଳ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

