Gen Alpha Students Protest: ଜେନ୍ ଜି ପରେ ରାସ୍ତାରେ ଜେନ୍ ଆଲ୍ଫା, ଏସବୁ ରାଜ୍ୟରେ ଛାତ୍ରଙ୍କ ଆନ୍ଦୋଳନ

Aug 06, 2026 - 16:24
Gen Alpha Students Protest: ଜେନ୍ ଜି ପରେ ରାସ୍ତାରେ ଜେନ୍ ଆଲ୍ଫା, ଏସବୁ ରାଜ୍ୟରେ ଛାତ୍ରଙ୍କ ଆନ୍ଦୋଳନ

ଜେନ୍ ଜି ପରେ ଏବେ ଜେନ୍ ଆଲ୍ଫାଙ୍କ ପାଳି। ପ୍ରତିଯୋଗିତାମୂଳକ ପରୀକ୍ଷା, ପେପର ଲିକ୍ ଓ ଶିକ୍ଷା ନୀତିକୁ ନେଇ ଯୁବପିଢ଼ିର ଆନ୍ଦୋଳନ ପରେ ଏବେ ସ୍କୁଲ୍ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଉତ୍ତରପ୍ରଦେଶ, ରାଜସ୍ଥାନ ପରେ ଏବେ ବିହାରର ସରକାରୀ ସ୍କୁଲରେ ମଧ୍ୟ ଦେଖାଦେଇଛି ଛାତ୍ର ଆନ୍ଦୋଳନ।

ଏହି ଆନ୍ଦୋଳନ କୌଣସି ବଡ଼ ରାଜନୈତିକ ଦାବି ପାଇଁ ନୁହେଁ, ବରଂ ସ୍କୁଲର ମୌଳିକ ସୁବିଧା ପାଇଁ। କେଉଁଠି ଶିକ୍ଷକ ନାହାନ୍ତି, କେଉଁଠି ଭାଙ୍ଗି ପଡ଼ିଛି ଟିବୱେଲ, ଆଉ କେଉଁଠି ଶୌଚାଳୟର ଅବସ୍ଥା ଖରାପ। ଅଭିଯୋଗ ପରେ ମଧ୍ୟ ସମାଧାନ ନ ହେବାରୁ ଛାତ୍ରଛାତ୍ରୀମାନେ ଆନ୍ଦୋଳନର ରାସ୍ତା ବାଛୁଛନ୍ତି।

ଉତ୍ତରପ୍ରଦେଶର ଫତେହପୁରର ସର୍ବୋଦୟ ଇଣ୍ଟର କଲେଜରେ ପ୍ରାୟ ୧୫୦୦ ଛାତ୍ରଛାତ୍ରୀ ଛଅ ଘଣ୍ଟା ଧରି ଧାରଣା ଦେଇଥିଲେ। କ୍ଲାସରୁମରେ ବିଦ୍ୟୁତ ଓ ପଙ୍ଖା ନଥିବା, ଅପରିଷ୍କାର ଶୌଚାଳୟ, ପାନୀୟ ଜଳର ଅଭାବ ଓ ପର୍ଯ୍ୟାପ୍ତ ବେଞ୍ଚ ନଥିବା ଭଳି ସମସ୍ୟା ନେଇ ଛାତ୍ରମାନେ ଅଭିଯୋଗ କରିଥିଲେ। ଦୀର୍ଘ ଦିନ ଧରି ସମସ୍ୟାର ସମାଧାନ ନ ହେବାରୁ ସେମାନେ ଆନ୍ଦୋଳନ କରିଥିଲେ। ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲ ପରିଦର୍ଶନ କରି ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି।

ସମାନ ଚିତ୍ର ରାଜସ୍ଥାନରେ ମଧ୍ୟ ଦେଖିବାକୁ ମିଳିଛି। ବାଡମେରର ଏକ ସରକାରୀ ସ୍କୁଲରେ ଛାତ୍ରମାନେ ଗେଟ୍‌ରେ ତାଲା ପକାଇ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା ଦେଇଥିଲେ। ଜାଲୋର ଜିଲ୍ଲାର ମେଗଲୱା ଗାଁରେ ମଧ୍ୟ ଛାତ୍ରମାନେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ସ୍ୱର ଉଠାଇଛନ୍ତି। ଶିକ୍ଷକ ଅଭାବରୁ ପାଠପଢ଼ା ଓ ପରୀକ୍ଷା ପ୍ରସ୍ତୁତି ପ୍ରଭାବିତ ହେଉଥିବା ଛାତ୍ରମାନେ କହିଛନ୍ତି।

ଏବେ ଏହି ଆନ୍ଦୋଳନରେ ସାମିଲ ହୋଇଛି ବିହାର। ଗୟା ଜିଲ୍ଲାର ସିମୁଆରା ମିଡିଲ ସ୍କୁଲର ୪୦ରୁ ଅଧିକ ଛାତ୍ରଛାତ୍ରୀ ଜୁଲାଇ ୩୦ ତାରିଖରେ ଟିକାରୀ ଉପଖଣ୍ଡ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ ଜଣାଇଥିଲେ। ମଧ୍ୟାହ୍ନ ଭୋଜନର ଗୁଣବତ୍ତା, ଭାଙ୍ଗିଥିବା ହ୍ୟାଣ୍ଡପମ୍ପ, ଅପରିଷ୍କାର ଶୌଚାଳୟ ଓ କ୍ରୀଡ଼ା ସାମଗ୍ରୀର ଅଭାବ ନେଇ ସେମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।

ଛାତ୍ରମାନଙ୍କ ଅଭିଯୋଗ ଶୁଣି ଟିକାରୀ ଏସଡିଏମ୍ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ପାଞ୍ଚ ଦିନ ମଧ୍ୟରେ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଘଟଣାର ତଦନ୍ତ ପାଇଁ ତିନିଜଣିଆ କମିଟି ଗଠନ କରାଯାଇଛି।

ଜାତୀୟ ଶିକ୍ଷା ନୀତି ୨୦୨୦ରେ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷାର ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଦେଶର ଅନେକ ସରକାରୀ ସ୍କୁଲ ଏବେ ମଧ୍ୟ ଶିକ୍ଷକ ଅଭାବ ଓ ଭିତ୍ତିଭୂମି ସମସ୍ୟା ସହ ଲଢ଼ୁଛି। ଜେନ୍ ଆଲ୍ଫାର ଏହି ସ୍ୱର ଏକ ନୂଆ ସନ୍ଦେଶ ଦେଉଛି, ଛାତ୍ରଛାତ୍ରୀମାନେ ଆଉ କେବଳ ପ୍ରତିଶ୍ରୁତି ନୁହେଁ, ବରଂ ପଢ଼ିବା ପାଇଁ ଆବଶ୍ୟକ ମୌଳିକ ସୁବିଧା ଚାହୁଁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।