FSSAI Bans Sale of Whisky and Rum Brands: 'ନିମ୍ନମାନର' ଅଭିଯୋଗ: ଫ୍ଲେଭର ବ୍ୟବହାର ଯୋଗୁଁ ହ୍ୱିସ୍କି ଓ ରମ୍ ବ୍ରାଣ୍ଡ ବିକ୍ରି ଉପରେ କଟକଣା
କୃତ୍ରିମ ଫ୍ଲେଭର ବ୍ୟବହାର ହୋଇଥିବା ଅଭିଯୋଗରେ ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା (FSSAI) କେତେକ ଲୋକପ୍ରିୟ ଭାରତୀୟ ହ୍ୱିସ୍କି ଏବଂ ରମ୍ ବ୍ରାଣ୍ଡର ବିକ୍ରି ଉପରେ ନିଷେଧାଦେଶ ଜାରି କରିଛି।
ରଏଟର୍ସର ରିପୋର୍ଟ ଅନୁସାରେ, ଡିଆଜିଓ ଇଣ୍ଡିଆର United Spirits, Inbrew Beverages ଏବଂ Mohan Rocky Springwater ଦ୍ୱାରା ପ୍ରସ୍ତୁତ କେତେକ ମଦ ବ୍ରାଣ୍ଡରେ ସ୍ୱାଦ ଓ ସୁଗନ୍ଧ ବଢ଼ାଇବା ପାଇଁ କୃତ୍ରିମ ଫ୍ଲେଭର ବ୍ୟବହାର କରାଯାଇଥିବା FSSAI ଯାଞ୍ଚରେ ଜଣାପଡ଼ିଛି।
ଏହି ପଦକ୍ଷେପର ପ୍ରଭାବ ଭାରତର ସେହି ମଦ ବଜାର ଉପରେ ପଡ଼ିବ, ଯେଉଁଠାରେ ଦେଶରେ ପ୍ରସ୍ତୁତ ହେଉଥିବା ହ୍ୱିସ୍କି ଓ ରମ୍ ବ୍ରାଣ୍ଡ ଅପେକ୍ଷାକୃତ କମ୍ ଦାମରେ ବିକ୍ରି ହୋଇଥାଏ। ବର୍ତ୍ତମାନ ଭାରତ ବିଶ୍ୱର ସବୁଠାରୁ ବଡ଼ ମଦ ବଜାର ମଧ୍ୟରୁ ଗୋଟିଏ, ଯାହାର ବାର୍ଷିକ ବଜାର ମୂଲ୍ୟ ପ୍ରାୟ ୪୦ ବିଲିୟନ୍ ଡଲାର ବୋଲି ଆକଳନ କରାଯାଇଛି। ବଜାର ଅଂଶ ଦୃଷ୍ଟିରୁ Diageo ସବୁଠାରୁ ବଡ଼ କମ୍ପାନି ଭାବେ ରହିଛି।
ଫ୍ଲେଭର ପ୍ରକ୍ରିୟାକୁ ନେଇ ପ୍ରଶ୍ନ
FSSAI କହିଛି ଯେ, ବର୍ତ୍ତମାନର ନିୟମ ଅନୁସାରେ ମଦ୍ୟପାନୀୟରେ ପ୍ରାକୃତିକ ଫ୍ଲେଭର ପଦାର୍ଥ ବ୍ୟବହାର କରାଯାଇପାରିବ। କିନ୍ତୁ Diageo ଓ Inbrewର କାରଖାନାରେ ହୋଇଥିବା ଯାଞ୍ଚରେ ଜଣାପଡ଼ିଛି ଯେ, ସମାନ ପ୍ରକାରର ମଦର ସ୍ୱାଦ ବଢ଼ାଇବା ପାଇଁ ସେହି ଶ୍ରେଣୀର କୃତ୍ରିମ ଫ୍ଲେଭର ଉତ୍ପାଦନ ସମୟରେ ମିଶାଯାଉଥିଲା।
FSSAI ରବିବାର ଜାରି କରିଥିବା ବିବୃତିରେ କହିଛି, "ରମ୍ରେ ରମ୍ ଫ୍ଲେଭର କିମ୍ବା ହ୍ୱିସ୍କିରେ ହ୍ୱିସ୍କି ଫ୍ଲେଭର ମିଶାଇବା ପାଇଁ କୌଣସି ଆନ୍ତର୍ଜାତିକ ସ୍ୱୀକୃତ ଉତ୍ପାଦନ ପ୍ରଣାଳୀ ନାହିଁ।"
ନିୟାମକ ସଂସ୍ଥାର କହିବା ଅନୁସାରେ, ଏଭଳି ପ୍ରକ୍ରିୟା ଅନୁସରଣ କଲେ ମଦ ପ୍ରସ୍ତୁତିର ପାରମ୍ପରିକ ପଦ୍ଧତି, ଯଥା ଦୀର୍ଘ ସମୟ ଧରି ପରିପକ୍ୱ କରିବା (maturation) କିମ୍ବା ଗୁଡ଼, ମାଲ୍ଟ ଓ ଅଙ୍ଗୁର ଭଳି ମୂଳ ଉପାଦାନର ବ୍ୟବହାରର ଆବଶ୍ୟକତା କମିଯାଇପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।